Advertisment

ବିଦ୍ୟୁତ ଦେଇଥିଲା ଯାତନା, ଏମ୍‌ସ ଦେଲା ନୂଆ ଜୀବନ

ଏମ୍‌ସ ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ସ୍ଥାପନ ହେବ ଏକ ସ୍କିନ ବ୍ୟାଙ୍କ। ଯାହାକି ଅନେକ ପୋଡ଼ା ରୋଗୀଙ୍କ ପାଇଁ ସଞ୍ଚାରିବ ଜୀବନ ଜିଇଁବାର ନୂଆ ଆଶା।

AIIMS

AIIMS

Advertisment

ବିଦ୍ୟୁତ ଦେଇଥିଲା ଯାତନା। ଯନ୍ତ୍ରଣାରେ ଜର୍ଜରିତ ହେଉଥିଲେ ୬ ବର୍ଷୀୟ ଶ୍ରାବଣୀ ମଲ୍ଲିକ ଓ ୭ ବର୍ଷୀୟ ସୂର୍ଯ୍ୟକାନ୍ତ। କେବେ ଜୀବନ ପାଇବେ ବୋଲି ଭାବିନଥିଲେ। ଭୁବନେଶ୍ୱର ଏମ୍‌ସ ଡାକ୍ତରଙ୍କ ଯୋଗୁ ଉଭୟ ନୂଆ ଜୀବନ ପାଇଲେ। ଅନ୍ୟ ଜଣଙ୍କର ସ୍କିନ ଦେଲା ଉଭୟଙ୍କୁ ନୂଆ ଜୀବନ। ଆଲୋଗ୍ରାଫ୍ଟ ଚିକିତ୍ସା ଜରିଆରେ ମିଳିପାରିଛି ଏଭଳି ସଫଳତା।

Advertisment

ଭୁବନେଶ୍ୱର କେଶୁରା ଗାଁର ୬ ବର୍ଷିୟା ଝିଅ ଶ୍ରାବଣୀ ମଲ୍ଲିକ। ଜୁନ୍ ୯ ତାରିଖରେ ଛାତ ଉପରେ ଖେଳୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଯେଉଁଥିପାଇଁ ଶ୍ରାବଣୀଙ୍କ ଦୁଇ ହାତ ଓ ପୂରା ପେଟ ପୋଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା।

ହେଲେ ଡାକ୍ତର କହିଥିଲେ, ଉଭୟ ହାତ କାଟିଲେ ଯାଇ ଝିଅକୁ ବଞ୍ଚେଇବା ଅସମ୍ଭବ ହେବ। ଏସ୍‌ସିବି ଡାକ୍ତରଙ୍କଠାରୁ ଏପରି ନିରାଶା ବାଣୀ ଶୁଣିବା ପରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ। ପରେ ଶେଷ ଆଶା ନେଇ ପହଞ୍ଚିଥିଲେ ଏମ୍‌ସରେ। ଶ୍ରାବଣୀଙ୍କୁ ଭୁବନେଶ୍ୱର ଏମ୍‌ସ ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।

Advertisment

ସେହିପରୀ ପୁରୀର ୭ ବର୍ଷୀୟ ସୂର୍ଯ୍ୟକାନ୍ତ। ବିଜୁଳି ସଂସ୍ପର୍ଶରେ ଆସିବା ପରେ ମୁହଁକୁ ଛାଡ଼ି ପୂରା ଶରୀର ଜଳି ଯାଇଥିଲା। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ହାତ ଟେକି ଦେଇଥିଲେ। ଏହା ପରେ ପରିବାର ଲୋକେ ଭଗବାନଙ୍କ ଭରସାରେ ଏମ୍‌ସରେ ଭର୍ତ୍ତି କରିଥିଲେ।

ଏଭଳି ସ୍ଥିତିରେ ଉଭୟ ଶିଶୁଙ୍କୁ ବଞ୍ଚାଇବା ଲାଗି ସ୍କିନ ଆଲୋଗ୍ରାଫ୍ଟ ଏକମାତ୍ର ବିକଳ୍ପ ଥିଲା। କିନ୍ତୁ ଭୁବନେଶ୍ୱର ଏମ୍‌ସରେ ସ୍କିନ ବ୍ୟାଙ୍କ ନଥିବାରୁ ଏ ଆଶା ମଧ୍ୟ ଫିକା ପଡ଼ିଥିଲା। କିନ୍ତୁ ସୌଭାଗ୍ୟର କଥା, ସେହି ସମୟରେ ଅନ୍ୟ ଜଣେ ରୋଗୀର ଚିକିତ୍ସା ଲାଗି ମୁମ୍ବାଇରୁ ଆସିଥିଲା ଏକ ସ୍କିନ। ସଂପୃକ୍ତ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କ ପରିବାର ଲୋକେ ସେହି ସ୍କିନକୁ ବର୍ଣ୍ଣ ସେଣ୍ଟରକୁ ଦାନ କରିଦେଇଥିଲେ। ଯାହାକି ଉଭୟ ଶିଶୁଙ୍କ ଜୀବନ ବଞ୍ଚାଇବାରେ ନେଇଥିଲା ପ୍ରମୁଖ ଭୂମିକା। ଯଦିଓ ଶ୍ରାବଣୀଙ୍କ ଦୁଇହାତ କାଟିବାକୁ ପଡିଛି, ହେଲେ ଏବେ ଉଭୟ ଶିଶୁ ସୁସ୍ଥ ହୋଇଗଲେଣି ବୋଲି କହିଛନ୍ତି।

ତେବେ ଏନେଇ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ କହିଛନ୍ତି, ପୂର୍ବରୁ ଏମ୍ସରେ କେବଳ ଅଟୋଗ୍ରାଫ୍ଟ ବା ରୋଗୀର ନିଜ ଶରୀରରୁ ସ୍କିନ ନେଇ ସଫଳ ଚର୍ମ ପ୍ରତ୍ୟାରୋପଣ କରାଯାଉଥିଲା। ଡାକ୍ତରୀ ଟିମର ପ୍ରଚେଷ୍ଟା ଯୋଗୁ ପ୍ରଥମ ଥର ଲାଗି ଆଲୋଗ୍ରାଫ୍ଟ ଜରିଆରେ ଦୁଇ ରୋଗୀଙ୍କୁ ନୂଆ ଜୀବନ ଦିଆଯାଇପାରିଛି।

ଏବେ ସମସ୍ତଙ୍କ ଆଶା, ଏ ସଫଳତା ପରେ ଏମ୍‌ସ ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ସ୍ଥାପନ ହେବ ଏକ ସ୍କିନ ବ୍ୟାଙ୍କ। ଯାହାକି ଅନେକ ପୋଡ଼ା ରୋଗୀଙ୍କ ପାଇଁ ସଞ୍ଚାରିବ ଜୀବନ ଜିଇଁବାର ନୂଆ ଆଶା।

Bhubaneswar Puri AIIMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe