‘ସ୍ୱ’ଜାଗରଣ ଓ ସ୍ୱତନ୍ତ୍ରତା

ରବି ନାରାୟଣ ପଣ୍ଡା

ଅନାଦୀ ଅନ୍ତନ୍ତ କାଳରୁ ଭାରତରେ ‘ସ୍ୱ’ ଜାଗରଣର ପରମ୍ପରା ପ୍ରଚଳିତ ହୋଇ ଆସିଛି। ଭାରତ ବର୍ଷର ‘ସ୍ୱ’ ଅବବୋଧ ପାଇଁ ଭାରତୀୟ ମନିଷୀମାନେ ଅନବରତ ଓ ଅଖଣ୍ଡ ପ୍ରୟାସ କରି ଆସିଛନ୍ତି। ଯେଉଁ କାଳଖଣ୍ଡରେ ଭାରତର ‘ସ୍ୱ’ ଅବବୋଧ ଦୁର୍ବଳ ହୋଇଛି ସେହି ସମୟରେ ଆମ ରାଷ୍ଟ୍ର ଉପରେ ବିପଦର କଳାବାଦଲ ଛାଇ ଯାଇଛି। ଆମର ‘ସ୍ୱ’ବୋଧ ଆମ ସଭ୍ୟତାକୁ ଅନନ୍ତ ଶକ୍ତି ପ୍ରଦାନ କରିବା ସହ ଅମରତ୍ୱ ପ୍ରଦାନ କରିଛି। ଆମର ‘ସ୍ୱ’ଆମର ପରିଚୟା ‘ସ୍ୱ’ରାଷ୍ଟ୍ରର ପ୍ରତ୍ୟକ ଘଟକକୁ ଏକ ସୂତ୍ରରେ ବାନ୍ଧି ରଖିଥାଏ। ରାଷ୍ଟ୍ରଜୀବନକୁ ସୁରକ୍ଷିତ କରିବା ଅର୍ଥ ଆମର ‘ସ୍ୱ’କୁ ସୁରକ୍ଷିତ କରିବା।

ଭାରତ ବର୍ଷର ‘ସ୍ୱ’ ହେଉଛି ଭାରତୀୟ ଜୀବନ ପଦ୍ଧତି ଅର୍ଥାତ ଭାରତର ମୂଳ ଧର୍ମ ଓ ସଂସ୍କୃତି। ଗୋଟିଏ ଶବ୍ଦରେ କହିବାକୁ ଗଲେ ତାହା ହେବ ଆଧ୍ୟାତ୍ମକତା। କେହି କେବେ ଏହାକୁ ହିନ୍ଦୁତ୍ୱ, ରାଷ୍ଟ୍ରୀୟତ୍ୱ କିମ୍ବା ଭାରତୀୟତା ନାମରେ ସମ୍ବୋଧନ କରିଥାନ୍ତି। ଆମ ରାଷ୍ଟ୍ରଜୀବନ ଓ ସମାଜ ଜୀବନର କେନ୍ଦ୍ରରେ ଅଛି ଏହି ଆଧ୍ୟାତ୍ମିକତା। ଯାହାକୁ ଆମେ ଧର୍ମ ବୋଲି କହିଥାଉ। ଉଚ୍ଚତମ ନ୍ୟାୟାଳୟ ଭାଷାରେ ଏହା ଏକ ବିଶେଷ ଜୀବନ ପଦ୍ଧତି। ଉଚ୍ଚତମ ନ୍ୟୟାଳୟର ଧ୍ୟେୟବାକ୍ୟ ହେଉଛି ‘ଯତୋ ଧର୍ମ ସ୍ତତୋ ଜୟ’। ଲୋକ ସଭାର ବାଚସ୍ପତିଙ୍କ ବସିବା ସ୍ଥାନରେ ଲେଖାଯାଇଛି ‘ଧର୍ମ ଚକ୍ର ପ୍ରବର୍ତନାୟ’।

