Advertisment

ଭାରତର କୌଣସି ସଙ୍ଗୀତ ଶାସ୍ତ୍ରୀୟ ନୁହେଁ!

ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଥିଲେ ଯେ, କୌଣସି ବି ସଙ୍ଗୀତ ଶୈଳୀକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରି ନାହାନ୍ତି ଏବଂ ସେପରି ବ୍ୟବସ୍ଥା ମଧ୍ୟ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆଜିଯାଏଁ କୌଣସି ଗୋଟିଏ ବି ସଂଗୀତ ଶୈଳୀକୁ ନା କେନ୍ଦ୍ର ସରକାର ନା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଂଗୀତ ଭାବେ ସ୍ୱୀକୃତି ମିଳିଛି। ଅତଏବ, କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଏବଂ ଓଡ଼ିଶୀ ସଂଗୀତ - କାହାକୁ ବି ଶାସ୍ତ୍ରୀୟ ସଙ୍ଗୀତ ଭାବେ ସ୍ୱୀକୃତି ମିଳିନାହିଁ! ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି?

Indian Music

Indian Music

Advertisment

ଜାନକୀଶ ବଡପଣ୍ଡା

୨୦୦୪ ମସିହା ଅକ୍ଟୋବର ୨୪ ତାରିଖରେ ମନମୋହନ ସିଂହ ସରକାର ତାମିଲ୍ ଭାଷାକୁ ଦେଶର ପ୍ରଥମ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କଲା ବେଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର କୌଣସି ଭାଷାତତ୍ତ୍ୱ ବିଶେଷଜ୍ଞ କମିଟି ନଥିଲା। ନଭେମ୍ବର ମାସରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ‘ଭାଷାତତ୍ତ୍ୱ ବିଶେଷଜ୍ଞ କମିଟି’ ଗଠନ କରାଯିବାର ବର୍ଷକ ପରେ ଅର୍ଥାତ୍ ୨୦୦୫ ନଭେମ୍ବର ୨୫ ତାରିଖରେ ସଂସ୍କୃତ, ୨୦୦୮ରେ ତେଲୁଗୁ ଓ କନ୍ନଡ଼, ୨୦୧୩ରେ ମାଲାୟାଲାମ୍ ଓ ୨୦୧୪ରେ ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ପ୍ରାୟ ଏକ ଦଶକ ପରେ ୨୦୨୪ ମସିହା ଜୁଲାଇ ମାସ ୨୫ ତାରିଖରେ ଭାଷାତତ୍ତ୍ୱ ବିଶେଷଜ୍ଞ କମିଟି ନିଜର ନିୟମକୁ ପରିବର୍ତ୍ତନ କରି ଅକ୍ଟୋବର ୩ ତାରିଖରେ ଏକା ସାଙ୍ଗରେ ପାଞ୍ଚଟି ଭାଷା ପାଲି, ପ୍ରାକୃତ, ମରାଠୀ, ବଙ୍ଗଳା ଓ ଅହମିୟା ଭାଷାକୁ ଶାସ୍ତ୍ରୀୟଭାଷାର ମାନ୍ୟତା ପ୍ରଦାନ କରିଛନ୍ତି।

