ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ ଲୋକ କମ୍ ପାଣି ପିଇଥାଆନ୍ତି। ଯେଉଁ କାରଣରୁ ସିସ୍ଟାଇଟିସ୍ ପରି ରୋଗ ହେବାର ବିପଦ ରହିଥାଏ। ଏହି ରୋଗ ଶରୀରରେ ଜଳୀୟ ଅଂଶ କମିଯିବା ଯୋଗୁ ହୋଇଥାଏ। ସାଧାରଣତଃ ବର୍ଷାଦିନେ ଶୋଷ ମଧ୍ୟ କମ୍ ଲାଗିଥାଏ, କାରଣ ଆମ ଶରୀରରୁ କମ୍ ଝାଳ ବାହାରିଥାଏ। ଏହି କାରଣରୁ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ମୂତ୍ରାଶୟରେ ସମସ୍ୟା ଉପୁଜିଥାଏ। ଏମିତିରେ ପାଣିର ଅଭାବ ଯୋଗୁ ସ୍ତ୍ରୀ, ପୁରୁଷ ଏବଂ ଛୋଟ ଛୁଆଙ୍କ ଶରୀର ଉପରେ ପ୍ରଭାବ ପଡ଼ିଥାଏ। ମାତ୍ର ମହିଳାଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଥାଏ। ସିସ୍ଟାଇଟିସ୍ ରୋଗ ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ହେଉଥିବାର ଦେଖାଯାଇଥାଏ। ଏଥିପାଇଁ ଗର୍ଭାବସ୍ଥାରେ ଜଟିଳତା ମଧ୍ୟ ସୃଷ୍ଟି ହୋଇଥାଏ।
ସିସ୍ଟାଇଟିସ୍ ରୋଗ କ’ଣ?
ସିସ୍ଟାଇଟିସ୍ ମୂତ୍ରାଶୟରେ ହେଉଥିବା ଏକ ରୋଗ। ଏହା ଏକ ଦୀର୍ଘକାଳୀନ ରୋଗ। ଏହା ମୂତ୍ରାଶୟ ଉପରେ ଚାପ ପକାଇଥାଏ। ଏଥିରେ ରୋଗୀଙ୍କୁ କେବେ କମ୍ ତ କେବେ ଅଧିକ ଯନ୍ତ୍ରଣା ହୋଇଥାଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ, ମାତ୍ର ସ୍ୱଭାବିକ ମାତ୍ରାଠାରୁ କମ୍ ପରିମାଣର ପରିସ୍ରା ହୋଇଥାଏ।
ସିସ୍ଟାଇଟିସ୍ର ଲକ୍ଷଣ:
- ପରିସ୍ରା କରିବା ସମୟରେ ଜଳାପୋଡ଼ା ହେବା।
- ବାରମ୍ବାର ପରିସ୍ରା ଲାଗିବା, ମାତ୍ର କମ୍ ପରିମାଣର ପରିସ୍ରା ହେବା।
- ତଳିପେଟ ନରମ ଲାଗିବା ଏବଂ ଯନ୍ତ୍ରଣା ହେବା।
- ଜ୍ୱର ହେବା ଇତ୍ୟାଦି।
କାହିଁକି ହୁଏ ମହିଳାଙ୍କୁ ଏହି ରୋଗ?
ସବୁବୟସର ଲୋକଙ୍କୁ ଏହି ରୋଗ ହୋଇଥାଏ। ମାତ୍ର ପ୍ରଜନନ ବୟସରେ ମହିଳାଙ୍କୁ ଏହି ରୋଗ ଅଧିକ ହୋଇଥାଏ। ଏହାର ଏକ କାରଣ, ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମୂତ୍ରାଶୟ ଛୋଟ। ସେଥିପାଇଁ ପୁରୁଷଙ୍କ ତୁଳନାରେ ମହିଳାମାନେ ୮ଗୁଣା ଅଧିକ ସିସ୍ଟାଇଟିସ୍ ରୋଗର ଶିକାର ହୋଇଥାନ୍ତି। ପ୍ରତିବର୍ଷ ୧୫ ପ୍ରତିଶତ ମହିଳାଙ୍କୁ ଏହି ରୋଗ ହୋଇଥାଏ ଏବଂ ପାଖାପାଖି ୫୦ ପ୍ରତିଶତ ମହିଳା ସେମାନଙ୍କ ଜୀବନରେ ଥରେ ସିସ୍ଟାଇଟିସ୍ ସମସ୍ୟାରେ ପଡ଼ିଥାନ୍ତି। ତରଳ ପଦାର୍ଥ ଅଧିକ ସେବନ କଲେ ଏହି ସଂକ୍ରମଣ ପରିସ୍ରାରେ ବାହାରକୁ ଆସିପାରେ। ଅଧିକ ମାତ୍ରାରେ କଫି ଏବଂ କୋଲ୍ଡ୍ରିନ୍କ୍ସ ସେବନ କରିବା ଏହି ରୋଗ ପାଇଁ କ୍ଷତିକାରକ। ଏହି ରୋଗକୁ ମୂଳରୁ ଶେଷ କରିବା ପାଇଁ କୌଣସି ଚିକିତ୍ସା ପଦ୍ଧତି ନାହିଁ। କେବଳ ଔଷଧ ଏବଂ ଉଚିତ୍ ପରିମାଣର ପାଣି ପିଇବା ଦ୍ୱାରା ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।