ପଞ୍ଚାନନ କାନୁନଗୋ
ଯେଉଁ ଶିକ୍ଷା ଚପଳମତି ଅନୁସନ୍ଧିତ୍ସୁ ପିଲା ମନରେ ସନ୍ଦେହ, ଅବିଶ୍ୱାସ, ଘୃଣା ଜନ୍ମାଇବ ଓ ତାର ଇଚ୍ଛା ବା ଅନୁସନ୍ଧିତ୍ସୁ ମନୋଭାବର ପରିପୂରକ ନୁହେଁ ତାହା ସର୍ବାଦୌ ବର୍ଜନୀୟ। ଯେଉଁ ଶିକ୍ଷା ତା’ର ମନକୁ ଅଧିକ ଭାରାକ୍ରାନ୍ତ କରିବ ସେପରି ଶିକ୍ଷା ମଧ୍ୟ ସାବଧାନତାର ସହ ବର୍ଜନୀୟ। ଗୋଟିଏ ଗୋଟିଏ ଉଦାହରଣର ଅବତାରଣା କରାଯିବାର ଆବଶ୍ୟକତା ଅଛି। ଜଗନ୍ନାଥ ବଳଭଦ୍ରଙ୍କର କାଞ୍ଚି ବିଜୟ ଅଭିଯାନ ଗୋଟିଏ ଅପ୍ରାପ୍ତ ବୟସ୍କ ଓ ଜ୍ଞାନ ଆହରଣର ପାଦଦେଶରେ ଥିବା ଛାତ୍ରଛାତ୍ରୀ ମନରେ ସନ୍ଦେହ ସୃଷ୍ଟି କରିଥାଏ। ସତରେ କ’ଣ ଠାକୁର କାଞ୍ଚିରାଜାଙ୍କ ସହ ଲଢ଼େଇକି ଯାଇଥିଲେ। ହୁଏତ ଏହି କଥା ତା’ର ‘ଭାବ – ଅଭିଜ୍ଞତା’ ଆସିବା ପରେ ସେ ଜାଣିଲେ ତର୍ଜମା ବା ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ମନ ବଳାଇ ପାରେ। ପ୍ରାପ୍ତ ବୟସରେ ଏହା ତା’ ପାଇଁ ଗବେଷଣା ସାପେକ୍ଷ। କୋମଳମତି ବାଳକ ହଠାତ୍ ବିଶ୍ୱାସ କରିପାରେ ନାହିଁ ଯେ ଭରା ନଈରେ ପାଣି ଉପରେ ଜଣେ ଚାଲି ଚାଲି ଯାଇପାରେ ବା ଗୋଟାଏ ଲୋକ କଳାପାହାଡ଼ ଅଳ୍ପ କେଇଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀ ବା ମନ୍ଦିର ଭାଙ୍ଗି ଦେଇପାରେ।
ଗୋଟିଏ ଶିଶୁ ପ୍ରତିଭା ଧରମା କୋଣାର୍କର ମୁଣ୍ଡିମାରିଲା ଅର୍ଥାତ୍ ବାରଶ ଭାଇ ତା’ର ମୃତ୍ୟୁର କାରଣ ହେଲେ। ସେ ପିଲା ମନରେ ବଦ୍ଧ ଧାରଣା ସୃଷ୍ଟି ହେଲା ଯେ ଭାଇମାନଙ୍କ ପାଇଁ ସେ ଆତ୍ମବଳି ଦେଲା। ଯଦି କେହି ପିଲା ଶ୍ରେଣୀରେ ପ୍ରଶ୍ନ କରେ ସତରେ କ’ଣ ସେ ରାଜା ଅବିବେକୀ - କ୍ରୁର ଥିଲା? ଧରମାର ପ୍ରତିଭାକୁ ସମ୍ମାନ ଦେବାକୁ ଯାଇ ସେ କ’ଣ କାରିଗର ଜାତିକୁ କ୍ଷମାଦେଇ ନଥାନ୍ତେ। ତାଙ୍କ ପାଖରେ ଖବର କ’ଣ ପରେ ବି ପହଞ୍ଚି ନାହିଁ ଯେ ଶିଶୁ ପ୍ରତିଭାଟିଏ ଆତ୍ମହତ୍ୟା କରିଛି, କାରଣ ତା’ର ଅସହିଷ୍ଣୁ ଜାତି ଭାଇମାନେ। ତେବେ ତ ଖୋଜି ଖୋଜି ରାଜା ସେମାନଙ୍କୁ ଶୁଳି ଦେଇଥାନ୍ତେ। ଧର୍ମ ବା ଗୋଷ୍ଠୀ ବିଭେଦର ଅଙ୍କୁରୋଦଗମ ହେଉଥିବା ‘କଳାପାହାଡ଼’ର କାହାଣୀ ପିଲାଙ୍କ ପାଖକୁ ନ ଆଣି ‘ସାଲବେଗ’ ଭଜନଟି ସାହିତ୍ୟର କବିତା ଗୁଚ୍ଛରେ ରହିବା ଦରକାର। ମନ୍ଦିର ଲୁଟତରାଜ ବା ଠାକୁରଙ୍କ ଗୋପ୍ୟ ହେବାର କାହାଣୀରେ ତ ଯବନ (ଯେଉଁମାନେ ମୁସଲମାନ ନୁହଁନ୍ତି) ଅନେକ ରାଜପୁତ ମରହଟ୍ଟା ଥିଲେ। ଇତିହାସରେ ଲୁଟତରାଜର ତଥ୍ୟ ଦେଇ ଏସବୁ କୁହାଯାଇପାରେ। ତେବେ ପିଲାଙ୍କ ଭିତରେ ଧାର୍ମିକ ବିଦ୍ୱେଷ ସୃଷ୍ଟି ନ ହୋଇ ଲୁଟ୍ତରାଜକାରୀମାନଙ୍କ ବିଷୟରେ ବିବରଣୀ ଉପସ୍ଥାପିତ ହେବା ଦରକାର। ପିଲାଟି ଜାଣିବା ଦରକାର ତା’ ରାଜ୍ୟରେ ଭିନ୍ନ ଭିନ୍ନ ସାଂସ୍କୃତିକ ଧାରା ଅଛି ଓ ତା’ ଭିତରେ ଗୋଟିଏ ସମନ୍ୱୟ ବି ଅଛି। ସେ ପିଲାଟି ଜାଣିବା ଦରକାର ଧର୍ମର ସଦ୍ଭାବନା ବା ସହନଶୀଳ ଦିଗଗୁଡ଼ିକୁ ଅନ୍ୟକୁ ଘୃଣା କରୁଥିବା ଦିଗକୁ ଆଦୌ ପାଠ୍ୟକ୍ରମରେ ସ୍ଥାନିତ ହେବା ଉଚିତ ନୁହେଁ।
ସେ ପ୍ରଥମେ ତା’ର ଚତୁଃପାଶ୍ୱର୍କୁ ନେଇ ଶିକ୍ଷା କରିବା ଦରକାର। ଏହାର ସଂପୃକ୍ତି ଥାଇ ସେ ସହଜରେ ଦେଖିପାରୁଥିବା, ପ୍ରମାଣ ଯୋଗାଡ଼ କରିପାରୁଥିବା ରାଜ୍ୟକୁ ନେଇ ପାଠ୍ୟକ୍ରମ ସଜଡ଼ା ହେବା ଦରକାର।
ପିଲାଟିଏ ମନରେ ସ୍ୱପ୍ନ ଭରିବା ନିଶ୍ଚୟ ଦରକାର, ହେଲେ ପିଲାଟି ଭିତରେ ଥିବା ‘ମତେ କୁହ’ ଭାବଟିକୁ ପ୍ରଥମରୁ ପରଖି ନେବା ଦରକାର। ତା’ ମନର ପ୍ରଶ୍ନସବୁ ଠଉରେଇ ପାଠ୍ୟକ୍ରମ ସଜାଡ଼ିବା ଦରକାର। ତା’ ମନର ପ୍ରଶ୍ନ ହେଉଛି ତୁଳସୀ ଗଛ ଉପରେ କାହିଁକି ଠେକି ବନ୍ଧା ହେଉଛି, ପାଣି ଦିଆ ହେଉଛି? ଏଇ ପ୍ରଶ୍ନର ସଠିକ୍ ଉତ୍ତରଟିଏ ସେ ଚାହେଁ। ତାକୁ ଯଦି କୁହାଯା’ନ୍ତା ତୁଳସୀ ଗଛର ଉପକାରିତା ଆଉ ନିଦାଘ ଚୈତ୍ର-ବୈଶାଖରେ ଜଳଦାନର ଏହି ବୁନ୍ଦା ଜଳ ସେଚନର ବ୍ୟବସ୍ଥା ସେ ହୁଏତ ଏଥିରେ ଅନେକ କଥା ଦେଖନ୍ତା। ସଂସ୍କୃତିର ନିଆରା ଭାବ ଏହାର ବୈଜ୍ଞାନିକ କାରଣ ସହିତ ଆବଶ୍ୟକତା ସବୁ କିଛି ଜାଣନ୍ତା।
ପଢ଼ିବା ସମୟରେ ତା ମନକୁ ଯେପରି ଦ୍ୱନ୍ଦ୍ୱ ନ ଉପୁଜିବ ସେଥିପ୍ରତି ଯତ୍ନବାନ ହେବା ଦରକାର। ସେଥିପାଇଁ ପାଠ୍ୟକ୍ରମରେ ପ୍ରମାଣ ବା ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନର ବ୍ୟବସ୍ଥା ରହିବା ଉଚିତ। ପାଠ୍ୟ ଖସଡ଼ା ସଂପୃକ୍ତ ବିଦ୍ୟା ସହିତ ବିଶ୍ୱାସ ଯୋଗ୍ୟ ପ୍ରାମାଣିକ ତଥ୍ୟ ଓ ପ୍ରତ୍ୟକ୍ଷ ଜ୍ଞାନ ବିଦ୍ୟାକୁ ଖୁବ୍ ଅଧିକ ଉପଯୋଗୀ କରିଥାଏ। ଉଦାହରଣ ସ୍ୱରୂପ କଳିଙ୍ଗ ସମରରେ ଗୋଟିଏ ସ୍ଥାନରେ ଦୟାନଦୀ କୂଳରୁ ଲକ୍ଷେ ଲୋକ ମରିବା, ଦେଢ଼ ଲକ୍ଷ ଲୋକ ଆହତ ହେବା କଥା ଅବା ଦେଢ଼ ଲକ୍ଷ ଲୋକବନ୍ଦୀ ହେବା କଥା କହିଥିବାବେଳେ ସେ ସମୟର ପରାଜିତ ଜାତିଟି ମାତ୍ର କେଇବର୍ଷ ପରେ ମଗଧକୁ ଜୟ କରିବାର ଶକ୍ତି ଓ ସାମର୍ଥ୍ୟ ଯୋଗାଡ଼ କରିବାର (ଖାରବେଳଙ୍କ ସମୟ) କଥା ତା’ ମନରେ ଦ୍ୱନ୍ଦ୍ୱ ଆସିଥାଏ। ତାକୁ ହୁଏତ କୁହାଯାଇପାରେ ସମ୍ପଦ ଲୁଟିବା ପାଇଁ ଆସିଥିବା ମଗଧ ରାଜା ଯେଉଁ ପଥଦେଇ ଆସିଥିଲେ ବିକ୍ଷିପ୍ତ ଭାବେ ଭିନ୍ନ ଭିନ୍ନ ସର୍ଦ୍ଦାରୀ ଶାସନରେ ଥିବା ଭୂଖଣ୍ଡର ଲୋକଙ୍କୁ ଅତି ସହଜରେ ପରାହତ କରିବା ସମୟରେ ଏହିପରି ଅଭାବନୀୟ ଘଟଣା ଘଟିଥିଲା ଏବଂ ଶେଷରେ ଦୟାନଦୀ କୂଳର ସେ ପ୍ରତିରୋଧର ଶେଷ ବାର୍ତ୍ତାଟିଏ ପାଇଥିଲେ ଏବଂ କାହାଣୀର ଏକ ସୁବିସ୍ତୃତ ହିସାବ ପ୍ରସ୍ତର ଗାତ୍ରରେ ଲିପିବଦ୍ଧ ହେଲା।
ଭାଷା, ସାହିତ୍ୟର ପ୍ରମାଣଯୋଗ୍ୟ ପ୍ରାଚୀନତା ସଂପର୍କରେ ତଥା ରାଜ୍ୟର ବିଭିନ୍ନ ସମୟର ସ୍ଥିତିକୁ ସ୍ପଷ୍ଟଭାବେ ଜାଣିଲେ ପିଲାଟିଏ ହୁଏତ ଜାତି ଓ ଭାଷାକୁ ନେଇ ଗର୍ବ କରିବ। ପିଲାଟି ଜାଣିବ ଯେ ଶହ ଶହ ବର୍ଷ ଧରି ଏ ଭାଷା ଭୂଖଣ୍ଡର ରାଜଭାଷା ହୋଇ ନଥିବାରୁ କେବଳ କଥିତ ଭାଷା ଭାବେ ପୃଥକ୍ ପୃଥକ୍ ଦେଶୀୟ ଭାଷା ହୋଇ ରହିଲା ଓ ଲିପି ତଥା ଓଡ଼ିଆ ଭାଷା ଦୁର୍ବଳ ହୋଇଗଲା।
ପାଠ୍ୟକ୍ରମର ସୋପାନ ପ୍ରସ୍ତୁତ କରାଗଲେ ପ୍ରଥମ ଶ୍ରେଣୀରୁ ମାଧ୍ୟମିକ ଶିକ୍ଷାର ଶେଷ ପର୍ଯ୍ୟନ୍ତ ପିଲା ଭିତରେ ଶିକ୍ଷା ବା ଜ୍ଞାନର ସ୍ତର ସଜଡ଼ା ଯାଇଥାଏ। ଚିତ୍ର, ବର୍ଣ୍ଣିଳ ପୁସ୍ତକ ପ୍ରାଥମିକ ସ୍ତରରେ ଯେପରି ପିଲାର ମନକୁ ଛୁଇଁଥାଏ ସେହିପରି ତଥ୍ୟଭିତ୍ତିକ ପ୍ରମାଣ ସବୁ ମାଧ୍ୟମିକ ସ୍ତରରେ ପିଲା ସହଜରେ ଆପଣେଇ ଥାଏ।
ପିଲାବେଳୁ ଧୃବ ଓ ଉତ୍ତମ ଚରିତ ସଂପର୍କରେ ବିସ୍ତୃତ କଥା ବା କାହାଣୀ କୁହାଯାଇପାରେ। ବ୍ୟକ୍ତି ଆଗକୁ ବଢ଼ିବାର ଥିଲେ ଉତ୍ଥାନପାଦ ଭାବେ ସୁନୀତି ଓ ସୁରୁଚିକୁ ଆପଣେଇବାର ଅଛି। ସୁନୀତିଠାରୁ ଧୃବ ଜନ୍ମ। ସୁରୁଚିଠାରୁ ଉତ୍ତମ ଜନ୍ମ ନେଇଥାଏ। ଏହି ଦୁଇପୁତ୍ରଙ୍କ କାହାଣୀ ଶୁଣିଲେ ହୁଏତ ପିଲାଟିର ମନ ଭିତରେ ଏକ ଭିନ୍ନ ଭାବ ସୃଷ୍ଟି ହୋଇପାରେ। ସେ ସତ୍ୟର ଅନ୍ୱେଷଣ କରିପାରେ ଅବା ଅତ୍ୟନ୍ତ ଉତ୍ତମ ଭାବ ସଂପର୍ଣ୍ଣ ହେବା ଇଚ୍ଛାରେ ସୁରୁଚିର ଆଶ୍ରା ନେଇପାରେ।
ସମସ୍ତ ପାଠ୍ୟକ୍ରମ ପିଲାର ଆବଶ୍ୟକତା ଅର୍ଥାତ୍ ପିଲାକୁ ଭବିଷ୍ୟତରେ ଉପାର୍ଜନକ୍ଷମ (କେବଳ ଚାକିରୀ ନୁହେଁ) ଓ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ପ୍ରସ୍ତୁତ କରିବା ଅଧିକ ଗ୍ରହଣୀୟ। ପୁସ୍ତକରେ ଥିବା ବିଦ୍ୟା (ପୁସ୍ତକେଷୁ ତୁ ଯା ବିଦ୍ୟା) ଯଦି କାମରେ ନ ଲାଗେ ପିଲା ଜଳବତ ତରଳ କରି ବିଦ୍ୟା ଅଧ୍ୟୟନ କଲେ ମଧ୍ୟ ତାହା କାର୍ଯ୍ୟରେ ଲାଗି ନଥାଏ।
ସବୁ ପାଠ୍ୟକ୍ରମ ଏପରି ହେବା ଦରକାର ଯଦ୍ଦ୍ୱାରା ପିଲାଟି ଅଧ୍ୟୟନ ସମୟରେ ତାହା ସହଜରେ ବୋଧଗମ୍ୟ ହୋଇଥାଏ। ପିଲାଟି ତା’ର ଅର୍ଥ ବୁଝିବା ସହିତ କାରଣ ତଥା ଫଳାଫଳ ସଂପର୍କରେ ଜ୍ଞାତ ହେବା ଜରୁରୀ।
ପାଠ୍ୟକ୍ରମକୁ ଅଧିକ ଭାରାକ୍ରାନ୍ତ କରିବା ବା ପିଲା ପିଠିରେ ଗୋଟିଏ ବଡ଼ ବସ୍ତାନୀ ସଜାଇ ଥୋଇଦେବା ଅପେକ୍ଷା ସେ ତା’ର ସାମର୍ଥ୍ୟ ମୁତାବକ ଭଲଭାବେ ଅଧ୍ୟୟନ, ଅନୁଶୀଳନ, କରୁଥିବା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବା ବୋଧହୁଏ ଅଧିକ ଲାଭଜନକ। ରାଜ୍ୟରେ ଥିବା ଜଙ୍ଗଲରେ କେଉଁ ବୃକ୍ଷ ଅଧିକ ପରିମାଣରେ ମିଳେ ତାହା ପାଠ୍ୟ ପୁସ୍ତକରେ ଦର୍ଶାଇଲାବେଳେ ଏହି ବୃକ୍ଷସବୁ ମଣିଷର କି କି କାମରେ ଲାଗେ ଏବଂ ଏହାର କ୍ଷୟଜନିତ ପରାଭାବ ସମାଜକୁ ବା ରାଜ୍ୟକୁ ମିଳିବାର ଆଶଙ୍କା ସଂପର୍କରେ ପ୍ରମାଣ ଓ ବିଶ୍ୱାସ ଯୋଗ୍ୟ କଥା କୁହାଯିବା ଦରକାର।
ଇତିହାସରେ କାଳ୍ପିନିକ, ମନଗଢ଼ା କାହାଣୀ ଓ ବିଦ୍ୱେଷ ସୃଷ୍ଟିକାରୀ ରଚନା ଅପେକ୍ଷା କିର୍ତ୍ତୀରାଜି ସ୍ଥାନିତ ହେବା ଦରକାର ଓ ଯଥାସମ୍ଭବ ପ୍ରମାଣଯୋଗ୍ୟ ଗତିପଥ ସଂପର୍କରେ ସୂଚନା ରହିବା ଦରକାର। ଯଥା ବୌଦ୍ଧଶ୍ରମଣ ବା ଭିକ୍ଷୁମାନଙ୍କ ଗତିପଥ ଲେଖାଗଲେ କେଉଁ ଅଞ୍ଚଳରେ ବୌଦ୍ଧଧର୍ମ ପ୍ରସାରିତ ହୋଇଥିଲା ଓ ତା’ର ପ୍ରଭାବ କ’ଣ ପିଲାଏ ସହଜରେ ଧରିନେବେ? ସେହିପରି ଆ-କା-ମା-ବୈର ଭାବ ଉଦ୍ରେକ କାହାଣୀ ଅପେକ୍ଷା ସେ ସମୟର ନୌବାଣିଜ୍ୟ ଓ ସଂପୃକ୍ତ ନଦୀ ଓ ବନ୍ଧର ତଥା ପାଶ୍ୱବର୍ତ୍ତୀ ବେପାର ବେପାରୀଙ୍କ କଥା କହିବା ସହିତ ପିଲାଙ୍କୁ ପ୍ରାମାଣିକ ତଥ୍ୟ ଦେବା ନିମନ୍ତେ ମୃତପ୍ରାୟ ନଦୀ ଓ ତତ୍ସଂଲଗ୍ନ କିଛି ଅଞ୍ଚଳ ଦେଖାଇଲେ ପାଠର ଉପକାରିତା ପ୍ରତିଫଳିତ ହେବ। କଥା ଗଳ୍ପ, କାଳ୍ପନିକ ହେଲେ ସାହିତ୍ୟରେ କିଛି ଯାଏ ଆସେ ନାହିଁ। ଇତିହାସରେ ହେଲେ ଅନେକ ବିଭ୍ରାନ୍ତିର କାରଣ ହୋଇଥାଏ।
କୃଷି, ପଶୁସଂପଦ ସଂପର୍କିତ ବିଜ୍ଞାନ ସହିତ ପରିବେଶ ଶାସ୍ତ୍ର ଅଧ୍ୟୟନର ବ୍ୟବସ୍ଥା ମାଧ୍ୟମିକ ଶିକ୍ଷା ସ୍ତରରେ ରହିଲେ ବହୁଦୃଷ୍ଟିରୁ ଏହା ବୃତ୍ତି ପାଇଁ ସହାୟକ ହୋଇଥାଏ। ନଦୀ ସମୁଦ୍ର ସଂପର୍କିତ ଜ୍ଞାନ ଅର୍ଥନୀତି ଶାସ୍ତ୍ରକୁ ଅନେକ ଦୃଷ୍ଟିରୁ ଅର୍ଥଶାସ୍ତ୍ରକୁ ରୁଦ୍ଧିମନ୍ତ କରିଥାଏ। ଏଥିରେ ନୌବାଣିଜ୍ୟର ଇତିହାସ ଓ ଏହାର ଅର୍ଥନୈତିକ ସଂପର୍କକୁ ସଜଡ଼ା ଯାଇପାରେ। ସମାଜ ବିଜ୍ଞାନ ଓ ଅର୍ଥନୀତି ଶାସ୍ତ୍ରକୁ ଅତି ସରଳ ଭାବରେ ବୁଝାଯାଇପାରେ। କୌଟିଲ୍ୟଙ୍କ ନୀତିଶାସ୍ତ୍ର ଓ ଅର୍ଥଶାସ୍ତ୍ର ସହ ଚାର୍ବାକଙ୍କ ମୂଲ୍ୟଯୁକ୍ତ ଅର୍ଥ ଶାସ୍ତ୍ରକୁ ମାଧ୍ୟମିକ ସ୍ତରରେ ପଢ଼ା ଯାଇପାରେ।
ଗଣିତ ଶାସ୍ତ୍ର ସମସ୍ତଙ୍କର ସବୁ ସମୟ ପାଇଁ ଅତ୍ୟାବଶ୍ୟକ ବୋଲି ଯେପରି କେହି ଭୁଲି ନଯାନ୍ତି। ଆବଶ୍ୟକତା ଅନୁସାରେ ପ୍ରଥମ ପାଠ୍ୟକ୍ରମରୁ ମାଧ୍ୟମିକ ଶେଷ ପର୍ଯ୍ୟନ୍ତ ଏହା ସାଧାରଣବର୍ଗର ହୋଇ ସହଜ ଓ ସରଳ ଭାବରେ ସ୍ଥାନିତ ହେଲେ ସମୟାନୁସାରେ ଏହାରି ଉପଯୋଗ ହୋଇପାରିବ।
ବିଜ୍ଞାନ ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନର ପୁରୁଣା ଢାଞ୍ଚା ବଦଳାଇ ପାଠ୍ୟକ୍ରମ ପ୍ରସ୍ତୁତ କଲାବେଳେ ଏହା ଯେପରି ପ୍ରତ୍ୟେକ ପିଲାର ମୌଳିକ ଆବଶ୍ୟକତା ପୂରଣ କରିପାରିବ ଓ ଉଚ୍ଚତର ଶିକ୍ଷା ପାଇଁ ସହାୟକ ହେବ ତାହା ଦେଖିବାର ଅଛି।
ପାଠ୍ୟଖସଡ଼ା ପ୍ରସ୍ତୁତ ସମୟରେ ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ମୌଳିକ ଜ୍ଞାନ ସମେତ ଓ ପରିସ୍କାର, ପରିଛନ୍ନତା, ପରିମଳ ପରିବେଶ ଆଦିର ଉପକାରୀତା ସଂପର୍କରେ ଛାତ୍ରଛାତ୍ରୀ ପିଲାବେଳୁ ଜାଣିବା ଦରକାର। ଔଷଧ ବ୍ୟବହାର, ସୁଷମ ଖାଦ୍ୟ ଆଦି ସଂପର୍କ ମଧ୍ୟ ସ୍ୱାସ୍ଥ୍ୟ ବିଜ୍ଞାନରେ ରହିବା ଅପରିହାର୍ଯ୍ୟ।
ପାଠ୍ୟକ୍ରମରେ ବିଭିନ୍ନ ପ୍ରକାର ବୟନଶିଳ୍ପ ସଂପର୍କୀତ ବାନ୍ଧକଳା, ସଂସ୍କୃତି ସଂପର୍କିତ ଚାରୁକଳା, ବନଜ, କୃଷିଜ ସଂପର୍କିତ ଶିଳ୍ପବିଦ୍ୟା ଆବଶ୍ୟକ ଉପକରଣ ପ୍ରସ୍ତୁତିକାରୀ କାରୁକଳା ପିଲାଏ ଜାଣିବାର ବ୍ୟବସ୍ଥା ରହିବ। ଏହା ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥଶାସ୍ତ୍ରରେ ସ୍ଥାନିତ ହେଲେ ଭଲ। ଫଳରେ ସ୍ୱଦେଶୀ ଚିନ୍ତନ ଓ ସ୍ୱଦେଶୀ ଅର୍ଥନୀତି ସୁଦୃଢ଼ ହେବ ଓ ଛାତ୍ର ଅବସ୍ଥାରୁ ପିଲାକୁ ପ୍ରଭାବିତ ତଥା ପ୍ରସ୍ତୁତ କରିବ।
ମୋଦିଙ୍କ ପ୍ରଧାନ ମନ୍ତ୍ରିତ୍ୱ ସମୟରେ ଭାରତରେ ସ୍କିଲ୍ ଇଣ୍ଡିଆ ସ୍ଲୋଗାନ ଜୋରଦାର ହେଲା। ଦେଶରେ ଜାତୀୟ ସ୍କିଲ୍ ନୀତି ୨୦୦୯ରୁ ପ୍ରସ୍ତୁତ ହୋଇଥିଲା। ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ମାତ୍ର ଏହା କାର୍ଯ୍ୟକାରୀ କରିବାକୁ ହେଲେ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରରେ ପାଠ୍ୟକ୍ରମ ଯୋଡ଼ିବାକୁ ହେବ। ଏଥିପାଇଁ ଚୀନର ଶିକ୍ଷା ବ୍ୟବସ୍ଥା ଉପରେ ନଜର ଦେବାକୁ ହୋଇଥାଏ। ଚୀନରେ ଏହି ଧନ୍ଦାମୁଳକ ଶିକ୍ଷାକୁ ବାଧ୍ୟ କରିବା ନିମନ୍ତେ ୧୯୮୫ ମସିହାରେ ଆଇନ ପ୍ରଣୟନ ହେଲା। ପ୍ରାଥମିକ ଶିକ୍ଷା ପରେ ଅର୍ଥାତ୍ ୬ ବର୍ଷ ପାଠପଢ଼ା ପରେ (୬ଷ୍ଠ ଶ୍ରେଣୀ ପରେ) ଏହି ଶିକ୍ଷା ପର୍ଯ୍ୟାୟକ୍ରମେ ଦିଆଯାଇଥାଏ। ଚୀନର ଷ୍ଟାଟିଷ୍ଟିକାଲ ବୁକ୍ (୨୦୧୨)ର ତଥ୍ୟ ଅନୁସାରେ ସମଗ୍ର ଦେଶରେ ୧୩,୦୯୩ଟି ବିଦ୍ୟାଳୟରେ ୮୧ ଲକ୍ଷ ୩୮ ହଜାର ୬୬୪ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷା ଅଧ୍ୟୟନ କରୁଥିଲେ। ରାଜ୍ୟ ସରକାର ସମସ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ରଖିବା ଦରକାର।
