Advertisment

ସ୍ୱାସ୍ଥ୍ୟ ବିଭାଗର ୬ ପ୍ରସ୍ତାବ ସମେତ ୮ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଦୀର୍ଘଦିନ ଧରି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟରତ ୫୦୪ଜଣ ଚୁକ୍ତିଭିତ୍ତିକ ସୁପରଭାଇଜରଙ୍କ ଚାକିରିକୁ ନିୟମିତକରଣ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

author-image
Ordigital Desk
CS Pradeep Jena

CS Pradeep Jena

ରାଜ୍ୟ କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସ୍ୱାସ୍ଥ୍ୟ ବିଭାଗର ୬ଟି ପ୍ରସ୍ତାବ ସମେତ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଏଥିରେ ସାମିଲ ଅଛି ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଆଜି ମୋଟ ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ସେଥିରେ ୬ଟି ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ୨ଟି ମହିଳା ଓ ଶିଶୁବିକାଶ ବିଭାଗ ଏବଂ ଜଳସମ୍ପଦ ବିଭାଗର ଥିଲା । ଏଥିରେ ଅଧିକାଂଶ ପ୍ରସ୍ତାବ କ୍ୟାଡ଼ର ସଂଶୋଧନ ଓ ସେବା ସର୍ତ୍ତାବଳୀ ସଂକ୍ରାନ୍ତ । ଦୀର୍ଘଦିନ ଧରି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟରତ ୫୦୪ଜଣ ଚୁକ୍ତିଭିତ୍ତିକ ସୁପରଭାଇଜରଙ୍କ ଚାକିରିକୁ ନିୟମିତକରଣ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ସେମାନଙ୍କ ଚାକିରି ନିୟମିତ ହେବା ଦ୍ୱାରା ରାଜ୍ୟରେ ଅତ୍ୟାବଶ୍ୟକ ସେବାଗୁଡ଼ିକର ନିରନ୍ତର ବିତରଣ ଓ ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ ସେବା(ଆଇସିଡିଏସ) କାର୍ଯ୍ୟକ୍ରମ ଅଧୀନରେ ଥିବା ସମାଜର ଅସୁରକ୍ଷିତ ଶିଶୁ ଓ ମହିଳାମାନଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ । ଏହି ଚୁକ୍ତିଭିତ୍ତିକ ସୁପରଭାଇଜର ସଂଘ ଜରିଆରେ ମିଳିଥିବା ଦାବିପତ୍ର ଓ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିଙ୍କୁ ଦେଇଥିବା ଆବେଦନକୁ ଦୃଷ୍ଟିରେ ରଖି ସେମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ ବିଚାର ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ୧୮.୫୧ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ । ଚାକିରିି ନିୟମିତ ହେବା ଫଳରେ ଗ୍ରାମାଂଚଳ ଓ ଆଦିବାସୀ ଅଂଚଳର ଶିକ୍ଷିତ ମହିଳାମାନେ ନିଷ୍ଠାର ସହ ସୁପରଭାଇଜର ଭାବେ କାର୍ଯ୍ୟ କରିବା ପାଇଁ ଅନୁପ୍ରାଣୀତ ହେବେ ।

ସେହିପରି ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରର ପୁନର୍ଗଠନ ଓ ଓନିଶା ନର୍ସିଂ ସେବା ଚୟନ ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ-୨୦୧୯ର ପୁନଃ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଭାରତୀୟ ନର୍ସିଂ ପରିଷଦର ନିୟମାବଳୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ଭାରତୀୟ ଜନସ୍ୱାସ୍ଥ୍ୟ ପରିମାପକ ସଂଶୋଧିତ ନିୟମାବଳୀ-୨୦୨୨ ଅନୁସାରେ ରାଜ୍ୟ ସରକାର ଅନୁରୂପ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ନର୍ସିଂ ଅଧିକାରୀମାନଙ୍କ ଉପଯୁକ୍ତ ବୃତ୍ତିଗତ ପ୍ରୋତ୍ସାହନ ପାଇଁ ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରର ପୁନର୍ଗଠନ ପ୍ରସ୍ତାବକୁ ସାଧାରଣ ପ୍ରଶାସନ ଓ ଅର୍ଥ ବିଭାଗ ଦ୍ୱାରା ମଧ୍ୟ ମଞ୍ଜୁରୀ ମିଳିଛି ।

Advertisment

ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରରେ ଏବେ ଅତିରିକ୍ତ ୩୯୯ଟି ନୂଆ ପଦବୀ ସୃଷ୍ଟି ହୋଇଛି । ଏବେ ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରରେ ମୋଟ ୨୮୨୮୫ଟି ମୂଳ ପଦବୀ ରହିଛି । ସେଥିରୁ ୧୧୯୪୩ଟି ପଦବୀକୁ ଉଚ୍ଛେଦ କରି ନୂତନ ଭାବେ ୭୯୯୭ଟି ବରିଷ୍ଠ ନର୍ସିଂ ଅଧିକାରୀ ପଦବୀ ସୃଷ୍ଟି ଓ ଆନୁପାତିକ ଭାବେ ପଦୋନ୍ନତିଭିତ୍ତିକ ପଦବୀରେ ବୃଦ୍ଧି କରାଯାଇ ମୋଟ ପଦବୀ ସଂଖ୍ୟା ୨୮୬୮୪ କରାଯାଇଛି । ନର୍ସିିଂ ଅଧିକାରୀଙ୍କଠୁ ଆରମ୍ଭ କରି ସହାୟକ ନର୍ସିଂ ଅଧିକ୍ଷକଙ୍କ ପର୍ଯ୍ୟନ୍ତ ବରିଷ୍ଠତା ତାଲିକା, ନର୍ସିଂ ନିର୍ଦ୍ଦେଶକସ୍ତରରେ ଓ ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ବରିଷ୍ଠତା ତାଲିକା ପ୍ରଶାସନିକ ବିଭାଗସ୍ତରରେ ପ୍ରସ୍ତୁତ କରାଯିବ । ଏହି ବିଭିନ୍ନ ଉଚ୍ଚପଦବୀକୁ ପଦୋନ୍ନତି ପାଇଁ ପୂର୍ବରୁ ଥିବା ସର୍ବନିମ୍ନ ବୟସସୀମାକୁ ହ୍ରାସ କରାଯାଇଛି । ଏହି ପୁନର୍ଗଠନ ଦ୍ୱାରା ରାଜ୍ୟ ସରକାରଙ୍କୁ ବାର୍ଷିକ ୨୪୫କୋଟି ଟଙ୍କାର ଅତିରିକ୍ତ ବୋଝ ମୁଣ୍ଡାଇବାକୁ ପଡ଼ିବ ।

ସେହିପରି ଓଡ଼ିଶାରେ ରାଜ୍ୟ ଜଳସୂଚନା ବିଜ୍ଞାନ କେନ୍ଦ୍ର ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଜଳ-ପାଣିପାଗ ତଥ୍ୟର ଏକ ବିସ୍ତୃତ ଭଣ୍ଡାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଜଳସୂଚନା ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବ । ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ଜଳସୂଚନା ବିଜ୍ଞାନ କେନ୍ଦ୍ରରେ ଜଳସମ୍ପଦ ପରିଚାଳନା, ତଥ୍ୟ ପରିଚାଳନା ଓ ଆଇଟି କ୍ଷେତ୍ରରେ ଜ୍ଞାନ ଥିବା ଦକ୍ଷ ଟିମ୍ ରହିବେ, ଯେଉଁମାନେ କି ନିଜ ସଂସ୍ଥାରୁ ନିୟୋଜିତ ରହିବେ କିମ୍ବା ବାହ୍ୟ ସଂସ୍ଥାରୁ ଆଉଟସୋର୍ସିଂ ଭାବେ କାର୍ଯ୍ୟ କରିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଳ-ପାଣିପାଗ ବିଜ୍ଞାନ ତଥ୍ୟ ଆଦାନପ୍ରଦାନକୁ ସୁଗମ କରିବା ପାଇଁ ରାଜ୍ୟ ଜଳସୂଚନା ବିଜ୍ଞାନ କେନ୍ଦ୍ର, ଜାତୀୟ ଜଳସୂଚନା ବିଜ୍ଞାନ କେନ୍ଦ୍ର ସହିତ ନିରବଚ୍ଛିନ୍ନ ସହଯୋଗ କରିବ ।

Cabinet Meeting