Advertisment

ରକ୍ତରଞ୍ଜିତ ଅଧ୍ୟାୟ: ପାପଡ଼ାହାଣ୍ଡି

[…]

ରକ୍ତରଞ୍ଜିତ ଅଧ୍ୟାୟ: ପାପଡ଼ାହାଣ୍ଡି

Jyoti-Sir-papadahandi

Advertisment

                                                                                                                                                                                                   ଡ. ଜ୍ୟୋତି ପ୍ରକାଶ ମହାପାତ୍ର

ଆରମ୍ଭ:

ଜାଲିଆନାୱାଲାବାଗ ଗଣହତ୍ୟା ଭାରତୀୟ ସ୍ୱାଧିନତା ସଂଗ୍ରାମ ଇତିହାସରେ ସବୁଠାରୁ ରକ୍ତରଂଜିତ ଅଧ୍ୟାୟ । ନିରୀହ ମଣିଷମାନଙ୍କ ଉପରକୁ ଗୁଳି ଚଳାଇ, ସେମାନଙ୍କୁ ହତ୍ୟା କରି ବ୍ରିଟିଶ ସରକାର ନିଜ ଶାସନ କାଳର ସବୁଠାରୁ ବଡ଼ ପାପ କରିଥିଲା । ସେହିଦିନରୁ ହିଁ ଭାରତୀୟ ଜାତୀୟତା ସଂଗ୍ରାମ ନୂଆ ମୋଡ଼ ନେଇଥିଲା କହିଲେ ଆଦୌ ଅତ୍ୟୁକ୍ତି ହେବ ନାହିଁ । ଜାଲିଆନାୱାଲାବାଗ ହିଁ ଭାରତୀୟଙ୍କ ମନରେ, ଛାତି ଭିତରେ ‘କର ବା ମର’ ପଣ ଭରି ଦେଇଥିଲା । ଗାନ୍ଧୀଜୀ ଯଦିଓ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏ ନେଇ ଡାକରା ଦେଇଥିଲେ, କିନ୍ତୁ ତାର ମୂଳଦୁଆ ଯଥେଷ୍ଟ ପୂର୍ବରୁ ପଂଜାବରେ ୧୯୧୯ ମସିହା ଅପ୍ରେଲ ମାସ ୧୩ ତାରିଖରେ ପଡ଼ି ସାରିଥିଲା । ନବରଙ୍ଗପୁର

Advertisment

ତେବେ ଓଡ଼ିଶାରେ ବ୍ରିଟିଶ ଦମନଲୀଳାର ଏପରି ଦୁଇଟି ମର୍ମାନ୍ତକ ଉଦାହରଣ ରହିଛି । ଯେଉଁଠି ସାଧାରଣ ନିରସ୍ତ୍ର ଲୋକଙ୍କ ଉପରକୁ ବ୍ରିଟିଶ ପୁଲିସ ଗୁଳି ମାରି ଅନେକ ଲୋକଙ୍କୁ ହତ୍ୟା କରିଥିଲା । ସେଥିରୁ ଗୋଟିଏ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ହୋଇଥିବା ବେଳେ ଅନ୍ୟଟି ଭଦ୍ରକ ଜିଲ୍ଲାର ଇରମ । ଉଭୟ ସ୍ଥାନରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଭାରତୀୟମାନେ କେବେ ବି ବ୍ରିଟିଶ ଫଉଜ ଉପରକୁ ହାତ ଉଠାଇ ନ ଥିଲେ । ବରଂ ପୁଲିସ ଗୁଳି ଖାଇ ଦେଶମାତୃକାର ସ୍ୱାଧୀନତା ପାଇଁ ଲଢେଇରେ ସହିଦ ହୋଇ ଯାଇଥିଲେ ।

ପାପଡ଼ାହାଣ୍ଡି ଗୁଳିକାଣ୍ଡ:

ନବରଙ୍ଗପୁର ଓଡ଼ିଶାର ଏକ ଉପାନ୍ତ ଜିଲ୍ଲା । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ କିନ୍ତୁ ଗାନ୍ଧୀଙ୍କ ଡାକରାର ପ୍ରଭାବ ଥିଲା ସୁଦୂରପ୍ରସାରୀ । ବଣ ମୂଲକର ମଣିଷମାନେ ଯେଉଁମାନେ କେବେ ବି ଗାନ୍ଧୀଙ୍କୁ ତାଙ୍କ ଜୀବଦ୍ଦଶାରେ ଦେଖି ନଥିଲେ, ସେମାନେ ବାପୁଙ୍କ ସ୍ୱାଧୀନତା ଲଢେଇରେ ଡେଇଁ ପଡ଼ି ପ୍ରାଣବଳି ଦେଇଥିଲେ । ମୃତ୍ୟୁକୁ ଡରି ନଥିଲେ ।

Advertisment

୧୯୪୨ ମସିହା ଅଗଷ୍ଟ ମାସ ୨୪ ତାରିଖରେ ସାରା ଓଡ଼ିଶା ଇତିହାସରେ ଏକ ରକ୍ତାକ୍ତ ପୃଷ୍ଠା । ସେଦିନ ପାପଡ଼ାହାଣ୍ଡି ଗୁଳିକାଣ୍ଡରେ ୧୯ ଜଣ ସହିଦ ହୋଇଥିଲେ । ଏହା ସରକାରୀ ହିସାବ । ବେସରକାରୀ ହିସାବ କିନ୍ତୁ କାହିଁ କେତେ ଗୁଣରେ ଅଧିକ । ୧୧ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଗୁରୁତର ଅବସ୍ଥାରେ ହାସପାତାଳରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଥିଲେ।

ବମ୍ବେ ଅଧିବେଶନରେ ମହାତ୍ମା ଗାନ୍ଧୀ ଭାରତ ଛାଡ଼ ଆନ୍ଦୋଳନ ସଂପର୍କରେ ଯାହା ଭବିଷ୍ୟବାଣୀ କରିଥିଲେ, ତାହା ନବରଂପୁରରେ ଉଭୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ କ୍ଷେତ୍ରରେ ଅକ୍ଷରେ ଅକ୍ଷରେ ସତ ହୋଇଥିଲା । ମହାତ୍ମା ଗାନ୍ଧୀ ଆଶଙ୍କା କରିଥିଲେ ଅଗଷ୍ଟ ବିପ୍ଳବରେ ଯେହେତୁ ଇଂରେଜମାନଙ୍କୁ ଦେଶରୁ ହଟିଯିବା ପାଇଁ ଆହ୍ୱାନ ଦିଆଯିବ, ପ୍ରତିକ୍ରିୟାଶୀଳ ହୋଇ ସେମାନେ ନେତାମାନଙ୍କୁ ଗିରଫ କରି ପାରନ୍ତି । ତେଣୁ ସେମାନଙ୍କ ଅନୁପସ୍ଥିତିରେ ହତୋତ୍ସାହିତ ନହୋଇ କର୍ମୀମାନେ ନିଜକୁ ନେତା ଭାବି ସଂଗ୍ରାମ ଜାରି ରଖିବେ । ସରକାର ବୋଲି କିଛି ନାହିଁ । ତାକୁ ମାନିବେ ନାହିଁ । ଗାନ୍ଧୀଙ୍କ ବକ୍ତବ୍ୟକୁ ଆହୁରି ଶାଣିତ କରି ତାଙ୍କ ସଚିବ ମହାଦେବ ଦେଶାଇ କହିଥିଲେ- ପୋଲ ଭାଙ୍ଗିବ । ଟେଲିଫୋନ ଖୁଣ୍ଟି ଉପାଡ଼ିବ । କର ଦେବ ନାହିଁ । ସରକାରଙ୍କୁ କୌଣସି କାମ କରେଇ ଦେବ ନାହିଁ । ଆଇନ ଅମାନ୍ୟ କରିବ। ସରକାରଙ୍କୁ ହଇରାଣ କଲେ, ସେମାନେ ଆପେ ଆମ ଦେଶ ଛାଡ଼ି ପଳେଇବେ । ଦେଶିଆ ମଣିଷଙ୍କ ପାଇଁ ଏହାଠାରୁ ଭଲ ଆଉ ପ୍ରତିବାଦର ପନ୍ଥା ନଥିଲା।