ବ୍ରିଟେନର ରାଷ୍ଟ୍ରଜୀବନର କେନ୍ଦ୍ରରେ ଅଛି ସେ ଦେଶର ବାଣିଜ୍ୟ ଓ ବ୍ୟବସାୟ। ବ୍ରିଟେନର ଅର୍ଥ ବ୍ୟବସ୍ଥା ଓ ବାଣିଜ୍ୟ ଉପରେ କେହି କେବେ ଯଦି ଆଘାତ କରେ ସେ ଦେଶରେ ପ୍ରବଳ ପ୍ରତିକ୍ରିୟା ତିଆରି ହେବ। ସଂପୂର୍ଣ୍ଣ ଦେଶ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବ। ଫ୍ରାନସ ରାଷ୍ଟ୍ରଜୀବନର କେନ୍ଦ୍ର ହେଉଛି ରାଜନୀତି ବା ରାଜସତ୍ତା। ଫ୍ରାନ୍ସର ରାଜସତ୍ତା ଉପରେ କେହି କେବେ ଆକ୍ରମଣ କଲେ ସେ ଦେଶ ସଂପୂର୍ଣ୍ଣ ରକ୍ତମୁଖା ହୋଇ ଉଠିବ। ଅନେକ ବର୍ଷ ଧରି ଭାରତ ଓ ପାଶ୍ଚାତ୍ୟ ସଭ୍ୟତା ଭିତରେ ସଂଘର୍ଷ ଜାରି ରହିଛି। ପାଶ୍ଚାତ୍ୟ ଜଗତ ଅର୍ଥ ଓ ବାହୁବଳରେ ଭାରତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ଭାରତ ହଜାର ହଜାର ବର୍ଷ ଧରି ଆଧ୍ୟାତ୍ମଶକ୍ତି ମାଧ୍ୟମରେ ପାଶ୍ଚାତ୍ୟ ଜଗତକୁ ପ୍ରଭାବିତ କରି ଆସୁଛି।

ଭାରତ ବର୍ଷକୁ ଅନେକ ବିଦେଶୀ ଆକ୍ରମଣକାରୀ ଆସିଛନ୍ତି। ଏଠାରେ ଶାସନ କରିଛନ୍ତି। କାଳକ୍ରମେ ସେମାନେ ଭାରତୀୟ ସଭ୍ୟତା ଭିତରେ ବିଲୀନ ହୋଇ ଯାଇଛନ୍ତି। ସେମାନେ ଆମର ‘ସ୍ୱ’କୁ ଆଦରି ନେଇଛନ୍ତି ଏବଂ ଆମେ ସେମାନଙ୍କୁ ଆଦରି ନେଇଛୁ। ଶକ୍‌, ହୁନ, ତାତାର ଏମାନେ ଭାରତ ଭିତରେ ବିଲୀନ ହୋଇ ଯାଇଛନ୍ତି। ସେମାନଙ୍କ ସମୟରେ ଭାରତର ‘ସ୍ୱ’ ଅର୍ଥାତ ଆଧ୍ୟାତ୍ମଶକ୍ତି ଉଚ୍ଚ ସ୍ତରରେ ଥିଲା।

ସେମାନେ ଭାରତ ବର୍ଷର ଆଧ୍ୟାତ୍ମ ଶକ୍ତି ଉପରେ ଆକ୍ରମଣ କରି ନଥିଲେ। ଆକ୍ରମଣ କେବଳ ରାଜସତ୍ତା ଉପରେ କରିଥିଲେ। ଲଢ଼େଇ କେବଳ ରାଜଶକ୍ତି ଭିତରେ ସୀମିତ ଥିଲା। ଗ୍ରୀକ୍‌ମାନେ ଆଲେକଜାଣ୍ଡାରଙ୍କ ନେତୃତ୍ୱରେ ଭାରତ ଉପରେ ଆକ୍ରମଣ କଲେ। ତାହା କେବଳ ରାଜସତ୍ତାର ଲଢ଼େଇ ଥିଲା। ଏମାନଙ୍କ ଭିତରୁ କିଛି ପ୍ରତ୍ୟାବର୍ତ୍ତନ କଲେ। ଆଉ କିଛି ଭାରତୀୟ ଜୀବନ ପଦ୍ଧତିକୁ ଆଦରି ନେଲେ।

