ରିଲାଏନ୍ସ ପାଇଁ ଆମାଜନକୁ ଅସମ୍ମାନ

ଶୁଭ୍ରାଂଶୁ ଶେଖର ଜେନା ଅତିଥି ଦେବ ଭବଃ। ଅର୍ଥାତ୍ ବନ୍ଧୁ ହିଁ ଭଗବାନଙ୍କ ଭଳି। ଯଦି ଅତିଥି ଘରକୁ ଆସନ୍ତି ମିଠା ନେଇ ହେଲେ ଘରର ମୁରବି ଯଦି ତାଙ୍କୁ ଅଣଦେଖା କରନ୍ତି ତା’ହେଲେ କେମିତି ଲାଗିବ ସେହି କୁଣିଆଙ୍କୁ? ଆଗାମୀ ଦିନରେ ତାଙ୍କର ଆଭିମୁଖ୍ୟ ସେହି ଘର ପ୍ରତି କ’ଣ ରହିବ? ଆଜିର ସମାଜରେ ଯିଏ ଧନୀ ସିଏ ଜ୍ଞାନୀ ଏବଂ ଚତୁର ମଧ୍ୟ। ଯଦିଓ ପୂର୍ବରୁ ଅନେକ ଧନୀ ଥିଲେ ହେଲେ ଜ୍ଞାନୀ ବା […]

AMBANI AMAZON

Subhransu Sekhar
  • Published: Saturday, 18 January 2020
  • , Updated: 18 January 2020, 05:04 PM IST
  • ଶୁଭ୍ରାଂଶୁ ଶେଖର ଜେନା

ଅତିଥି ଦେବ ଭବଃ। ଅର୍ଥାତ୍ ବନ୍ଧୁ ହିଁ ଭଗବାନଙ୍କ ଭଳି। ଯଦି ଅତିଥି ଘରକୁ ଆସନ୍ତି ମିଠା ନେଇ ହେଲେ ଘରର ମୁରବି ଯଦି ତାଙ୍କୁ ଅଣଦେଖା କରନ୍ତି ତା’ହେଲେ କେମିତି ଲାଗିବ ସେହି କୁଣିଆଙ୍କୁ? ଆଗାମୀ ଦିନରେ ତାଙ୍କର ଆଭିମୁଖ୍ୟ ସେହି ଘର ପ୍ରତି କ’ଣ ରହିବ? ଆଜିର ସମାଜରେ ଯିଏ ଧନୀ ସିଏ ଜ୍ଞାନୀ ଏବଂ ଚତୁର ମଧ୍ୟ। ଯଦିଓ ପୂର୍ବରୁ ଅନେକ ଧନୀ ଥିଲେ ହେଲେ ଜ୍ଞାନୀ ବା ବିଦ୍ୱାନ ନଥିଲେ। ହେଲେ ଏବେର ସମାଜରେ ଜଣେ ଜ୍ଞାନୀ ଚାଲାକ ଓ ଚତୁର ନହେଲେ ସମାଜରେ ଧନୀ ହେବା କଷ୍ଟକର। ସେହି ଭଳି ଧନୀ ବ୍ୟକ୍ତିଙ୍କୁ ଯଦି କେହି ଅସମ୍ମାନ କରେ ତା’ହେଲେ କେମିତି ଲାଗିବ?

ଏଭଳି ଲେଖିବାର କାରଣ ୧୪ ତାରିଖ ତିନି ଦିନିଆ ଭାରତ ଗସ୍ତରେ ଆସିଥିଲେ ବିଶ୍ୱର ଧନୀ ନମ୍ୱର ୧ ବା ଶୀର୍ଷ ଧନୀ ବ୍ୟକ୍ତି ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ। ତିନି ଦିନିଆ ଭାରତ ଗସ୍ତରେ ଆସି ସେ ସ୍ୱଦେଶ ଫେରିଯାଇଛନ୍ତି। ଏହି ଗସ୍ତ ସମୟରେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରୁ ଆରମ୍ଭ କରି କୌଣସି କେନ୍ଦ୍ର ମନ୍ତ୍ରୀଙ୍କ ସହ ତାଙ୍କର ଭେଟଘାଟ ହୋଇପାରିନି। ଜେଫ୍ ବେଜୋସ ଆମାଜନ ଇଣ୍ଡିଆ ଶୋ’ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୧୦୦ କୋଟି ଡଲାର ପୁଞ୍ଜି ନିବେଶ କରିବେ ବୋଲି ଘୋଷଣା କରିଛନ୍ତି। ଏହାଦ୍ୱାରା ୧୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଦେଶରେ ବେରୋଜଗାର ବଢ଼ି ଚାଲିଥିବା ବେଳେ ଆମାଜନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ। ଭାରତ ପାଇଁ ମଧ୍ୟ ଏହା ଆଗାମୀ ଦିନରେ ଲାଭଦାୟକ। ଏମିତିକି ୨୦୨୫ ସୁଦ୍ଧା ଭାରତର ସ୍ୱଦେଶୀ ଜିନିଷକୁ ବିଦେଶରେ ଆମାଜନ ବିକ୍ରି କରିବ ବୋଲି ବେଜୋସ କହିଛନ୍ତି। ଏହାଦ୍ୱାରା ସମ୍ୱଲପୁରୀ ଶାଢ଼ୀ, ପିପିଲି ଚାନ୍ଦୁଆ ପାଖରୁ ଆରମ୍ଭ କରି ଅନେକ ଜିନିଷ ବିଦେଶରେ ଆମାଜନ ଦ୍ୱାରା ଉପଲବ୍ଧ ହେବ। ଯାହାକି ଦେଶର କାରୁକାର୍ଯ୍ୟ ଓ ଐତିହ୍ୟକୁ ମଧ୍ୟ ଦର୍ଶାଇବ।

ହେଲେ ମୋଦି ସରକାରରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ନାଲିଆଖି ଦେଖାଇବାକୁ ଯାଇ କହିଛନ୍ତି ଆମାଜନ ଏହି କାମ କରି କୌଣସି ବଡ଼ ଉପକାର କରୁନାହିଁ। ତାଙ୍କ କମ୍ପାନୀ କ୍ଷତିରେ ପଡ଼ିଛି ବୋଲି ଭାରତରେ ପୁଞ୍ଜିନିବେଶ କରି ଆଗକୁ ବଢ଼ିବାକୁ ହେବ। ଆମାଜନ ଇ-କମର୍ସ ପାଇଁ ଭାରତ ଆସି ମଲ୍ଟି ବ୍ରାଣ୍ଡ ରିଟେଲ ବେପାର କରୁଛି ବୋଲି ଗୋଏଲ କହିଛନ୍ତି।

ତେବେ, ଯେତେବେଳ ଦେଶର ଅଭିବୃଦ୍ଧି ହାର ୧୧ ବର୍ଷ ତଳକୁ ଯାଇଛି, ସେତେବେଳେ ଆମାଜନ ଭଳି କମ୍ପାନୀ ୧୦୦ କୋଟି ଡଲାର ଦେଶରେ ନିବେଶ କରିବା କ’ଣ ଭାରତ ପାଇଁ ଲାଭଦାୟକ ନୁହେଁ? ଏ ପ୍ରଶ୍ନ ଉପରେ ମଧ୍ୟ ଭାରତ ସରକାର ବିଚାର କରିବାର ଥିଲା। ସବୁଠୁ ବଡ଼ କଥା ହେଲା ଯିଏ ବିଶ୍ୱର ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି ତାଙ୍କୁ ମୋଦି ସରକାର ନାଲି ଆଖି କାହିଁକି ଦେଖାଉଛି। ଏହାର ଦୁଇଟି କାରଣ ରହିଛି। ଗୋଟିଏ କାରଣ ବେଜୋସଙ୍କ ଦ୍ୱାରା ପରିଚାଳିତ ଆମେରିକାର ଦୈନିକ ଖବରକାଗଜ ଓ୍ୱାଶିଂଟନ ପୋଷ୍ଟରେ ମୋଦି ସରକାରଙ୍କୁ ସମାଲୋଚନା କରିବା। ଦ୍ୱିତୀୟଟି ରିଲାଏନ୍ସ ଇ-କମର୍ସ ପ୍ଲାଟଫର୍ମ ବଜାରରେ ଅଳ୍ପ ମାସ ଭିତରେ ପ୍ରବେଶ କରିବା।

