- ଡ଼ଃ ରିନା ରାଉତରାୟ
ଛୋଟିଆ ଘଟଣାରୁ ଆରମ୍ଭ କରିବି ମୋ କଥା। ୧୯୭୪ ମସିହାରେ ଯେତେବେଳେ ପୋଖରାନ ଠାରେ ଭାରତ ତାର ପ୍ରଥମ ଆଣବିକ ବୋମା ପରୀକ୍ଷା କରିଥିଲା ସେତେବେଳେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଥିଲେ ପ୍ରଫେସର ରାଜା ରମଣ ।ଆଣବିକ ବୋମାର ସଫଳ ପରୀକ୍ଷଣ ପରେ ପ୍ରଫେସର ରାଜା ରମଣ ସେତେବେଳେର ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ଟେଲିଫୋନରେ କହିଥିଲେ "ବୁଦ୍ଧ ହସିଲେ" / Buddha has Smiled । ଏହାଥିଲା ସେହି ପରୀକ୍ଷାର ସଫଳତାର ସାଙ୍କେତିକ ଭାଷା। ବାସ୍ତବରେ ଏହି ସାଙ୍କେତିକ ଭାଷା ପଛରେ ଏକ ପୌରାଣିକ ଗଳ୍ପ ରହିଛି। ଗପଟି ଏମିତି।
ବୁଦ୍ଧ ଯୁଗର କଥା। ମଗଧର ରାଜା ବିମ୍ବିସାର ଏକଦା ଗୌତମ ବୁଦ୍ଧଙ୍କ ଆଶ୍ରମକୁ ବୁଲି ଆସିଥିଲେ। ଆଶ୍ରମରେ ପ୍ରବେଶ କଲାପରେ ସେ ପ୍ରଥମେ ଭେଟିଥିଲେ ବୁଦ୍ଧଙ୍କ ପଟଶିଷ୍ୟ ସାରୀପୁତ୍ତଙ୍କୁ । ମହାରାଜଙ୍କୁ ଅଭିବାଦନ ଉପାରାନ୍ତେ କୁଶଳ ଜିଜ୍ଞାସା କରିବାରୁ ମହାରାଜା ଅତି ପ୍ରସନ୍ନ ଚିତ୍ତରେ ତାଙ୍କର ବିଭିନ୍ନ ରାଜ୍ୟ ଜୟର କାହାଣୀ ସଗର୍ଵରେ କହି ଚାଲିଲେ। ସାରୀପୁତ୍ତ ମନଦେଇ ତାଙ୍କର ବିଜୟର ଗାଥା ଶୁଣିଲେ।
ମହାରାଜଙ୍କ କଥା ସରିଲା ପରେ ସାରୀପୁତ୍ତ ତାଙ୍କୁ କହିଲେ ହେ ଦିଗ ବିଜୟୀ ମହାରାଜା ଆପଣଙ୍କ ବୀରତ୍ବରେ ମୁଁ ମୁଗ୍ଧ । କିନ୍ତୁ ଆପଣ ମୋର ଗୋଟିଏ ଛୋଟ ଅନୁରୋଧ ରକ୍ଷା କରି ପାରିବେ। ମହାରାଜା ତୁରନ୍ତ ସମ୍ମତି ପ୍ରଦାନ କରନ୍ତେ ସାରୀପୁତ୍ତ ତାଙ୍କୁ କହିଲେ ହେ ଧନୁର୍ଦ୍ଧର ବୀର ଆପଣ ଏହି ଓସ୍ତ ଗଛରେ ଥିବା ପତ୍ର ଗୁଡିକୁ ଗୋଟିଏ ମାତ୍ର ତୀରରେ ତଳକୁ ଖସାଇ ଦେଇ ପାରିବେ ? ମହାରାଜ ତୁରନ୍ତ ତୁଣୀରୁ ତୀର ବାହାର କରି ଧନୁରେ ଲକ୍ଷ୍ୟ କରି ତୀର ନିକ୍ଷେପ କରନ୍ତେ ଓସ୍ତ ଗଛଟିର ସମସ୍ତ ପତ୍ର ଭୂମି ସ୍ପର୍ଶ କଲେ । ସ୍ମିତହାସ୍ୟ ଦେଇ ମହାରାଜ ସାରୀପୁତ୍ତଙ୍କ ଆଡକୁ ଚାହାଣୀ ନିକ୍ଷେପ କରିବାରୁ ସାରୀପୁତ୍ତ ହାତଯୋଡି ମହାରାଜଙ୍କୁ କହିଲେ ହେ ବୀରଶ୍ରେଷ୍ଠ ଏହି ଭୂପତିତ ପତ୍ର ମାନଙ୍କ ମଧ୍ୟରୁ ଗୋଟିଏ ମାତ୍ର ପତ୍ର ପୁନଶ୍ଚ ଗଛ ଡାଳରେ ଲଗାଇଦେବାକୁ ଅନୁରୋଧ। ସ୍ତମ୍ବିଭୁତ ହୋଇଗଲେ ମହାରାଜ। ନା ଅସମ୍ଭବ । ଯେତେ ଚେଷ୍ଟା କଲେ ମଧ୍ୟ ଏହା ହୋଇ ପାରିବ ନାହିଁ।
କିଛି ଦୂରରେ ଗୌତମ ବୁଦ୍ଧ ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ। ସେ କେବଳ ସ୍ମିତହାସ୍ୟ ଟିଏ ଦେଲେ। ଦୌଡ଼ି ଯାଇ ମହାରାଜା ତାଙ୍କ ପାଦ ତଳେ ପଡିଯାଇ କ୍ଷମା ପ୍ରାର୍ଥନା କରି ଭୋ ଭୋ ହୋଇ କାନ୍ଦି ପକାଇଲେ। ହେ ପ୍ରଭୁ ରାଜ୍ୟ ଜୟ ପାଇଁ ମୁଁ ଯେଉଁ ଧନ ଜୀବନ ନଷ୍ଟ କରିଛି ଏବେ ଶତ ଚେଷ୍ଟା କଲେ ମଧ୍ୟ ମୁଁ ତାହା ଫେରାଇ ଆଣିପାରିବି ନାହିଁ । କ୍ଷମତାର ମୋହରେ ଅନ୍ଧ ହୋଇ ମୁଁ ଯାହା ସବୁ ଧ୍ୱଂସ କରିଛି ସେଥିପାଇଁ ମୁଁ ନିଜକୁ ଅପରାଧୀ ମଣୁଛି। ମୋତେ କ୍ଷମା କରି ଦିଅନ୍ତୁ ପ୍ରଭୁ । ଏହି କଥାରୁ ଆସିଲା ପରମାଣୁ ବୋମା ପରୀକ୍ଷା ବେଳର ସାଙ୍କେତିକ ଭାଷା । Buddha has Smiled .ଅର୍ଥାତ ପରମାଣୁ ବୋମା ନାମରେ ଯେଉଁ ଧ୍ବଂସର ବୀଜଟିଏ ବୁଣା ହେଲା ତାହା ଯେତେବେଳେ ସମଗ୍ର ମାନବ ସମାଜକୁ ଧ୍ୱଂସ ଆଡକୁ ଟାଣିନେବ ଏବଂ ସମସ୍ତେ ସେତେବେଳେ ପୁଣି ଅସହାୟ ହୋଇଯିବେ ମହାରାଜଙ୍କ ପରି ଏବଂ ସେଇଠି ଥରେ ପୁଣି ବୁଦ୍ଧ ସ୍ମିତହାସ୍ୟ କରିବେ ମନୁଷ୍ୟର ଅସହାୟତା ଉପରେ।
ଏହି ପ୍ରସଙ୍ଗ ପରେ ଆପଣ ମାନେ ବୁଝି ପାରିବେଣି ଆମେ ଏବେ ଗାନ୍ଧୀଙ୍କୁ କାହିଁକି ଖୋଜୁଛୁ। ଏକବିଂଶ ଶତାବ୍ଦୀରେ ଯେତେବେଳେ ମହିଳା ଚନ୍ଦ୍ରରେ ପହଂଚିଲେଣି ଓ ଆଙ୍ଗୁଠି ଦବାଇଲେ ସମଗ୍ର ବିଶ୍ୱକୁ ଆଖି ଆଗରେ ଦେଖି ପାରୁଛୁ ସେତେବେଳେ ପୁଣି କ’ଣ ପାଇଁ ମହିଳା ସଶକ୍ତିକରଣର ଆବଶ୍ୟକତା ରହିଛି ବା ସ୍ୱଚ୍ଛତାର କଥା ଉଠୁଛି ବା ଲିଙ୍ଗଗତ ବୈଷମ୍ୟ ଯୋଗୁଁ କନ୍ୟା ଭ୍ରୂଣହତ୍ୟା ହେଉଛି , କଣ ପାଇଁ ଆଜି ବି ଜନ୍ମିତ କନ୍ୟା ଶିଶୁକୁ କ୍ଷୀରରେ ବୁଡ଼ାଇ ବୁଡ଼ାଇ ମାରି ଦିଆ ଯାଉଛି? ଆଧୁନିକତାର ଦ୍ୱାହିରେ ବିଶୃଙ୍ଖଳତା ଆଜି ଆମକୁ ଧ୍ବଂସ ମୁଖକୁ ଟାଣି ନେଉଛି । ଚାରିଆଡେ ଅରାଜକତା, ହିଂସା , ଦ୍ଵେଷ , ଅବିଶ୍ୱାସ ଓ ଘୃଣାର ବାତାବରଣ । ମନେପଡନ୍ତି ଗାନ୍ଧୀ ଏଇଥି ପାଇଁ ଯେ ଆଉ ବ୍ରିଟିଶ ମାନଙ୍କ ଦ୍ୱାରା ନୁହେଁ ନିଜ ଜାତିର , ନିଜ ପରିବାରର, ନିଜ ପଡ଼ିଶା ଦ୍ୱାରା ୬୦ ବର୍ଷର ମହିଳା ଓ ୩ ବର୍ଷର ଶିଶୁଟିଏ ମଧ୍ୟ ଦିନ ଦ୍ଵିପ୍ରହରରେ ରାଜ ରାସ୍ତାରେ ବଳାତ୍କାରର ଶିକାର ହେଉଛି କାହିଁକି?
