ଓମ୍ ପ୍ରିୟଦର୍ଶୀ ଛୋଟରାୟ
ଇତିହାସ କୁହେ ସମ୍ରାଟ ବିକ୍ରମାଦିତ୍ୟଙ୍କ ଶାସନରେ ରାଜ୍ୟ ଚୋରି ଓ ଡକାୟତି ଭୟରୁ ମୁକ୍ତ ଥିଲା। ଲୋକମାନେ ଗୃହରେ କବାଟ ଓ ତାଲା ଲଗାଇବା ଆବଶ୍ୟକ ମଣୁ ନଥିଲେ। ଏବେବି ମହାରାଷ୍ଟ୍ରର ଶନି ସିଙ୍ଗାପୁର ଗ୍ରାମ ଓ ଆମ ଓଡିଶାର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ସିଆଳିଆ ଗ୍ରାମରେ ଏହି ପରମ୍ପରା ବଜାୟ ରହିଛି। ଏଥି ସହ ସମାଜରେ ବ୍ୟକ୍ତି-ବ୍ୟକ୍ତି ଓ ପରିବାର-ପରିବାର ମଧ୍ୟରେ ଖୁବ ଭଲ ସମ୍ବନ୍ଧ ରହିଥିଲା। ଡଜନରୁ ଅଧିକ ଲୋକ ଗୋଟିଏ ଛାତ ତଳେ ପରିବାର ଭାବେ ରହୁଥିଲେ। ସଭିଏଁ ସଭିଙ୍କ ବିଷୟରେ ପୂର୍ଣ ଜ୍ଞାତ ଥିଲେ। ଗୋଟିଏ ପରିବାରର ଅତିଥି ପୁରା ଗ୍ରାମର ଅତିଥି ଥିଲା, ଗ୍ରାମର ଝିଅକୁ ବିବାହ କରିଥିବା ବ୍ୟକ୍ତିଟି ପୁରା ଗ୍ରାମର ଜ୍ବାଇଁ ବୋଲି ସମସ୍ତେ ଗ୍ରହଣ କରୁଥିଲେ। ସେ ଅନାୟାସରେ ସର୍ବତ୍ର ବିଚରଣ କରୁଥିଲା, କାହା ଘରେ ବି ଭୋଜନ ଓ ରାତ୍ରିଯାପନ କରି ପାରୁଥିଲା। ମନୁଷ୍ୟ ଜୀବନରେ ଗୋପନୀୟତା, ଏକାନ୍ତତା, ବ୍ୟକ୍ତିଗତ ଆଦି ଶବ୍ଦର ଅତି ଗୌଣ ଭୂମିକା ଥିଲା, ଯାହା ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛନ୍ତି।
ଆମେ ଆଉ ଆଗ ଭଳି ଖୋଲା ଜୀବନ ବଞ୍ଚୁ ନାହେଁ କି ଭବିଷ୍ୟତରେ ମଧ୍ୟ ଏହା ସମ୍ଭବ ହେବନାହିଁ। ସହରୀକରଣ ହେଉ ଅବା ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ, ଆମ ଜୀବନ ପୂର୍ବାପେକ୍ଷା ଖୁବ ସଂକୁଚିତ ହୋଇ ସାରିଛି। ଅତିଥି ତ ଦୂରର କଥା, ନିଜ ବାପା ମା ଙ୍କୁ ମଧ୍ୟ ପାଖରେ ରଖିବାକୁ ଲୋକେ କୁଣ୍ଠାବୋଧ କରୁଛନ୍ତି। ଆଜିକାଲି ଦଶ ବର୍ଷର ପିଲାବି 'ଆଇ ନିଡ୍ ମାଇଁ ସ୍ପେସ' କହି ଅଲଗା କକ୍ଷ ଦାବି କରୁଛି। କର୍ମବ୍ୟସ୍ତତା ଯୋଗୁଁ ପିତା ମାତା ନିଜ ପିଲା ଜୀବନରେ କଣ ଘଟୁଛି ସେ ଖବର ରଖି ପାରୁ ନାହାଁନ୍ତି। କର୍ମକ୍ଷେତ୍ରର ଚାପ ଓ ସମୟର ଅଭାବ ଫଳରେ ସ୍ୱାମୀ ସ୍ତ୍ରୀ ମଧ୍ୟ ପରସ୍ପର ବିଷୟରେ ପୂର୍ଣ ଜ୍ଞାତ ରହୁ ନାହାନ୍ତି। ଅନେକ ସମୟରେ ସେମାନେ 'ଆଇ ଡୋଣ୍ଟ ନିଡ୍ ଟୁ ଏକ୍ସପ୍ଲେନ ଏଭରିଥିଙ୍ଗ' କହି ବିଷୟଟିକୁ ଏଡାଇ ଯାଉଛନ୍ତି। ସୁଖ, ଦୁଃଖ, ଆନନ୍ଦ, ମନସ୍ତାପ, ମନମାଳିନ୍ୟ ଆଦି ଆବେଗ ଗୁଡିକ ଅଣୁ ପରିବାରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ରହିଯାଉଛି। ସମ୍ପ୍ରତି ଆମେ ଆହୁରି ବ୍ୟକ୍ତିଗତ ସ୍ତରକୁ ଯାଇ ଏ ଭାବନା ଗୁଡ଼ିକୁ ନିଜ ମୋବାଇଲ ମଧ୍ୟରେ ହିଁ ସୀମିତ ରଖୁଛେ।
ଯୌଥ ପରିବାର ଓ ସାମୂହିକ ଜୀବନ ଶୈଳୀରୁ ବହୁ ଉର୍ଦ୍ଧ୍ବକୁ ଉଠି ଆମେ ନିର୍ଜୀବ ମୋବାଇଲକୁ ପରମ ସାଥୀ କରି ସାରିଲେଣି। ମନର ଭାବନାକୁ ସାମାଜିକ ଗଣମାଧ୍ୟମରେ ଷ୍ଟେଟସ ଦେଇ ପ୍ରକାଶିତ କରାଯାଉଛି। ଆମ ଯୁବପୀଢ଼ିଙ୍କ ସକାଳ ଲାଇକ, କମେଣ୍ଟ ଓ ସେୟାର ଗଣିବାରୁ ଆରମ୍ଭ ହେଉଛି। ଯଦି ଅପେକ୍ଷିତ ସଂଖ୍ୟକ ଭିଉଜ ନମିଳିଛି ତେବେ କଥା ଆତ୍ମହତ୍ୟା ପର୍ଯ୍ୟନ୍ତ ଯିବା ଦୃଷ୍ଟାନ୍ତର ଅଭାବ ନାହିଁ। ଏକଦା ସାତ ପୁରୁଷର ନାମ ମନେ ରଖୁଥିବା ବ୍ୟକ୍ତି ଆଜି ନିଜ ଆକାଉଣ୍ଟ ପାସୱାର୍ଡ ମନେ ରଖିବା ଦାୟିତ୍ୱ ଗୁଗୁଲକୁ ଦେଇ ରଖିଛି। ଅତ୍ୟଧିକ ବ୍ୟକ୍ତିଗତ ଓ ଏକାନ୍ତ ଜୀବନରେ 'ଗୋପନୀୟତା'ର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଯାଏ। ତେଣୁ ସେଦିନ ଘରେ କବାଟ ଓ ତାଲା ଲଗାଉନଥିବା ମଣିଷ ଆଜି କ୍ଷୁଦ୍ର ମୋବାଇଲ ପାଇଁ ପିନ, ପାଟର୍ନ, ଫିଙ୍ଗର ପ୍ରିଣ୍ଟ, ଫେସ ଲକ ପରି ବହୁ ସୁରକ୍ଷା ବ୍ୟବସ୍ଥା ଲୋଡୁଛି। ତଥାପି ଆମ ତଥ୍ୟର ଗୋପନୀୟତା କେତେ ସୁରକ୍ଷିତ ତାହା ନିମ୍ନରେ ଆମେ ଆଲୋଚନା କରିବା। ଖୁବଶୀଘ୍ର ଲୋକପ୍ରିୟ ମେସେଜିଙ୍ଗ ସଂସ୍ଥା ହ୍ଵାଟସଆପ୍ ତାର ସର୍ତ୍ତ ଓ ନିୟମାବଳୀରେ ବିଶେଷ ପରିବର୍ତ୍ତନ ଆଣିବାକୁ ଯାଉଛି, ଯେଉଁଥିରେ ସେ ଉପଭୋକ୍ତାଙ୍କ ବ୍ୟକ୍ତିଗତ ବାର୍ତ୍ତା ସେମାନଙ୍କ ବିନା ଅନୁମତିରେ ତୃତୀୟ ପକ୍ଷକୁ ପ୍ରଦାନ କରି ପାରିବ।
ଏଥିରେ ଉପଭୋକ୍ତାଙ୍କ ଆଇ.ପି ଆଡ୍ରେସ, ଫେସବୁକ, ଇଂଷ୍ଟାଗ୍ରାମ, ଭାଷା, ଦେଶ, ସହର, ଟାଇମ ଜୋନ, ମୋବାଇଲ ନଂ, ସିମ ନଂ ଆଦି ମଧ୍ୟ ସାମିଲ ରହିପାରେ। ନିଜ ମୋବାଇଲକୁ ଅନ୍ୟକୁ ଛୁଇଁବାକୁ ଦେଉ ନଥିବା ବ୍ୟକ୍ତି ପାଇଁ ଏ ଖବର ହୃଦଘାତ ପ୍ରାୟ ପ୍ରତୀତ ହୋଇଛି। ତେବେ ଭାରତ ତଥା 'ତଥ୍ୟ ଗୋପନୀୟତା' ସମ୍ବନ୍ଧରେ ହାଲକା କାନୁନ ଥିବା ଦେଶଗୁଡିକର ଉପଭୋକ୍ତାଙ୍କୁ ବିଚଳିତ କରୁଥିବା ହ୍ଵାଟସଆପ୍, ଆମେରିକା, ଚୀନ୍ ଓ ଇଉରୋପୀୟ ରାଷ୍ଟ୍ରରେ ଏପରି ଦୁଃସାହସ ଦେଖାଏ ନାହିଁ। କାରଣ ଆମେରିକା ସମେତ ଅନେକ ଇଉରୋପୀୟ ଦେଶରେ 'ତଥ୍ୟ ଗୋପନୀୟତା' ସମ୍ବନ୍ଧୀୟ ଆଇନ ଏତେ ଶକ୍ତ ଯେ ଫେସବୁକ, ହ୍ଵାଟସଆପ୍ ପରି ବଡ଼ କମ୍ପାନୀ ଚାହିଁଲେ ବି ତାଙ୍କ ମାନମାନୀ ଚାଲିବ ନାହିଁ। ନିକଟରେ ଆମେରିକାର ଟେକ୍ସାସ ରାଜ୍ୟରେ ଗୁଗଲ ଉପରେ ଏକ ଆଣ୍ଟି-ଟ୍ରଷ୍ଟ ମାମଲା ରୁଜୁ କରାଯାଇଥିଲା। ଏଥିରେ ସାବ୍ୟସ୍ତ ହୋଇଥିଲା ଯେ ଗୁଗଲ, ଫେସବୁକ ସହ ମିଶି ନିଜର ପ୍ରତିଦ୍ୱନ୍ଦୀ କମ୍ପାନୀଗୁଡିକୁ ଅନ୍ତର୍ଜାତୀୟ ବଜାରରୁ ବିଦା କରାଇବା ସହ କୌଶଳକ୍ରମେ ସମାନ ସେବା ପ୍ରଦାନ କରୁଥିବା ଛୋଟ ଆଞ୍ଚଳିକ ସଂସ୍ଥାର ଅଂଶଧନ କରାୟତ କରି ନିଜର ଏକଛତ୍ରବାଦ ପ୍ରତିଷ୍ଠା କରିବାକୁ ପ୍ରୟାସରତ ଅଛି।
ଏହି ମାମଲାରେ ଟେକ୍ସାସର ଆଟର୍ଣ୍ଣି ଜେନେରାଲ କେନ୍ ପେକ୍ସଟନ ନିଜ ମତ ରଖି କହିଥିଲେ ଯେ ଯଦି ମୁକ୍ତ ବଜାର ଏକ କ୍ରିକେଟ ପଡିଆ ହୁଏ ତାହାଲେ ବ୍ୟାଟ୍ସମ୍ୟାନ, ବୋଲର ଓ ଅମ୍ପାୟାର ଆଦି ସମସ୍ତ ସ୍ଥାନରେ ଗୁଗଲ ନିଜେ ହିଁ ଠିଆ ହୋଇଯିବ। ଆମ ଭାରତରେ ତଥ୍ୟ ଚୋରି ଓ ପ୍ରଘଟନକୁ ନେଇ ପ୍ରାବଧାନ ଥିଲେ ବି ସେସବୁ ଫେସବୁକ, ହ୍ଵାଟସଆପ୍ ପରି ଆମେରିକୀୟ କମ୍ପାନୀକୁ ରୋକିବାରେ ଅସମର୍ଥ। ସମ୍ପ୍ରତି ୟୁରୋପୀୟ ସଂଘର 'ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେସନ' ଭଳି ଭାରତରେ 'ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ' ଆଣିବାକୁ ଯୋଜନା ଚାଲିଥିଲେ ମଧ୍ୟ ଏଥିରେ ଶୀଘ୍ରତା ଦେଖାଯାଉ ନାହିଁ। ତେବେ ଏହି କ୍ଷେତ୍ରରେ ସମସ୍ତେ ଚୀନ୍ ଠୁ ଶିଖିବା ଉଚିତ। ଜନତା ଗୁଗଲ, ଜି-ମେଲ, ୟୁ ଟ୍ୟୁବ, ଫେସବୁକ, ହ୍ଵାଟସଆପ୍, ଇଂଷ୍ଟାଗ୍ରାମ, ଟ୍ୱିଟର ଆଦି ସାମାଜିକ ଗଣମାଧ୍ୟମ ସେବା ଗ୍ରହଣ କରିବା ପୂର୍ବରୁ ହିଁ ଚୀନ୍ ଗ୍ରେଟ ଫାୟାରୱାଲ ପରିଯୋଜନା ମାଧ୍ୟମରେ ଉପରୋକ୍ତ ସମସ୍ତ ସେବା ପାଇଁ ସ୍ୱଦେଶୀ ଆପ୍ ଯୋଗାଇ ଦେଇଥିଲା। ଭାରତ ସରକାରଙ୍କୁ ଡିଜିଟାଲ ଆତ୍ମନିର୍ଭର ଦିଗରେ ସ୍ୱତନ୍ତ୍ର ରାସ୍ତା ଆପଣାଇବାକୁ ହେବ। ବିଶ୍ୱର ପ୍ରମୁଖ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ବନି ପାରିଥିବା ଭାରତୀୟଙ୍କ ପାଇଁ ଏପରି ଆପ୍ ସୃଷ୍ଟି କରିବା ଆଦୌ କଷ୍ଟକର ହେବନାହିଁ।
ବହୁ ବାଦ ବିବାଦ ଯୋଗୁଁ ଏବେ ହ୍ଵାଟସଆପ୍ ନିଜ ଗ୍ରାହକଙ୍କୁ ସଫେଇ ଦେବା ଆରମ୍ଭ କରିଛି ଯେ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ହୋଇଥିବା କଥାବାର୍ତ୍ତା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ଼ (ଯାହାକୁ ଡିକୋଡ଼ କରିବା ସହଜ ନୁହେଁ, କି ଅସମ୍ଭବ ମଧ୍ୟ ନୁହେଁ) ରହିବ, କେବଳ ବ୍ୟବସାୟିକ ଆକାଉଣ୍ଟର ତଥ୍ୟହିଁ ଆବଶ୍ୟକ ସ୍ଥଳେ ସାର୍ବଜନୀନ ହୋଇପାରେ। ଏଠି ସବୁଠୁ ବଡ଼ ବିଦ୍ରୁପ ହେଉଛି ହ୍ଵାଟସଆପ୍ ଏହି ସୂଚନା ଉପଭୋକ୍ତାଙ୍କ ଆକାଉଣ୍ଟରେ ପ୍ରବେଶ କରି ଷ୍ଟେଟସ ମାଧ୍ୟମରେ ଜଣାଇ ଥିଲା ଯେବେ କି କୌଣସି ବି ବ୍ୟକ୍ତି ହ୍ଵାଟସଆପ୍ ର ନଂ ସେଭ୍ ରଖି ନାହାନ୍ତି। ଏହା ହେଉଛି ସେହି କୃତ୍ରିମ ମେଧାଶକ୍ତି (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି) ଯଦ୍ବାରା ଆମେ ଗୁଗଲରେ ନୂଆ ପୋଷାକ ଖୋଜିଲେ ଆମ ଫେସବୁକ ଓ ଇଂଷ୍ଟାଗ୍ରାମ ନିଉଜ ଫିଡ଼ରେ ଆମାଜନ, ଫ୍ଲିପକାର୍ଟ ଆଉ ମିନ୍ତ୍ରାର ବିଜ୍ଞାପନ ଆପେ ପ୍ରଦର୍ଶିତ ହୋଇଥାଏ। ନିକଟସ୍ଥ ସିନେମା ଘର କିମ୍ବା ଭଲ ହୋଟେଲ ଖୋଜିଲେ ନିଉଜ ଫିଡ଼ରେ ଯଥାକ୍ରମେ ବୁକ ମାଇଁ ଶୋ ଓ ଜୋମାଟୋର ବିଜ୍ଞାପନ ଆସିଥାଏ। କୌଣସି ସ୍ଥାନ ବିଷୟରେ ଗୁଗଲ କଲେ ଫେସବୁକ ତୁରନ୍ତ ଆମକୁ ମେକ ମାଇଁ ଟ୍ରିପ, ତ୍ରିଭାଗୋ ଆଦି ଯାତ୍ରା ସମ୍ବନ୍ଧୀୟ ଆପ୍ ର ଅଫର ବିଷୟରେ ଜଣାଇ ଦିଏ। ଯଦି ଆପଣ କେଉଁ ବେସରକାରୀ ଶିକ୍ଷାନୁଷ୍ଠାନରେ ଆଡ଼ମିଶନ ପାଇଁ ଅନୁସନ୍ଧାନ କରିଛନ୍ତି ତାହାଲେ ଉକ୍ତ ଅନୁଷ୍ଠାନରୁ ଆପଣଙ୍କୁ ସିଧାସଳଖ ଫୋନ କିମ୍ବା ମେସେଜ ଆସିଯାଏ।
କେବେ ଭାବିଛନ୍ତି କି ଏହା କିପରି ସମ୍ଭବ। ଆମେ ଗୁଗଲରେ ଖୋଜିଥିବା ସୂଚନା ଆମ ମେସେଜ ବକ୍ସ ଓ ଫେସବୁକ ନିଉଜ ଫିଡରେ କିପରି ମିଳୁଛି। ମାର୍କ ଜୁକରବର୍ଗ କଣ ଭଗବାନ ଯେ ଆମ ମନର କଥା ତତ୍ କ୍ଷଣାତ ଜାଣି ପାରୁଛନ୍ତି। ଏବେ ବି ସମୟ ଅଛି, ଥରେ ଚିନ୍ତା କରନ୍ତୁ। ଆମେ କୌଣସି ବିଶେଷଜ୍ଞ ନୁହେଁ, ତେଣୁ ଏ ବିଷୟରେ ଅଧିକ କହିବା ଉଚିତ ହେବ ନାହିଁ। ତେବେ ଏହି ସ୍ତମ୍ଭଟି ଲେଖିବା ବେଳେ ହିନ୍ଦୀ ଚଳଚ୍ଚିତ୍ରର ଗୋଟିଏ ସଂଳାପ ମନେ ପଡ଼ିଗଲା, "ଗବ୍ବର ସିଂହ କବଳରୁ କେବଳ ଜଣେ ହିଁ ଆମକୁ ବଞ୍ଚାଇ ପାରିବ, ସେ ହେଲା ଗବ୍ବର ସିଂହ ସ୍ୱୟଂ ନିଜେ"।
ଇ-ମେଲ: ommpriyadarshi@gmail.com
ମୋ: ୯୧୭୮୫୬୦୩୫୫