ପାଠ୍ୟଖସଡ଼ା ପ୍ରସ୍ତୁତ ବେଳେ ‘ସ୍ଥାନୀୟତା’ ପ୍ରତି ଅଧିକ ବିଶେଷ ଦୃଷ୍ଟିଦେବା ଦରକାର। ଅଯଥା ସି.ବି.ଏସ୍.ଇ ଢାଞ୍ଚାର ଦ୍ୱାହିଦେଇ ପାଠ୍ୟକ୍ରମକୁ ସ୍ଥାନାନ୍ତରିତ ଓ ବୋଧଗମ୍ୟ ନ ହେବାଭଳି କରି ପିଲାଙ୍କୁ ଭାରାକ୍ରାନ୍ତ କରିବା ଉଚିତ ନୁହେଁ।
ମଧ୍ୟଯୁଗୀୟ ଭାରତରେ ଆବୁଲ ଫାଜଲଙ୍କ ଆଇନ-ଇ-ଆକବରୀ ଦର୍ଶାଏ ଯେ ବିଦ୍ୟାଳୟ ଶିକ୍ଷା ନିମନ୍ତେ ନୀତିଶାସ୍ତ୍ର, ପାଟିଗଣିତ, ହିସାବବିଦ୍ୟା, କୃଷି, ପରିମିତି ବିଦ୍ୟା, ଜ୍ୟାମିତି, ଜ୍ୟୋତିର୍ବିଜ୍ଞାନ, ଭାଗ୍ୟଗଣନା, ଗୃହ ପରିଚାଳନା, ଶାସନ ବ୍ୟବସ୍ଥା, ଭେଷଜ ବିଜ୍ଞାନ, ତର୍କଶାସ୍ତ, ବସ୍ତ୍ରବିଜ୍ଞାନ, ଗଣିତ, ଇତିହାସ, ବ୍ୟାକରଣ, ନ୍ୟାୟ, ବେଦାନ୍ତ, ପତଞ୍ଜଳି ଆଦିର ବ୍ୟବସ୍ଥା ଥିଲା। ହୁଏତ ଏହା ସରକାରୀ ଘୋଷଣାନାମାରେ ଥାଇପାରେ କାରଣ ଏସବୁ ଶିକ୍ଷା ବ୍ୟବସ୍ଥା ଥିଲେ ଧର୍ମନାମରେ ବିଦ୍ୱେଷ ଆଦୌ ଜନ୍ମନେଇ ନଥାନ୍ତା କିମ୍ବା ସହଜରେ ଇଂରେଜୀ ଶିକ୍ଷାପଦ୍ଧତି ଭାରତକୁ ଗ୍ରାସ କରି ନଥାନ୍ତା। ମାଦ୍ରାସାଗୁଡ଼ିକ ମୁଖ୍ୟତଃ ମୁସଲମାନ ଧର୍ମତତ୍ତ୍ୱ ଓ ଏହାର ବିଶାଳ ସାହିତ୍ୟ ସହିତ ସଂପୃକ୍ତ ହୋଇ ରହିଗଲା। ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ଏହି ଶିକ୍ଷା ପ୍ରଣାଳୀ ବା ପାଠ୍ୟକ୍ରମକୁ ଆନ୍ତରିକତାର ସହ ଗ୍ରହଣ କରି ନଥିଲେ। ଏହି ଘଟଣାଟିର ଅବତାରଣା ପାଇ ଅର୍ଥ ଏହା ନୁହେଁ ଯେ ମଧ୍ୟଯୁଗୀୟ ଶିକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ଯୁକ୍ତି ରଖାଯାଉଛି। କିନ୍ତୁ ପାଠ୍ୟକ୍ରମ ଗ୍ରହଣ କଲାବେଳେ ଏଗୁଡ଼ିକର ଆବଶ୍ୟକତାକୁ ଏଡ଼ାଯାଇ ନପାରେ। ଆଧୁନିକତାର ଦ୍ୱାହିଦେଇ ସବୁ ଏଡ଼ାଯାଇ ନ ପାରେ। ନୂତନ ପାଠ୍ୟକ୍ରମ ଆବଶ୍ୟକତା ଦୃଷ୍ଟିରୁ ଯୋଡ଼ାଯାଇ ପାରେ।