ଆଜି ବି ଭାରତ ବାଲ୍ୟବିବାହରେ ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛି। ଏବେ ବି ମଣିଷ ମୁକ୍ତ ହୋଇପାରିନି ଛୁଆଁଅଛୁଆଁର ଭେଦଭାବରୁ, ସରିନାହିଁ ଧନୀ ଓ ଗରିବର ପ୍ରଭେଦ । ବରଂ ଧନୀ ଆହୁରି ଧନୀ ଓ ଗରିବ ଆହୁରି ଗରିବ ହୋଇଚାଲିଛି। ସମାନତା ନାଁ ରେ ଅସମାନତା। ସେବା ନାଁରେ ଶୋଷଣ।
ପାଶବିକତା ଆଜି ମନୁଷ୍ୟର ଧର୍ମ ପାଲଟିଛି। ଜୀବଜନ୍ତୁ ତ ଦୂର କଥା ମନୁଷ୍ୟ ସାଜିଛି ମନୁଷ୍ୟର ଶତ୍ରୁ। ମନୁଷ୍ୟ ସହର ଅପେକ୍ଷା ଜଙ୍ଗଲକୁ ଅଧିକ ସୁରକ୍ଷିତ ମଣୁଛି। ଭାରତମାତା ତା’ର ଧର୍ଷିତା ଝିଅର ଶବକୁ କୋଳରେ ଧରି ନ୍ୟାୟ ପାଇଁ ଦୁଆର ଦୁଆର ବୁଲୁଛି , କାଶ୍ମୀରଠାରୁ କନ୍ୟାକୁମାରୀ ସବୁଠି ଅବଳା ଦୁର୍ବଳାର କ୍ରନ୍ଦନ ଧ୍ୱନି । ଚତୁର୍ଦିଗରେ ଅବିଶ୍ୱାସ, ସନ୍ଦେହ , ହିଂସା ,ଦ୍ଵେଷ ,ଛଳନା। କଷ୍ଟସାଧ୍ୟ ସ୍ବାଧୀନତାର ମୂଲ୍ୟବୋଧ ରାଜରାସ୍ତାରେ ନିଲାମ ହେଉଛି। ସର୍ଵଧର୍ମ ପ୍ରିୟ ଭାରତ ଆଜି ରାମ , ରହିମ ,ଯୀଶୁ ଓ ଆଲ୍ଲାଙ୍କ ନାମରେ ଭାଗଭାଗ ।ଏଠି ନିଜେ ରକ୍ଷକ ହିଁ ଭକ୍ଷକ ହେଇଛି , ଆଜି ସାମ୍ପ୍ରଦାୟିକତା ରାଜନୀତିର ଏକ ଆଧ୍ୟାୟ ହେଇଛି । ଦିବାଲୋକରେ ନିଶାସକ୍ତ ହୋଇ ତନ୍ଦ୍ରାଗ୍ରସ୍ତ ଯୁବଗୋଷ୍ଠୀ। ସେମାନଙ୍କ ସମ୍ମୁଖରେ କେହି ନାହାନ୍ତି ଯାହାଙ୍କୁ ଅନୁକରଣ କରି ଆଦର୍ଶ ରୂପ ଅନୁସରଣ କରି ଭବିଷ୍ୟତ ଗଢିବାରେ ସାହାଯ୍ୟ କରିବା ପାଇଁ। ଏମିତି ଏକ ନିର୍ଣ୍ଣାୟକ ମୋଡ଼ରେ ଗାନ୍ଧୀ ବିଚାରର ପ୍ରାସଙ୍ଗିକତାର ଗୁରୁତ୍ୱ ରହିଛି। ଗାନ୍ଧୀ ଚିନ୍ତା ଓ ଚେତନାର ପ୍ରଚାର ଜରୁରୀ ହୋଇ ପଡିଛି। ସମସ୍ତଙ୍କୁ ଶାନ୍ତି ଦରକାର।
ସେଥିପାଇଁ ଆମେ ଖୋଜୁଛୁ ଆଜି ସତ୍ୟ ଅହିଂସା ଓ ଶାନ୍ତିର ପ୍ରତୀକ ଆମ ପ୍ରିୟ ବାପୁଙ୍କୁ । ସେ ଦୁର୍ଗମ ପଥରେ ଯାତ୍ରା କରି ଯେଉଁ ରାସ୍ତା ସେ ଦେଖାଇ ଯାଇଛନ୍ତି ସେହି ରାସ୍ତାରେ ଯାତ୍ରା କରିବା ହିଁ ସବୁ ସମସ୍ୟାର ସମାଧାନ । ସେହି ରାସ୍ତା ଆପଣେଇ ନବାକୁ ହିଁ ପଡିବ। ଆଧୁନିକତାର ଦ୍ୱାହିରେ ଦୌଡ଼ି ଦୌଡ଼ି ମନୁଷ୍ୟ ଆଜି କ୍ଲାନ୍ତ । ପୁଣି ସେ ଫେରିବାକୁ ଚାହୁଁଚି ସେଇ ସତ୍ୟ ଅହିଂସା ଓ ପ୍ରେମର ସ୍ୱଛ ପରିବେଶକୁ।
ସ୍ୱାବଲମ୍ବୀ ହେବା , ସ୍ୱାଭିମାନି ହେବା। ନିଜ କାମ ନିଜେ କରିବା।ପଡିଶାଙ୍କୁ ଭଲପାଇବା। ମାନଅଭିମାନ ଭୁଲି ଭାଇଚାରାର ପ୍ରତିଷ୍ଠା କରିବା। ଜାତି ,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମିଳିମିଶି ଶାନ୍ତି ପ୍ରତିଷ୍ଠା କରିବା। ପୁଣି ଆମ ଗାଁକୁ ଫେରିବା। କାଟି ପିନ୍ଧିବା କୁଟି ଖାଇବା। ଗାଁ ହେଉଛି ଭାରତ ବର୍ଷର ଆତ୍ମା।ଆମ ଗାଁର ବିକାଶ ଆମେ କରିବା। ସୁନାଗରିକଭାବରେ ଆମକୁ ତିନୋଟି କର୍ତ୍ତବ୍ୟ ସଂପାଦାନ କରିବାକୁ ହେବ।ଆମକୁ ଜନ୍ମ ଦେଇଥିବା ଆମ ମାଆବାପାଙ୍କ ପ୍ରତି ଆମର କର୍ତ୍ତବ୍ୟ , ଆମକୁ ଶିକ୍ଷାଦାନ ଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପ୍ରତି ଆମର କର୍ତ୍ତବ୍ୟ ଓ ଯେଉଁ ସମାଜରେ ଆମେ ବାସ କରୁଛେ ସେହି ସମାଜ ପ୍ରତି ଆମର କର୍ତ୍ତବ୍ୟକୁ କେବେହେଲେ ଭୁଲିଯିବା ନାହିଁ ।
ଯାହା ଗାନ୍ଧୀ କାର୍ଯ୍ୟରେ କରି ଦେଖାଇଯାଇଛନ୍ତି। ଉଚ୍ଚାରଣ ଓ ଆଚରଣରେ ସମାନତା ରକ୍ଷା କରି ସାରା ବିଶ୍ୱରେ ପୂଜ୍ୟ ହୋଇପାରିଛନ୍ତି।ସେଥିପାଇଁ ଗାନ୍ଧୀ ମନେପଡନ୍ତି କାରଣ ବର୍ତ୍ତମାନ ସମଗ୍ର ବିଶ୍ୱ ଚେତନାକୁ ସତ୍ୟ ଓ ଅପରିଗ୍ରହ ଆଡକୁ ନେଇ ଯିବା ପାଇଁ ଗାନ୍ଧୀ ଦର୍ଶନ ହିଁ ଏକମାତ୍ର ମାର୍ଗ । ବର୍ତ୍ତମାନ ନିଷ୍ପତ୍ତି ଆମର - ଆମେ କେଉଁ ରାସ୍ତାକୁ ଆପଣେଇବା ?
ଈର୍ଷା , ଅସୂୟାଭରା ଆତ୍ମବିଧ୍ଵଂସୀ ଅନ୍ଧକାରକୁ ନା ଶାନ୍ତି , ସୌହାର୍ଦ୍ଦ୍ୟ ଓ ସହଭାଗିତାପୂର୍ଣ ସହାବସ୍ଥାନ ଆଡକୁ। ସାମୟିକ ସୁଖର ଆବେଗରେ ଚିରନ୍ତନ ସତ୍ୟକୁ ଆଖିବୁଜିବା ନା ଶାଶ୍ୱତର ସନ୍ଧାନରେ ବ୍ରତୀ ହୋଇ ଏକ ନୂତନ ଯୁଗର ଆବାହନ କରିବା ??