ପ୍ରଥମ କାରଣ ବାବଦରେ ପ୍ରଥମେ ଆକଳନ କରାଯାଉଥିଲା ହେଲେ ଏବେ ବିଜେପି ନେତା ଏହାକୁ ସ୍ୱୀକାର କରିସାରିଛନ୍ତି। ଓ୍ୱାଶିଂଟନ ପୋଷ୍ଟର ସମ୍ପାଦକୀୟ ପୃଷ୍ଠାରେ ଭାରତର ସାମ୍ୱାଦିକ ବର୍ଖା ଦତ୍ତ ଏବଂ ରାଣା ଆୟୁବଙ୍କୁ ସ୍ଥାନ ମିଳିଛି। ଏମାନେ ମୋଦି ବିରୋଧୀ ସାମ୍ବାଦିକ ଭାବରେ ପରିଚିତ। ମୋଦିଙ୍କ ଅନ୍ତର୍ଜାତୀୟ ଛବି ଖରାପ କରିବାକୁ ଯାଇ ଓ୍ୱାଶିଂଟନ ପୋଷ୍ଟ ଏକପାଖିଆ ଭାବରେ ସମ୍ପାଦକୀୟ ଲେଖା ଲେଖୁଛି ବୋଲି ବିଜେପି ନେତା ଡକ୍ଟର ବିଜୟ ଚୌଥାଇଓ୍ୱାଲେ କହିଛନ୍ତି।

ଓ୍ୱାଶିଂଟନ ପୋଷ୍ଟ ଡିସେମ୍ୱର ୧୩, ୨୦୧୯ରେ ଏକ ସମ୍ପାଦକୀୟ ଲେଖା ଛାପିଥିଲା। ଯେଉଁଥିରେ ଉଲ୍ଲେଖ ରହିଥିଲା ନାଗରିକତା ସଂଶୋଧନ ଆଇନ ପାଇଁ ଭାରତର ମୁସଲମାନ ଦେଶରୁ ବିଦା ହେବେ। ଏହାପରେ ଡିସେମ୍ୱର ୨୪ରେ ଏକ ଓପିନିଅନ ଛାପିଥିଲା, ଯେଉଁଥିରେ ଉଲ୍ଲେଖ ରହିଥିଲା ବିଶ୍ୱର ସବୁଠାରୁ ଗଣତନ୍ତ୍ର ରାଷ୍ଟ୍ର ଏବେ ପଛକୁ ଯାଉଛି, ମୋଦି ଶୁଣିବା ଦରକାର। ସେହିପରି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଅସାମ୍ୱିଧାନିକ ଇତ୍ୟାଦି ଅନେକ ଖବର ଛାପିଥିଲା ବେଜୋସଙ୍କ ଦ୍ୱାରା ପରିଚାଳିତ ଖବର କାଗଜ। ଏବେ ସେହି ରାଗରେ ମୋଦି ସରକାରଙ୍କ କୌଣସି ମନ୍ତ୍ରୀ ବେଜୋସଙ୍କୁ ଦେଖା ନକରି ପରୋକ୍ଷରେ ଅସମ୍ମାନ କରିଛନ୍ତି। ଆମେରିକାରେ ମୋଦିଙ୍କ ନୀତି ନିୟମକୁ ସମାଲୋଚନା କରାଯାଇଛି ହେଲେ ଦେଶରେ ତ ସମର୍ଥନ ମିଳିଛି। ତେଣୁ ବିଦେଶର ଅପମାନର ରାଗ ସୁଝାଇବାକୁ ଯାଇ ନିଜ ଦେଶରେ ସେହି ଖବରକାଗଜ କମ୍ପାନୀର ମାଲିକଙ୍କୁ ନାଲି ଆଖି ଦେଖାଇବାର କାରଣ କ’ଣ? ଏହା ଜର୍ମାନୀର ନାଜି ଶାସନ ଭଳି ନୁହେଁ କି? ସମସ୍ତ ମିଡିଆ ହାଉସ ମୋଦି ସରକାରଙ୍କ ବିଚାରଧାରାକୁ ଠିକ୍ କହିବ, ଏହାର କିଛି କାରଣ ନାହିଁ?