ଅଗଷ୍ଟ ବିପ୍ଳବ ଆରମ୍ଭ ହେଉ ହେଉ ସଦାଶିବ ତ୍ରିପାଠୀ, ଲକ୍ଷ୍ମୀଚନ୍ଦ୍ର ଦାସ ଆଦି ନେତୃବୃନ୍ଦଙ୍କୁ ପୁଲିସ ବାନ୍ଧି ନେଲା । ତେଣିକି ବାନର ସେନାଙ୍କ ହାତରେ ରହିଲା ଗଡ଼ରକ୍ଷା ଦାୟିତ୍ୱ । ସେମାନେ ଆହୁରି ତେଜରେ ଗାନ୍ଧୀଙ୍କ ଆହ୍ୱାନରେ ଉତ୍ସାହିତ ହୋଇ ପଡ଼ିଲେ । ନେତାଙ୍କ ଅଭାବରେ ସମସ୍ତେ ନିଜକୁ ନେତା ବୋଲି ଭାବିଲେ । ଯାହାଙ୍କ ନେତୃତ୍ୱ ଓ କାର୍ଯ୍ୟକଳାପରେ ଭୟଭୀତ ହୋଇ ଇଂରେଜ ସରକାର ଏପରି ଅମାନୁଷିକ ପଦକ୍ଷେପ ନେଲା ସେ ହେଉଛନ୍ତି ବାଘ ସିଉନୀ ଗାଁର ମାଧବ ପ୍ରଧାନୀ ଓ ତାଙ୍କ ସହଯୋଗୀ ତାରା ଗାଁର ଚୈତନ୍ୟ ସାଠିଆ ।

ନବରଙ୍ଗପୁରରୁ ପାପଡ଼ାହାଣ୍ଡି ଯିବା ରାସ୍ତାରେ ପଡ଼େ ଗୁମ୍ମାଗୁଡ଼ା ଗାଁ । ୧୯୪୨ ମସିହା ଅଗଷ୍ଟ ମାସ ୧୭ ତାରିଖରେ ସେଠାରେ ଏକ ଜନ ସମାବେଶ ଆୟୋଜିତ ହୋଇଥିଲା । ସେଥିରେ ଲକ୍ଷ୍ମୀଚନ୍ଦ୍ର ଦାସ ନେତୃତ୍ୱ ନେଇଥିଲେ । କିନ୍ତୁ ପରେ ତାଙ୍କୁ ପୁଲିସ ଗିରଫ କରିନେଲା । ଅଗଷ୍ଟ ୨୦ ତାରିଖ ବେଳକୁ ନବରଙ୍ଗପୁରର ସବୁ ବଡ଼ ନେତାମାନେ ଗିରଫ ହୋଇ ସାରିଥିଲେ । ସେଇ ଗୁମ୍ମାଗୁଡ଼ାଠାରେ ଆଉ ଏକ ସଭାରେ ନିଷ୍ପତ୍ତି ନିଆଗଲା ଯେ, କର୍ମୀମାନେ ଡାବୁଗାଁ ଅଭିମୁଖେ ଯାଇ ସେଠାକାର କଂଗ୍ରେସ ଅଫିସ ଆଗରେ ରୁଣ୍ଡ ହେବେ ଓ ସେଇଠି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ । ମାଧବ ପ୍ରଧାନୀ ନେତୃତ୍ୱ ନେଉଥିଲେ ସେ ସମୟରେ । ଅଗଷ୍ଟ ୨୪ ତାରିଖ ସକାଳେ କଂଗ୍ରେସ କର୍ମୀମାନେ କାନ୍ଧରେ ଟାଙ୍ଗିଆ ପକେଇ ହାତରେ ଲାଠି ସହ ରାମ ଧୂନ ଗାଇ ପାପଡ଼ାହାଣ୍ଡି ଅଭିମୁଖେ ବାହାରିଲେ। ଡାବୁଗାଁକୁ ଯିବା ପାଇଁ ପାପଡ଼ାହାଣ୍ଡି ନିକଟରେ ଟୁରୀ ନଦୀ ଉପରେ ଏକ କାଠପୋଲକୁ ଅତିକ୍ରମ କରିବାକୁ ପଡ଼େ । ନବରଙ୍ଗପୁରର ବିଭିନ୍ନ ଛୋଟବଡ଼ ଜନବସତି ଦଳେଇଗୁଡ଼ା, ନନ୍ଦାହାଣ୍ଡି, ପାତ୍ରପୁଟ, ବୁରୁଞ୍ଜି, ମର୍ଲାବାଇ, କଂଗ୍ରା ଫୁଫୁଗାଁ, ଉସୁରିପଦର ତଣ୍ଡା, ନୂଆଗାଁ ଆଦି ଇଲାକାରୁ ହଜାର ହଜାର ଲୋକ ପାପଡ଼ାହାଣ୍ଡିରେ ପହଞ୍ଚିଲେ । ଏ ଖବର ପାପଡ଼ାହାଣ୍ଡି ଫାଣ୍ଡି ପାଖରେ ପହଞ୍ଚି ସାରିଥିଲା । ସେଠାରେ ଅଳ୍ପ ପୁଲିସ ଥିବାରୁ ନବରଙ୍ଗପୁରକୁ ସାହାଯ୍ୟ ମଗାଗଲା । ନବରଙ୍ଗପୁର ଥାନା ସର୍କଲ ଇନିସପେକ୍ଟର ରାମକୃଷ୍ଣ ରାଓ ଜୟପୁର ଓ ନବରଙ୍ଗପୁରର ରିଜର୍ଭ ପୁଲିସ, ଫରେଷ୍ଟ ଗାର୍ଡ଼, ଗୁଳିଗୋଳା ଧରି ଆସି ପହଞ୍ଚି ଗଲେ।

ସେମାନେ ଟୁରୀ ନଈ ଉପରେ ରାସ୍ତା ଅବରୋଧ କଲେ। ପୁଲିସ ଫଉଜ ତୋପ ରଖି ଲୋକଙ୍କ ରାସ୍ତା ଅଟକେଇଲା । ଶୋଭାଯାତ୍ରା ପଛରୁ ମାଡ଼ି ଆସିଥିଲା ନବରଙ୍ଗପୁର ଓ ଜୟପୁରର ରିଜର୍ଭ ପୁଲିସ ଫୋର୍ସ । ପୁଲିସ ଡିଏସପି କୈବଲ୍ୟ ଗୌଡ଼ ପୋଲ ସମ୍ଭାଳୁ ଥିଲେ। ହଜାର ହଜାର ଜନତାଙ୍କୁ ଅଟକେଇବା ଅସମ୍ଭାଳ ହୋଇପଡ଼ିଲା। ପୋଲ ଉପରେ ବହୁ ସମୟ ଧରି ଚାଲିଲା ହଟ୍ଟଗୋଳ। ହଟ୍ଟଗୋଳରୁ ଧସ୍ତାଧସ୍ତି । ଇଆଡ଼େ ପୁଲିସ କର୍ମଚାରୀଙ୍କ ଗାଳି, ସିଆଡ଼େ ରାମଧୂନ। ଗାନ୍ଧୀଙ୍କର ଜୟଜୟକାର । ମାରିବୁ ପଛେ ମରିବୁ ନାହିଁ- ଉଚ୍ଚାରଣ । ପାହାଡ଼ି ଝରଣା ପରି ଆଗକୁ ମାଡ଼ି ଚାଲିଲା ଜନତାଙ୍କ ଫଉଜ । ତେଣୁ ଆରମ୍ଭ ହୋଇଗଲା ଲାଠିଚାର୍ଜ ସାଙ୍ଗକୁ ଫାଙ୍କା ଗୁଳି ଚାଳନା। ଧସ୍ତାଧସ୍ତି ଭିତରେ ଜଣେ ସଂଗ୍ରାମୀଙ୍କ ଟାଙ୍ଗିଆ ଧାରରେ ଜଣେ ସିପାହୀ ଏ. ମୁତ୍ୟାଲୁଙ୍କ କାନରୁ ଫାଳେ ଉଡ଼ିଗଲା । ସାଙ୍ଗେ ସାଙ୍ଗେ ଫାୟାରିଂ ଅର୍ଡ଼ର ଦେଲେ ଡିଏସଆଇ କୈବଲ୍ୟ ଗୌଡ଼।

ପୁଲିସର ଗୁଳିରେ ୧୧ ଜଣ ସଂଗ୍ରାମୀ ସେଇ ପୋଲ ଉପରେ ଟଳି ପଡ଼ିଲେ । ଅନେକ ଭୟରେ ଡେଇଁ ପଡ଼ିଲେ ବନ୍ୟାରେ ଫୁଲି ଉଠିଥିବା ଟୁରୀ ନଦୀର ଗର୍ଭକୁ । କେତେ କୁଆଡ଼େ ଭାସିଗଲେ ତାର ପତ୍ତା ମିଳିଲା ନାହିଁ । ୮ ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଲେ । ୧୦୦ ଜଣ କ୍ଷତାକ୍ତ ହୋଇ ସୁସ୍ଥ ହେଲେ । ଅନେକ ବିକଳାଙ୍ଗ ହେଲେ । ୧୪୦ ଜଣଙ୍କୁ ପୁଲିସ ଗିରଫ କରିନେଲା ।

ତେବେ ମୃତ୍ୟୁସଂଖ୍ୟା ସରକାରୀ ଭାବେ ୧୯ ରହିଥିବା ବେଳେ ଟୁରୀ ନଦୀରେ ଭାସି ଯାଇଥିବା ମଣିଷମାନଙ୍କ ହିସାବ କେହି ରଖିଲେ ନାହିଁ । କି ଆଜିଯାକେ ମିଳିଲା ବି ନାହିଁ । ସେଦିନ ସଂଗ୍ରାମୀମାନଙ୍କ କରୁଣ କାହାଣୀ ଓ ପୁଲିସର ର୍ବବରତା ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହି ଯାଇଛି । ପାପଡ଼ାହାଣ୍ଡିର ରକ୍ତରଞ୍ଜିତ ମାଟି ଦେଶପେୟମୀଙ୍କ ପାଇଁ ଚନ୍ଦନ ତିଳକ ପାଲଟି ଯାଇଛି ।

ଶେଷକଥା

ତେବେ ଓଡ଼ିଶାର ଭୂଗୋଳ ଦୃଷ୍ଟିରୁ ନବରଙ୍ଗପୁର ରାଜଧାନୀ ଭୁବନେଶ୍ୱର କି ସ୍ୱାଧୀନତା ଆନ୍ଦୋଳନ ପେଣ୍ଠସ୍ଥଳ କଟକଠାରୁ ବହୁଦୂରରେ । ପୁଣି ପାପଡ଼ାହାଣ୍ଡି ଆହୁରି ଆଭ୍ୟନ୍ତରୀଣ ଅଞ୍ଚଳ । ତେଣୁ ଲୋକଙ୍କ ବଳିଦାନର କାହାଣୀ ଏତେଟା ଓଡ଼ିଶା ଇତିହାସରେ ପ୍ରତିଫଳିତ ହୋଇନାହିଁ । ଇରମ ଯେଭଳି ଭାବେ ଓଡ଼ିଶାରେ ଜଣାଶୁଣା ନାଁ ପାଲଟିଛି, ପାପଡ଼ାହାଣ୍ଡି କିନ୍ତୁ ସେସବୁଠାରୁ ଦୂରରେ ରହିଯାଇଛି। ଯଦିଓ ଇତିହାସରେ ଏସବୁ ଲିପିବଦ୍ଧ, କିନ୍ତୁ ଲୋକମୁଖରେ କି ଶ୍ରାଦ୍ଧ ଓ ଶ୍ରଦ୍ଧାଞ୍ଜଳିରେ ଓଡ଼ିଶା ହୁଏତ ସେଠାରୁ କିଛିଟା ଦୂରେଇ ଯାଇଛି । ଏମିତିକି ସମୁଦାୟ ଆମ ଦେଶ ବି। ଏହା ପଛରେ କାରଣ ବି ରହିଛି । ଏକରେ- ଆନ୍ଦୋଳନ ସମୟରେ କେହି ପ୍ରତିଷ୍ଠିତ ନେତା ନଥିଲେ। ଦୁଇରେ ଦେଶିଆ, ଆଦିବାସୀ ମଣିଷମାନଙ୍କର ଏହା ଥିଲା ଆନ୍ଦୋଳନ । ଯେଉଁମାନେ ଗାନ୍ଧୀଜୀଙ୍କ କଥାରେ ରାମଧୂନ ଗାଇ ଭାରତ ଛାଡ଼ ଆନ୍ଦୋଳନରେ ମାତି ଯାଇଥିଲେ। ସତ କଥାଟି ହେଉଛି- ଆଦିବାସୀଙ୍କ ବଳିଦାନର କାହାଣୀ ପ୍ରତି ଆମ ଇତିହାସ ବିଶେଷ ଗୁରୁତ୍ୱ ଦେଇନି। ଏ ଧାରା ଅନେକ ଅଞ୍ଚଳରେ ଦେଖିବାକୁ ମିଳିଛି। ତେଣୁ ପାପଡ଼ାହାଣ୍ଡି ସ୍ୱୃତି ପଛରେ ଚାପି ହୋଇ ରହି ଯାଇଛି।

ସହକାରୀ ପ୍ରଫେସର,
ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ
ମୋ-୯୪୩୭୦୮୦୦୪୮

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe