ସିଙ୍ଗଡ଼ା ଦୋକାନରେ ମାନ୍ଦାବସ୍ଥା !

ଏକ ଛୋଟ ସହରରେ ବନବାରୀ ଲାଲ୍‌ ନାମରେ ଜଣେ ପ୍ରସିଦ୍ଧ ସିଙ୍ଗଡ଼ା ଦୋକାନୀ ରହୁଥିଲା। ତା’ର ହାତ ତିଆରି ସିଙ୍ଗଡ଼ାକୁ ଲୋକେ ବହୁତ ପସନ୍ଦ କରୁଥିଲେ। ସବୁଦିନ ଠେଲା ଲଗାଇ ସେ ୫୦୦ ସିଙ୍ଗଡ଼ା ଖଟାମିଠା ଚଟଣୀ ସହିତ ବିକ୍ରି କରୁଥିଲା। ଏମିତିକି ବନବାରୀ ଲାଲ୍‌ ସିଙ୍ଗଡ଼ା କରିବା ପାଇଁ ପୋଡ଼ା ତେଲ ମଧ୍ୟ ବ୍ୟବହାର କରୁନଥିଲା। ପ୍ରତିଦିନ ନୂଆ ତେଲରେ ସେ ସିଙ୍ଗଡ଼ା ଛାଣୁଥିଲା। ଯଦି ବା କୋଉଦିନ ସିଙ୍ଗଡ଼ା ବଳି ପଡୁଥିଲା, ସେ କୁକୁରଙ୍କୁ […]

samosa1

Puspanjali Panda
  • Published: Thursday, 19 September 2019
  • , Updated: 19 September 2019, 04:52 PM IST

ଏକ ଛୋଟ ସହରରେ ବନବାରୀ ଲାଲ୍‌ ନାମରେ ଜଣେ ପ୍ରସିଦ୍ଧ ସିଙ୍ଗଡ଼ା ଦୋକାନୀ ରହୁଥିଲା। ତା’ର ହାତ ତିଆରି ସିଙ୍ଗଡ଼ାକୁ ଲୋକେ ବହୁତ ପସନ୍ଦ କରୁଥିଲେ। ସବୁଦିନ ଠେଲା ଲଗାଇ ସେ ୫୦୦ ସିଙ୍ଗଡ଼ା ଖଟାମିଠା ଚଟଣୀ ସହିତ ବିକ୍ରି କରୁଥିଲା। ଏମିତିକି ବନବାରୀ ଲାଲ୍‌ ସିଙ୍ଗଡ଼ା କରିବା ପାଇଁ ପୋଡ଼ା ତେଲ ମଧ୍ୟ ବ୍ୟବହାର କରୁନଥିଲା। ପ୍ରତିଦିନ ନୂଆ ତେଲରେ ସେ ସିଙ୍ଗଡ଼ା ଛାଣୁଥିଲା। ଯଦି ବା କୋଉଦିନ ସିଙ୍ଗଡ଼ା ବଳି ପଡୁଥିଲା, ସେ କୁକୁରଙ୍କୁ ଖାଇବାକୁ ଦେଇଦେଉଥିଲା।

ବାସି ସିଙ୍ଗଡ଼ା କିମ୍ୱା ଚଟଣୀକୁ ସେ ବିଲ୍‌କୁଲ୍‌ ବି ଲୋକଙ୍କୁ ଦେଉନଥିଲା। ତା’ ଦୋକାନ ଚଟଣୀକୁ ବି ଗ୍ରାହକ ଭାରି ପସନ୍ଦ କରୁଥିଲେ। ସେହି ଚଟଣୀ ହିଁ ସିଙ୍ଗଡ଼ାର ସ୍ୱାଦକୁ ଆହୁରି ବଢ଼ାଉଥିଲା।

ସବୁକୁ ମିଶାଇ ଦେଖିଲେ ବନବାରୀ ଦୋକାନ ସିଙ୍ଗଡ଼ାର କ୍ୱାଲିଟି ଓ ସର୍ଭିସ୍‌ ବହୁତ ଭଲ ଥିଲା।

ବନବାରୀର ପୁଅ ଏବେ ସହରରେ ରହି ଏମ୍‌ବିଏ ପଢ଼ି ଫେରିଛି। ଦିନେ ତା’ ପୁଅ କହିଲା, ବାପା ଜାଣିଛ, ମୁଁ ନ୍ୟୁଜ୍‌ରେ ଶୁଣିଥିଲି କି ଅର୍ଥନୈତିକ ମାନ୍ଦାବସ୍ଥା ଆସୁଛି। ଆମେ କିଛି କଷ୍ଟ କଟିଙ୍ଗ୍‌ କରି ପଇସା ସଞ୍ଚୟ କରିବା, ଆଉ ସେ ପଇସାକୁ ମାନ୍ଦାବସ୍ଥା ସମୟରେ ଉପଯୋଗ କରିବା।