ଏକଥା ମନେରଖିବାକୁ ହେବ ସବୁ ପ୍ରାଚୀନ ବ୍ୟବସ୍ଥା ଗ୍ରହଣୀୟ ନୁହେଁ। ମୋଗଲ ରାଜୁତି କାଳରେ ଇସଲାମୀୟ ଶିକ୍ଷାବିତ୍ ଫାରଜୀ ଭାଷ୍କରାଚାର୍ଯ୍ୟଙ୍କ ଗଣିତ ଉପରେ ପ୍ରସିଦ୍ଧ କୃତି ଲୀଳାବତୀ ଶାସ୍ତ୍ର ପାର୍ସୀ ଭାଷାରେ ଅନୁବାଦ କରିଥିଲେ। ଅତଏବ ପାଠ୍ୟ ଖସଡ଼ା ପ୍ରସ୍ତୁତିବେଳେ ଯେତେ ଅଧିକ ଉଦାରତା ଦେଖାଯାଇ ପାରେ। ହେଲେ ଏହି ଉଦାରତା ଆବଶ୍ୟକତାକୁ ଯେପରି ଚାପି ନ ଦିଏ ଦେଖିବାର ଅଛି। ଧର୍ମ ଶାସ୍ତ୍ର ସଂପର୍କରେ ପିଲାଙ୍କୁ ପଢ଼ାଇବା ବେଳେ କୌଣସି ବିଦ୍ୱେଷ ସୃଷ୍ଟିକାରୀ କାହାଣୀର ଅବତାରଣା କରା ନଯାଇ ଏଥିରେ ଥିବା ସର୍ବଜନ ମଂଗଳକାରୀ ଉପାଦେୟ ଉପାଖ୍ୟାନ ମାନର ଦୃଷ୍ଟାନ୍ତ ରଖାଯାଇପାରେ। ଯେପରି ଋଷି ଆଶ୍ରମରେ ସତ୍ୟକାମ ଜାବାଳଙ୍କ ଶିକ୍ଷା ବ୍ୟବସ୍ଥା।
ଏହା କେବଳ ଗୋଟିଏ ଖସଡ଼ାର ଚିତ୍ରାଙ୍କନ। ଅଭିଜ୍ଞ ଶିକ୍ଷକ, ଶିକ୍ଷାବିତ୍, ସାହିତ୍ୟିକ, ଐତିହାସିକ ସବୁବର୍ଗର ବୈଜ୍ଞାନିକ, ମନସ୍ତତ୍ତ୍ୱବିତ୍ଙ୍କ ପରାମର୍ଶକ୍ରମେ ପାଠ୍ୟଖସଡ଼ା ପ୍ରସ୍ତୁତ ହେବା ବିଧେୟ। ପ୍ରାଥମିକ ସ୍ତର ଶିକ୍ଷାପାଇଁ ଖସଡ଼ା ପ୍ରସ୍ତୁତ କଲାବେଳେ ବିଶେଷଭାବେ ଶିଶୁ ସାହିତ୍ୟିକ, ଅଭିଜ୍ଞ ଶିକ୍ଷକ, ମନସ୍ତତ୍ୱବିତ୍ ଓ ଶିକ୍ଷାବିତ୍ଙ୍କର ପରାମର୍ଶ ଅଧିକ ଉପଯୋଗୀ ହୋଇଥାଏ। ପାଠ୍ୟ ଖସଡ଼ା ସହିତ ପାଠ୍ୟ ସୋପାନ ପ୍ରସ୍ତୁତି ଅପରିହାର୍ଯ୍ୟ। କେଉଁ ଶ୍ରେଣୀରେ କ’ଣ ପଢ଼ାଯିବ, କେଉଁ ମାସରେ କ’ଣ ପଢ଼ାଯିବ ଏ ସବୁର ପ୍ରସ୍ତୁତି କରାଯାଇ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବା ଆବଶ୍ୟକ। ପ୍ରାଥମିକ ସ୍ତରରେ କ’ଣ ପଢ଼ାଯିବ, ମାଧ୍ୟମିକ ସ୍ତରରେ (୯ମରୁ ଦ୍ୱାଦଶ) ପର୍ଯ୍ୟନ୍ତ କ’ଣ ପଢ଼ାଯିବ, ତାହା ସବୁ ଉପଯୁକ୍ତ ଭାବେ ସ୍ଥିର ହେବା ଦରକାର। ପ୍ରାଥମିକ ସ୍ତରରେ ମାତୃଭାଷା ଅର୍ଥାତ୍ ପିଲାର ମା’ ଯେଉଁ ଭାଷାରେ କଥା ହେଉଥିବ ଏବଂ ଗାଁ’ର ଭାଷା (ଗାଁକୁ ଅନ୍ୟ ସହିତ ଯୋଡ଼ୁଥିବା)ରେ ଶିକ୍ଷାଦେବା ଦରକାର। ମାଧ୍ୟମିକ ସ୍ତରରେ ଏଥିସହିତ ଦେଶ ସହିତ ଯୋଡ଼ୁଥିବା ଭାଷାରେ ଶିକ୍ଷାଦେବା ଦରକାର। ଅର୍ଥାତ୍ ପ୍ରାରମ୍ଭ କାଳରେ ଆଦିବାସୀ ପିଳା ତା’ ମାତୃଭାଷା ସହିତ ରାଜ୍ୟର ଭାଷା ଓଡ଼ିଆରେ ଶିକ୍ଷା ପାଇବ ଓ ମାଧ୍ୟମିକ ସ୍ତରରେ ଓଡ଼ିଆ ଭାଷା ସହିତ ହିନ୍ଦୀ ବା ଇଂରେଜୀରେ ଶିକ୍ଷା ଦିଆଯିବ। ପିଲାର ଆଗ୍ରହ ଦେଖି ଏହି ଶିକ୍ଷାର ସାଧ୍ୟତାକୁ ସଜଡ଼ା ଯାଇପାରେ।
ଫୋ- ୯୪୩୮୩୬୦୮୪୯