Advertisment

ବିନା ଅସ୍ତ୍ରୋପଚାରରେ ୯ ବର୍ଷ ବାଳକର ଫୁସ୍‌ଫୁସ୍‌ରୁ ବାହାରିଲା ଛୁଞ୍ଚି

ବାଳକକୁ ପେଡ଼ିଆଟିକ୍‌ ପଲମୋନୋଲୋଜି ଆଣ୍ଡ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତା’ପରେ ଏକ୍ସ୍ରେ କରାଯାଇଥିଲା। ତା’ପରେ ବିନା ଅସ୍ତ୍ରୋପଚାରରେ ଛୁଞ୍ଚି ବାହାର କରିବାକୁ ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ।

author-image
Manoranjan Sial
Boy

Boy

ଜିତିଲା ଚିକିତ୍ସା ବିଜ୍ଞାନ। ୯ ବର୍ଷର ଛୁଆ ପାଇଲା ନୂଆ ଜୀବନ। ବିନା ଅସ୍ତ୍ରୋପଚାରରେ ଛୁଆର ଫୁସ୍‌ଫୁସ୍‌ରୁ ଛୁଞ୍ଚି ବାହାର କରିଛନ୍ତି ଏମ୍‌ସ ଭୁବନେଶ୍ୱର ଡାକ୍ତର। ଛୁଞ୍ଚିର ଲମ୍ୱ ୪ ସେଣ୍ଟିମିଟର ହେବ। ବର୍ତ୍ତମାନ ଛୁଅ ସୁସ୍ଥ ଥିବା ଜଣାପଡ଼ିଛି।

Advertisment

ପଶ୍ଚିମବଙ୍ଗର ଏକ ୯ ବର୍ଷର ବାଳକ ସିଲେଇ ଛୁଞ୍ଚିରେ ଦାନ୍ତ ଖୁଣ୍ଟୁଥିଲା। ଅସାବଧନତା ଯୋଗୁ ଛୁଞ୍ଚିଟି ଭିତରକୁ ପସି ଯାଇଥିଲା। ଏ ସମ୍ପର୍କରେ ପରିବାର ଲୋକେ ଜାଣିପାରି ତାଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ ନେଇଥିଲେ। ସେଠାରେ ତାଙ୍କର ଏକ୍ସ୍ରେ କରାଯାଇଥିଲା। ଛୁଞ୍ଚିଟି ଫୁସ୍‌ଫୁସ୍‌ରେ ଅଟକିଥିବା ଦେଖି ବାହାର କରିବା ପାଇଁ ଡାକ୍ତରମାନେ ସାହସ କରିପାରିନଥିଲେ। ପଶ୍ଚିମବଙ୍ଗରେ ଅନେକ ଡାକ୍ତରଖାନା ବୁଲିଲା ପରେ ଛୁଆକୁ ଧରି ଏମ୍‌ସ ଭୁବନେଶ୍ୱର ଆଣିଥିଲେ ପରିବାର ଲୋକ।

ବାଳକକୁ ପେଡ଼ିଆଟିକ୍‌ ପଲମୋନୋଲୋଜି ଆଣ୍ଡ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତା’ପରେ ଏକ୍ସ୍ରେ କରାଯାଇଥିଲା। ତା’ପରେ ବିନା ଅସ୍ତ୍ରୋପଚାରରେ ଛୁଞ୍ଚି ବାହାର କରିବାକୁ ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ। କାରଣ ଫୁସ୍‌ଫୁସ୍‌ରେ ଛୁଞ୍ଚିର ଅବସ୍ଥିତି ଯେପରି ଥିଲା, ଏପରି ସ୍ଥଳେ ଜଟିଳ ଅସ୍ତ୍ରୋପଚାର ସାହାଯ୍ୟ ଜରୁରୀ ଥିଲା। ସ୍ଥଳବିଶେଷରେ ଫୁସ୍‌ଫୁସ୍‌ର କିଛି ଅଂଶକୁ ମଧ୍ୟ କଢ଼ାଯିବା ଆବଶ୍ୟକ ପଡ଼ିବାର ଯଥେଷ୍ଟ ଆଶଙ୍କା ଥିଲା। ତେଣୁ ଶିଶୁ ବିଶେଷଜ୍ଞ ଡ. ରଶ୍ମି ରଂଜନ ଦାସ, ଡ. କ୍ରିଷ୍ଣ ଏମ୍‌ ଗୁଲ୍ଲା, ଡ. କେତନ ଓ ଡ. ରାମକୃଷ୍ଣଙ୍କୁ ନେଇ ଗଠିତ ବିଶେଷଜ୍ଞ ଦଳ ବିନା ନିରାପଦରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଛୁଞ୍ଚିକୁ ବାହାର କରିବାରେ ସଫଳତା ହାସଲ କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ଏକ ଘଣ୍ଟା ସମୟ ନେଇଥିଲା।

