ନ୍ୟାୟପାଳିକାର ସମ୍ମାନ ଓ ସ୍ୱାଧୀନତା

ଦେବେନ୍ଦ୍ର ପୃଷ୍ଟି ଭାରତୀୟ ସଂସଦର ଦୁଇ ସଦନ ମଧ୍ୟରୁ ରାଜ୍ୟସଭାକୁ ବରିଷ୍ଠ ବା ଉଚ୍ଚ ସଦନ ଭାବେ ଗ୍ରହଣ କରାଯାଏ। ନିମ୍ନ ସଦନ ବା ଲୋକସଭାର ସଦସ୍ୟଙ୍କ ତୁଳନାରେ ରାଜ୍ୟସଭା ସଦସ୍ୟମାନଙ୍କର ବୟସ ଓ ଅଭିଜ୍ଞତା ଅଧିକ। ରାଜନୀତିକ ଦଳଗୁଡ଼ିକ ଲୋକସଭା ପାଇଁ ଅପେକ୍ଷାକୃତ କମ୍‌ ବୟସର ନେତାମାନଙ୍କୁ ପ୍ରାର୍ଥୀ କରିଥାନ୍ତି। ସ୍ୱାଭାବିକ ଭାବେ ସେମାନଙ୍କର ଅଭିଜ୍ଞତା କମ୍‌। ସେହିପରି ରାଜନୀତିକ ଦଳଗୁଡ଼ିକ ଅନେକ ସମୟରେ ରାଜ୍ୟସଭା ନିର୍ବାଚନରେ ବରିଷ୍ଠ ଓ ବିଜ୍ଞ ସଦସ୍ୟମାନଙ୍କୁ ପ୍ରାର୍ଥୀ କରିନଥାନ୍ତି। […]

Ranjan-GoGoi

Ranjan-GoGoi

Debendra Prusty
  • Published: Tuesday, 17 March 2020
  • Updated: 17 March 2020, 07:54 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଭାରତୀୟ ସଂସଦର ଦୁଇ ସଦନ ମଧ୍ୟରୁ ରାଜ୍ୟସଭାକୁ ବରିଷ୍ଠ ବା ଉଚ୍ଚ ସଦନ ଭାବେ ଗ୍ରହଣ କରାଯାଏ। ନିମ୍ନ ସଦନ ବା ଲୋକସଭାର ସଦସ୍ୟଙ୍କ ତୁଳନାରେ ରାଜ୍ୟସଭା ସଦସ୍ୟମାନଙ୍କର ବୟସ ଓ ଅଭିଜ୍ଞତା ଅଧିକ। ରାଜନୀତିକ ଦଳଗୁଡ଼ିକ ଲୋକସଭା ପାଇଁ ଅପେକ୍ଷାକୃତ କମ୍‌ ବୟସର ନେତାମାନଙ୍କୁ ପ୍ରାର୍ଥୀ କରିଥାନ୍ତି। ସ୍ୱାଭାବିକ ଭାବେ ସେମାନଙ୍କର ଅଭିଜ୍ଞତା କମ୍‌। ସେହିପରି ରାଜନୀତିକ ଦଳଗୁଡ଼ିକ ଅନେକ ସମୟରେ ରାଜ୍ୟସଭା ନିର୍ବାଚନରେ ବରିଷ୍ଠ ଓ ବିଜ୍ଞ ସଦସ୍ୟମାନଙ୍କୁ ପ୍ରାର୍ଥୀ କରିନଥାନ୍ତି। ରାଜନୀତିକ କାରଣରୁ ଅନେକ ସମୟରେ ଦଳଗୁଡ଼ିକ ଆନୁଗତ୍ୟକୁ ଗୁରୁତ୍ୱ ଦେଇଥାନ୍ତି। ତେଣୁ ରାଜ୍ୟସଭା ଏକପ୍ରକାର ବରିଷ୍ଠ ନେତାମାନଙ୍କ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି। ଦଳଗୁଡ଼ିକ ଏପରି ଆଚରଣ କରିବାର ଆଶଙ୍କା ରହିଥିବା ହୃଦୟଙ୍ଗମ କରି ସମ୍ବିଧାନ ପ୍ରଣେତାମାନେ ବିଶେଷ ଭାବରେ ଜ୍ଞାନୀଗୁଣୀ ଲୋକମାନଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିବା ପାଇଁ ରାଷ୍ଟ୍ରପତିଙ୍କ ହାତରେ କ୍ଷମତା ନ୍ୟସ୍ତ କରିଛନ୍ତି। ସମ୍ବିଧାନର ଧାରା ୮୦ ଅନୁସାରେ ରାଷ୍ଟ୍ରପତି ସର୍ବାଧିକ ୧୨ ଜଣଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିପାରିବେ। ଏହି ଧାରାର ୩ ଉପଧାରା ଅନୁସାରେ ରାଷ୍ଟ୍ରପତି ସାହିତ୍ୟ, ବିଜ୍ଞାନ କଳା ଓ ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବଛାବଛା ବରିଷ୍ଠ ନାଗରିକମାନଙ୍କୁ ରାଜ୍ୟସଭାକୁ ପଠାଇପାରିବେ। କିନ୍ତୁ ଲୋକସଭାରେ ସଂଖ୍ୟାଗରିଷ୍ଠତା ଅର୍ଜନ କରିଥିବା ଦଳ ବା ମେଣ୍ଟ ସରକାର ଗଠନ କରୁଥିବାରୁ ଅନେକ ସମୟରେ ରାଷ୍ଟ୍ରପତି ସରକାରଙ୍କ ପରାମର୍ଶକ୍ରମେ ରାଜ୍ୟସଭା ସଦସ୍ୟ ମନୋନୟନ କରିଥାନ୍ତି। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଗୋଟିଏ ଦଳର ହୋଇଥିଲେ ରାଜ୍ୟସଭାକୁ ପ୍ରାର୍ଥୀ ମନୋନୟନରେ ମଧ୍ୟ ରାଷ୍ଟ୍ରପତି ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେବା ଅସ୍ୱାଭାବିକ ନୁହେଁ। ପୂର୍ବରୁ ଏପରି ଅନେକ ନଜୀର ରହିଛି। ଏପରିକି ଅନେକ ଥର ଦଳୀୟ ନେତାମାନଙ୍କୁ ମଧ୍ୟ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥିବାର ଉଦାହରଣ ରହିଛି। ପୁଣି ରାଜ୍ୟସଭାକୁ ମନୋନୀତ ହୋଇଥିବା ସଦସ୍ୟ ମଧ୍ୟ ପରେ ଶାସକ ଦଳରେ ଯୋଗ ଦେଇଥିବାର ଉଦାହରଣ ମଧ୍ୟ ଅଛି। ଏହି କାରଣରୁ ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ସଦସ୍ୟ ମନୋନୟନକୁ ମଧ୍ୟ ଅନେକ ଥର ବିବାଦ ସୃଷ୍ଟି ହୋଇଛି। ଏହିପରି ଏକ ବିବାଦ ହେଉଛି ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କର ମନୋନୟନ।

ବିଚାରପତି ଗୋଗୋଇ ଓକିଲାତି ବୃତ୍ତି ବା ବ୍ୟବସାୟରେ ପ୍ରବେଶ କରିବା ପୂର୍ବରୁ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କ ଭାଇ ପୂର୍ବତନ ଏୟାର ମାର୍ଶାଲ ଅଂଜନ ଗୋଗୋଇ ଏକ ଇଂରାଜୀ ଦୈନିକକୁ ଦେଇଥିବା ସାକ୍ଷାତକାର ଅନୁସାରେ ତାଙ୍କ ପିତା କେଶବ ଚନ୍ଦ୍ର ଗୋଗୋଇଙ୍କ ଇଚ୍ଛା ଅନୁସାରେ ସେ ୟୁପିଏସସି ପରୀକ୍ଷାରେ ଅଂଶଗ୍ରହଣ କରି ସଫଳ ହୋଇଥିଲେ। ମାତ୍ର ସେ କୌଣସି ସର୍ବଭାରତୀୟ ସେବାରେ ଯୋଗ ନଦେଇ ଓକିଲ ହେବାକୁ ଚାହିଁଥିଲେ। ଓକିଲାତିରେ ତାଙ୍କର ଦକ୍ଷତା ପ୍ରମାଣିତ କରିବା ପରେ ତାଙ୍କୁ ହାଇକୋର୍ଟ ବିଚାରପତି ଏବଂ ପରେ ସୁପ୍ରିମ କୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିଥିଲା। ସେ ୧୩ ମାସ ଏହି ପଦରେ ରହି ୨୦୧୯ ନଭେମ୍ବର ମାସରେ ସେବା ନିବୃତ୍ତ ହୋଇଥିଲେ। ୨୦୨୦ ମାର୍ଚ୍ଚ ୧୬ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି।

ଏକଥା ଅନସ୍ୱୀକାର୍ଯ୍ୟ ଯେ ଆଇନ ଓ ନ୍ୟାୟିକ ପ୍ରକ୍ରିୟାରେ ଯଥେଷ୍ଟ ଜ୍ଞାନ ଓ ଅଭିଜ୍ଞତା ହାସଲ କରିଥିବା ବିଚାରପତି ଗୋଗୋଇଙ୍କ ପରି ବରିଷ୍ଠ ବ୍ୟକ୍ତି ରାଜ୍ୟସଭା ସଦସ୍ୟ ହେବା ପାଇଁ ସଂପୂର୍ଣ୍ଣ ଯୋଗ୍ୟ। ତଥାପି ତାଙ୍କର ମନୋନୟନକୁ ନେଇ ଉଭୟ ରାଜନୀତିକ ଓ ନ୍ୟାୟିକ ମହଲରେ ବିବାଦ ସୃଷ୍ଟି ହୋଇଛି। ବିଚାରପତି ଗୋଗୋଇଙ୍କର ପୂର୍ବତନ ସହଯୋଗୀ ତଥା ସୁପ୍ରିମ କୋର୍ଟର ପୂର୍ବତନ ବିଚାପରତି ମଦନ ବି. ଲୋକୁର ଏବଂ ବିଚାରପତି କୁରିଆନ ଯୋଶେଫ ଏ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ତାଙ୍କର ରାଜ୍ୟସଭା ସଦସ୍ୟ ପଦ ଗ୍ରହଣ କରିବାକୁ ସମାଲୋଚନା କରିଛନ୍ତି। ୨୦୧୮ ଜାନୁଆରୁ ମାସରେ ବିଚାରପତି ଗୋଗୋଇଙ୍କ ସହିତ ଏକାଠି ସାମ୍ବାଦିକ ସମ୍ମିଳନୀ କରି ଏହି ଦୁଇ ବିଚାରପତି ସୁପ୍ରିମ କୋର୍ଟ କାର୍ଯ୍ୟଧାରା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ନ୍ୟାୟପାଳିକାର ସ୍ୱାଧୀନତା ଓ ପ୍ରଧାନ ବିଚାରପତିଙ୍କ ସହିତ ଅନ୍ୟ ବିଚାରପତିମାନଙ୍କର କ୍ଷମତା ନେଇ ସେମାନେ ଗୁରୁତର ପ୍ରଶ୍ନ ଉଠାଇଥିଲେ। ଏହା ଥିଲା ପରମ୍ପରା ବହିର୍ଭୂତ ଏକ ଐତିହାସିକ ସାମ୍ବାଦିକ ସମ୍ମିଳନୀ। ସେତେବେଳେ ନ୍ୟାୟପାଳିକାର ସ୍ୱାଧୀନତା ଓ ମର୍ଯ୍ୟାଦା ସପକ୍ଷରେ ଯୁକ୍ତି କରିଥିବା ଜଷ୍ଟିସ୍‌ ଗୋଗୋଇ ଏବେ କିପରି ରାଜ୍ୟସଭା ସଦସ୍ୟ ପଦ ଗ୍ରହଣ କଲେ ବୋଲି ବିଚାରପତି ଲୋକୁର ଓ ଯୋଶେଫ ପ୍ରଶ୍ନ କରିଛନ୍ତି। ଫେସ୍‌ବୁକ୍‌ ଓ ଟୁଇଟର ପରି ସାମାଜିକ ଗଣମାଧ୍ୟମରେ ମଧ୍ୟ କପିଲ ଶିବାଲ, ସୀତାରାମ ୟେଚୁରୀ, ମହୁଆ ମଇତ୍ର, ଆସଦୁଦ୍ଦିନ ଓବେସୀଙ୍କ ପରି ବହୁ ରାଜନୀତିକ ଓ ସାମାଜିକ କର୍ମୀ ଜଷ୍ଟିସ ଗୋଗୋଇଙ୍କ ନିଯୁକ୍ତି ବା ମନୋନୟନକୁ ନେଇ ବିଭିନ୍ନ ସନ୍ଦେହ ପ୍ରକଟ କରିଛନ୍ତି। ଜଷ୍ଟିସ ଗୋଗୋଇ ସୁପ୍ରିମ କୋର୍ଟର ବିଚାରପତି ଓ ପ୍ରଧାନ ବିଚାରପତି ଭାବେ ବର୍ତ୍ତମାନର ଶାସକ ଦଳ ଭାରତୀୟ ଜନତା ପାର୍ଟିର ଇସ୍ତାହାର ବା ଆଜେଣ୍ଡାକୁ ସୁହାଇଲା ଭଳି ଅନେକ ରାୟ ଦେଇଥିବାରୁ ପୁରସ୍କାର ସ୍ୱରୂପ ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରାଯାଇଛି ବୋଲି କୁହାଯାଉଛି। ଜଷ୍ଟିସ ଗୋଗୋଇଙ୍କ ସମୟରେ ରାମ ମନ୍ଦିର ଓ ବାବ୍ରି ମସଜିଦ ବିବାଦ, ଆସାମରେ ଏନଆରସି, ତିନ୍‌ ତଲାକ ମାମଲାର ରାୟ ପ୍ରକାଶ ପାଇଥିଲା। ସେହିପରି ଜଷ୍ଟିସ ଲୋୟା ହତ୍ୟାକାଣ୍ଡର ସାନି ତଦନ୍ତ ଦାବିକୁ ତାଙ୍କ ସମୟରେ ସୁପ୍ରିମ କୋର୍ଟ ଖାରଜ କରିଥିଲେ। ଏହି ହତ୍ୟାକାଣ୍ଡରେ ବର୍ତ୍ତମାନର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଜଣେ ଅଭିଯୁକ୍ତ ଥିଲେ। ରାଫାଲେ ବିମାନ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ କରିବା ଦାବିକୁ ମଧ୍ୟ ତାଙ୍କ ସମୟରେ ସୁପ୍ରିମ କୋର୍ଟ ଖାରଜ କରିଥିଲେ। ଏହି ପରି କେତେକ ଉଦାହରଣ ନେଇ ସମାଲୋଚକମାନେ ତାଙ୍କର ରାଜ୍ୟସଭା ସଦସ୍ୟ ପଦ ଗ୍ରହଣକୁ ରାଜନୀତିକ ଦୃଷ୍ଟିକୋଣରୁ ଅନୁଶୀଳନ କରୁଛନ୍ତି।

ତେବେ, ସୁପ୍ରିମ କୋର୍ଟର ଜଣେ ବିଚାରପତି ରାଜ୍ୟସଭା ସଦସ୍ୟ ପଦ ଗ୍ରହଣ କରିବା କ୍ଷେତ୍ରରେ ଏହା ନୂଆ ଘଟଣା ନୁହେଁ। ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ର ୧୯୯୧ ମସିହାରେ ଅବସର ଗ୍ରହଣ କରି ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ହୋଇଥିଲେ। ପରେ ୧୯୯୮ ମସିହାରେ ସେ କଂଗ୍ରେସରେ ଯୋଗଦେଇ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପୂର୍ବରୁ ୧୯୮୪ ମସିହାରେ ଦିଲ୍ଲୀରେ ଘଟିଥିବା ଶିଖ ବିରୋଧୀ ଦଙ୍ଗାର ତଦନ୍ତ ଭାର ଗ୍ରହଣ କରି ସେ ସେଥିରେ ସଂପୃକ୍ତ କଂଗ୍ରେସ ନେତାମାନଙ୍କୁ ଦୋଷମୁକ୍ତ କରିଥିଲେ ବୋଲି ଅଭିଯୋଗ ଥିଲା। ସେହିପରି ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ବାହାରୁଲ ଇସଲାମ ମଧ୍ୟ ରାଜ୍ୟସଭା ସଦସ୍ୟ ପଦ ଗ୍ରହଣ କରିଥିଲେ। ଜଷ୍ଟିସ ଇସଲାମଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହେଉଛି ସେ ବିଚାରପତି ହେବା ପୂର୍ବରୁ କଂଗ୍ରେସ ତରଫରୁ ଦୁଇ ଦୁଇ ଥର ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ରାଜନୀତି ଛାଡ଼ି ଓକିଲାତି କରିଥିଲେ ଏବଂ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମ କୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ପୁଣି ସୁପ୍ରିମ କୋର୍ଟ ବିଚାରପତି ଭାବେ କାର୍ଯ୍ୟ ଶେଷ କରି ସେ ରାଜନୀତିକୁ ଫେରିଥିଲେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସୁପ୍ରିମ କୋର୍ଟର ଅନ୍ୟତମ ପୂର୍ବତନ ପ୍ରଧାନ ବିଚାରପତି ମହମ୍ମଦ ହିଦାୟତୁଲ୍ଲା ରାଜ୍ୟସଭା ସଦସ୍ୟ ହୋଇନଥିଲେ ମଧ୍ୟ ଦେଶର ଉପରାଷ୍ଟ୍ରପତି ଭାବେ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥିଲେ। ସେ କୌଣସି ଦଳର ସଦସ୍ୟ ନଥିଲେ। ତାଙ୍କୁ ସର୍ବସମ୍ମତକ୍ରମେ ଉପରାଷ୍ଟ୍ରପତି ନିର୍ବାଚିତ କରାଯାଇଥିଲା। ବିଚାରପତି ଗୋଗୋଇଙ୍କ ପିତା ସ୍ୱର୍ଗତ କେଶବ ଚନ୍ଦ୍ର ଗୋଗୋଇ ୧୯୮୨ ମସିହାରେ ଦୁଇ ମାସ ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଥିଲେ। ସେ କଂଗ୍ରେସ ଦଳର ନେତା ଥିଲେ। ସୁପ୍ରିମ କୋର୍ଟର ଅନ୍ୟ ଜଣେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପି. ସଦାଶିବନଙ୍କୁ ମୋଦୀ ସରକାର କେରଳର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ଏହା ମଧ୍ୟ ଏକ ରାଜନୀତିକ ପଦବୀ।

ପୂର୍ବରୁ ସୁପ୍ରିମ କୋର୍ଟ ବିଚାରପତିମାନେ ରାଜନୀତିକ ପଦ ଗ୍ରହଣ କରିଥିବାରୁ ଜଷ୍ଟିସ ଗୋଗୋଇ ରାଜ୍ୟସଭା ସଦସ୍ୟ ପଦ ଗ୍ରହଣ କରିବା ଏକ ନୂଆ କଥା ନୁହେଁ। ତେବେ ନ୍ୟାୟପାଳିକାର ସ୍ୱାଧୀନତା ଓ ସମ୍ମାନ ଦୃଷ୍ଟିକୋଣରୁ ଏଭଳି ବିବାଦ ଓ ପ୍ରଶ୍ନ ଉଠିବା ମଧ୍ୟ ଅସ୍ୱାଭାବିକ ନୁହେଁ। ଭାରତୀୟ ସମ୍ବିଧାନ ଅନୁସାରେ ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ପରସ୍ପରଠାରୁ ମୁକ୍ତ ଓ ସ୍ୱାଧୀନ ରହିବା କଥା। ସେହିପରି ତିନି ସେନାର ମୁଖ୍ୟ, ମୁଖ୍ୟ ନିର୍ବାଚନ କମିଶନର, ସିଏଜି ପରି ସାମ୍ବିଧାନିକ ସଂସ୍ଥାର ମୁଖ୍ୟମାନେ ରାଜନୀତିକ ପଦପଦବୀ ଗ୍ରହଣ କରିବା ସେହିସବୁ ସଂସ୍ଥାର ନିରପେକ୍ଷତା ଓ ସ୍ୱାଧୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ସରକାରରେ ଥିବା ଦଳ ସବୁବେଳେ ଏପରି ସଂସ୍ଥାଗୁଡ଼ିକୁ ବୋଲକରା କରି ରଖିବାକୁ ଭଲ ପାଇଥାନ୍ତି। ପୂର୍ବରୁ ଅନେକ ବରିଷ୍ଠ ବିଚାରପତିଙ୍କୁ ଉପେକ୍ଷା କରି ଜଷ୍ଟିସ ଏଏନ ରୟଙ୍କୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଇ ସୁପ୍ରିମ କୋର୍ଟଙ୍କ ଆନୁଗତ୍ୟ ହାସଲ କରାଯାଇଥିବାର ନଜୀର ରହିଛି। ଜଷ୍ଟିସ ରୟ ଅନେକ ମାମଲାରେ ପ୍ରଧାନମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ସହିତ ସଂପର୍କ କରୁଥିଲେ ବୋଲି କୁହାଯାଉଥିଲା। ଜଷ୍ଟିସ ଗୋଗୋଇ ସେପରି କରୁଥିଲେ ବୋଲି କହିହେବ ନାହିଁ। ତେବେ, ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ସୁପ୍ରିମ କୋର୍ଟରେ ଏହି କୋର୍ଟର ବିଚାରପତିମାନଙ୍କ ସହ ବସି ନଥିବାବେଳେ ଜଷ୍ଟିସ ଗୋଗୋଇଙ୍କ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିଚାରପତିମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ନୈଶଭୋଜିରେ ଯୋଗ ଦେଇଥିଲେ। ତାହାକୁ ନେଇ ସେତେବେଳେ ବିଭିନ୍ନ ପ୍ରଶ୍ନ ଉଠିଥିଲା।

ଏସବୁ ବିବାଦ ବାହାରେ ବି ଗୋଟେ ପ୍ରଶ୍ନ ଅନେକ ସମୟରେ ଉଠେ। ତାହା ହେଉଛି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ପଦଠାରୁ ରାଜ୍ୟସଭା କିମ୍ବା ଲୋକସଭା ସଦସ୍ୟ ପଦ କ’ଣ ଏତେ ବଡ଼, ଏତେ ସମ୍ମାନଜନକ? ସଂପୃକ୍ତ ବ୍ୟକ୍ତିମାନେ ନିଜକୁ ଏଭଳି ପ୍ରଶ୍ନ କରିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos