ଦେବେନ୍ଦ୍ର ପୃଷ୍ଟି
ବିଜେପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ଅବସର ସୃଷ୍ଟି କରିଛି। ତିନି ଦଳ ମଧ୍ୟରୁ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ରେକର୍ଡ଼ ବ୍ୟବଧାନରେ ଜିତିଥିବାରୁ ଦଳର ନେତା ନବୀନ ପଟ୍ଟନାୟକ ଓ ତାଙ୍କ ପାଇଁ ଦଳ ଓ ସରକାର ପରିଚାଳନାରେ ତାଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବ୍ୟକ୍ତି ନିଶ୍ଚୟ ସମସ୍ତ ଶ୍ରେୟର ଅଧିକାରୀ। ତେବେ, ବିଜେପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରିବା ନିଶ୍ଚିତ ଭାବେ ଶାସକ ଦଳ ଓ ସରକାର ପାଇଁ ଚିନ୍ତାର କାରଣ ହେବ।
ଏହି ଉପନିର୍ବାଚନରେ ରୀତା ସାହୁଙ୍କ ବିଜୟ ବ୍ୟବଧାନ ଛଅ ମାସ ତଳେ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନଠାରୁ ବଳି ଯାଇଛି। ୨୦୧୯ ଏପ୍ରିଲ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେପୁରରୁ ଲଢ଼େଇ କରି ବିଜେପିର ସନତ ଗଡ଼ତିଆଙ୍କୁ ୫୭ ହଜାର ଭୋଟରେ ପରାସ୍ତ କରିଥିଲେ। ଏଥର ତାଙ୍କରି ଦଳର ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସନତ ଗଡ଼ତିଆଙ୍କୁ ୯୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ପୂର୍ବ ଥର ନବୀନ ପଟ୍ଟନାୟକ ସେଠାର ୧.୧୦ ଲକ୍ଷ ଭୋଟ ପାଇଥିଲାବେଳେ ଏଥର ରୀତା ସାହୁ ୧.୩୫ ଲକ୍ଷ ଭୋଟ ପାଇଛନ୍ତି। ଏହା ମଧ୍ୟ ନବୀନଙ୍କ ଭୋଟଠାରୁ ୨୫ ହଜାର ଅଧିକ। ଏହି ଦୃଷ୍ଟିରୁ ଏହି ଫଳାଫଳ ବିଜେପୁରରେ ରୀତାଙ୍କ ତୁଳନାରେ ନବୀନ କମ୍ ଲୋକପ୍ରିୟ ବୋଲି ଚର୍ଚ୍ଚା ହୋଇପାରେ। ଅଧିକନ୍ତୁ ଏତେ ଲୋକପ୍ରିୟ ଜଣେ ନେତ୍ରୀଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ମଧ୍ୟ ଦାବି ଉଠିପାରେ। ରୀତା କେବଳ ନବୀନଙ୍କ ରେକର୍ଡ଼ ଭାଙ୍ଗି ନାହାନ୍ତି। ସେ ଓଡ଼ିଶା ବିଧାନସଭା ନିର୍ବାଚନ ଇତିହାସରେ ସବୁଠୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି ବୋଲି ହିସାବ କରାଯାଉଛି। ୨୦୦୦ ମସିହାରେ ଭୁବନେଶ୍ୱର ଆସନରୁ ବିଜେପି ପ୍ରାର୍ଥୀ ବିଶ୍ୱଭୂଷଣ ହରିଚନ୍ଦନ ୯୪,୫୫୫ ଭୋଟ ବ୍ୟବଧାନରେ ଜିତିଥିଲେ। ତାହା ଥିଲା ରେକର୍ଡ଼। ଏଥର ରୀତାଙ୍କ ବ୍ୟବଧାନ ଆହୁରି ୩ ହଜାର ବଢ଼ି ସର୍ବକାଳୀନ ରେକର୍ଡ଼ ଭାବେ ମାନ୍ୟତା ଅର୍ଜନ କରିଛି।
ଏଣୁ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରିପରିଷଦରେ ସ୍ଥାନ ଦେଇ ବିଜେପୁରକୁ ଭଲ ପାଇବାର ପ୍ରମାଣ ଦେବେ ବୋଲି ଲୋକେ ଆଶା କରିପାରନ୍ତି। ଏହା ନବୀନ ଓ ତାଙ୍କର ପରିଚାଳକମାନଙ୍କ ପାଇଁ କଠିନ କାର୍ଯ୍ୟ ହୋଇପାରେ। କାରଣ ୨୦୧୯ ସାଧାରଣ ନିର୍ବାଚନରେ ଖଣ୍ଡପଡ଼ାରୁ ସୌମ୍ୟ ରଂଜନ ପଟ୍ଟନାୟକ ୮୧ ହଜାର ଭୋଟ ବ୍ୟବଧାନରେ ଜିତି ସେହି ନିର୍ବାଚନରେ ରେକର୍ଡ଼ କରିଥିଲେ। ତାହା ମଧ୍ୟ ଥିଲା ନବୀନଙ୍କ ବିଜୟ ବ୍ୟବଧାନଠାରୁ ଅଧିକ। ତେଣୁ ସମସ୍ତେ ଆଶା କରୁଥିଲେ ଯେ ସୌମ୍ୟ ନିଶ୍ଚୟ ମନ୍ତ୍ରୀ ହେବେ। ମାତ୍ର, ଏଯାଏଁ ତାଙ୍କର ଏବଂ ତାଙ୍କ ସମର୍ଥକମାନଙ୍କର ସେହି ଆଶା ପୂରଣ ହୋଇନାହିଁ। ରୀତାଙ୍କ କ୍ଷେତ୍ରରେ ସୌମ୍ୟଙ୍କ ଦଶାର ଯେ ପୁନରାବୃତ୍ତି ନହେବ ତାହା କିଏ କହିବ?
ତେବେ, ସବୁଠୁ ବଡ଼ କଥା ହେଉଛି ବିଜେପୁରକୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ। ଗତ ଦୁଇ ବର୍ଷରେ ତିନି ତିନିଟି ନିର୍ବାଚନର ସମ୍ମୁଖୀନ ହୋଇଥିବା ବିଜେପୁରବାସୀଙ୍କ ସମର୍ଥନ ହାସଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ସମେତ ବହୁ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ସେସବୁ ପ୍ରତିଶ୍ରୁତି ପୂରଣ କରିବାକୁ ସରକାରଙ୍କ ଉପରେ ନିଶ୍ଚୟ ଅଧିକ ଚାପ ପଡ଼ିବ। ରାଜ୍ୟର ଆର୍ଥିକ ଅବସ୍ଥା ଯାହା ସେଥିରେ ସବୁଯାକ ପ୍ରତିଶ୍ରୁତି ଯେ ପୂରଣ ହେବ ନାହିଁ ତାହା ଜଳଜଳ ଦେଖାଯାଉଛି। ପ୍ରାୟ ଲକ୍ଷେ କୋଟି ଟଙ୍କାର ଋଣଭାର ମୁଣ୍ଡେଇଥିବା ରାଜ୍ୟବାସୀଙ୍କ ଉପରେ ବିଜେପୁରର ବିକାଶ ଆଉ ଏକ ବୋଝ ହୋଇଯାଇପାରେ। ଆଉ ରାଜ୍ୟବାସୀ ଏଇ ବୋଝ ମୁଣ୍ଡେଇବେ ଖାସ୍ ଗୋଟିଏ ଦଳର ଲାଭ ପାଇଁ। ଏହା କଥା ରାଜନୀତିକ ଚର୍ଚ୍ଚାକୁ ଆସିଲେ ତାହା ମଧ୍ୟ ଶାସକ ଦଳ ପାଇଁ ଏକ ଚିନ୍ତାର କାରଣ ହେବ।