ଆମର ଧର୍ମ ଓ ସଂସ୍କୃତି ଉପରେ ପ୍ରଥମ ଥର ପାଇଁ ମୋଗଲ ଓ ପଠାଣମାନଙ୍କ ଦ୍ୱାରା ଆକ୍ରମଣ ହେଲା। ସେମାନେ ରାଜସତ୍ତା ସହ ଲଢ଼େଇ କରି ବିଜୟୀ ହେବା ପରେ ଭାରତର ଧର୍ମ ସଂସ୍କୃତି ଉପରେ ଆକ୍ରମଣ କଲେ। ସେମାନଙ୍କ କାଳଖଣ୍ଡରେ ଭାରତର ଧର୍ମ ଓ ସଂସ୍କୃତି ଅନେକାଶଂରେ ଦୁର୍ବଳ ହେବା ଆରମ୍ଭ କଲା। ରାଜାମାନେ ପରାଜିତ ହୋଇଗଲେ ସତ ଧର୍ମ ଓ ସଂସ୍କୃତି ଉପରେ ଆକ୍ରମଣ ହେବାରୁ ଆମ ରାଷ୍ଟ୍ର ଜୀବନ ଦୁର୍ବଳ ହୋଇଗଲା। ସମାଜ ଏକତ୍ରୀତ ହୋଇ ପ୍ରତିରୋଧ କରିବା ଆରମ୍ଭ କଲା। ‘ସ୍ୱ’ର ସୁରକ୍ଷା ପାଇଁ ସମାଜର ସବୁ ବର୍ଗର ଲୋକ ସଂଘର୍ଷ କରିବାକୁ ଆଗେଇ ଆସିଲେ। ଦେବଳ ମହର୍ଷି, ଗୁରୁ ତେଗବାହାଦୂର, ଗୁରୁ ରାମଦାସ, ବିଦାରଣ୍ୟସ୍ୱାମୀ, ଗୁରୁ ଗୋବିନ୍ଦ ସିଂ ଓ ସନ୍ନ୍ୟାସୀ ସଂପ୍ରଦାୟ ଭଳି ନେତୃତ୍ୱ ସମାଜ ଭିତରେ ‘ସ୍ୱ’ ଜାଗରଣର ନୂତନ ପର୍ବ ଆରମ୍ଭ କଲେ। ସେମାନଙ୍କ ପ୍ରଭାବରେ ହରିହର-ବୁକ୍‌କା ରାୟ, ଛତ୍ରପତି ଶିବାଜୀ, ବପାରାଓଳ, ବନ୍ଦା ବୈରାଗୀଙ୍କ ଭଳି ନୂତନ ଶକ୍ତି ଆକ୍ରମଣକାରୀଙ୍କୁ ପରାଜିତ କରିବା ପାଇଁ ସାମ୍ନାକୁ ଆସିଲା। ଭାରତର ‘ସ୍ୱ’ ଉପରେ ଆଘାତକୁ ସଂପୂର୍ଣ୍ଣ ରାଷ୍ଟ୍ର ନିଜର ସାମର୍ଥ୍ୟ ମୁତାବକ ବିରୋଧ କଲା। ଭାରତର କୋଣ ଅନୁକୋଣରେ ବିରୋଧର ଅଗ୍ନି ଜଳି ଉଠିଲା। ଏହି ବୀର ପୁରଷମାନଙ୍କ ଆଘାତରେ ଆଉରଙ୍ଗଜେବ ଭଳି ବିଶାଳ ସେନା ବାହିନୀର ନେତା ଦକ୍ଷିଣରେ ଦୟନୀୟ ଭାବେ ମୃତ୍ୟୁବରଣ କଲା। ମୋଗଲ ଶାସନ ସମାପ୍ତ ହୋଇ ଆସୁଥିଲା। ଆମର ‘ସ୍ୱ’ ଜାଗରଣ ଶକ୍ତିଶାଳୀ ହେବକୁ ଆରମ୍ଭ କରିଥିଲା। ଠିକ୍ ସେହି ସମୟରେ ‘ବିଭାଜନ କର ଓ ଶାସନ କର’ ଏପରି ଏକ ନୂତନ ଅସ୍ତ୍ରରେ ଇଂରେଜମାନେ ଭାରତକୁ ଅଧିକାର କରିବା ଆରମ୍ଭ କରିଦେଲେ।