୨୦୧୪ରେ ଦେଶରେ ମୋଦି ସରକାର ଆରମ୍ଭ ହୋଇଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଆମାଜନର ପ୍ରତିଷ୍ଠାତା ଭାରତ ଗସ୍ତରେ ଆସି ତାଙ୍କୁ ଭେଟିଥିଲେ। ଏହି ସମୟରେ ଭାରତରେ ଆମାଜନ ୨୦୦ କୋଟି ଡଲାର ଭାରତରେ ନିବେଶ କରିବ ବୋଲି ଜେଫ ବେଜୋସ ଘୋଷଣା କରିଥିଲେ। ସେହିପରି ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଇଥିଲେ। ଏହି ସମୟରେ ମୋଦିଙ୍କୁ ଭେଟି ବେଜୋସ ଭାରତରେ ୩୦୦ କୋଟି ଡଲାର ପୁଞ୍ଜି ନିବେଶ କରିବେ ବୋଲି ଘୋଷଣା କରିଥିଲେ। ଏମିତିକି ୨୦୧୭ରେ ମୋଦିଙ୍କ ଆମେରିକାରେ ୨୦ ଶୀର୍ଷ ବିଜେନସ ଲିଡରଙ୍କୁ ଭେଟିଥିଲେ। ଏହି ଶୀର୍ଷ ୨୦ ବିଜନେସ ଲିଡରଙ୍କ ମଧ୍ୟରେ ଆମାଜନର ପ୍ରତିଷ୍ଠାତା ଥିଲେ। ଅର୍ଥାତ୍ ପ୍ରଥମ ସରକାର ବେଳେ ଆମାଜନ ପ୍ରତିଷ୍ଠାତାଙ୍କ ସହ ମୋଦିଙ୍କର ଭଲ ସମ୍ପର୍କ ଥିଲା। ହେଲେ ଦ୍ୱିତୀୟ ସରକାର ବେଳକୁ କ’ଣ ଅସୁବିଧା ହେଲା?

ଯାହାର କାରଣ ଦେଶର ଧନୀ ନମ୍ୱର ୧ରେ ଥିବା ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ୱାନୀ। କାରଣ ଇ-କମର୍ସ ବଜାରରେ ଦେଶରେ ପତିଆରା ଜାହିର କରିଥିବା ଆମାଜନ, ଫ୍ଲିପକାର୍ଟ(ଓ୍ୱାଲମାର୍ଟ) ଭଳି ସଂସ୍ଥାକୁ ମାତ୍ ଦେବା ପାଇଁ ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) ଆରମ୍ଭ କରିଛି ଜିଓମାର୍ଟ। ଆରଆଇଏଲର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ଗତ ଡିସେମ୍ୱରଠୁ ନିଜର ଜିଓ ଟେଲିକମ ଗ୍ରାହକଙ୍କୁ ନିଜର ଜିନିଷ ପରୀକ୍ଷାମୂଳକ ଭାବରେ ବିକିବା ଆରମ୍ଭ କରିଛି।

ନିଜକୁ ଦେଶର ନୂଆ ଦୋକାନ ବୋଲି କହୁଥିବା ଏହି ରିଲାଏନ୍ସ ଜିଓମାର୍ଟ ଏବେ କେବଳ ମୁମ୍ୱାଇର ନବି ମୁମ୍ୱାଇ, ଥାନେ, କଲ୍ୟାଣ ଆଦି ଅଞ୍ଚଳରେ ସେବା ଯୋଗାଉଛି। ୨୦୧୯ ଅଗଷ୍ଟ ୧୨ରେ ରିଲାଏନ୍ସ ଏଜିଏମ୍ ବୈଠକରେ ଜିଓମାର୍ଟର ଶୁଭାରମ୍ଭ ବାବଦରେ ମୁକେଶ ଘୋଷଣା କରିଥିଲେ। ରିଲାଏନ୍ସ ଏହି ବ୍ୟବସାୟୀ ଖାଲି ଓ୍ୱାଲମାର୍ଟ ଓ ଆମାଜନକୁ ମାତ୍ ଦେବା ପାଇଁ ଆଣି ନାହିଁ। ବରଂ ବିଶ୍ୱର ସବୁଠୁ ବଡ଼ ରିଟେଲ ବ୍ୟବସାୟ କରୁଥିବା ଆଲିବାବାକୁ ଟକ୍କର ଦେବା ଲକ୍ଷ୍ୟରେ ଏହି ବ୍ୟବସାୟ ଆରମ୍ଭ କରୁଛି ବୋଲି ଜଣାପଡ଼ିଛି। ଦେଶରେ କିନ୍ତୁ ଏବେ ଇ-କମର୍ସ ସାଇଟ୍ ଭାବରେ ଫ୍ଲିପକାର୍ଟ(ଓ୍ୱାଲମାର୍ଟ) ଏବଂ ଆମାଜନର ଲୋକପ୍ରିୟତା ରହିଛି। ଚାଇନାରେ ଏହି ଦୁଇ ବିଦେଶୀ କମ୍ପାନୀ ବ୍ୟବସାୟ କରିପାରୁନଥିବାରୁ ଭାରତ ହେଉଛି ଏହି ଦୁଇ କମ୍ପାନୀଙ୍କ ପାଇଁ ସବୁଠୁ ବଡ଼ ବଜାର।