Advertisment

ଜଟିଳ ସ୍ଥିତିରେ ଅସ୍ତ୍ରୋପଚାର ନାବାଳକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଆନ୍ତା। ମାତ୍ର ଏମ୍‌ସ ପକ୍ଷରୁ ଏପରି ଅଭିନବ ଉପାୟରେ କରାଯାଇଥିବା ପ୍ରକ୍ରିୟା ବେଶ୍ ଲାଭଦାୟୀ ହୋଇପାରିଥିବା ଡ. ରଶ୍ମୀ ରଂଜନ ଦାସ ପ୍ରକାଶ କରିଛନ୍ତି। ଚାରି ଦିନ ପରେ ଉକ୍ତ ନାବାଳକଙ୍କୁ ହସ୍‌ପିଟାଲରୁ ଡିସ୍‌ଚାର୍ଯ କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ସହିତ ସାଧାରଣ ଜୀବନଯାପନ କରୁଥିବା ଡ. ଦାସ ସୂଚନା ଦେଇଛନ୍ତି।

ଡ. କ୍ରିଷ୍ଣ ଏମ ଗୁଲା ସୂଚନା ଦେଇଛନ୍ତି ଯେ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ପେଡିଆଟ୍ରିକ୍ ପୁଲମୋନୋଲୋଜି ଏବଂ ଆଇସିୟୁ ଦଳ କାର୍ଯ୍ୟ କରୁଛି। ଏକ ମାସର ନବଜାତକ ଶିଶୁଙ୍କଠାରୁ ୧୫ ବର୍ଷ ପର୍ଯ୍ୟନ୍ତ ବ୍ରୋଙ୍କୋସ୍କୋପିକ୍ ପଦ୍ଧତି ମାଧ୍ୟମରେ ଗୋଟିଏ ସ୍ଥାନରେ ସାମଗ୍ରୀକ ଶିଶୁ ଚିକିତ୍ସା ସୁବିଧା ରାଜ୍ୟରେ ଅନ୍ୟ କେଉଁଠି ଉପଲବ୍ଧ ନାହିଁ।

୨୦୨୧ ମସିହାରୁ ଏମ୍‌ସରେ ଏକ ଶିଶୁ ବ୍ରୋଙ୍କୋସ୍କୋପିକ୍ ସୁବିଧା ସହିତ ଶିଶୁ ବିଭାଗ, ନିଦାନ ଏବଂ ଚିକିତ୍ସା ପ୍ରଣାଳୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ କାର୍ଯ୍ୟ ଜାରି ରହିଛି। ଏହି ସୁବିଧା ଜରୁରୀ ସମୟରେ ଶରୀର ଭିତରକୁ ଚାଲିଯାଇଥିବା ବାହ୍ୟ ତୀକ୍ଷ୍ଣ ବସ୍ତୁକୁ ଅପସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶ୍ୱାସକ୍ରିୟା ରୋଗ ସହ ଜଡିତ ଶିଶୁ ରୋଗ ପାଇଁ ମଧ୍ୟ ଏହା ବେଶ ଉପାଦେୟ ହୋଇପାରିଛି।

Bhubaneswar Bhubaneswar News AIIMS