ଇଂରେଜମାନେ ଆରମ୍ଭରେ ଭାରତୀୟମାନଙ୍କୁ ଆଶ୍ୱାସନା ଦେଲେ ଯେ, ସେମାନେ କେବଳ ବ୍ୟବସାୟ ପାଇଁ ଆସିଛନ୍ତି, ତାଙ୍କର ରାଜସତ୍ତା ଅଧିକାର କରିବାର ଇଚ୍ଛା ନାହିଁ। ଭାରତୀୟ ରାଜାମାନେ ସେମାନଙ୍କ କଥାରେ ବିଶ୍ୱାସ କରି ପରାଜିତ ହେଲେ। ଇଂରେଜମାନଙ୍କ ସହଯୋଗ ନେଇ କିଛି ରାଜା ନିଜ ଭିତରେ ଲଢ଼ି ସମାପ୍ତ ହୋଇଗଲେ।

ଭାରତୀୟ ସତ୍ତା ହାତକୁ ଆସିବା ପରେ ଇଂରେଜମାନେ ଭାରତର ଧର୍ମ ଓ ସଂସ୍କୃତି ଉପରେ ଆକ୍ରମଣ କରିଦେଲେ। ମାକଲେ ଭାରତର ‘ସ୍ୱ’ ଆଧାରୀତ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଯୋଜନା ତିଆରି କଲେ। ବ୍ରିଟିଶ ସରକାରଙ୍କୁ ଚିଠି ଲେଖିଲେ ଯେ, ଭାରତର ଶିକ୍ଷା ବ୍ୟବସ୍ଥାକୁ ଉଚ୍ଛେଦ କରି ଇଂରାଜୀ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରାଯାଉ। ଏକଥା ମଧ୍ୟ ତାଙ୍କ ଚିଠିରେ ସ୍ପଷ୍ଟ ଲେଖିଥିଲେ ଯେ, ଭାରତକୁ ସବୁଦିନ ପାଇଁ ଅଧୀନରେ ରଖିବାକୁ ହେଲେ ଭାରତୀୟତା ବା ରାଷ୍ଟ୍ରୀୟତା ଭାବ ନିର୍ମାଣ କରୁଥିବା ଭାରତୀୟ ଶିକ୍ଷା ପଦ୍ଧତୀକୁ ଧ୍ୱଂସ କରିବାକୁ ପଡ଼ିବ। ମିଶନାରୀମାନେ ଭାରତର ଗାଁଗଣ୍ଡାରେ ପଶି ଭାରତୀୟ ଆଧ୍ୟାତ୍ମିକ ଜୀବନ ଶୈଳୀକୁ ତିରସ୍କାର କରିବା ସହ ଧର୍ମାନ୍ତରୀକରଣ ଆରମ୍ଭ କରିଦେଲେ। ମୋଗଲମାନଙ୍କ କବଳରୁ ମୁକ୍ତି ପାଇଥିବା ଭାରତ ପୁଣି ଥରେ ଇଂରେଜମାନଙ୍କ କପଟତା ଭିତରେ ଛନ୍ଦି ହୋଇଗଲା। ସମାଜ ଏହି ଧର୍ମ ଓ ସଂସ୍କୃତି ଉପରେ ଆକ୍ରମଣକୁ ସହଜରେ ଗ୍ରହଣ କରିପାରିଲା ନାହିଁ। ଅସନ୍ତୋଷର ବହ୍ନି ସବୁଆଡ଼େ ଜଳି ଉଠିଲା। ୧୮୫୭ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏହି ପ୍ରତିକ୍ରିୟାର ସବୁଠାରୁ ବଡ଼ ନମୁନା ଥିଲା। ରାଜ୍ୟ ଶାସନ ଇଂରେଜମାନଙ୍କ ହାତକୁ ଚାଲି ଯାଇଛି, ଏହି କାରଣ ଯେତିକି ମହତ୍ୱପୂର୍ଣ୍ଣ ଥିଲା ତାହାଠାରୁ ଅଧିକ ମହତ୍ୱପୂର୍ଣ୍ଣ ଥିଲା ଧର୍ମ ନଷ୍ଟ କରିବା ପାଇଁ ଗୁଳିରେ ଗୋରୁ ଚର୍ବିର ବ୍ୟବହାର। ଯାହାକୁ ସୈନିକମାନଙ୍କୁ ଦାନ୍ତରେ କାମୁଡ଼ି ଛିଣ୍ଡାଇବାକୁ କୁହାଯାଉଥିଲା। ଏହି ସଂଘର୍ଷର ସବୁଠାରୁ ବଡ଼ କାରଣ ଥିଲା ଧର୍ମ ଓ ସଂସ୍କୃତି ଉପରେ ଆଘାତ। ଇଂରେଜମାନଙ୍କୁ ପ୍ରତିରୋଧ କରିବା ପାଇଁ ଭାରତରେ ପୁଣି ଥରେ ‘ସ୍ୱ’ ଜାଗରଣ ପର୍ବ ଆରମ୍ଭ ହେଲା। ବାଲ ଗଙ୍ଗାଧର ତିଳକ ସମାଜକୁ ଜାଗ୍ରତ କରିବା ପାଇଁ ଶିବାଜୀ ମହୋତ୍ସବ ଓ ଗଣେଶ ମହୋତ୍ସବର ସାହାରା ନେଲେ। ସ୍ୱଦେଶୀ ବସ୍ତୁ ବ୍ୟବହାର ମାଧ୍ୟମରେ ‘ସ୍ୱ’ ପ୍ରତି ସମର୍ପଣ ଭାବର ନିର୍ମାଣ କଲେ। ଭାରତର ଧର୍ମ ଓ ସଂସ୍କୃତିର ଅପମାନକୁ ସହ୍ୟ କରି ନପାରି ସନ୍ନ୍ୟାସୀମାନେ ଆନ୍ଦୋଳନ କଲେ। ଶହଶହ ସଂଖ୍ୟାରେ ବଳିଦାନୀ ହୋଇଗଲେ। ବଙ୍କିମ ଚନ୍ଦ୍ର ଆନନ୍ଦ ମଠ ପୁସ୍ତକ ରଚନା କଲେ। ରବୀନ୍ଦ୍ରନାଥ ଠାକୁର ‘ସ୍ୱ’ ଜାଗରଣ ପାଇଁ କଲିକତାର ମିନର୍ଭା ଥିଏଟର ହଲରେ ନିଜର ପ୍ରସିଦ୍ଧ ଭାଷଣ ‘ସ୍ୱଦେଶୀ ସମାଜ’ ତିଆରି କଲେ। ବଙ୍ଗ ବିଭାଜନକୁ ରୋକିବା ପାଇଁ ଗଙ୍ଗାନଦୀ କୂଳରେ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିଲେ। ଭାରତୀୟ ‘ସ୍ୱ’ ଜାଗରଣ ମାଧ୍ୟମରେ ବଙ୍ଗ ବିଭାଜନକୁ ବିଫଳ କରିଦେଲେ। ମହର୍ଷି ଅରବିନ୍ଦ ପଣ୍ଡିଚେରୀରେ ଆଧ୍ୟାତ୍ମିକ ସାଧନା ଆରମ୍ଭ କଲେ।