ଏବେ ଟିକିଏ ପୁରୁଣା କଥାକୁ ମନେପକାଇ ଦେଉଛୁ। ୨୭ ଡିସେମ୍ୱର ୨୦୧୫ରେ ସାରା ଦେଶରେ ରିଲାଏନ୍ସ ଜିଓ ଲଞ୍ଚ କରିଥିଲା। ଜିଓ ବଜାରରେ ପ୍ରବେଶ କରିବା ବେଳକୁ ଏୟାରଟେଲ, ଏୟାରସେଲ, ରିଲାଏନ୍ସ ସିଡିଏମଓ, ସ୍ମାର୍ଟ, ବିଏସଏନଏଲ, ଭିରଜିନ, ଟାଟା ଡୋକମୋ, ଭୋଡ଼ାଫୋନ, ଆଇଡିଆ ଭଳି ପୁରୁଣା କମ୍ପାନୀ ଥିଲେ। ହେଲେ ମାଗଣା ଅଫର ଏବଂ ନୂଆ ଟେକ୍ନୋଲଜିକୁ ବ୍ୟବହାର କରି ବର୍ଷକ ଭିତରେ ଅନ୍ୟ ଟେଲିକମ କମ୍ପାନୀର ଗ୍ରାହକଙ୍କୁ ନିଜ ପକେଟରେ ପୂରାଇବାରେ ସକ୍ଷମ ହୋଇଥିଲା ମୁକେଶଙ୍କ ଜିଓ। ରିଲାଏନ୍ସର ମାଗଣା ଅଫର ପାଇଁ ଏବେ ଅନେକ ଟେଲିକମ କମ୍ପାନୀଙ୍କ ସ୍ଥିତି ଖରାପ। ଅନେକ ବ୍ୟବସାୟ ମଧ୍ୟ ବନ୍ଦ କରିସାରିଲେଣି। ତେଣୁ ଏବେ ଆମାଜନକୁ ନାଲିଆଖି ଦେଖାଇ ନିରୁତ୍ସାହିତ କରି ରିଲାଏନ୍ସକୁ ଆଗକୁ ବଢ଼ାଇବା ପାଇଁ ମୋଦି ସରକାରଙ୍କର ଆଉ ଏକ ଚାଲ୍ ହୋଇପାରେ।

ରିଲାଏନ୍ସ ଦେଶର କମ୍ପାନୀ। ଏହାକୁ ବିରୋଧ କରିବାର କୌଣସି ଆବଶ୍ୟକ ନାହିଁ। ଦେଶର କମ୍ପାନୀରେ ଦେଶବାସୀ ନିଯୁକ୍ତି ପାଇବେ, ବଜାର ବଢ଼ିବ, ଏହା ଭଲ କଥା। ହେଲେ ଦେଶର ଗୋଟିଏ କମ୍ପାନୀକୁ ଆଗକୁ ବଢ଼ାଇବାକୁ ଯାଇ ଦେଶରେ ବ୍ୟବସାୟ କରୁଥିବା ଏକ ପୁରୁଣା କମ୍ପାନୀକୁ ବିଭିନ୍ନ ପ୍ରକାର ନାଲିଆଖି ଦେଖାଇବା ଅସମ୍ମାନ କରିବା ଏହା କେବେ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ନାରାର ପ୍ରତିଫଳନ ନୁହେଁ। ଯଦି ଆଜି ଆମାଜନ ଭାରତ ଛାଡ଼ିବ ତା’ହେଲେ ସେହି କମ୍ପାନୀରେ ନିଯୁକ୍ତ ହୋଇଥିବା କର୍ମଚାରୀ ଚାକିରି ହରାଇବା ସୁନିଶ୍ଟିତ। ଏହାଦ୍ୱାରା ଦେଶବାସୀ ହିଁ କ୍ଷତିରେ ରହିବେ।

Related story