ଭାଲଚନ୍ଦ୍ର ଷଡ଼ଙ୍ଗୀ
ଦେଶରେ ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସକୁ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ପାଇଁ ନିକଟରେ କେନ୍ଦ୍ର ସରକାର ଏକ ବିଲ୍ ଆଣିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ ଏହି ବିଲ୍କୁ ଆଗତ କରି ଦେଶରେ ପୁଅ ଓ ଝିଅଙ୍କ ବିବାହ ବୟସ ନେଇ ରହିଥିବା ଲିଙ୍ଗଗତ ଅସମାନତାକୁ ଦୂର କରି ଉଭୟଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ରଖିବା ପାଇଁ ଏହାକୁ ଅଣାଯାଇଛି ବୋଲି କହିଛନ୍ତି। ତେବେ କୌଣସି ବିଚାର ବିମର୍ଶ ବିନା ଏହାକୁ ସରକାର ତରବରିଆ ଭାବେ ଅଣାଯାଇଛି ବୋଲି ବିରୋଧୀ ଦଳର ସଦସ୍ୟମାନେ ସମସ୍ୱରରେ ପ୍ରତିବାଦ କରିବା ପରେ ସରକାର ବାଧ୍ୟ ହୋଇ ବିଲ୍କୁ ସଂସଦର ସିଲେକ୍ଟ କମିଟିକୁ ପଠାଇ ଦେଇଛନ୍ତି।
ଝିଅଙ୍କ ବିବାହ ବୟସକୁ ବଢ଼େଇବା ପାଇଁ ସର୍ବ ପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦ ମସିହାରେ ନିଜର ବଜେଟ୍ ଭାଷଣରେ ଘୋଷଣା କରିଥିଲେ। ତା’ର କିଛି ଦିନ ପରେ ଅର୍ଥାତ୍ ଜୁନ୍ ୪ ତାରିଖରେ ସରକାରଙ୍କ ପକ୍ଷରୁ ପୂର୍ବତନ ସାଂସଦ ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କରେ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା। ନିକଟରେ ଉପରୋକ୍ତ ଟାସ୍କଫୋର୍ସର ରିପୋର୍ଟ ଆସିବା ପରେ ତାକୁ ଆଧାର କରି ସରକାର ଝିଅମାନଙ୍କ ବିବାହ ବୟସକୁ ୨୧କୁ ବଢ଼ାଇବାକୁ ବିଲ୍ ଆଗତ କରିଛନ୍ତି।
ବିବାହ ବୟସ ବୃଦ୍ଧି ନେଇ ସରକାରଙ୍କ ଯୁକ୍ତି ହେଲା, ବିଳମ୍ବରେ ବିବାହ କରିବାକୁ ଆଇନଗତ ସୁରକ୍ଷା ପାଇଲେ ଝିଅମାନେ କମ୍ ବୟସରେ ବିବାହ କରିବେ ନାହିଁ ଏବଂ ଦେଶରେ ବାଲ୍ୟବିବାହ ହ୍ରାସ ପାଇବ। ଏପରିକି ଏହା ଫଳରେ ଦେଶରେ ଜନସଂଖ୍ୟା ବି ହ୍ରାସ ପାଇବ ବୋଲି କୁହାଯାଉଛି। କିନ୍ତୁ ଭାରତରେ ମହିଳାମାନଙ୍କ ପ୍ରଜନନ ହାର ଓ ଜନସଂଖ୍ୟାର ବୃଦ୍ଧିହାରରେ ଯେଉଁ ଲଗାତାର ହ୍ରାସ ଘଟୁଛି ତାହା ସେମାନଙ୍କ ଏହି ଯୁକ୍ତିକୁ ନିରାଧାର ପ୍ରମାଣିତ କରୁଛି। ତେବେ ସରକାରଙ୍କ ଉଦ୍ଦେଶ୍ୟ ଯାହା ବି ହେଉ ନା କାହିଁକି, ସରକାର ଯେ ଏହି ବିଲ୍କୁ ଅତ୍ୟନ୍ତ ତରବରିଆ ଭାବେ ଆଣିଛନ୍ତି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କାରଣ ସଂସଦରେ ଆଗତ କରିବା ପୂର୍ବରୁ ସରକାର ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ପକ୍ଷମାନଙ୍କ ସହିତ ନା କୌଣସି ବିଚାର ବିମର୍ଶ କରିଛନ୍ତି ନା ଏ ସଂକ୍ରାନ୍ତରେ ପୂର୍ବରୁ ଜାତୀୟ ଆଇନ କମିଶନ କରିଥିବା ସୁପାରିଶକୁ ବିଚାରକୁ ନେଇଛନ୍ତି।
ଆମ ଦେଶରେ ବାଲ୍ୟବିବାହ ବିରୁଦ୍ଧରେ ଅଭିଯାନ ଓ ବିବାହ ବୟସ ନିର୍ଦ୍ଧାରଣର ଏକ ଲମ୍ବା ଇତିହାସ ରହିଛି। ଏ କ୍ଷେତ୍ରରେ ପ୍ରଥମେ ଊନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ରାଜା ରାମମୋହନ ରାୟ ଓ ପରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ସଂଗ୍ରାମ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବିଦ୍ୟାସାଗରଙ୍କ ଉଦ୍ୟମ ଫଳରେ ୧୮୯୧ ମସିହାରେ ତତ୍କାଳୀନ ବ୍ରିଟିଶ ସରକାର ବିବାହ ପାଇଁ ମହିଳାଙ୍କ ସମ୍ମତିର ବୟସକୁ ୧୦ରୁ ୧୨ ବର୍ଷକୁ ବୃଦ୍ଧି କରିଥିଲେ, ଯାହାକି ପରେ ୧୯୨୯ ମସିହାରେ ୧୪ ବର୍ଷକୁ ବୃଦ୍ଧି କରାଯାଇଥିଲା। ୧୯୧୭ ମସିହାରେ ଦେଶର କିଛି ମହିଳା ମିଶି ମହିଳା ଭାରତୀୟ ସଂଘ ଗଠନ କରି ମହିଳାମାନଙ୍କ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଉଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିକ୍ରମରେ ହିଁ ୧୯୨୯ ମସିହାରେ ବାଲ୍ୟବିବାହକୁ ରୋକିବାକୁ ଏକ ଆଇନ ତିଆରି କରିବାକୁ ହରବିଳାସ ଶାରଦା ଏକ ବିଲ୍ ଉପସ୍ଥାପନ କରିଥିଲେ। ମହିଳାମାନଙ୍କ ଦାବି ଫଳରେ ବ୍ରିଟିଶ ସରକାର ୧୯୨୯ ମସିହାରେ ବାଲ୍ୟବିବାହ ନିରାକରଣ ଆଇନ ପ୍ରଣୟନ କରିଥିଲେ। ସେତେବେଳେ ଝିଅମାନଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୧୪ ବର୍ଷ ଓ ପୁଅମାନଙ୍କ ପାଇଁ ୧୮ ବର୍ଷ ରଖାଯାଇଥିଲା। ଦେଶ ସ୍ୱାଧୀନ ହେବା ପରେ ୧୯୪୯ରେ ଝିଅମାନଙ୍କ ବିବାହ ବୟସ ୧୪ରୁ ୧୫ ବର୍ଷକୁ ବୃଦ୍ଧି କରାଯାଇଥିଲା। ପରେ ୧୯୭୮ରେ ବିବାହର ସର୍ବନିମ୍ନ ବୟସ ଝିଅମାନଙ୍କ ପାଇଁ ୧୮ ବର୍ଷ ଓ ପୁଅମାନଙ୍କ ୨୧ ବର୍ଷ ରଖାଯାଇଥିଲା। ପ୍ରଥମ ଥର ପାଇଁ ଏଭଳି ନାବାଳିକା ବିବାହକୁ ଏକ ଧର୍ତ୍ତବ୍ୟ ଅପରାଧ ରୂପେ ବିଚାର କରାଗଲା ଏବଂ ପ୍ରଶାସନ ଓ ପୋଲିସ ବାଲ୍ୟବିବାହକୁ ରୋକିବା ପାଇଁ ସ୍ୱତଃ ଉଦ୍ୟମ କରିବ ବୋଲି କୁହାଗଲା।
୨୦୦୬ରେ ବାଲ୍ୟବିବାହ ନିରାକରଣ ଆଇନରେ ସଂଶୋଧନ କରି ବାଲ୍ୟବିବାହ କରିଥିବା ଝିଅମାନେ ଚାହିଁଲେ ନିଜର ବିବାହକୁ ଅବୈଧ୍ୟ ଘୋଷଣା କରିପାରିବାର ଅଧିକାର ଦିଆଗଲା। ଏହାପୂର୍ବରୁ ବାଲ୍ୟ ବିବାହ କରିଥିବା ଝିଅଟିକୁ ନିଜର ବିବାହକୁ ରଦ୍ଦ କରିବାକୁ ହେଲେ ପ୍ରଥମେ ତାକୁ ଛାଡ଼ପତ୍ର ହିଁ ନେବାକୁ ପଡ଼ୁଥିଲା। ଏହି ଆଇନର ଧାରା ୩ରେ କୁହାଗଲା ଯେ ସବୁ ବାଲ୍ୟବିବାହ ଖାରଜ କରାଯାଇ ପାରିବ। କିନ୍ତୁ ତାହା ସ୍ୱତଃ ଖାରଜ ହୋଇପାରିବନି। ତାକୁ ପୁଅ ବା ଝିଅ କେହି ଜଣେ ବି ଚାହିଁଲେ ଖାରଜ କରାଯାଇପାରିବ। ତେବେ ଏଥିରେ ଏକ ସର୍ତ୍ତ ରହିଥିଲା ଯେ ଉଭୟ ପୁଅ ଓ ଝିଅ ନିଜର ବିବାହ ବୟସର ଦୁଇ ବର୍ଷ ମଧ୍ୟରେ ହିଁ ନିଜର ବାଲ୍ୟବିବାହକୁ ଖାରଜ କରିପାରିବେ। ଆଇନର ଧାରା ୧୨ ଅନୁସାରେ ଯଦି ବାଲ୍ୟବିବାହ କରିବା ସମୟରେ ପିଲାର ବାପା ମାଆ ଉପସ୍ଥିତ ନାହାନ୍ତି ଅର୍ଥାତ୍ ସେମାନଙ୍କର ବିବାହ ପ୍ରତି ସମ୍ମତି ନାହିଁ, ତାହେଲେ ସେହି ବାଲ୍ୟବିବାହଟି ସ୍ୱତଃ ଖାରଜ ହୋଇଯିବ।
୨୦୧୭ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ପାଇଁ ଗୋଟିଏ ଝିଅର ସମ୍ମତିର ବୟସ ୧୮ ବର୍ଷ ରହିଥିବା ବେଳେ ବାଲ୍ୟବିବାହ କ୍ଷେତ୍ରରେ ତାହା ୧୫ ବର୍ଷ ରହିଥିଲା। ଅର୍ଥାତ୍ ସମ୍ମତିର ନାମରେ ବୈବାହିକ ବଳାତ୍କାର ଏକରକମ ଆଇନସମ୍ମତ ଥିଲା। ତେବେ “ଇଣ୍ଡପେଣ୍ଡେଣ୍ଟ୍ ଥଟ୍” ନାମକ ଏକ ଏନ୍ଜିଓର ପିଟିସନ୍ ଉପରେ ବିଚାର କରି ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ମଦନ ଲୋକୁର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ୧୮ ବର୍ଷ ପୂର୍ବରୁ ଝିଅମାନଙ୍କ ବୈବାହିକ ବଳାତ୍କାରକୁ ଅପରାଧ ପର୍ଯ୍ୟାୟଭୁକ୍ତ କରିଥିଲେ। ଯାହା ଫଳରେ ଝିଅମାନଙ୍କ ବିବାହ ପାଇଁ ସମ୍ମତିର ବୟସ ୧୮ ବର୍ଷ ହୋଇଯାଇଥିଲା।
ସରକାରଙ୍କ ଯୁକ୍ତି ହେଲା, ବିବାହ ବୟସକୁ ବୃଦ୍ଧି କରିବା ଫଳରେ ଦେଶରେ ୨୧ ବର୍ଷରୁ କମ୍ ବୟସର ଝିଅକୁ ବିବାହ କରିବା ଅପରାଧ ପର୍ଯ୍ୟାୟଭୁକ୍ତ ହୋଇଯିବ। ଏହାଫଳରେ ସମାଜରେ ବାଲ୍ୟବିବାହକୁ ରୋକିହେବ ଏବଂ କମ୍ ବୟସରେ ବିବାହ ଓ ଗର୍ଭଧାରଣ ଫଳରେ ଝିଅମାନଙ୍କ ପ୍ରଜନନ ଜନିତ ସ୍ୱାସ୍ଥ୍ୟାବସ୍ଥାରେ ଯେଉଁ ସମସ୍ୟା ରହୁଛି, ତାକୁ ରୋକିହେବ। ଏଠାରେ ଜାଣିବା ଦରକାର ଯେ ବର୍ତ୍ତମାନ ଝିଅମାନଙ୍କ ବିବାହର ବୟସ ୧୮ ବର୍ଷ ବୋଲି ଆଇନ ରହିଥିଲେ ସୁଦ୍ଧା ଦେଶରେ ନାବାଳିକା ବିବାହକୁ ରୋକାଯାଇପାରୁନି। ୨୦୧୯ରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ଆମ ଦେଶରେ ୧୫ ଲକ୍ଷ ଝିଅଙ୍କ ବିବାହ ୧୮ ବର୍ଷରୁ କମ୍ ବୟସରେ ହୋଇଥିଲା। ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ ବିଶ୍ୱର ଏକ ତୃତୀୟାଂଶ ବାଲ୍ୟ ବିବାହ କେବଳ ଭାରତରେ ହୋଇଥାଏ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ୨୦୧୯-୨୧ର ତଥ୍ୟ ଅନୁଯାୟୀ ଭାରତରେ ପ୍ରତିବର୍ଷ ହେଉଥିବା ମୋଟ ବିବାହରୁ ବାଲ୍ୟ ବା ନାବାଳିକା ବିହାହର ସଂଖ୍ୟା ୨୩%। ଏଭଳି ପରିସ୍ଥିତିରେ ସରକାର ବିବାହର ବୟସକୁ ଯାନ୍ତ୍ରିକ ଭାବେ ବଢ଼ାଇ ୨୧ ବର୍ଷ କରିଦେଲେ ଝିଅମାନେ ଯେ ସରକାରଙ୍କ କଥା ମାନି ବିଳମ୍ବରେ ବିବାହ କରିବେ, ତାର କୌଣସି ନିଶ୍ଚିତତା ନାହିଁ।
ଝିଅମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟ ନେଇ ବି ସରକାରଙ୍କ ଯୁକ୍ତିଟି ଭ୍ରମାତ୍ମକ ମନେହୁଏ। କାରଣ ସାଧାରଣତଃ ୧୨-୧୫ ବର୍ଷ ମଧ୍ୟରେ ଝିଅମାନଙ୍କ ମାସିକ ଋତୁସ୍ରାବ ଆରମ୍ଭ ହେବା ସହ ପ୍ରଜନନ ସ୍ୱାସ୍ଥ୍ୟକୁ ନେଇ ସେମାନଙ୍କ ସମ୍ବେଦନଶୀଳତା ବୃଦ୍ଧି ପାଇଥାଏ। ବିଶେଷ କରି ଶିକ୍ଷାରୁ ବଂଚିତ ଗ୍ରାମାଞ୍ଚଳର ଗରିବ ପରିବାରର ଝିଅମାନଙ୍କ ଆଗରେ ଉଚ୍ଚଶିକ୍ଷା କିମ୍ବା ରୋଜଗାରର କୌଣସି ବିକଳ୍ପ ରହୁନଥିବାରୁ ସେମାନଙ୍କ ପାଇଁ ବିବାହ ନକରି ବେଶୀ ଦିନ ଅପେକ୍ଷା କରିବା ସମ୍ଭବ ହୋଇନଥାଏ। ଆଜିକାଲି ଟି.ଭି, ମୋବାଇଲ ଓ ଇଣ୍ଟରନେଟ୍ର ବ୍ୟାପକ ପ୍ରଚଳନ ଫଳରେ କମ୍ ବୟସର ପିଲାଙ୍କ ମଧ୍ୟରେ ଭଲ ପାଇବା, ଯୌନ ସଂପର୍କ ସ୍ଥାପନ କରିବା ପରି ପ୍ରବଣତା ବଢ଼ୁଥିବାରୁ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ନବଦଳାଇ କେବଳ ବିବାହର ବୟସକୁ ୨୧କୁ ବୃଦ୍ଧି କରିବା ବୁମେରାଂ ହୋଇଯିବ। ସରକାର ଗୋଟିଏ ପଟେ ଯୌନ ସଂପର୍କ ସ୍ଥାପନ ପାଇଁ ସମ୍ମତିର ବୟସ ୧୮ ବର୍ଷ ରଖିଥିବା ବେଳେ ବିବାହର ବୟସକୁ ୨୧କୁ ବୃଦ୍ଧି କରିବା ଦ୍ୱାରା ବିବାହ ପୂର୍ବରୁ ଗର୍ଭଧାରଣ, ବେଆଇନ ଗର୍ଭପାତ, କୁମାରୀ ମାତୃତ୍ୱ, ପୁଅଝିଅଙ୍କ ପଳାୟନ ଏବଂ ବିବାହ ନକରି ଏକାଠି ରହିବା ବା ଲିଭ୍ ଇନ୍ ସଂପର୍କ ଆଦି ଅଧିକ ମାତ୍ରାରେ ବୃଦ୍ଧି ପାଇବ। ଏସବୁ ଦ୍ୱାରା ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ତ ହାସଲ ହେବନି ବରଂ ଝିଅମାନେ ହିଁ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେବେ। ବିଶେଷ କରି ୨୧ ବର୍ଷରୁ ସାନ ଯେଉଁ ପୁଅଝିଅମାନେ ଜାତି ଓ ଧର୍ମର ବିଭାଜନକୁ ଡେଇଁ ନିଜ ଇଚ୍ଛାରେ ଜୀବନସାଥୀ ବାଛୁଛନ୍ତି ତଥା ବିବାହ କରିବାକୁ ଲକ୍ଷ୍ୟ ରଖୁଛନ୍ତି, ବିବାହର ବୟସ ବଢ଼ିବା ଫଳରେ ସେମାନେ ତୁରନ୍ତ ବିବାହ କରିନପାରି ପରିବାର ଲୋକ ଏବଂ ପୋଲିସ ଦ୍ୱାରା ଅନାବଶ୍ୟକ ମୋକଦ୍ଦମାର ସମ୍ମୁଖୀନ ହେବେ।
ଦାରିଦ୍ର୍ୟ ଓ ସଚେତନତାର ଅଭାବ ଯଦିଓ ନାବାଳିକା ବିବାହର ପ୍ରମୁଖ କାରଣ, କିନ୍ତୁ ଜନଗଣଙ୍କ ଜୀବନ ଧାରଣର ମାନରେ ଉନ୍ନତି ନହେବା ତଥା ଉପଯୁକ୍ତ ତଥା ସାର୍ବଜନିନ ଶିକ୍ଷା ଉପଲବ୍ଧ ନହେବା ବି ଅନ୍ୟତମ ମୁଖ୍ୟ କାରଣ ହୋଇ ରହିଆସିଛି। ସରକାର ବିବାହର ବୟସକୁ ବଢ଼େଇ ନାହାନ୍ତି ବୋଲି ଲୋକେ ନିଜର ଝିଅକୁ କମ୍ ବୟସରେ ବିବାହ କରୁଛନ୍ତି ଏବଂ ବିବାହ ବୟସ ବଢ଼େଇ ଦିଆଗଲେ ଆଉ କମ୍ ବୟସରେ ବିବାହ କରାଇବେ ନାହିଁ ବୋଲି କହିବା ହାସ୍ୟାସ୍ପଦ। ସେପରି ହୋଇଥିଲେ ବର୍ତ୍ତମାନ ବିବାହ ବୟସ ୧୮ ରହିଥିବା ସତ୍ତ୍ୱେ ଦେଶର ଏକ ପଞ୍ଚମାଂସ ବିବାହ ବାଲ୍ୟବିବାହ ହୋଇନଥାନ୍ତା। ପ୍ରଶ୍ନ ଉଠେ, ମଧ୍ୟବିତ୍ତ ଓ ଧନୀ ପରିବାରମାନଙ୍କରେ ଝିଅମାନେ ସାଧାରଣତଃ ଅଧିକ ବୟସରେ ଏପରିକି ୨୧ ବର୍ଷ ଠାରୁ ବି ବହୁ ଅଧିକ ବୟସରେ ବିବାହ କରୁଥିବା ବେଳେ ଗରିବ ଘରମାନଙ୍କରେ ଝିଅମାନଙ୍କୁ ୧୮ ବର୍ଷରୁ କମ୍ ବୟସରେ ବିବାହ କରିବାର ପ୍ରବଣତାଟି କାହିଁକି ବେଶୀ ରହିଛି? ଏଭଳି ଘଟିବା ପଛରେ ଆମର ସାମାଜିକ ଓ ଅର୍ଥନୈତିକ ଢାଞ୍ଚାଟି ହିଁ ଅନେକ ପରିମାଣରେ ଦାୟୀ ବୋଲି କୁହାଯାଇପାରେ। କାରଣ ଆଜି ବି ଆମର ପୁରୁଷବାଦୀ ସମାଜରେ ଝିଅମାନଙ୍କ ପାଇଁ ଶିକ୍ଷା ବାବଦରେ ଖର୍ଚ୍ଚ କରିବାକୁ ଅନେକ ଅଭିଭାବକ ଅନାବଶ୍ୟକ ଭାବନ୍ତି। ଏହା ସହିତ ସମାଜରେ ଗରିବୀର ଶିକାର ଅଧିକାଂଶ ପରିବାର ପାଇଁ ନିଜର ଝିଅକୁ ଅଧିକ ବୟସ ପର୍ଯ୍ୟନ୍ତ ବିବାହ ନକରି ଘରେ ରଖି ପାଠ ପଢ଼ାଇବା ପାଇଁ ଯେଉଁ ଆର୍ଥିକ ସାମର୍ଥ୍ୟ ଦରକାର ତାହା ସେମାନଙ୍କ ପାଖରେ ନଥାଏ। ତେଣୁ ବିବାହର ବୟସକୁ ବଢ଼େଇ ଦେଲେ ଯେ ସେମାନେ ନିଜର ଝିଅମାନଙ୍କୁ ବିବାହ ନଦେଇ ପାଠ ପଢ଼େଇବେ, ସେମାନଙ୍କ ଶରୀରର ଆବଶ୍ୟକତା ମୁତାବକ ପୁଷ୍ଟିଦାୟକ ଖାଦ୍ୟ ଦେଇପାରିବେ ତାର କୌଣସି ନିଶ୍ଚିତତା ନାହିଁ। ଝିଅଙ୍କ ଶିକ୍ଷା ପାଇଁ ସରକାରୀ ପ୍ରୋତ୍ସାହନ ଏବଂ ରୋଜଗାରର କୌଣସି ନିଶ୍ଚିତ ସମ୍ଭାବନା ନଥିବାରୁ ଝିଅମାନେ ବିବାହ ନହୋଇ ଘରେ ବେଶୀଦିନ ରହିବା ସମ୍ଭବ ହୋଇନଥାଏ। ଅତଏବ ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କ୍ୟାରିଅର୍ ପାଇଁ ଅଧିକ ବୟସରେ ବିବାହ କରିବା ଉଚିତ ହେଲେ ବି ସେଥିପାଇଁ ସରକାର ଆନୁସଙ୍ଗିକ ବ୍ୟବସ୍ଥା ନକରି କେବଳ ସେମାନଙ୍କ ବିବାହର ବୟସକୁ ବଢ଼େଇଦେଲେ ସେମାନେ ସ୍ୱତଃ ଉଚ୍ଚଶିକ୍ଷିତ କିମ୍ବା ଆତ୍ମନିର୍ଭରଶୀଳ ହୋଇଯିବେନି। ଏହଦ୍ୱାରା କେବଳ ସେହି ଝିଅମାନେ ଉପକୃତ ହେବେ ଯେଉଁମାନଙ୍କ ପଢ଼ିବା ପାଇଁ ଦୃଢ଼ ଇଚ୍ଛା ରହିଛି, ଶିକ୍ଷାଲାଭ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ରହିଛି ଅଥବା ସେମାନଙ୍କ ଇଚ୍ଛା ବିରୁଦ୍ଧରେ ପରିବାର ଲୋକେ ଜୋରଜବରଦସ୍ତ ବିବାହ କରେଇବାକୁ ବାଧ୍ୟ କରୁଛନ୍ତି।
କମ୍ ବୟସରେ ବିବାହ କରୁଥିବା ଏବଂ ଗର୍ଭଧାରଣ କରୁଥିବା ଅଧିକାଂଶ ଝିଅ ପ୍ରସୂତି ସମୟରେ ପୁଷ୍ଟିହୀନତା ଓ ରକ୍ତହୀନତା ପରି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ବେଳେବେଳେ ମୃତ୍ୟୁମୁଖରେ ବି ପଡ଼ିଥାନ୍ତି। ତେବେ ଏଠାରେ ଜାଣିବା ଦରକାର ଯେ ଝିଅମାନଙ୍କ ପୁଷ୍ଟିହୀନତା ଓ ରକ୍ତହୀନତା ସେମାନଙ୍କ କମ୍ ବୟସ କାରଣରୁ ନୁହେଁ। ବରଂ ସେମାନଙ୍କ ପରିବାରରେ ରହିଥିବା ଗରିବୀ କାରଣରୁ ହିଁ ସେମାନେ ପ୍ରଥମରୁ ହିଁ ଉପଯୁକ୍ତ ଖାଦ୍ୟ ନପାଇ ପୁଷ୍ଟିହୀନତା ଓ ରକ୍ତହୀନତାର ଶିକାର ହୋଇଥାନ୍ତି। ଦୁର୍ବଳ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିହୀନତାର ଶିକାର ଗରିବ ଘରର ଏହି ଝିଅମାନେ କମ୍ ବୟସରେ ବିବାହ କରିବା ଏବଂ ମାଆ ହେବା ଫଳରେ ସେମାନଙ୍କର ଜନ୍ମିତ ଶିଶୁଟି ଅପେକ୍ଷାକୃତ ଭାବେ ପୁଷ୍ଟିହୀନ ଓ ଦୁର୍ବଳ ହୋଇଥାଏ। ଏହାକୁ ରୋକିବାକୁ ହେଲେ, ସରକାର ସେମାନଙ୍କ ରକ୍ତହୀନତା ଓ ପୁଷ୍ଟିହୀନତାକୁ ଦୂର କରିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେବା ଦରକାର। ସରକାର ଅଧିକ ବ୍ୟୟବରାଦ କରି ସ୍କୁଲ ଓ ଅଙ୍ଗନୱାଡ଼ି ଜରିଆରେ ଗରିବ ପରିବାରର ମାଆ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ମାଗଣାରେ ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ସମ୍ପୂର୍ଣ୍ଣ ମାଗଣାରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇ ପାରିବେ। ଝିଅମାନଙ୍କୁ ଶିକ୍ଷିତ ଓ ସ୍ୱାବଲମ୍ବୀ କରିବାକୁ ସେମାନଙ୍କ ପାଇଁ ଆବଶ୍ୟକୀୟ ଶିକ୍ଷା ଓ ତାଲିମ ଅନୁଷ୍ଠାନ କରି ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷା ଓ ତାଲିମର ବ୍ୟବସ୍ଥା କରିବା ଦରକାର। କିନ୍ତୁ ସରକାର ଏ ବାବଦରେ କୌଣସି ବ୍ୟୟବରାଦ କରିବା ବଦଳରେ କେବଳ ବିବାହ ବୟସକୁ ବଢ଼ାଇ ଦେଇ ନିଜର ଦାୟୀତ୍ୱକୁ ସାରିଦେବାକୁ ଚାହୁଁଛନ୍ତି। କାରଣ ବିବାହ ବୟସ ବୃଦ୍ଧି କଲେ ସରକାରଙ୍କୁ କୌଣସି ଅତିରିକ୍ତ ବ୍ୟୟବରାଦ କରିବା ଦରକାର ପଡ଼ିବନି।
ଅତଏବ ଦେଶରେ ବାଳ୍ୟବିବାହ ଓ ଝିଅମାନଙ୍କ ପୁଷ୍ଟିହୀନତା ଓ ରକ୍ତହୀନତାକୁ ଦୂର କରିବାକୁ ହେଲେ, ବିବାହ ବୟସରେ ବୃଦ୍ଧି ନୁହେଁ ବରଂ ସେମାନଙ୍କ ପରିବାରରେ ଖାଦ୍ୟ ଓ ପୁଷ୍ଟି ସୁରକ୍ଷାକୁ ନିଶ୍ଚିତ କରିବା ଦରକାର। ସ୍କୁଲ ଠାରୁ ଆରମ୍ଭ କରି ଅଙ୍ଗଡ଼ବାଡ଼ି ପର୍ଯ୍ୟନ୍ତ ସବୁଠି ଝିଅମାନଙ୍କୁ ଉପଯୁକ୍ତ ପୋଷଣର ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଗୁଣାତ୍ମକ ଶିକ୍ଷା ଓ ତାଲିମ ପ୍ରଦାନ କରିବା ସହିତ ପଢ଼ା ବା ତାଲିମ ଶେଷରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଦରକାର। ତାହେଲେ ହିଁ ଯାଇ ଝିଅମାନେ ଡେରୀରେ ବିବାହ କରିବାକୁ ସମର୍ଥ ହେବେ। ବିବାହର ବୟସ ସୀମା ଯେତେ ଥିଲେ ବି ଝିଅମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ଡ଼େରୀରେ ବିବାହ କରିବାକୁ ଆଗଭର ହେବେ। କାରଣ ଆଜି ବି ସମାଜରେ ଉପଯୁକ୍ତ ଶିକ୍ଷା ଓ ରୋଜଗାରର ସୁଯୋଗ ପାଉଥିବା ଝିଅମାନେ ପିତାମାତାଙ୍କ ଚାପ ସତ୍ତ୍ୱେ ଶୀଘ୍ର ବିବାହ କରିବାକୁ ରାଜି ହେଉନଥିବା ଦେଖାଯାଉଛି। ସେପରି କ୍ଷେତ୍ରରେ ସର୍ବନିମ୍ନ ବିବାହ ବୟସର ଭୂମିକା ମୂଲ୍ୟହୀନ ହୋଇଯାଏ।
ଉପଯୁକ୍ତ ସାମାଜିକ ଓ ଅର୍ଥନୈତିକ ସଂସ୍କାର ବିନା କେବଳ ଆଇନ କରିଦେଲେ ଦେଶରେ ମହିଳାମାନଙ୍କ ସ୍ଥିତିରେ ପରିବର୍ତ୍ତନ ହୋଇଯିବାର ବିଚାରଟି କଳ୍ପନା ବିଳାସ ମନେହୁଏ। ସମାଜିକ ସଂସ୍କାର କଦାପି ଆଇନର ଜୋରରେ ନୁହେଁ ବରଂ ଜନଗଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସେସବୁ ପଛରେ ରହିଥିବା ସାମାଜିକ ଓ ଅର୍ଥନୈତିକ କାରଣକୁ ଖୋଜି ତାକୁ ବଦଳାଇବା ପାଇଁ ଉପଯୁକ୍ତ ନୀତି ଗ୍ରହଣ କରିବା ଜରିଆରେ ହୋଇଥାଏ। ଗତ କିଛି ଦଶନ୍ଧି ମଧ୍ୟରେ ଆମର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନର ଫଳସ୍ୱରୂପ ଆମେ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ପାଉଛେ। ସେହି କାରଣରୁ ଗୋଟିଏ ଦଶକ ପୂର୍ବରୁ ଆମ ଦେଶରେ ପ୍ରତି ଚାରିଜଣ ଝିଅଙ୍କ ମଧ୍ୟରେ ଜଣେ ବାଲ୍ୟ ବା ନାବାଳିକା ବିବାହ କରୁଥିବା ବେଳେ ବର୍ତ୍ତମାନ ପ୍ରତି ପାଞ୍ଚ ଜଣରେ ଜଣେ କରୁଛନ୍ତି।
ପୁଅ ଓ ଝିଅ ନିଜର ଶିକ୍ଷା, କ୍ୟାରିଆର ଓ ରୋଜଗାରକୁ ଦୃଷ୍ଟିରେ ରଖି ଉପଯୁକ୍ତ ବୟସରେ ବିବାହ କରିବା ଉଚିତ। ସେହି ଦୃଷ୍ଟିରୁ ଦେଖିଲେ ଜଣେ ଝିଅ ୨୧ ବର୍ଷ ପରେ ବିବାହ କରିବାରେ କୌଣସି ଅସୁବିଧା ନାହିଁ। ଆଜି ଆଇନ ନଥାଇ ମଧ୍ୟ ଅଧିକାଂଶ ଶିକ୍ଷିତ ଓ ସ୍ୱଚ୍ଛଳ ଘରର ଝିଅ ୨୧ ବର୍ଷରୁ ତଳେ ବିବାହ କରିବା ପ୍ରାୟତଃ ଦେଖାଯାଏନି। ଦେଶର ବିଶେଷ କରି ଗ୍ରାମାଞ୍ଚଳର ଯେଉଁ ଝିଅମାନେ କମ୍ ବୟସରେ ବିବାହ କରୁଛନ୍ତି, ତାହା ସେମାନଙ୍କ ମଜବୁରୀ ବୋଲି କହିବା ଉଚିତ ହେବ। ସହରର ସ୍ୱଚ୍ଛଳ ପରିବାରର ଝିଅମାନଙ୍କ ପରି ସେମାନଙ୍କୁ ବି ବିନା ବାଧାରେ ଶିକ୍ଷା ହାସଲ କରିବାକୁ ଓ ରୋଜଗାରର ସୁଯୋଗ ଦିଆଗଲେ ସେମାନେ ବି କମ୍ ବୟସରେ ବିବାହ କରିବାକୁ ବୋଧହୁଏ ଆଦୌ ରାଜି ହେବେନାହିଁ। କିନ୍ତୁ ଦେଶର ସଂଖ୍ୟାଗରିଷ୍ଠ ଗରିବ ଲୋକଙ୍କ ଯେଉଁ ଖରାପ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଲାଗି ଏହି ସମସ୍ୟା ଅବ୍ୟାହତ ରହିଛି, ତା ପ୍ରତି ସରକାର ଏକରକମ ଆଖି ବୁଜି ଦେବା ପରି ମନେହେଉଛି। ଅତଏବ ଉପରୋକ୍ତ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ବଦଳାଇବା ବିନା କେବଳ ଯାନ୍ତ୍ରିକ ଭାବେ ଆଇନ କରିଦେଇ ତାରି ଜରିଆରେ ବଳପୂର୍ବକ ଲକ୍ଷ୍ୟ ହାସଲ କରିବାକୁ ଯେଉଁ ଉଦ୍ୟମ କରୁଛନ୍ତି ତାହା ହାସ୍ୟାସ୍ପଦ ମନେହୁଏ।
ଫୋନ- ୯୪୩୭୧୬୬୩୯୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।