ଗାନ୍ଧୀଜୀ ‘ସ୍ୱ’ ଜାଗରଣ ରଥକୁ ଆଗକୁ ବଢ଼େଇବା ପାଇଁ ଅଂଟା ଭିଡ଼ିଲେ। ସୁନ୍ଦର ଭାରତ ବର୍ଷର ପରିକଳ୍ପନା ହିନ୍ଦ ସ୍ୱରାଜ ପୁସ୍ତକ ମାଧ୍ୟମରେ ସମାଜ ଆଗରେ ଉପସ୍ଥାପନା କଲେ। ରାମରାଜ୍ୟର ସ୍ୱପ୍ନ ଦେଖିବା ପାଇଁ ପରିବେଶ ନିର୍ମାଣ କଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କ କଣ୍ଠରେ ରାମଧୂନର ଝଙ୍କାର ତୋଳିଲେ। ଆନ୍ଦୋଳନ ପାଇଁ କୌଣସି ବଡ଼ ହୋଟେଲ କିମ୍ବା ବଡ଼ ସହରକୁ ନବାଛି ଗ୍ରାମ ଓ ଆଶ୍ରମକୁ ଚୟନ କଲେ। ସାବରମତୀ ଆଶ୍ରମ ଓ ୱାର୍ଦ୍ଧା ଆଶ୍ରମ ଭାରତୀୟ ସ୍ୱାଧୀନତା ସଂଗ୍ରାମର କେନ୍ଦ୍ର ହୋଇ ଛିଡ଼ାହେଲା। ସ୍ୱାଧୀନତା ସଂଗ୍ରାମର ପ୍ରଶିକ୍ଷଣ ବିଷୟ ହେଲା ଆଶ୍ରମ ଜୀବନ। ଅନେକ ଶିକ୍ଷିତ ଯୁବକ ଯୁବତୀ ଗାନ୍ଧୀଜୀଙ୍କ ମାର୍ଗଦର୍ଶନରେ ଆଶ୍ରମରେ ରହି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଲେ। ‘ସ୍ୱ’ ଆଧାରୀତ ଆନ୍ଦୋଳନ ରଚନା ସମାଜକୁ ପ୍ରଭାବିତ କଲା। ସମାଜ ଏକଜୁଟ ହେବା ଆରମ୍ଭ କଲା। ଇଂରେଜ ବିରୋଧୀ ଆନ୍ଦୋଳନଠାରୁ ସତ୍ୟାଗ୍ରହ ଓ ‘ସ୍ୱ’ ଜାଗରଣକୁ ଗାନ୍ଧୀଜୀ ଅଧିକ ପ୍ରାଧାନ୍ୟ ଦେଉଥିଲେ। ଅସହଯୋଗ ଆନ୍ଦୋଳନରେ ଇଂରେଜମାନଙ୍କୁ ବିରୋଧ କରିବାର ବାର୍ତ୍ତା ଯେତିକି ସୁଦୃଢ଼ ଥିଲା ତାଠାରୁ ଅଧିକ ସୁଦୃଢ଼ ଥିଲା ସାଧାରଣ ଜନତାକୁ ଜାଗ୍ରତ କରିବା। ଅସହଯୋଗ ଆନ୍ଦୋଳନ ଯେତେବେଳେ ତୀବ୍ର ଇଂରେଜ ବିରୋଧୀ ଓ ହିଂସାତ୍ମକ ରୂପ ନେଲା ଗାନ୍ଧିଜୀ ତାକୁ ପ୍ରତ୍ୟାହାର କରିନେଲେ। ଭାରତ ଛାଡ଼ ଆନ୍ଦୋଳନ ମଧ୍ୟ ସେହି ସମାନ କାରଣରୁ ବନ୍ଦ କରିଦିଆଗଲା।

ଏକ ବିଶାଳ କାଳଖଣ୍ଡରେ ଅନେକ ମହାପୁରୁଷଙ୍କ ଦ୍ୱାରା ହୋଇଥିବା ‘ସ୍ୱ’ ଜାଗରଣର ଫଳ ୧୯୪୭ ମସିହା ପୂର୍ବରୁ ଦେଖିବାକୁ ମିଳିଲା। ହଜାର ହଜାର ଭାରତୀୟ କଂଗ୍ରେସର ବିରୋଧ ସତ୍ତ୍ୱେ ଆଜାଦ ହିନ୍ଦ ଫୌଜରେ ଯୋଗଦାନ କଲେ। ଅନେକ କ୍ରାନ୍ତିକାରୀ ଇଂରେଜମାନଙ୍କ ବିରୋଧରେ ଛିଡ଼ା ହେଲେ। ମୁମ୍ବାଇର ନୌବାହିନୀ ଇଂରେଜମାନଙ୍କ ବିରୋଧରେ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲା। ସଂପୂର୍ଣ୍ଣ ଭାରତ ଭିତରେ ରାଷ୍ଟ୍ରଭାବ ଜାଗ୍ରତ ହୋଇ ଉଠିଲା। ୧୯୪୨ ପରେ କଂଗ୍ରେସ କୌଣସି ବଡ଼ ଆନ୍ଦୋଳନ କରିନଥିଲେ ବି ଇଂରେଜମାନେ ଭାରତକୁ ସ୍ୱାଧୀନତା ଦେବା ପାଇଁ ବିବଶ ହୋଇଗଲେ। ଆମେ ସ୍ୱଧୀନ ହେଲୁ ସତ ସ୍ୱତନ୍ତ୍ର ହୋଇପାରିଲୁ ନାହିଁ।