Advertisment

ପୂର୍ବରୁ ଥିବା ‘ମୌଳିକ ସାହିତ୍ୟିକ ପରମ୍ପରା’ ସର୍ତ୍ତଟିକୁ କମିଟି ପକ୍ଷରୁ ହଟାଇ ଦିଆଯାଇ ନଥିଲେ, ପ୍ରାକୃତ ଓ ପାଲିଭାଷାକୁ ଶାସ୍ତ୍ରୀୟ ମର୍ଯ୍ୟଦା ମିଳି ନଥାନ୍ତା ଏବଂ ପ୍ରାକୃତ ଭାଷାରୁ ଉତ୍ପନ୍ନ ମରାଠୀ, ବଂଗଲା ଓ ଅହମୀୟା ଭାଷାକୁ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ମିଳିପାରି ନଥାନ୍ତା। ଭାଷାତତ୍ତ୍ୱ ବିଶେଷଜ୍ଞ କମିଟି ନିଜର ନିୟମକୁ ପରିବର୍ତ୍ତନ କରିବା ପଛରେ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସରକାରୀ ଦଳ ସପକ୍ଷରେ ମରାଠୀ ଅସ୍ମିତାକୁ ବ୍ୟବହାର କରାଯିବାର ଅଭିପ୍ରାୟ ଥିବାର ଅଭିଯୋଗ କରୁଛନ୍ତି ସମାଲୋଚକମାନେ। ଗଣତନ୍ତ୍ରରେ ସମାଲୋଚନା ହେବା ସ୍ୱାଭାବିକ। ନାଗରିକତା ସଂଶୋଧନ ଆଇନ ଆସିଲା ବେଳେ ସରକାର ଯେମିତି କହୁଥିଲେ ଯେ, ଆମେ କାହାର ନାଗରିକତା ନେଇ ଯାଉନାହୁଁ, ବରଂ ନାଗରିକତା ପ୍ରଦାନ କରୁଛୁ; ସେଭଳି କିଛି ଭାଷାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ଦେଉଥିଲା ବେଳେ ସମାଲୋଚନା କରାଯିବା ଅନୁଚିତ।

ଅସହିଷ୍ଣୁତା କାରଣରୁ ଅଦାଲତରେ ପୂର୍ବରୁ ମଧ୍ୟ ଅଭିଯୋଗ କରାଯାଇଥିଲା। ତାମିଲ ଭିନ୍ନ ଅନ୍ୟ କୌଣସି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଗଲେ ତାମିଲ୍ ଭାଷାର ମର୍ଯ୍ୟଦାହାନୀ ହେବ; ଅତଏବ୍ ସଂସ୍କୃତ, ତେଲୁଗୁ, କନ୍ନଡ଼, ମାଲାୟଲମ୍ ଏବଂ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାର ପ୍ରଦାନ କରିଥିବା ଶାସ୍ତ୍ରୀୟ ମାନ୍ୟତା ବେଆଇନ ଘୋଷଣା କରନ୍ତୁ ବୋଲି ପ୍ରାର୍ଥନା କରି ମାଡ୍ରାସ୍ ଉଚ୍ଚନ୍ୟାୟାଳୟରେ ଆର୍ ଗାନ୍ଧୀ ନାମକ ଜଣେ ବ୍ୟକ୍ତି ଏକାଧିକ ଆବେଦନ କରିଥିଲେ। ଓଡ଼ିଆ ଭାଷା ବିରୁଦ୍ଧରେ ଆବେଦନ କ୍ରମିକ ସଂଖ୍ୟା ଥିଲା ୫୮୧୪/୨୦୧୫। ମୁଖ୍ୟ ବିଚାରପତିଙ୍କ ବେଞ୍ଚ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ପ୍ରଣିଧାନ ଯୋଗ୍ୟ। ସେମାନେ କହିଥିଲେ ଯେ, ଭାଷାତତ୍ତ୍ୱ ବିଶେଷଜ୍ଞମାନେ ଦେଇଥିବା ମତ ଆଧାରରେ ସରକାର ନେଇଥିବା ନିଷ୍ପତ୍ତି ଉପରେ ବିତର୍କ ଅନାବଶ୍ୟକ। ଅଭିଯୋଗକାରୀ ଚାହିଁଲେ, କର୍ତ୍ତୃପକ୍ଷଙ୍କ ନିକଟରେ ତଥ୍ୟ ଓ ନଥି ସହିତ ଅଭିଯୋଗ କରି ପାରିବେ। ଅଲିଭର୍ ବେନ୍ଡେଲ୍ ହୋମ୍ସଙ୍କ କହିଥିବା ବାକ୍ୟ ଉଦ୍ଧାର କରି ଅଦାଲତ କହିଥିଲେ ଯେ, ‘ପ୍ରତ୍ୟେକ ଭାଷା ଗୋଟିଏ ଗୋଟିଏ ମନ୍ଦିର; ଯେଉଁଥିରେ ସେହି ଭାଷା କହୁଥିବା ଲୋକଙ୍କ ଆତ୍ମା ଅଧିଷ୍ଠିତ।’ ଏହି ଆପ୍ତବାକ୍ୟଟି ଶାସ୍ତ୍ରୀୟ ମାନ୍ୟତାକୁ ରାଜନୀତି ସହିତ ଯୋଡୁଥିବା ସମାଲୋଚକମାନଙ୍କ ପାଇଁ ଯଥେଷ୍ଟ।

Advertisment

ଏବେ, ଭାଷା ପରେ ନୃତ୍ୟ ଓ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପ୍ରସଙ୍ଗକୁ ଆସିବା। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ପ୍ରତିଷ୍ଠା ପାଇଛି ସଙ୍ଗୀତ ନାଟକ ଏକାଡ଼େମୀ, ସାହିତ୍ୟ ଏକାଡ଼େମୀ, ଲଳିତକଳା ଏକାଡ଼େମୀ ପରି ଜାତୀୟ ଅନୁଷ୍ଠାନ। ରାଜ୍ୟମାନଙ୍କରେ ମଧ୍ୟ ଅନୁରୂପ ଅନୁଷ୍ଠାନ ରହିଛି। ୧୯୪୦ ମସିହାରେ ଯେତେବେଳେ ଗୁରୁ ମାୟାଧର ରାଉତ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରୁଥିଲେ ସେତେବେଳେ ଏହାକୁ ମାହାରି, ଗୋଟିପୁଅ ତଥା ଦକ୍ଷିଣୀ ନୃତ୍ୟ କୁହାଯାଉଥିଲା। ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟତା ପାଇବା ଦିଗରେ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ୧୯୪୩ ମସିହାରେ ନୃତ୍ୟାଙ୍ଗନା ସରସ୍ୱତୀ ଓ ଶୈଳବାଳାଙ୍କୁ ଗୁରୁ ସିଂହାରୀ ଶ୍ୟାମ ସୁନ୍ଦର କର ଏବଂ ଗୁରୁ ଦୁର୍ଲଭ ଚନ୍ଦ୍ର ସିଂହଙ୍କ ଦ୍ୱାରା ପ୍ରଶିକ୍ଷିତ କରି ‘ଜୟଦେବ’ ନାଟକରେ ମାହାରି ନୃତ୍ୟ ପ୍ରଦର୍ଶିତ କରିଥିଲେ। ୧୯୪୪ ମସିହାରେ କବିଚନ୍ଦ୍ର ଗୋଟିପୁଅ ନୃତ୍ୟକୁ ମଧ୍ୟ ପେସାଦାର ରଙ୍ଗମଞ୍ଚରେ ପରିବେଷଣ କରିଥିଲେ। ୧୯୪୪ରୁ ୧୯୫୪ ଓଡ଼ିଶୀ ପାଇଁ ଥିଲା ଏକ ଘଡ଼ିସନ୍ଧି ତଥା କଷ୍ଟକର ସମୟ। ଗୁରୁ କେଳୁଚରଣ, ପଙ୍କଜ ଚରଣ, ମାୟାଧର ରାଉତ, ଗୁରୁ ଦେବ ପ୍ରସାଦ ଦାସଙ୍କର ସଂଘର୍ଷ ଓଡ଼ିଶୀ ନୃତ୍ୟକୁ ଦେଇପାରିଥିଲା ଏକ ମାର୍ଜିତ ରୂପରେଖ। ୧୯୫୪ ମସିହାରେ ଦିଲ୍ଲୀଠାରେ ଆୟୋଜିତ ଯୁବ ଉତ୍ସବରେ ଅଂଶଗ୍ରହଣ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ଧୀରେନ୍ଦ୍ର ନାଥ ପଟ୍ଟନାୟକ ଓ ଛାତ୍ରୀ ପ୍ରିୟମ୍ବଦା ମହାନ୍ତି। ସେମାନଙ୍କ ଏକକ ନୃତ୍ୟ ପରିବେଷଣ ସମବେତ ଦର୍ଶକଙ୍କୁ କରିଥିଲା ମୁଗ୍ଧ ଓ ବିଭୋର। ଜାତୀୟ ସ୍ତରର ସମ୍ବାଦପତ୍ର ‘ଦି ଷ୍ଟେଟ୍ସମ୍ୟାନରେ’ ପରିବେଷିତ ସେହି ନୃତ୍ୟ ସମ୍ପର୍କୀୟ ସମ୍ବାଦ ଆଣିଥିଲା ଆଲୋଡ଼ନ।

୧୯୬୪ ମସିହାରେ ହାଇଦ୍ରାବାଦ ଠାରେ ଆନ୍ଧ୍ର ପ୍ରଦେଶ ସଙ୍ଗୀତ ନାଟକ ଏକାଡ଼େମୀ ଆନୁକୂଲ୍ୟରେ ମାର୍ଚ୍ଚ ୧୪ଠାରୁ ୧୭ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା ସର୍ବଭାରତୀୟ ନୃତ୍ୟ ମହୋତ୍ସବ। ଧୀରେନ୍ଦ୍ର ନାଥ ପଟ୍ଟନାୟକ, ମାୟାଧର ରାଉତ, ସଂଯୁକ୍ତା ପାଣିଗ୍ରାହୀ, ଗୁରୁ କେଳୁଚରଣ ମହାପାତ୍ର ତଥା ଓଡ଼ିଶୀ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀ ସେହି ମହୋତ୍ସବରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ନୃତ୍ୟ ବିଷାରଦମାନଙ୍କ ପ୍ରଶ୍ନବାଣରେ ଜର୍ଜରିତ ହୋଇଥିଲେ ସତ; ମାତ୍ର ସମସ୍ତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇଥିଲେ। ନୃତ୍ୟର ମୌଳିକତା ତଥା ଗାରିମା ପ୍ରଦର୍ଶନ କରିବାରେ ସଫଳତା ହିଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀକୁ ବସ୍ତୁତଃ ବାଧ୍ୟ କରିଥିଲା ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ। ଏବେ ଭାରତ ନାଟ୍ୟମ୍, ଓଡ଼ିଶୀ ସମେତ ଆଠଟି ନୃତ୍ୟ ଶୈଳୀକୁ ଶାସ୍ତ୍ରୀୟ ମାନ୍ୟତା ମିଳି ସାରିଛି ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ସ୍ୱୀକୃତି ଦେଇ ନଥିଲେ ବି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନବମ ନୃତ୍ୟ ଶୈଳୀ ଭାବେ ‘ଛଉ’କୁ ଗ୍ରହଣ କରି ସରିଛି।

ପୂର୍ବରୁ, କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଗଠିତ କେନ୍ଦ୍ର ଭାଷାତତ୍ତ୍ୱ ବିଶେଷଜ୍ଞ କମିଟି ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷାମାନଙ୍କୁ ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ନୃତ୍ୟ ଶୈଳୀଗୁଡିକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିବାର ଆଲୋଚନା କରିସାରିଛେ। ଏବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ କାହିଁକି ଯେ, କୌଣସି ବି ସଂଗୀତ ଶୈଳୀକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରି ନାହାନ୍ତି ଏବଂ ଏ ଦିଗରେ କେନ୍ଦ୍ର ସରକାର ନୀରବ ରହି ଆସିଛନ୍ତି, ତାହା ଶହେ କୋଟି ଟଙ୍କାର ପ୍ରଶ୍ନ। ରାଜ୍ୟସଭାରେ ଓଡ଼ିଆ ସାଂସଦଗଣ ବିଭିନ୍ନ ସମୟରେ ଓଡ଼ିଶୀ ସଂଗୀତକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଆସିଛନ୍ତି। ୨୦୧୦ ମସିହା ନଭେମ୍ବର ୧୯ ତାରିଖରେ ଶ୍ରୀମତି ରେଣୁବାଳା ପ୍ରଧାନ ପ୍ରଶ୍ନ ସଂଖ୍ୟା ୨୨୧ ମାଧ୍ୟମରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଭି ନାରାୟଣସାମୀ କହିଥିଲେ ଯେ, ‘କେନ୍ଦ୍ର ସରକାର କୌଣସି ବି ସଂଗୀତ ଶୈଳୀକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ।’ ଡିସେମ୍ବର ୧୪, ୨୦୨୩ ଶ୍ରୀ ନିରଂଜନ ବିଶିଂକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଜି କିଷନ ରେଡ୍ଡି କହିଥିଲେ ଯେ, ତାଙ୍କ ମନ୍ତ୍ରଣାଳୟର କୌଣସି ନୀତି କିମ୍ବା ପରମ୍ପରା ନାହିଁ, ଯାହା ଆଧାରରେ କୌଣସି ସଙ୍ଗୀତ ଶୈଳୀକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇ ପାରିବ। ତେବେ, ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ସଂସ୍ଥା ସଂଗୀତ ନାଟକ ଏକାଡେମୀ ଓଡ଼ିଶୀ ସଙ୍ଗୀତର ଉତ୍ଥାନ ପାଇଁ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ଶିଳ୍ପୀଙ୍କୁ ୧୯୭୬ ମସିହାଠାରୁ ପୁରସ୍କୃତ କରି ଆସୁଛନ୍ତି।’

ଓଡିଶା ସରକାର ରାଜ୍ୟ ଐତିହ୍ୟ କ୍ୟାବିନେଟରେ ପାରିତ ପ୍ରସ୍ତାବ ଅନୁରୂପ ଅନୁରୋଧ କରିଥିଲେ ଯେ, ଓଡ଼ିଶୀ ସଂଗୀତକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତୁ। ସେହି ପ୍ରସ୍ତାବ ଆଧାରରେ ୨୦୨୧ ମସିହା ମାର୍ଚ୍ଚ ୧୫ ତାରିଖରେ ପାଞ୍ଚଜଣ ସାଂସଦ ମିଳିତ ଭାବେ ଏ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇଥିଲେ। ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଥିଲେ ଯେ, କୌଣସି ବି ସଙ୍ଗୀତ ଶୈଳୀକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରି ନାହାନ୍ତି ଏବଂ ସେପରି ବ୍ୟବସ୍ଥା ମଧ୍ୟ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆଜିଯାଏଁ କୌଣସି ଗୋଟିଏ ବି ସଂଗୀତ ଶୈଳୀକୁ ନା କେନ୍ଦ୍ର ସରକାର ନା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଂଗୀତ ଭାବେ ସ୍ୱୀକୃତି ମିଳିଛି। ଅତଏବ, କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଏବଂ ଓଡ଼ିଶୀ ସଂଗୀତ - କାହାକୁ ବି ଶାସ୍ତ୍ରୀୟ ସଙ୍ଗୀତ ଭାବେ ସ୍ୱୀକୃତି ମିଳିନାହିଁ! ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି?

ସଙ୍ଗୀତର ଶରୀର ହେଉଛି ଯେ କୌଣସି ଭାଷାରେ ଲିଖିତ ଗୀତ ଏବଂ ଗୀତର ଭାବ ହେଲା ଆତ୍ମା। ଗୀତର ପ୍ରତିଟି ଶବ୍ଦ ଓ ଭାବକୁ ରୁଚିବନ୍ତ, ଲାଳିତ୍ୟପୂର୍ଣ୍ଣ ଭାବେ ପରିପ୍ରକାଶ କରିବାକୁ ସଙ୍ଗୀତ ଶୈଳୀ ସମର୍ଥ। ଗୀତ ଓ ଭାବାର୍ଥ – ଏହି ଦୁଇଟିର ଅପୂର୍ବ ସମନ୍ୱୟ ତଥା ଆନୁପାତିକ ମିଶ୍ରଣ ହିଁ ଶାସ୍ତ୍ରୀୟତାର ମୂଳାଧାର। ଗାୟନରେ ‘ଯମକ’ ବା ମୌଳିକ ବୈଷୟିକ ଗାୟନ ଶୈଳୀ ବିଶେଷ ଭାବେ ଓଡ଼ିଶୀ ସଙ୍ଗୀତକୁ ପ୍ରଦାନ କରିଛି ସ୍ୱତନ୍ତ୍ର ମାଧୁରିମା ଓ ସୁଗନ୍ଧ। ସବୁ ପ୍ରକାର ସଙ୍ଗୀତ ଗାୟନ ଶୈଳୀ, ତତ୍ତ୍ୱଗତ ନିୟମ ଏବଂ ବ୍ୟାକରଣ ନିୟମ ଅନୁସରଣ କରେନା; ଯାହା ଓଡ଼ିଶୀ ସମେତ ଅଳ୍ପକିଛି ଶାସ୍ତ୍ରୀୟ ସଙ୍ଗୀତ ଶୈଳୀ କରନ୍ତି। ଶାସ୍ତ୍ରୀୟ ସଙ୍ଗୀତର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଆବେଦନ, ଯାହା ଶ୍ରୋତା ଓ ଦର୍ଶକଙ୍କର ହୃଦୟତନ୍ତ୍ରୀକୁ ଛୁଇଁଯାଏ। ଓଡ଼ିଆ ସମେତ ଏବେ ଦେଶରେ ଏଗାରଟି ଭାଷା ଏବଂ ନଅଟି ନୃତ୍ୟ ଶୈଳୀ ଶାସ୍ତ୍ରୀୟ ମାନ୍ୟତା ପାଇ ସାରିଥିଲେ ମଧ୍ୟ କୌଣସି ଗୋଟିଏ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନମିଳିବା ସ୍ପଷ୍ଟ କରୁଛି ଯେ, ଶାସ୍ତ୍ରୀୟ ନୃତ୍ୟର ପ୍ରଥମ ଆବଶ୍ୟକତା ଥିବା ଶାସ୍ତ୍ରୀୟ ସଂଗୀତକୁ ଉଭୟ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଆଜିଯାଏଁ ଅବହେଳା କରି ଆସିଛନ୍ତି।

ଏଣୁ, ଅବିଳମ୍ବେ କେନ୍ଦ୍ର ସରକାର ନିଜଆଡୁ ଛଉନୃତ୍ୟ ଭଳି ଓଡ଼ିଶୀ ସମେତ କିଛି ସଙ୍ଗୀତ ଶୈଳୀକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତୁ। ଆବଶ୍ୟକ ମନେକଲେ, ସ୍ୱୟଂଶାସିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ନୂଆ ପରମ୍ପରା ସୃଷ୍ଟି କରନ୍ତୁ। ଯେଉଁ ଦେଶରେ କିଛି ବି ସଙ୍ଗୀତ ଶାସ୍ତ୍ରୀୟ ନୁହେଁ, ସେଠାରେ ନୃତ୍ୟ, ଭାଷା ଓ ସଂସ୍କୃତି କିପରି ଉନ୍ନତ ହୋଇ ପାରିବ? ଓଡ଼ିଶାର ଅସ୍ମିତା ଯେ, ଏଥିପାଇଁ ଅପମାନିତ, ଏହା ବୁଝାଇବାକୁ କାହିଁକି ପଡ଼ିବ? ଯୋଗ୍ୟତା ଭିତ୍ତିରେ ଓଡ଼ିଶୀ ସମେତ ଅନ୍ୟାନ୍ୟ ସଙ୍ଗୀତ ଶୈଳୀକୁ ଶାସ୍ତ୍ରୀୟ ମାନ୍ୟତା ଦେବାରେ ଅଧିକ ବିଳମ୍ବ ଅସହ୍ୟ।

ଫୋ- ୯୪୩୮୨୯୯୦୩୭

Odissi Dance Importance Of Music Indian Music Classical Music
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe