ଆଗାମୀ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେହି ପରିମାଣରେ ରାଜନୈତିକ ଦଳମାନଙ୍କର କାର୍ଯ୍ୟକଳାପ ଓ ଲୋକମାନଙ୍କ ନିକଟରେ ପ୍ରଭାବ ପକାଇବା ପାଇଁ ପ୍ରତିଯୋଗିତା ବଢ଼ିବା ସ୍ୱାଭାବିକ। କିନ୍ତୁ ଏହି ପ୍ରତିଯୋଗିତା ଭିତରେ ରାଜନୈତିକ ଓ ପ୍ରଶାସନିକ ବିଧିବିଧାନକୁ ପ୍ରତ୍ୟେକ ଦଳ ଏପରି ଭାବରେ କରିବା ଉଚିତ୍ ଯେଉଁଥିରେ ହିଂସାତ୍ମକ ବାତାବରଣ ବଢ଼େଇବାରେ ସହାୟକ ହେବନାହିଁ। ଯେପରି ଗଣମାଧ୍ୟମ ପାଇଁ ଏକ ଲକ୍ଷ୍ମଣରେଖା ରହିଛି, ଯାହାକୁ ଅତିକ୍ରମ କଲେ ସମାଜ କଳୁଷିତ ହେବ। ବାସ୍ତବରେ ଏହି ଲକ୍ଷ୍ମଣରେଖାକୁ ଅନେକ ଗଣମାଧ୍ୟମ ପାଳନ କରୁନଥିବାରୁ ଦେଶର ସମାଜ ଭିତରେ ଘୃଣା ଓ ହିଂସାର ବାତାବରଣ ବୃଦ୍ଧି ପାଉଛି। ସେହିପରି ରାଜନୈତିକ ସ୍ତରରେ ପ୍ରତ୍ୟେକଙ୍କ ପାଇଁ ଉଭୟ ସରକାର, ବିରୋଧୀ ଓ ପୋଲିସ ପ୍ରଶାସନ ପାଇଁ ରାଜନୈତିକ କାର୍ଯ୍ୟକଳାପରେ ଏକ ଲକ୍ଷ୍ମଣରେଖା ରହିଛି। ସେହି ରେଖାକୁ ନମାନିଲେ ଅଶ୍ୱସ୍ତିକର ବାତାବରଣ ନିଶ୍ଚିତ ସୃଷ୍ଟି ହେବ।
ନିକଟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତି ବିଜେପି ବିକ୍ଷୋଭ ସମୟରେ ଜଣେ ମହିଳା ଅଧିକାରୀଙ୍କ ଅସମ୍ମାନ ବ୍ୟବହାର ଓ ଶ୍ରୀ ମିଶ୍ର ତାଙ୍କୁ ମାଡ଼ ମାରିବା ଘଟଣା ନେଇ ହେଉଥିବା ଆଲୋଚନାରେ ରାଜ୍ୟର ଜଣେ ବରିଷ୍ଠ ନେତା ଏହି ସାମ୍ବାଦିକଙ୍କୁ କହିଲେ ଯେ ଜୟନାରାୟଣ ମିଶ୍ରଙ୍କର ଭୋଟ ଏହି ଘଟଣାରେ ସମ୍ବଲପୁରରେ ବୃଦ୍ଧି ପାଇବ। ତାଙ୍କର ଯୁକ୍ତି ହେଲା ଯେ ପୋଲିସକୁ ମାଡ଼ ମାରିଲେ ସମର୍ଥନ କମେ ନାହିଁ, ବରଂ ବଢ଼ିଯାଏ। ତାଙ୍କର ଏହି ଯୁକ୍ତିର କାରଣ ହେଲା ଯେ ସାଧାରଣ ଭାବରେ ପୋଲିସ ପ୍ରତି ଲୋକମାନଙ୍କର ଖୁବ୍ କମ୍ ସ୍ଥାନରେ ସମର୍ଥନ ଥାଏ। କାରଣ ପୋଲିସ ବିଭିନ୍ନ ଘଟଣାରେ ଲୋକମାନଙ୍କୁ ସହାୟତା କରିବା ଅପେକ୍ଷା ଅଧିକ ହଇରାଣ ହରକତ କରିଥାଏ। ପୋଲିସ ଯେଉଁ ଦାୟିତ୍ୱ ପାଇଁ ଅଛି ଓ ଯେଉଁଥିପାଇଁ ସେ ଅନୁଷ୍ଠାନକୁ କ୍ଷମତା ଓ ସୁବିଧା ପ୍ରଦାନ କରାଯାଉଛି ସେହି ଦାୟିତ୍ୱ ପାଳନ ସମୟରେ ସମ୍ବେଦନଶୀଳତା ସହିତ କାମ କରିବା ଓ ନିରୀହ ଲୋକମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ଅପେକ୍ଷା ଉପରିସ୍ଥ ବ୍ୟକ୍ତିମାନଙ୍କୁ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ସନ୍ତୁଷ୍ଟ କରିବାକୁ ସେମାନେ ଅଗ୍ରାଧିକାର ଦିଅନ୍ତି। ସେହି କାରଣରୁ ପୋଲିସକୁ ମାଡ଼ ଦେଲେ ତାହା ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବାର ଆଶଙ୍କା ସତ୍ତ୍ୱେ କେତେକ ନେତା ଏହି ପନ୍ଥାର ଆଶ୍ରୟ ନେଇ ସେମାନଙ୍କର ସମର୍ଥନ ବଢ଼ାଇଥାନ୍ତି।
ଜୟନାରାୟଣ ମିଶ୍ର ସମ୍ଭବତଃ ଏହିପରି ଜଣେ ନେତା ଯିଏକି ପୋଲିସ ଦ୍ୱାରା ଭୟଭୀତ ହୁଅନ୍ତି ନାହିଁ। କିନ୍ତୁ ସେ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କଠାରୁ ସାଧାରଣ ଭାବେ କେତେକ ଶୃଙ୍ଖଳା ଓ ସଂଯମତା ସହିତ ଏକ ଲକ୍ଷ୍ମଣରେଖା ଭିତରେ କାମ କରିବାର ଆବଶ୍ୟକତା ରହିଛି ବୋଲି ଭାବିବା ସ୍ୱାଭାବିକ। କିନ୍ତୁ ଜୟନାରାୟଣ ମିଶ୍ରଙ୍କ ସହିତ ସମ୍ବଲପୁରରେ ଜଣେ ମହିଳା ପୋଲିସ ଅଧିକାରୀଙ୍କର ବିଜେପି ବିକ୍ଷୋଭ ସମୟରେ ଯାହା ଘଟିଲା ସେଥିରେ ପୋଲିସର ଓ ମହିଳାର ସମ୍ମାନରେ ଆଘାତ ଆସିଛି ବୋଲି ଦର୍ଶାଇ ପୋଲିସ ସଂଘ ପକ୍ଷରୁ ଓ ମହିଳା ପୋଲିସମାନଙ୍କ ପକ୍ଷରୁ ଯେପରି ପ୍ରତିବାଦ କରାଯାଉଛି ତାହାର ପ୍ରକୃତ ଲକ୍ଷ୍ୟ କ’ଣ? ବିରୋଧୀ ପକ୍ଷକୁ ଦବାଇଦେବା ଓ ଜଣେ ପୋଲିସ ଅଧିକାରୀ ଗୁଳିରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାଜନିତ ଘଟଣାରେ ପୋଲିସ ପ୍ରତି ଯେଉଁ ଅବିଶ୍ୱାସ ବାତାବରଣ ସୃଷ୍ଟି ହୋଇଛି ତାହାକୁ ଏଡ଼ାଇଦେବା ଉଦ୍ଦେଶ୍ୟରେ ଏହା କରାଯାଉଛି ବୋଲି ଯେ କେହି କହିପାରିବ। କାରଣ ସଂପୃକ୍ତ ପୋଲିସ ଅଧିକାରୀ ଥାନାରେ ଏତଲା ଦେଇଛନ୍ତି ଓ ପୋଲିସ ମାମଲାର ତଦନ୍ତ କରୁଛି। ଅପରପକ୍ଷରେ ଏହାକୁ ଆଳ କରି ଶାସକ ବିଜେଡିର ମହିଳା ସାମ୍ମୁଖ୍ୟ ରାଜ୍ୟବ୍ୟାପି ଏଥିପାଇଁ ବିଜେପିକୁ ନିନ୍ଦା କରି ଓ ଜୟନାରାୟଣ କ୍ଷମା ମାଗନ୍ତୁ ବୋଲି ଦାବି କରି ସଭାସମିତି କରୁଛି। ଏହା ସେମାନଙ୍କର ଅଧିକାର ହେଲେ ମଧ୍ୟ ପୋଲିସ ସଂଘର ଆଚରଣ କଦାପି ଗ୍ରହଣୀୟ ନୁହେଁ।
ପୋଲିସ ଏଏସ୍ଆଇ ଗୋପାଳ ଦାସ ଯେତେବେଳେ ଗୁଳିକରି ନବକିଶୋର ଦାସଙ୍କୁ ହତ୍ୟା କଲେ ସେତେବେଳେ ସାରା ରାଜ୍ୟରେ ପୋଲିସ ବିରୋଧରେ ଯେଉଁ ବାତାବରଣ ହୋଇଥିଲା ତାହାକୁ ଦୂର କରିବା ପାଇଁ ପୋଲିସ ସଂଘ କିଛି ପଦକ୍ଷେପ ନେଇଛି କି? ଯେଉଁ ପୋଲିସ ଅଧିକାରୀମାନେ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବା ଜଘନ୍ୟ ଅପରାଧୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପିସ୍ତଲ ପାଇଛନ୍ତି, ସେହି ପିସ୍ତଲ ଯଦି ମନ୍ତ୍ରୀଙ୍କ ବିରୋଧରେ ବ୍ୟବହାର ହେଲା ତେବେ ଏପରି ପୋଲିସ ଅଧିକାରୀଙ୍କୁ ପିସ୍ତଲ ଦିଆଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ନିଶ୍ଚିତ ପ୍ରଶ୍ନ କରାଯିବ। ପୋଲିସ ସଂଘ ଏ ସଂକ୍ରାନ୍ତରେ କୌଣସି ମତ ପ୍ରକାଶ କରୁନଥିବାରୁ କେତେକ ବିଧାୟକ ଯେଉଁମାନେ କି ବ୍ୟକ୍ତିଗତ ସୁରକ୍ଷା କର୍ମୀ ପାଇଛନ୍ତି, ସେମାନେ ଏଥିପ୍ରତି ଭୟଭୀତ ଥିବା କଥା ଗଣମାଧ୍ୟମକୁ କହିଛନ୍ତି। ଯଦି କୌଣସି ପୋଲିସ ଅଧିକାରୀ କୌଣସି ବ୍ୟକ୍ତିଗତ କାରଣରୁ କାହାରି ବିରୋଧରେ କ୍ରୋଧାନ୍ୱିତ ହେଲା, ତେବେ ସେ ପାଇଥିବା ସରକାରୀ ପିସ୍ତଲରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗୁଳି କରିଦେଇପାରିବ ବୋଲି ଆଶଙ୍କା ହେବା ସ୍ୱାଭାବିକ।
ଜନସାଧାରଣ ନିର୍ବାଚନ ଜରିଆରେ ଯେତେବେଳେ ସରକାର ଗଠନ କରନ୍ତି ସେତେବେଳେ ବିରୋଧୀ ଦଳ ପାଇଁ ମଧ୍ୟ ନିର୍ବାଚନରେ ଭୋଟ ଦେଇଥାନ୍ତି। ସେଥିପାଇଁ ଗଣତନ୍ତ୍ରରେ ବିରୋଧୀ ଦଳର ଏକ ସ୍ୱତନ୍ତ୍ର ସମ୍ମାନ ଓ ମର୍ଯ୍ୟାଦା ରହିଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପନ୍ନ ହୋଇଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିବା ଓ ଏଥିପାଇଁ ସରକାରୀ ତଥ୍ୟକୁ ଉପସ୍ଥାପିତ କରିବା ଏକ ସାଧାରଣ ରାଜନୈତିକ ପ୍ରକ୍ରିୟା। ଏହାକୁ ସରକାରୀ ଦଳ ଅସତ୍ୟ, ମନଗଢ଼ା କହି ବିରୋଧୀ ପକ୍ଷର ଦୋଷତ୍ରୁଟି ଦର୍ଶାଇବା, ସେମାନଙ୍କର ରାଜନୈତିକ କାର୍ଯ୍ୟକଳାପ ଭାବରେ ବିଚାର କରାଯିବ। ନିର୍ବାଚନ ପୂର୍ବରୁ ରାଜ୍ୟରେ ପରସ୍ପର ବିରୋଧୀ ଦୁଇଟି ରାଜନୈତିକ କାର୍ଯ୍ୟକଳାପ ଚାଲିବାରେ କିଛି ଅସୁବିଧା ନାହିଁ। ପ୍ରତ୍ୟେକ ଗୋଷ୍ଠୀ ନିଜର ଆଚରଣକୁ ଯଥାର୍ଥ କହିବା ଓ ଅନ୍ୟପକ୍ଷ ନାଟକବାଜି କରୁଛି ବୋଲି ଆକ୍ଷେପ କରିବାର ପରମ୍ପରାକୁ ଜନସାଧାରଣ ସହଜରେ ବୁଝିପାରନ୍ତି। କିନ୍ତୁ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳମାନେ ଲକ୍ଷ୍ମଣରେଖାକୁ ଅତିକ୍ରମ କରି ପରସ୍ପର ବିରୋଧରେ କେତେ କଟୁଶବ୍ଦ ବ୍ୟବହାର କରିବେ ସେଥିପାଇଁ ଯେଉଁ କାର୍ଯ୍ୟକ୍ରମ ଚାଲେ ତାହାକୁ ସାଧାରଣ ଲୋକ ସହଜରେ ଗ୍ରହଣ କରନ୍ତି ନାହିଁ।
ଜୟନାରାୟଣଙ୍କ ବିରୋଧରେ ସଭାସମିତି କରି ସେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଅପମାନିତ କରିଥିବା ପ୍ରସଂଗ ଉଠାଇବା ସମୟରେ ସଭାରେ ଉପସ୍ଥିତ ଥିବା ଜଣେ ନେତା, ଯିଏକି ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ଥିଲେ ଓ ପୂର୍ବତନ ଆଇପିଏସ୍ ଅଫିସର, ସେ ସିଧାସଳଖ ତାଙ୍କ ହାବୁଡ଼ରେ ଯଦି ଶ୍ରୀ ମିଶ୍ର ପଡ଼ିଥାନ୍ତେ, ତେବେ ସେ ତାଙ୍କୁ ସେଇଠି ଗୋଟିଏ ଚାପୁଡ଼ାରେ ପକେଇ ଦେଇଥାନ୍ତେ ବୋଲି କହିଲେ। ୩୬ ବର୍ଷ ଧରି ପୋଲିସ ଅଫିସର ଭାବରେ କାମ କରିଥିବା ବ୍ୟକ୍ତି ଯଦି ବିଜେଡି ସଭାରେ ବିରୋଧୀ ଦଳ ନେତାଙ୍କ ପ୍ରତି ଧମକ ଦେଇ କହନ୍ତି ଯେ ସେ ତାଙ୍କ ହାବୁଡ଼ରେ ପଡ଼ିଗଲେ କ’ଣ ହେବ, ସେ ବୋଧହୁଏ ଜାଣିନାହାନ୍ତି। ପରୋକ୍ଷରେ ପୋଲିସ ଅଧିକାରୀମାନଙ୍କୁ ବିରୋଧୀ ଦଳଙ୍କୁ ବାଡ଼େଇବା ପାଇଁ ସୁଯୋଗ ଦେବା ନିମନ୍ତେ ସେ ଆହ୍ୱାନ ଦେଇଛନ୍ତି ବୋଲି ବୁଝିବାକୁ ପଡ଼ିବ।
ଏହି ଧମକପୂର୍ଣ୍ଣ ବକ୍ତବ୍ୟ ଉପରେ ଯଦି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଯିଏକି ଗତ କିଛିବର୍ଷ ହେଲା ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଲେଖିବାକୁ ଦାବି କରୁଛନ୍ତି, ସେ ଯଦି ଏପରି ମନ୍ତବ୍ୟ ଉପରେ ନିରବ ରୁହନ୍ତି ତେବେ କେବଳ ରାଜନୈତିକ ଦଳମାନେ ନୁହନ୍ତି, ପୋଲିସ ମଧ୍ୟ ଲକ୍ଷ୍ମଣରେଖା ମାନିବ ନାହିଁ ବୋଲି ଏକ ପରିବେଶ ସୃଷ୍ଟି ହେବ। ଯଦି ପୋଲିସ ନିୟନ୍ତ୍ରଣ ହରାଏ ଯାହାର ସୂଚନା ବ୍ୟକ୍ତିଗତ ସ୍ତରରେ ହେଲେ ମଧ୍ୟ ଗୋପାଳ ଦାସ କ୍ଷେତ୍ରରେ ଦେଖାଗଲା ତା’ହେଲେ ରାଜ୍ୟରେ କି ଅବସ୍ଥା ହେବ? ସବୁ ରାଜନୈତିକ ଦଳ, ସରକାର, ପୋଲିସ ପ୍ରଶାସନ ସେମାନଙ୍କ ଦାୟିତ୍ୱ ପାଳନ କଲାବେଳେ ଲକ୍ଷ୍ମଣରେଖାକୁ ମାନିବା କେତେ ଜରୁରୀ ତାହା ଯଦି ପ୍ରତି ମୁହୂର୍ତ୍ତରେ ଏହିସବୁ ସଂଗଠନର ମୁଖ୍ୟମାନେ ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ବାରମ୍ବାର ନକୁହନ୍ତି, ତେବେ ଓଡ଼ିଶାର ଲକ୍ଷ୍ମଣରେଖା ଅତିକ୍ରମ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଭୟଙ୍କର ରୂପ ନେବ। ନିର୍ବାଚନ ବର୍ଷରେ ଏହାକୁ ନିୟନ୍ତ୍ରଣ କରାଯିବା ଅତି ଜରୁରୀ। ବିଧାନସଭାର ବଜେଟ୍ ଅଧିବେଶନରେ ଆଇନଶୃଙ୍ଖଳା ବିଷୟ ସହିତ ସମସ୍ତ ବିଷୟରେ ଆଲୋଚନା ସମୟରେ ପ୍ରତ୍ୟେକ ସଂଗଠନ ଓ ସରକାର ବିଧାନସଭା ବାହାରେ ମଧ୍ୟ ଲକ୍ଷ୍ମଣରେଖାକୁ କିପରି ସମସ୍ତେ ପାଳନ କରିବେ ସେଥିପାଇଁ ଏକ ବିଧି ପ୍ରସ୍ତୁତ କରିବା ଆବଶ୍ୟକ।
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