ସ୍ୱଧୀନତା ଅର୍ଥ ‘ସ୍ୱ’ ଅଧୀନ ଅର୍ଥାତ ନିଜ ଦେଶର ଲୋକଙ୍କ ହାତରେ ଶାସନ ଭାର। ଆମ ଦେଶର ଲୋକ ଆମ ଦେଶକୁ ଶାସନ କରିବେ। ଯାହା ୧୯୪୭ରେ ଆମକୁ ମିଳିଗଲା।‘ସ୍ୱ’ତନ୍ତ୍ର ଅର୍ଥ ଆମ ବୈଚାରିକ ଅଧିଷ୍ଠାନ ଅଧାରରେ ଶାସନ ବ୍ୟବସ୍ଥା। ସମସ୍ତ ତନ୍ତ୍ରର ଆଧାର ଭାରତୀୟତା, ଧର୍ମ, ଆଧ୍ୟାତ୍ମ ହେବ। ଯାହା ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇପାରି ନାହିଁ। ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଧରମ ପାଲ ତାଙ୍କର ଭାରତୀୟ ଚିତ, ମାନସ ଏବଂ କାଳ ପୁସ୍ତକରେ ଲେଖୁଛନ୍ତି (ପୃ-୧୮୮) ଭାରତର ଶାସନ ବ୍ୟବସ୍ଥା ବ୍ରିଟିଶ ଢାଂଚାରେ ଗଢ଼ା ଯାଇଛି। ଭାରତୀୟ ପଦ୍ଧତି ଅନୁରୂପ କୌଣସି ବିଷୟ ସାମ୍ବିଧାନିକ ବ୍ୟବସ୍ଥାରେ ସାମିଲ ହୋଇ ପାରିଲା ନାହିଁ। ଭାରତୀୟ ଆବଶ୍ୟକତା ସହ ସଂବିଧାନର ତାଳମେଳ ନାହିଁ।

ଆମର ସ୍ୱାଧୀନତା ଏକ ଲମ୍ବା କାଳଖଣ୍ଡରେ ହୋଇଥିବା ‘ସ୍ୱ’ ଜାଗରଣର ଫଳ ଅଟେ। ଆମର ରାଷ୍ଟ୍ରର ବିକାଶ ‘ସ୍ୱ’ ଜାଗରଣ ଉପରେ ନିର୍ଭର କରେ। ‘ସ୍ୱ’ ଅବବୋଧ ହିଁ ସ୍ୱତନ୍ତ୍ରତାର ଆଧାର ଥିଲା। ଭାରତର ଭବିଷ୍ୟତର ସୁରକ୍ଷା ମଧ୍ୟ ଏହି ‘ସ୍ୱ’ ଅବବୋଧ ଉପରେ ନିର୍ଭର କରେ। ସ୍ୱତନ୍ତ୍ରତାର ୭୫ ବର୍ଷ ଆମ ସମସ୍ତଙ୍କ ପାଇଁ ‘ସ୍ୱ’ ଚିନ୍ତା,‘ସ୍ୱ’ସାଧନା ଓ ‘ସ୍ୱ’ ସଂରକ୍ଷଣ ପାଇଁ ବିଶେଷ ମୁହୂର୍ତ୍ତ ହୋଇ ରହୁ। ଏପରି ହେଲେ ଭାରତ ବର୍ଷ ବିଶ୍ୱର ମାର୍ଗଦର୍ଶକ ହୋଇ ପାରିବ ଏବଂ ସ୍ୱତନ୍ତ୍ରତା ନିରାପଦ ରହିବ।

ମଠସାହି, ଭଦ୍ରକ

ଫୋ-୯୪୩୭୦୧୭୮୫୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।