ରବି ନାରାୟଣ ପଣ୍ଡା
ସମାଜ ଜାଗରଣ ଏକ ନିରନ୍ତର ପ୍ରକ୍ରିୟା। ଗୁରୁ ପରମ୍ପରା ଏହି ଚିରନ୍ତନ ପ୍ରକ୍ରିୟାକୁ ଆଗକୁ ବଢ଼େଇ ଆସୁଥିଲା। ସମାଜକୁ ପତନରୁ ରକ୍ଷା କରିବା ଏବଂ ଆଗକୁ ବଢ଼ିବା ପାଇଁ ଗତି ପ୍ରଦାନ କରିବା କାମ ଆମର ଏହି ଦିଗଦ୍ରଷ୍ଟାମାନେ କରି ଆସୁଥିଲେ। ଅଧୋପତନରୁ ଉଦ୍ଧାର ପାଇଁ ସମାଜ ସଂସ୍କାରକ ଭାବରେ ବ୍ୟବସ୍ଥାକୁ ନୂତନ ସମାଧାନ ଦେଉଥିଲେ। ଗ୍ରାମ, ନଗର, ବନ, ଗିରି, କନ୍ଦର ଆଦି ସବୁ ସ୍ଥାନରେ ଜ୍ଞାନର ଗଙ୍ଗା ପ୍ରବାହିତ କରିବା ପାଇଁ ଏହି ମହାତ୍ମାମାନେ ସଦା ତତ୍ପର ଥିଲେ। ବତୀଘର ସଦୃଶ ନାଗରିକମାନଙ୍କ ଭିତରେ ରହି ଜନମାନସକୁ ସଠିକ ରାସ୍ତାରେ ପରିଚାଳିତ କରୁଥିଲେ। ନିଜେ ପ୍ରକାଶମାନ ହେବା ସହ ନିଜର ଚତୁର୍ଦିଗକୁ ପ୍ରକାଶିତ କରୁଥିଲେ।
ଗବେଷଣା ଓ ବିତରଣ ହିଁ ଆମର ପ୍ରାଚୀନ ଗୁରୁ ପରମ୍ପରାର ମୁଖ୍ୟ ଅଙ୍ଗ ଥିଲା। ସନ୍ନ୍ୟାସୀ, ବ୍ରହ୍ମଚାରୀ ଓ ପରିବ୍ରାଜକମାନେ ଦେବୋତ୍ଥାନଠାରୁ ଦେବଶୟନ ପର୍ଯ୍ୟନ୍ତ ଚାରିମାସ ଗବେଷଣା କାର୍ଯ୍ୟ କରିବାର ପୁରୁଣା ପରମ୍ପରା ଏବେ ସୁଦ୍ଧା ଅନେକ ସ୍ଥାନରେ ଜୀବତ ଅଛି। ଶ୍ରବଣ, ମନନ, ନିଦିଧ୍ୟାସନ ଆଦି କାର୍ଯ୍ୟରୁ ଜ୍ଞାନର ଉଦ୍ଗମ ହେଉଥିଲା। ତପସ୍ୟା ଓ ଗବେଷଣା ଲବ୍ଧ ଜ୍ଞାନକୁ ବିତରଣ କରିବା ପାଇଁ ଆଠ ମାସକୁ ବ୍ୟବହାର ହେଉଥିଲା। ଗୃହୀମାନେ ନିଜର ପାରମ୍ପରିକ ବୃତ୍ତି ଚଳେଇବା ସହ ନିୟମିତ ଜ୍ଞାନାଭ୍ୟାସରେ ନିୟୋଜିତ ରହୁଥିଲେ। ପ୍ରତ୍ୟେକ ମୋଡ଼ରେ ସମାଜ ନିର୍ମାତା ଉପଲବ୍ଧ ହେଉଥିଲେ। ବୈଚାରିକ ପ୍ରବୋଧନ କାର୍ଯ୍ୟ ଏକ ସ୍ୱାଭାବିକ ପ୍ରକ୍ରିୟାରେ ରୂପାନ୍ତର ହୋଇ ଯାଇଥିଲା। ସମାଜରେ ଏହା ଏକ ଅଭିନ୍ନ ଅଙ୍ଗ ହୋଇ ଯାଇଥିଲା। ଯେଉଁଥିରୁ ଉନ୍ନତ କଳା, ସଂସ୍କୃତି, ସାହିତ୍ୟ, ବିଜ୍ଞାନ ଆଦି ବିଷୟ ଚରମ ଶିଖର ଛୁଇଁ ଚାଲିଥିଲା। ପ୍ରତ୍ୟେକ ବ୍ୟକ୍ତି ନିଜ ଜ୍ଞାନର ପରାକାଷ୍ଠା ଦ୍ୱାରା ଧର୍ମ-ଅଧର୍ମ, ସଂସ୍କୃତି-ବିକୃତି, ଶତ୍ରୁ-ମିତ୍ର ଭିତରେ ଥିବା ସୁକ୍ଷ୍ମ ପାର୍ଥକ୍ୟ ଜାଣି ପାରୁଥିଲା। ନିଜର କର୍ତ୍ତବ୍ୟ ଜ୍ଞାନ ଆଧାରରେ ସହଜରେ ଏହି କାର୍ଯ୍ୟ ସମ୍ପାଦନ କରୁଥିଲେ। ଏହି ସ୍ୱାଭାବିକ ପ୍ରକ୍ରିୟା ପାଇଁ କୌଣସି ବିଶ୍ୱବିଦ୍ୟାଳୟ ଯିବାକୁ ପଡୁନଥିଲା। ବରଂ ଏକ ଆତ୍ମ ଶିକ୍ଷିତ ସମାଜ ବ୍ୟବସ୍ଥା ଛିଡ଼ା ହୋଇଥିଲା।
ଗୁରୁ, ସମାଜ ସୁଧାରକ, ସମାଜ ଯନ୍ତ୍ରୀ ନିର୍ମାଣ ହୁଅନ୍ତୁ, ତା ପାଇଁ ଅନୁକୂଳ ପରିବେଶ ନିର୍ମାଣ କରିବା ଦାୟିତ୍ୱ ମଧ୍ୟ ସମାଜ ନେବା ଉଚିତ। ଆମ ସମାଜରେ ରାଜାଠାରୁ ପ୍ରଜା ପର୍ଯ୍ୟନ୍ତ ସମସ୍ତେ ଏହି ନିର୍ମାଣ ପ୍ରକ୍ରିୟା ପାଇଁ ସ୍ନେହ, ଶ୍ରଦ୍ଧା, ସମର୍ପଣ ପ୍ରଦର୍ଶନ କରୁଥିଲେ। ଆମର ଗୁରୁ ପରମ୍ପରା ଏକ ସମ୍ମାନଜନକ ସ୍ଥାନ ଅଧିକାର କରିଥିଲା। ସେହି ମହାନ ପରମ୍ପରାକୁ ସଶକ୍ତ କରିବା ପାଇଁ ଆମେ ପ୍ରକାଶିତ ରୂପରେ ସେମାନଙ୍କ ପ୍ରତି ଶ୍ରଦ୍ଧା ପ୍ରଦର୍ଶନ କରିବା ଉଚିତ ହେବ।
ଏହି ପରମ୍ପରା ଗତିଶୀଳ ଓ ମଜବୁତ ହେଲେ ଆମ ସମାଜ ଓ ରାଷ୍ଟ୍ର ଅଜେୟ ହେବ। ଚିରଞ୍ଜିବୀ ରାଷ୍ଟ୍ର ପାଇଁ ଆମର ପୂର୍ବ ପୁରୁଷମାନେ ଏପରି ବହୁ ପରୀକ୍ଷିତ ରାସ୍ତା ଆପଣେଇ ଥିଲେ। ଏହି ସବୁ ବ୍ୟବସ୍ଥାର କେନ୍ଦ୍ର ଥିଲା ଗୁରୁ ଆଧାରିତ ଜ୍ଞାନ ପରମ୍ପରା। ଏହି ପରମ୍ପରାର ପୁନରୁଥାନ ପାଇଁ ବୈଚାରିକ ପ୍ରବୋଧନ ମାଧ୍ୟମରେ ପ୍ରଥମେ ସମାଜ ନେତୃତ୍ୱର ଜାଗରଣ କରିବାକୁ ପଡ଼ିବ। ସେମାନଙ୍କ ଭିତରେ ଆମର ଜ୍ଞାନ ପରମ୍ପରା ପ୍ରତି ବିଶ୍ୱାସ, ଶ୍ରଦ୍ଧା