- ରବି ଦାସ
ଜାତୀୟ ରାଜନୀତିରେ ବିରୋଧୀ ପକ୍ଷର ରାଜନୀତି ସଂଗଠିତ ହେବା ପରିବର୍ତ୍ତେ ବରାବର ବିପର୍ଯ୍ୟସ୍ତ ହେଉଥିବାର ଚିତ୍ର ଗତ ରାଷ୍ଟ୍ରପତି ନିର୍ବାଚନ ସମୟରେ ପରିଲକ୍ଷିତ ହୋଇଛି। ବିରୋଧୀ ପକ୍ଷ ଏହାକୁ ଇଡିର ଭୟ ବୋଲି କହୁଥିଲେ ମଧ୍ୟ ସେଗୁଡ଼ିକ ବିରୋଧୀ ପକ୍ଷର ପ୍ରକୃତ ଦୁର୍ବଳତାକୁ ପଦାରେ ପକାଉଛି। ବାସ୍ତବରେ ବିରୋଧୀ ପକ୍ଷ ରାଜନୀତି କରିବା ପାଇଁ ଯେଉଁ ଧରଣର ମାନସିକତା, ନେତୃତ୍ୱ ଓ ସାଂଗଠନିକ ଶକ୍ତିର ଆବଶ୍ୟକତା ଅଛି ସେହି ଧାରା ଲୋପ ପାଉଥିବାରୁ ଯେଉଁ ରାଜ୍ୟମାନଙ୍କରେ କୌଣସି ଏକ ଦଳ ବା ଆଂଚଳିକ ଦଳ ଯଦି କ୍ରମାଗତ କ୍ଷମତା ଦଖଲ କରୁଛି ତେବେ ତାହା ବିରୋଧରେ ମଧ୍ୟ ବିରୋଧୀ ସଂଗଠନ ମଜଭୁତ କରିବା କଷ୍ଟକର ହୋଇପଡ଼ୁଛି। ଯଦି ଓଡ଼ିଶା ରାଜନୀତିକୁ କେହି ଅନୁଧ୍ୟାନ କରିବ ସେ ସହଜରେ ଏଇ ନିଷ୍କର୍ଷରେ ଉପନୀତ ହେବ ଯେ ରାଜ୍ୟରେ ଦୀର୍ଘ ବର୍ଷ ହେଲା କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ବିରୋଧରେ କୌଣସି ବିରୋଧୀ ଶକ୍ତି ମୁଣ୍ଡଟେକି ତିଷ୍ଠି ପାରୁନାହାନ୍ତି। ସରକାରଙ୍କ ଦୋଷ ଦୁର୍ବଳତା ଓ ନୀତିହୀନତା କାର୍ଯ୍ୟକଳାପ ବିରୋଧରେ ଲୋକମାନଙ୍କୁ ସଂଗଠିତ କରିବା ଅପେକ୍ଷା ବିରୋଧୀ ପକ୍ଷର ଅଧିକାଂଶ ନେତା ସରକାରୀ ଦଳ ବା ନେତାଙ୍କ ସହିତ କିପରି ସାଲିସ କରିବେ ସେଥିପାଇଁ ପ୍ରତିଯୋଗିତା କରୁଛନ୍ତି।
ଏହି କାରଣରୁ ନବୀନ ପଟ୍ଟନାୟକଙ୍କ ସରକାର ପ୍ରଥମେ କ୍ଷମତାକୁ ଆସିବା ପରେ ମୁଖ୍ୟ ବିରୋଧୀ ଆସନରେ ଥିବା କଂଗ୍ରେସ ଦଳ ୨୦୦୯ ପରଠାରୁ ତୀବ୍ର ଗତିରେ ତାହାର ଶକ୍ତି ହରାଇବାରେ ଲାଗିଛି। ସେହି ସମୟରୁ ଅଧିକାଂଶ କଂଗ୍ରେସ ନେତାମାନଙ୍କର ମୁଖ୍ୟ ଲକ୍ଷ୍ୟ ହେଲା କିପରି ଭାବରେ ସରକାରୀ ଦଳ ସହିତ ବୁଝାମଣା କରି ନିଜର ଆସନକୁ ବଜାୟ ରଖିବେ। କେତେ କଂଗ୍ରେସ ନେତାଙ୍କୁ ବିଜେଡିକୁ ଆଣିବା ଏକ ନିର୍ବାଚନ କୌଶଳ ଭାବରେ ବିଚାର କରାଯାଉଛି। ୨୦୧୪ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଅବ୍ୟାହତ ରହିବା ଓ ଜାତୀୟ ସ୍ତରରେ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ କ୍ଷମତା ହାସଲ କରିବା ପରେ କଂଗ୍ରେସକୁ ସେପର୍ଯ୍ୟନ୍ତ ସମର୍ଥନ କରିଆସୁଥିବା ଅନେକ ନେତାଙ୍କ ପାଇଁ ବିଜେପି ଆଉ ଏକ ପଥ ଉନ୍ମୁକ୍ତ କଲା। ଫଳରେ ୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ କଂଗ୍ରେସକୁ ପଛରେ ପକାଇ ରାଜ୍ୟର ଦ୍ୱିତୀୟ ବୃହତ୍ତମ ଦଳ ହୋଇଗଲା। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ଓଡ଼ିଶା ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧରିନେଲେ ଯେ, ପରବର୍ତ୍ତୀ ସାଧାରଣ ନିର୍ବାଚନରେ ସେମାନେ ରାଜ୍ୟରେ କ୍ଷମତା ଦଖଲ କରିବେ।
ପଂଚାୟତ ନିର୍ବାଚନରେ ବିପର୍ଯ୍ୟୟ ପରେ ଶାସକ ବିଜେଡି ନେତୃତ୍ୱ ସ୍ୱୀକାର କଲା ଯେ, ବିକାଶମୂଳକ କାର୍ଯ୍ୟକଳାପରେ ବ୍ୟାପକ ପିସି କାରବାର ହେଉଥିବାରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ସେହି ଅସନ୍ତୋଷ ଯୋଗୁ ପଂଚାୟତ ନିର୍ବାଚନରେ ବିଜେପି ଆଶ୍ଚର୍ଯ୍ୟଜନକ ଭାବରେ ସଫଳତା ପାଇଛି। କଂଗ୍ରେସର ନେତୃତ୍ୱ ଶୂନ୍ୟତା ପୁଣିଥରେ ପ୍ରମାଣିତ ହୋଇଛି। ଏହାକୁ ଉପଲବଧି କରି ପଂଚାୟତ ନିର୍ବାଚନ ପରେ ପରେ ଜିଲ୍ଲାପାଳ ସମ୍ମିଳନୀ ଡାକି ମୁଖ୍ୟମନ୍ତ୍ରୀ ପିସି ଲୋପ ପାଇଁ ଆହ୍ୱାନ ଦେଲେ। ସିଧାସଳଖ ଭାବରେ ଲୋକଙ୍କ ସହିତ ସଂପର୍କ ସ୍ଥାପନ କରିବା ପାଇଁ ନୂଆ କାର୍ଯ୍ୟକ୍ରମ ପ୍ରଚଳିତ ହେଲା। ଅସନ୍ତୁଷ୍ଟ ଯୁବକମାନଙ୍କୁ ସାଙ୍ଗରେ ରଖିବା ପାଇଁ ‘ବିଜୁ ଯୁବ ବାହିନୀ’ ସ୍କିମ ଘୋଷଣା କରାଯାଇ ସେଥିପାଇଁ ଅର୍ଥ ବରାଦ ହେଲା। ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ଯାଇ କେତେ ପ୍ରକାର ସ୍କିମ୍ ଲୋକମାନଙ୍କ ପାଇଁ କରାଯାଉଛି ସେଥିପାଇଁ ପିଠା ସ୍କିମ୍ ଜରିଆରେ ଲୋକମାନଙ୍କୁ କହିବାର ଉଦ୍ୟମ ହେଉଥିଲା। ବିଜେପି ଓଡ଼ିଶାରେ କ୍ଷମତା ହାସଲ କରିବାର ସୁଯୋଗ ଥିବା ଅନୁଭବ କରି ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେଇଥିଲେ ଓ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଉପରେ ସର୍ବାଧିକ ସମୟ ବିନିଯୋଗ କରୁଥିଲେ। ଅପରପକ୍ଷରେ କଂଗ୍ରେସରୁ ନେତା ଦଳ ଛାଡ଼ିବା ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇଥିଲା।
୨୦୧୯ ନିର୍ବାଚନରେ ରାଜ୍ୟର ଜନସାଧାରଣ କେନ୍ଦ୍ର ସରକାରଙ୍କ ପାଇଁ ବା ନରେନ୍ଦ୍ର ମୋଦୀଙ୍କ ପାଇଁ ଯେଉଁ ସମର୍ଥନ ଲୋକସଭା ନିର୍ବାଚନରେ ପ୍ରଦର୍ଶନ କଲେ ତାହା ରାଜ୍ୟ ବିଧାନସଭା ନିର୍ବାଚନରେ ହେଲା ନାହିଁ। ତଥାପି ବିଧାନସଭାରେ ବିଜେପି ମୁଖ୍ୟ ବିରୋଧୀ ଦଳର ଆସନ ପାଇଲେ। କିନ୍ତୁ ୨୦୧୯ ପରଠାରୁ ଯଦି ଦେଖାଯାଏ ତେବେ ଓଡ଼ିଶାରେ ବିରୋଧୀ ପକ୍ଷକୁ ଦୁର୍ବଳ କରିଦେବା ପାଇଁ ବିଜେଡି କେନ୍ଦ୍ରୀୟ ସରକାରଙ୍କ ପ୍ରତି ସବୁ ଘଟଣାରେ ସମର୍ଥନ ଏପରି ପ୍ରଦାନ କଲେ ଯେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସରକାରଙ୍କ ବିରୋଧରେ କ୍ରମାଗତ ଆନ୍ଦୋଳନ ପାଇଁ ଯଥେଷ୍ଟ ପୃଷ୍ଠଭୂମି ଯୋଗାଡ଼ କରିପାରିଲା ନାହିଁ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନାରେ ଅସୁସ୍ଥ ହୋଇଯିବା ପରେ ବିଧାନସଭା ଭିତରେ ସେହି ସ୍ଥାନଟି ଏପର୍ଯ୍ୟନ୍ତ ଖାଲି ରହିଛି। ଫଳରେ ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ବିଜେପି ରାଜ୍ୟରେ ଯେପରି ଶକ୍ତିଶାଳୀ ହେବାକଥା ତାହା ହୋଇପାରିନାହିଁ। ଏହି ପୃଷ୍ଠଭୂମିରେ ଗତ ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିଜେଡି ସାରା ରାଜ୍ୟରେ ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ବିଜେପିକୁ ଏପରି ଏକ ଅବସ୍ଥାକୁ ପଠାଇଦେଇଛି ଯେଉଁଠାରେ ପରବର୍ତ୍ତୀ ନିର୍ବାଚନରେ ଏହା ରାଜ୍ୟରେ କ୍ଷମତା ହାସଲ କରିପାରିବ ବୋଲି ସହଜରେ ଜନସାଧାରଣ ବିଚାର କରୁନାହାନ୍ତି।
ସେହିପରି କଂଗ୍ରେସର ଶକ୍ତି ଏତେମାତ୍ରାରେ ହ୍ରାସ ପାଇଛି ଯେ, ଏହାକୁ ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ରାଜ୍ୟବ୍ୟାପୀ ଗ୍ରହଣ କରିବା ସମ୍ଭବ ହୋଇନାହିଁ। କଂଗ୍ରେସକୁ ଏବେବି ନେତାମାନଙ୍କର ଶାସକ ଦଳ ଆଡ଼କୁ ମୁହାଇଁବା କାର୍ଯ୍ୟ ଅବ୍ୟାହତ ରହିଛି। ଏହି ପରିସ୍ଥିତିରେ ବିଜେପି ପକ୍ଷରୁ ଓଡ଼ିଶାର ଜଣେ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଘଟଣା ରାଜ୍ୟର ପରିବେଶକୁ ବଦଳାଇଦେବ ବୋଲି ଯେଉଁ ଆଶା ଥିଲା ତାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମରୁ ଏପରି ପଦକ୍ଷେପ ଗ୍ରହଣ କଲେ ଯେ, ଜନସାଧାରଣଙ୍କ ଆଗରେ ଶ୍ରୀମତୀ ମୁର୍ମୁ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବରେ ବିଚାର କରାଗଲା। ବାସ୍ତବରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରିବାର ଠିକ୍ ପୂର୍ବରୁ ହୁଏତ ତାଙ୍କର ବିଜୟକୁ ସୁନିଶ୍ଚିତ କରିବା ପାଇଁ ଏ ସଂକ୍ରାନ୍ତରେ ଯେଉଁ ପ୍ରାରମ୍ଭିକ ସୂଚନା ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିବା ସମୟରେ ପ୍ରଦାନ କରିଥିଲେ ତାହାକୁ ସେ ପୂରାମାତ୍ରାରେ ବ୍ୟବହାର କଲେ। ଆଦିବାସୀମାନେ ଓଡ଼ିଶା ଲୋକସଂଖ୍ୟାର ପ୍ରାୟ ୨୩ ଭାଗ। ସେଥିରେ ଶ୍ରୀମତୀ ମୁର୍ମୁ ମହିଳା ବର୍ଗର ହୋଇଥିବାରୁ ମହିଳା ସଶକ୍ତିକରଣ ଉପରେ ବରାବର କ୍ଷମତା ହାସଲ ପାଇଁ ନବୀନ ପଟ୍ଟନାୟକ ଯେଉଁ ରାଜନୈତିକ ଖେଳ କରୁଛନ୍ତି ସେଥିରେ ବିଜେପି ଆଗକୁ ଚାଲିଯିବାର ଆଶଙ୍କାରେ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ପ୍ରଚାରରେ ବିଜେଡି ଏତେ ଭାବରେ ପ୍ରତିଯୋଗିତା ଚଳାଇଲା ଯେ, ଓଡ଼ିଶାରେ ସେ ବିଜେପିର ଜଣେ ପ୍ରାର୍ଥୀ ବୋଲି ଲୋକମାନେ ଭୁଲିଗଲେ। ମୁର୍ମୁଙ୍କ ନିର୍ବାଚନ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଖବରକାଗଜମାନଙ୍କରେ ଏକ ଅଗ୍ରଲେଖା ଲେଖି କିପରି ଭାବରେ ଶ୍ରୀମତୀ ମୁର୍ମୁଙ୍କୁ ଦଳ କେଉଁ କାରଣରୁ ପ୍ରାର୍ଥୀ କରିଥିଲା ଓ ସେଥିରେ ପ୍ରଧାନମନ୍ତ୍ରୀଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। କିନ୍ତୁ ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କାଳବିଳମ୍ବ ନକରି ଆଉ ଏକ ଅଗ୍ରଲେଖାରେ ମୁର୍ମୁଙ୍କ ସହିତ ଓଡ଼ିଶାର ଓ ତାଙ୍କ ସଂପର୍କକୁ ଯେପରି ଉତ୍ଥାପନ କରିଛନ୍ତି ସେଥିରେ ମୁର୍ମୁଙ୍କୁ ନେଇ ଓଡ଼ିଶାରେ ଦଳୀୟ ଭିତ୍ତିରେ ଆଲୋଚନା କରି ବିଜେପି ଯେପରି ଲାଭ ନପାଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।
କିନ୍ତୁ ଓଡ଼ିଶାରେ ପ୍ରକୃତ ରାଜନୀତି ଜନସାଧାରଣଙ୍କ ସମସ୍ୟା ଓ ପ୍ରସଙ୍ଗକୁ ନେଇ ହେବା ପାଇଁ ରାଜ୍ୟରେ ଏବେବି ପ୍ରମୁଖ କ୍ଷେତ୍ର ରହିଛି। କାରଣ ଯେଉଁ ପିସି କାରବାର ପାଇଁ ୨୦୧୭ ନିର୍ବାଚନରେ ବିଜେଡିର ପ୍ରଥମ ବିପର୍ଯ୍ୟୟ ହୋଇଥିଲା ସେହି ଘଟଣା ଏବେ ଅଧିକ ପ୍ରଭାବଶାଳୀ ହୋଇଛି। ବିଜୁ ଯୁବ ବାହିନୀ କେବେଠାରୁ ବନ୍ଦ ହୋଇଗଲାଣି। କିନ୍ତୁ ସବୁ ବିକାଶମୂଳକ କାର୍ଯ୍ୟରେ ଏପରିକି ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ଓ ଗୃହ ନିର୍ମାଣ କାର୍ଯ୍ୟରେ ପିସି କାରବାର ବଢ଼ି ବଢ଼ି ଚାଲିଛି। ସରକାର ଯେତେ ସ୍ୱଚ୍ଛତାର କଥା କହୁଛନ୍ତି ବା ଭିଜିଲାନ୍ସ ଜାଲରେ ପଡ଼ୁଥିବା କିଛି ଅଧିକାରୀଙ୍କୁ ବହିଷ୍କାର କରୁଛନ୍ତି ସେହି ପରିମାଣରେ ପିସି କାରବାର ବି ବଢ଼ି ବଢ଼ି ଚାଲିଛି। ସରକାରୀ କାର୍ଯ୍ୟକଳାପରେ ସ୍ୱଚ୍ଛତା କଥା କୁହାଯାଉଥିଲେ ମଧ୍ୟ ଟେଣ୍ଡର ମୂଲ୍ୟଠାରୁ ଶତକଡ଼ା ପ୍ରାୟ ୧୫ରୁ କମ୍ ମୂଲ୍ୟରେ ଠିକାଦାରମାନେ କାମ ନେଇ ମଧ୍ୟ ପିସି କାରବାରକୁ ବଳବତ୍ତର ରଖିଛନ୍ତି। କାରଣ ରାଜ୍ୟର ଶାସନ ବ୍ୟବସ୍ଥାରେ ପିସି କାରବାର ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଇଛି। ଯନ୍ତ୍ରୀ ଓ ସରକାରୀ ଅଧିକାରୀମାନଙ୍କର ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯେପରି କୋଟି କୋଟି ଟଙ୍କାର ସମ୍ପତ୍ତି ବାହାରୁଛି ସେହି ପରିମାଣ ଭାବରେ ବିଧାୟକ ଓ ମନ୍ତ୍ରୀମାନଙ୍କ ହାତରେ ଟଙ୍କା ରହିଛି ବୋଲି କୁହାଯାଉଛି। କାରଣ ଯେଉଁ ଜଣେ ଦୁଇଜଣ ବିଧାୟକ, ଯେଉଁମାନେ କି ରାଜ୍ୟ ନେତୃତ୍ୱ ସହିତ ନାହାନ୍ତି ବୋଲି ବିଚାର କରାଯାଉଛି ସେମାନଙ୍କର ଭିଜିଲାନ୍ସ ହାତକୁ କାରବାର ଗଲାପରେ କୋଟି କୋଟି ଟଙ୍କାର ସମ୍ପତ୍ତି ବାହାରୁଛି। ରାଜ୍ୟରେ ଖଣି, ଜଳ, ଜମି, ପଥର, ବାଲି ପ୍ରଭୃତି ବିଭିନ୍ନ ପ୍ରକାର କାର୍ଯ୍ୟରେ ମାଫିଆ ଗୋଷ୍ଠୀ ସାରା ରାଜ୍ୟରେ କିପରି କାୟାବିସ୍ତାର କରୁଛନ୍ତି ତାହା ଜାଣିବା ପରେ ବିରୋଧୀ ପକ୍ଷଗୁଡ଼ିକ ଯେଉଁ ଧରଣର ଆନ୍ଦୋଳନ ଓଡ଼ିଶାରେ କରିବା କଥା ତାହା କରୁନାହାନ୍ତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାରେ ସାରା ରାଜ୍ୟ ଗର୍ବିତ ହେବା ସମୟରେ ଆଦିବାସୀମାନେ କିପରି ବିକାଶମୂଳକ କାର୍ଯ୍ୟରେ ବି ନିଷ୍ପେଷିତ ଓ ନିର୍ଯାତିତ ହେଉଛନ୍ତି ତାହାର ବହୁ ଉଦାହରଣ ରହିଥିଲେ ମଧ୍ୟ ବିରୋଧୀ ରାଜନୈତିକ ଦଳମାନେ ସେହିସବୁ ପ୍ରସଙ୍ଗରେ ଲୋକମାନଙ୍କୁ ସଂଗଠିତ କରିପାରୁନାହାନ୍ତି। ସବୁଦୃଷ୍ଟିରୁ ବିଚାର କଲେ ଓଡ଼ିଶାରେ ବିରୋଧୀ ପକ୍ଷରେ ଏକ ନେତୃତ୍ୱ ଶୂନ୍ୟତା ସହଜରେ ରାଜ୍ୟସ୍ତରରେ ଓ ଜିଲ୍ଳାସ୍ତରରେ ସ୍ପଷ୍ଟ ଅନୁଭବ ହେଉଛି।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।