ଏହି ଉପନିର୍ବାଚନରେ ଭୋଟସଂଖ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଭାରତୀୟ ଜନତା ପାର୍ଟି। ୨୦୧୯ ଏପ୍ରିଲ ବିଧାନସଭା ନିର୍ବାଚନର ଏହି ଦଳର ପ୍ରାର୍ଥୀ ସନତ ଗଡ଼ତିଆ ୫୩ ହଜାର ଉପରେ ଭୋଟ ପାଇଥିଲେ। ଏଥର ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଏଥର ତାଙ୍କ ଭୋଟସଂଖ୍ୟା ୩୭ ହଜାରକୁ ଖସି ଆସିଛି। ଦଳ ଏହି ୧୬ ହଜାର ଭୋଟ କାହିଁକି ହରେଇଲା ବିଜେପି କର୍ମୀମାନେ ତାହାର ଉତ୍ତର ଖୋଜିପାରନ୍ତି। ଦଳର ରାଜ୍ୟ ନେତୃତ୍ୱ ପାଇଁ ଏହା ଚିନ୍ତାର କାରଣ ହୋଇପାରେ। ରାଜ୍ୟ ନେତୃତ୍ୱ ଚିନ୍ତା କରିବାର କଥା ଯେ ଛଅ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ି ଯେଉଁ ପ୍ରାର୍ଥୀ ୫୩ ହଜାର ଭୋଟ ପାଇଥିଲେ ସେହି ପ୍ରାର୍ଥୀ ଏବେ ରୀତା ସାହୁଙ୍କ ବିରୋଧରେ ଲଢ଼ି କାହିଁକି ୧୬ ହଜାର ଭୋଟ ହରେଇଲେ? ଗତ ନିର୍ବାଚନ ପରେ ପରେ ରାଜ୍ୟରେ ବିଜେଡି-ବିଜେପି ବୁଝାମଣା ହୋଇଛି ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି ସେଥିପାଇଁ ଏହି ପରିଣାମ ମିଳିଛି କି? ଯଦି ଭୋଟ ପାଇଁ ମଧ୍ୟ ବିଜେପି ବିଜେଡି ସହିତ ରହିବ ତେବେ ଲୋକେ ସିଧାସଳଖ ବିଜେଡିକୁ କାହିଁକି ନବାଛିବେ? ଲୋକଙ୍କ ମନରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି କି? ବିଜେପିର ରାଜ୍ୟ ନେତୃତ୍ୱ ମଧ୍ୟରେ କୌଣସି କାରଣରୁ କିଛି କନ୍ଦଳ ସୃଷ୍ଟି ହୋଇଛି କି? ଦଳ ବିଜେପୁରରେ ସବୁ ଶକ୍ତି ଲଗେଇ ଲଢ଼ି ନଥିଲା କି? କିମ୍ବା ବର୍ତ୍ତମାନର ରାଜ୍ୟ ନେତୃତ୍ୱକୁ ବଦନାମ କରିବା ପାଇଁ ଦଳର କୌଣସି ଶକ୍ତି କିଛି ଉପାୟ ଅବଲମ୍ବନ କରିଥିଲେ କି? ଏସବୁ ପ୍ରଶ୍ନର ଉତ୍ତର ଖୋଜି ଦଳକୁ ପୁଣି ଥରେ ବିଜେଡିର ସହଯୋଗୀ ନୁହେଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉପସ୍ଥାପିତ କରିବା ନିଶ୍ଚୟ ବିଜେପି ପାଇଁ ଏକ ଆହ୍ୱାନ।
ସେହିପରି ରାଜ୍ୟ କଂଗ୍ରେସ ନେତୃତ୍ୱ ପାଇଁ ପୁଣି ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଥର ଏହି ଦଳର ପ୍ରାର୍ଥୀ ରିପୁନାଥ ସେଠ ୧୪ ହଜାର ଭୋଟ ପାଇଥିଲେ। ଏଥର ଦଳ ତାଙ୍କୁ ବଦଳାଇ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କଲା। ସେ ପାଇଲେ ମାତ୍ର ୫ ହଜାର ଭୋଟ। ରୀତା ସାହୁଙ୍କ ବିଜୟ ସହଜ କରିବା ପାଇଁ ଦଳୀୟ ନେତୃତ୍ୱ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି ତାହା ଦୂର କରିବା ନିଶ୍ଚୟ ପ୍ରଦେଶ କଂଗ୍ରେସ ସଭାପତିଙ୍କ ପାଇଁ ଏକ ଆହ୍ୱାନ। ଏହି ଉପନିର୍ବାଚନ ସହିତ ମହାରାଷ୍ଟ୍ର ଓ ହରିଆନାରେ ମଧ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଜାତୀୟ କଂଗ୍ରେସରେ ଏବେ ଯେପରି ନେତୃତ୍ୱ ସଂକଟ ଲାଗି ରହିଛି ତାହା ସତ୍ତ୍ୱେ ଉଭୟ ରାଜ୍ୟରେ କଂଗ୍ରେସ ଦଳ ବେଶ୍ ଭଲ ଫଳାଫଳ ହାସଲ କରିଛି। ଉଭୟ ରାଜ୍ୟରେ କଂଗ୍ରେସ ଓ ଏହାର ସହଯୋଗୀଙ୍କ ଆସନ ସଂଖ୍ୟା ବୃଦ୍ଧି ପାଇଛି, ବିଜେପି ଓ ତାହାର ସହଯୋଗୀଙ୍କ ଆସନ ସଂଖ୍ୟା ହ୍ରାସ ପାଇଛି। ଉଭୟ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ବହୁ ତୁଙ୍ଗ ନେତା ପ୍ରଚାର କରିଥିଲେ। ତାହା ସତ୍ତ୍ୱେ ଦଳ କ୍ଷତିଗ୍ରସ୍ତ ହେଲା ଓ କଂଗ୍ରେସ ଭଲ କଲା। କିନ୍ତୁ ଓଡ଼ିଶାର ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଚାର କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ କି ଦଳର ରାଷ୍ଟ୍ରୀୟ ସଭାପତି ଆସି ନଥିଲେ। ଏହା ସତ୍ତ୍ୱେ କଂଗ୍ରେସ ଦଳର ଭୋଟ କମିବା ନିଶ୍ଚିତ ଭାବେ ଲଜ୍ଜାଜନକ। କ୍ରମାଗତ ତୃତୀୟ ଥର ପାଇଁ ବିଜେପୁରରେ କଂଗ୍ରେସର ଅମାନତ ଉଡ଼ିଯାଇଛି। ଦଳ ପାଇଁ ଏହା ତତୋଧିକ ପୀଡ଼ାଦାୟକ। ଭୋଟ ପୂର୍ବରୁ କଂଗ୍ରେସର ପାଣ୍ଠି ନାହିଁ, କଂଗ୍ରେସ ହାରିବ ବୋଲି ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ବରିଷ୍ଠ ବିଧାୟକ କହିବୁଲିବା ଦଳକୁ ଏଇ ଅପମାନଜନକ ସ୍ଥିତିରେ ପହଂଚାଇଛି ବୋଲି ଆଲୋଚନା ହୋଇପାରେ। ଏଭଳି ସ୍ଥିତିରେ ଦୀପାବଳି ପରେ ରାଜ୍ୟରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ସାଂଗଠନିକ ପୁନର୍ଗଠନ ହେବ ବୋଲି ଘୋଷଣା କରିଥିବା ପିସିସି ମୁଖିଆ କିପରି ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ ତାହା କୋଟିଏ ଟଙ୍କାର ପ୍ରଶ୍ନ।