ଓ ନିଷ୍ଠା ନିର୍ମାଣ କରିବାକୁ ପଡ଼ିବ। ସମୟ କ୍ରମେ ପାଶ୍ଚାତ୍ୟ ଧାରା ପ୍ରବାହରେ ଭାସୁଥିବା ଆମର ବିଦ୍ୱାନମାନଙ୍କୁ ପୁନଃ ସ୍ମରଣ କରେଇବାକୁ ପଡ଼ିବ। ସୁଗ୍ରୀବ ହୋଇ ପୁନଃ ସ୍ମରଣ କାର୍ଯ୍ୟ ସେହିମାନେ କରିପାରିବେ, ଯେଉଁମାନେ ଭାରତୀୟତା ଉପରେ ନିଜର ବିଶ୍ୱାସ ଅତୁଟ ରଖିଛନ୍ତି। ଏହି କାର୍ଯ୍ୟ କଷ୍ଟକର ଅଛି। ଅନ୍ୟ କୌଣସି ରାସ୍ତା ଦେଖାଯାଉ ନଥିବା କାରଣରୁ ଭାରତୀୟ ବିଦ୍ୱାନମାନଙ୍କୁ ଏହି କଷ୍ଟକର କାର୍ଯ୍ୟ କରିବାକୁ ପଡ଼ିବ। କାରଣ ଗୋଟିଏ ଜାତି ଓ ଦେଶର ଭବିଷ୍ୟତ ଏହି କାର୍ଯ୍ୟ ଉପରେ ନିର୍ଭର କରୁଛି। ସମୟର ଆହ୍ୱାନକୁ ଯେଉଁମାନେ ଯେତିକି ଉପେକ୍ଷା କରିବେ, ସମୟ ସେମାନଙ୍କୁ ସେତିକି ଉପେକ୍ଷା କରିବ।
ଏହି ଉପେକ୍ଷା କାରଣରୁ ଆମେ ସ୍ୱାଧୀନତାର ୭୫ ବର୍ଷ ପରେ ବି ବିଶ୍ୱର ଉପେକ୍ଷିତ ହୋଇ ରହିଥିଲୁ। ସମ୍ଭତଃ ଆଗାମୀ ୨୫ ବର୍ଷ ଭାରତୀୟମାନଙ୍କ ପାଇଁ ସାଧନାର କାଳଖଣ୍ଡ। ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେଲା ବେଳକୁ ଆମେ ଆମ ସ୍ୱପ୍ନର ଭାରତ ଦର୍ଶନ କରି ପାରିବା। ସମୟର ଏହି ଆହ୍ୱାନକୁ ଦୃଷ୍ଟିରେ ରଖି ଜଣେ ମହାନ ରାଷ୍ଟ୍ରଭକ୍ତ କବି ଲେଖିଛନ୍ତି, ‘ସମୟ ମାଗୁଛି ସମୟ ଆଜି ଆମେରେ ଉତ୍ତର ସାଧକ ସାଜି, ସାଧନାର ବଳେ ଆଣିବୁ ଭୂତଳେ ନବଯୁଗ ଭାଗିରଥି।’
ପ୍ରଥମେ ସାଧନା, ତା’ପରେ ଆସେ ସିଦ୍ଧି, ତାପରେ ଆସେ ବିଜୟ। ବିଜୟୀ ବୀର ହେବାକୁ ହେଲେ ଆମକୁ ସମୟର ଆହ୍ୱାନକୁ ସ୍ୱୀକାର କରିବା ସହ ନିଜକୁ ଉପଯୋଗୀ କରିବାକୁ ପଡ଼ିବ। ତା’ହେଲେ ଯାଇ ନିଜ ସହିତ, ନିଜ ରାଷ୍ଟ୍ରର ଭବିଷ୍ୟତ ଉଜ୍ଜଳ ହୋଇ ପାରିବ।
ମଠସାହି, ଭଦ୍ରକ, ମୋବାଇଲ- ୯୪୩୭୦୧୭୮୫୭