ପୁଅର ଏହି କଥା ଶୁଣି ବନବାରୀ ଲାଲ୍‌ ଚିନ୍ତାରେ ପଡ଼ିଗଲା। ଆଉ କହିଲା, ପୁଅ ମୁଁ ତ ଅଶିକ୍ଷିତ ମୁର୍ଖ। ମୋତେ ଏ କଷ୍ଟ କଟିଙ୍ଗ ବିଷୟରେ କିଛି ଜଣା ନାହିଁ। ତୋତେ ଲେଖାପଢ଼ା ଶିଖାଇ ମଣିଷ କରିଛି। ଏବେ ତୁ ହିଁ ସବୁକିଛି ସମ୍ଭାଳିବୁ।

ଏ କଥା ଶୁଣି ତା’ ପୁଅ କହିଲା, ହଉ ବାପା ତମେ ସିଙ୍ଗଡ଼ା ତିଆରି କରିବା ପାଇଁ ଯେଉଁ ଫ୍ରେଶ୍‌ ତେଲର ବ୍ୟବହାର କରୁଛ, ଆମେ ସେଥିରେ ୮୦ ପ୍ରତିଶତ ଫ୍ରେଶ୍ ତେଲ ଓ ୨୦ ପ୍ରତିଶତ ପୋଡ଼ା ତେଲ ବ୍ୟବହାର କରିବା।

ପୁଅର କଥାକୁ ମାନି ବନବାରୀ ସେହିପରି କଲା। ପରଦିନ ସିଙ୍ଗଡ଼ାର ସ୍ୱାଦରେ ଟିକେ ପରିବର୍ତ୍ତନ ଆସିଲା। ତଥାପି ତା’ ଦୋକାନରୁ ୫୦୦ ସିଙ୍ଗଡ଼ା ବିକ୍ରି ହୋଇଗଲା। ଏହା ଦେଖି ତା’ ପୁଅ କହିଲା, ଦେଖିଲ ତ ବାପା ଆଜି ତୁମର ୨୦ ପ୍ରତିଶତ ତେଲର ପଇସା ବଞ୍ଚିଗଲା। ଏହାକୁ ହିଁ କୁହନ୍ତି କଷ୍ଟ୍‌ କଟିଙ୍ଗ୍‌(COST CUTTING)..।

ବନବାରୀ ଲାଲ୍‌ : ପୁଅ ମୁଁ ତ ଅପାଠୁଆ। ଏଗୁଡ଼ା ମୋ ଦେଇ ହୋଇପାରିନଥାନ୍ତା। ଏସବୁ ତୋ ପାଠପଢ଼ାର କମାଲ୍‌...

ପୁଅ : ବାପା ଏସବୁ ତ ଠିକ୍‌ ଅଛି। ଏବେ ଆହୁରି ପଇସା ସଞ୍ଚୟ କରିବାକୁ ହେବ। କାଲିଠାରୁ ଆମେ ଖଟା ଚଟଣୀ ଲୋକଙ୍କୁ ଦେବାନି। ପୋଡ଼ା ତେଲ ୩୦ ପ୍ରତିଶତ ବ୍ୟବହାର କରିବା।

ଆରଦିନ ବନବାରୀ ଦୋକାନରେ ୪୦୦ ସିଙ୍ଗଡ଼ା ବିକ୍ରି ହେଲା। ସ୍ୱାଦ ଟିକେ ପରିବର୍ତ୍ତନ ହେବାରୁ ୧୦୦ ସିଙ୍ଗଡ଼ା ବଳକା ରହିଗଲା। ତା’କୁ ସେ କୁକୁରଙ୍କୁ ଖାଇବାକୁ ଦେଲା।

ପୁଅ : ଦେଖିଲ ତ ବାପା... କହିଥିଲି ନା ମାନ୍ଦାବସ୍ଥା ଆସିବ। ଆଜି କେବଳ ୪୦୦ ସିଙ୍ଗଡ଼ା ବିକ୍ରି ହେଲା..

ବନବାରୀ ଲାଲ୍‌ : ପୁଅ ତୋତେ ଲେଖାପଢ଼ା କରାଇବାର କିଛି ଲାଭ ମୋତେ ବି ମିଳିବା ଦରକାର। ଆଗକୁ ବି ମାନ୍ଦାବସ୍ଥା ଆସିଲେ ତୁ ହିଁ ସମ୍ଭାଳିବୁ।

ପୁଅ : ବାପା କାଲିଠୁ ଆମେ ମିଠା ଚଟଣୀ ଲୋକଙ୍କୁ ଦେବାନି। ଆଉ ସିଙ୍ଗଡ଼ା ଛାଣିବା ପାଇଁ ୪୦ ପ୍ରତିଶତ ପୋଡ଼ା ତେଲ ବ୍ୟବହାର କରିବା ଓ ୪୦୦ ସିଙ୍ଗଡ଼ା ହିଁ ତିଆରି କରିବା।

ଆରଦିନ ବନବାରୀ ଦୋକାନରୁ ୪୦୦ ସିଙ୍ଗଡ଼ା ବିକ୍ରି ହୋଇଗଲା। ସିଙ୍ଗଡ଼ାର ସ୍ୱାଦ ଟିକେ ଭିନ୍ନ ଥିଲା କିନ୍ତୁ ଚଟଣୀ ନ ମିଳିବାରୁ ଲୋକଙ୍କୁ ସ୍ୱାଦ ଆହୁରି ଖରାପ ଲାଗିଲା।

ସଂନ୍ଧ୍ୟାରେ ବନବାରୀର ପୁଅ କହିଲା : ଦେଖିଲ ବାପା..ଆମେ ୪୦ ପ୍ରତିଶତ ପୋଡ଼ା ତେଲ ବ୍ୟବହାର କଲେ। ଚଟଣୀ ଓ ୧୦୦ ସିଙ୍ଗଡ଼ାର ପଇସା ବି ବଞ୍ଚିଗଲା। ବାପା, ୟାକୁ ହିଁ କୁହନ୍ତି କଷ୍ଟ କଟିଙ୍ଗ୍‌। କାଲିଠୁ ଆମେ ୫୦ ପ୍ରତିଶତ ପୋଡ଼ା ତେଲ ବ୍ୟବହାର କରିବା। ଏହା ସହିତ ଲୋକଙ୍କୁ ଟିସୁ ପେପର ବି ଦେବା ବନ୍ଦ କରିଦେବା।

ତା’ ପରଦିନ ବନବାରୀ ଦୋକାନ ସିଙ୍ଗଡ଼ାର ସ୍ୱାଦ ସମ୍ପୂର୍ଣ୍ଣ ବଦଳିଗଲା। ତା’ ଦୋକାନରୁ କେବଳ ୩୦୦ ସିଙ୍ଗଡ଼ା ହିଁ ବିକ୍ରି ହେଲା।

ସଂନ୍ଧ୍ୟାରେ ପୁଅ କହିଲା : ବାପା ମୁଁ କହିଥିଲି ନା ତୁମକୁ ମାନ୍ଦାବସ୍ଥା ଆସିବ ବୋଲି...

ବନବାରୀ ଲାଲ୍‌ : ହଁ ପୁଅ ତୁ ଠିକ୍‌ କହୁଛୁ.. ମାନ୍ଦାବସ୍ଥା ଆସିଗଲା। ଏବେ ତୁ ଆଗକୁ ଚିନ୍ତା କର.. କ’ଣ କରିବା ? କେମିତି ଏ ମାନ୍ଦାବସ୍ଥା ସହିତ ଲଢ଼ିବା ?

ପୁଅ : ବାପା ଗୋଟେ କାମ କରିବା.. କାଲିଠୁ ୨୦୦ ସିଙ୍ଗଡ଼ା ହିଁ ତିଆରି କରିବା। ଆଜି ଯୋଉ ୧୦୦ ସିଙ୍ଗଡ଼ା ବଳିଛି, ତା’କୁ ଆଉ ଥରେ ଛାଣି ଲୋକଙ୍କୁ ବିକିବା।

ପରଦିନ ସିଙ୍ଗଡ଼ାର ସ୍ୱାଦ ଆହୁରି ଖରାପ ହେଲା। କିଛି ଗ୍ରାହକ ସିଙ୍ଗଡ଼ା ଖାଇବା ସମୟରେ ବନବାରୀକୁ କହିଲେ ମଧ୍ୟ.. ଆଉ କିଛି ଚୁପ୍‌ଚାପ୍ ଖାଇ ଚାଲିଗଲେ। ଦୋକାନରୁ କେବଳ ୧୦୦ ସିଙ୍ଗଡ଼ା ବିକ୍ରି ହେଲା ଆଉ ୧୦୦ ବଳକା ରହିଗଲା।

ସଂନ୍ଧ୍ୟାରେ ବନବାରୀ ପୁଅ କହିଲା : ବାପା ମୁଁ କହିଥିଲି..ଏବେ ଦେଖିଲ ତ ତୁମର କେତେ ମାନ୍ଦାବସ୍ଥା ଆସିଗଲା..

ବନବାରୀ ଲାଲ୍‌ : ହଁ ପୁଅ ତୁ ଠିକ୍ କହୁଛୁ..ତୁ ପାଠୁଆ ସବୁ ବୁଝି ପାରୁଛୁ..ଏବେ ଆଗକୁ କ’ଣ କରିବା କହ ..

ପୁଅ : ବାପା କାଲି ଆମେ ବଳକା ରହିଥିବା ୧୦୦ ସିଙ୍ଗଡ଼ା ହିଁ ଆଉ ଥରେ ଛାଣି ବିକିବା। ନୂଆ ସିଙ୍ଗଡ଼ା ତିଆରି କରିବା ନାହିଁ।

ପରଦିନ ବନବାରୀ ଦୋକାନରୁ କେବଳ ୫୦ ଟି ସିଙ୍ଗଡ଼ା ବିକ୍ରି ହେଲା ଆଉ ୫୦ ରହିଗଲା। ସିଙ୍ଗଡ଼ାର ସ୍ୱାଦ ବି ଖରାପ ଲାଗିବାରୁ ଗ୍ରାହକମାନେ ମନେ ମନେ ଚିନ୍ତା କଲେ ବନବାରୀ ଲାଲ୍‌ କେତେ ଖରାପ ସିଙ୍ଗଡ଼ା ତିଆରି କରୁଛି.. ଚଟଣୀ ବି ଦଉନି..ଆମେ ଏଠୁ ନଖାଇ ଅନ୍ୟ ଦୋକାନରୁ ଖାଇବା..

ସଂନ୍ଧ୍ୟାରେ ବନବାରୀ ପୁଅ କହିଲା : ବାପା ଦେଖିଲ ମାନ୍ଦାବସ୍ଥା ? ଆଜି ଆମେ ୫୦ ସିଙ୍ଗଡ଼ାର ପଇସା ରଖିଦେଲେ। କାଲି ବଳି ପଡ଼ିଥିବା ୫୦ ସିଙ୍ଗଡ଼ାକୁ ଛାଣି ବିକି ଦେବା ନୂଆ କାଇଁ କରିବା..

ପରଦିନ ବନବାରୀ ଦୋକାନକୁ ଗୋଟିଏ ବି ଗ୍ରାହକ ଆସିଲେ ନାହିଁ। ଏହା ଦେଖି ତା’ ପୁଅ କହିଲା, ବାପା ମୁଁ କହିଥିଲି.. ଏସବୁ ମାନ୍ଦାବସ୍ଥାର ପ୍ରଭାବ। ଗୋଟିଏ ବି ଗ୍ରାହକ ଆସିଲେନି। ଆମେ ଆଜି ୫୦ ସିଙ୍ଗଡ଼ାର ପଇସା ରଖିଦେଲେ। ୟାକୁ ହିଁ କହନ୍ତି Cost Cutting...

ବନବାରୀ ଲାଲ୍ ପୁଅକୁ କହିଲା : ପୁଅ ଭଗବାନଙ୍କୁ ଧନ୍ୟବାଦ ତୁ ପଢ଼ା ଲେଖା କରିଛୁ। ନ ହେଲେ ମୋ ପରି ଅପାଠୁଆ ଏହି ମାନ୍ଦାବସ୍ଥାରେ Cost Cutting କ’ଣ କେମିତି ଜାଣିଥାନ୍ତା ? ଏବେ ତୁ ଗୋଟେ କଥା ଶୁଣୁ..

ପୁଅ : କ’ଣ ବାପା ???

ବନବାରୀ ଲାଲ୍‌ : ତୋର ସେ #@$%& &## କଷ୍ଟ କଟିଂ ଫଷ୍ଟ କଟିଂ କଥା ତୋ ପାଖରେ ରଖ! କାଲିଠୁ ତୁ ଏଠି ଚୁପ୍‌ଚାପ୍ ବାସନ ମାଜିବାକୁ ବସିଯିବୁ.. ଏସବୁ ମାନ୍ଦାବସ୍ଥା ତୁ ହିଁ ଆଣିଛୁ.. ଏବେଠୁ ମାନ୍ଦାବସ୍ଥାକୁ କିପରି ଠିକ୍‌ କରାଯିବ, ମୁଁ ନିଜେ ଦେଖିନେବି...

ସୌଜନ୍ୟ : ସୋଶାଲ୍‌ ମିଡିଆ

Related story