Advertisment

ନେଲେ ଶିଳ୍ପ ପାଇଁ, କଲେ ଆପାର୍ଟମେଣ୍ଟ

୫ ଏକର ଶିଳ୍ପ ଜମିକୁ ଘରବାରି କିସମରେ ପରିବର୍ତ୍ତନ କରିଦେବା ଘଟଣା। ରାଜସ୍ୱ ବିଭାଗ ନିର୍ଦ୍ଦେଶ ପରେ ବି ମାମଲା ରୁଜୁ କରୁନାହାନ୍ତି ଜିଲ୍ଲାପାଳ।

author-image
Debadatta Aryashrestha
Urban Majestic

Urban Majestic

ଭୁବନେଶ୍ୱରରେ ୫ ଏକର ଶିଳ୍ପ ଜମିକୁ ଚଞ୍ଚକତା କରି ଘରବାରି କିସମରେ ପରିବର୍ତ୍ତନ। ରାଜସ୍ୱ ବିଭାଗ ନିର୍ଦ୍ଦେଶ ପରେ ବି ଜିଲ୍ଲାପାଳ ରୁଜୁ କରିନାହାନ୍ତି ଏଫଆଇଆର। ୧୯୭୯ରେ ଭୁବନେଶ୍ୱର କିଟ୍ ଛକ ନିକଟ ପଟିଆ ଅଂଚଳରେ ଶିଳ୍ପ କରିବା ପାଇଁ ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜକୁ ୯୯ ବର୍ଷିଆ ଲିଜରେ ୫ ଏକର ଜମି ଦିଆଯାଇଥିଲା। ସେତେବେଳେ ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜ, ୟୁନିଟ୍-6ର ପ୍ରୋପାଇଟର ଥିଲେ ତେଜପାଲ ସିଂହ।

Advertisment

ହଠାତ୍ ଦେଖାଗଲା ୨୦୨୨ରେ ଜମିର କିସମ ବଦଳାଇ ଦେଲେ ଭୁବନେଶ୍ୱର ତହସିଲଦାର ଓ ଉପଜିଲ୍ଲାପାଳ। କିସମକୁ ଘରବାରି କରିଦେଲେ। ପ୍ରାୟ ବର୍ଷେ ତଳେ ସେଠାରେ ଅର୍ବାନ୍ ମାଜେଷ୍ଟିକ୍ ନାଁରେ ଏକ ୬ ଟାୱାର ବିଶିଷ୍ଟ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ତିଆରି ଆରମ୍ଭ ହେଲା। ବିଏମସି, ଓରେରା ଭଳି ଅନ୍ୟାନ୍ୟ ସରକାରୀ ଏଜେନ୍ସିରୁ ଅନୁମତି ନେଇ କାମ ଅନେକ ବାଟ ଆଗେଇଯିବା ପରେ ଚେତା ପଶିଲା। ଲିଜ୍ ବାତିଲ କରିବା ପାଇଁ ଏଜେନ୍ସିଗୁଡ଼ିକ ଲାଗିପଡ଼ିବାରୁ ଅର୍ବାନ୍ ମାଜେଷ୍ଟିକ୍ ନିର୍ମାଣ କରୁଥିବା ସଂସ୍ଥା 'ଅର୍ବାନ୍ ଲିଭିଂ ବିଲଡର୍ସ' ହାଇକୋର୍ଟ ଗଲା।

ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍.କେ ପାଣିଗ୍ରାହୀ ସେପ୍ଟେମ୍ବର ୨୫ ତାରିଖରେ ନିର୍ଦ୍ଦେଶ ଦେଲେ ଯେ ଏଥିରେ ଅନେକ ଏଜେନ୍ସି ଏନଓସି ଦେବା ଓ ଅନେକ ଲୋକ ଘର ବୁକ୍ କରିବା ପରେ ପ୍ରତିପକ୍ଷଙ୍କୁ ନଶୁଣି କାର୍ଯ୍ୟାନୁଷ୍ଠାନ ନେବା ନ୍ୟାୟପୂର୍ଣ୍ଣ ହେବ ନାହିଁ। ସେହି କ୍ରମରେ ପ୍ରତିପକ୍ଷଙ୍କୁ ଶୁଣିବା ପରେ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅକ୍ଟୋବର ୨୩ରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପତ୍ରରେ ଲେଖାଯାଇଛି- ଜିଲ୍ଲାପାଳ ତୁରନ୍ତ ସଂପୃକ୍ତ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ବିରୋଧରେ ଏଭଳି ବେଆଇନ କାର୍ଯ୍ୟ ପାଇଁ ଏଫଆଆର ରୁଜୁ ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏଥିସହ ଲିଜ୍ ବାତିଲ କରି ଜାଗା ସହ ନିର୍ମାଣାଧୀନ କୋଠାକୁ କବଜାକୁ ନିଅନ୍ତୁ। ଦରକାର ପଡ଼ିଲେ ହାଇକୋର୍ଟରେ ଲିଜଧାରୀ ଆଉ ମାମଲା ରୁଜୁ କରିବା ପୂର୍ବରୁ କାଭିଆଟ୍ ବା ପକ୍ଷ ରଖିବାକୁ ଜିଲ୍ଲାପାଳ ଉଦ୍ୟମ କରନ୍ତୁ।

Advertisment

ତେବେ ରାଜସ୍ୱ ବିଭାଗର ନିର୍ଦ୍ଦେଶର ମାସେ ପରେ ବି କାହିଁକି ବିଶେଷ ଅଗ୍ରଗତି ହୋଇନି, ଏନେଇ ଆମେ ଖୋର୍ଦ୍ଧା ଜିଲ୍ଲାପାଳ ଚଂଚଳ ରଣାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ। ସେ କହିଥିଲେ, ସଂପୃକ୍ତ ପ୍ରତିବାଦୀମାନେ ପୁଣି ହାଇକୋର୍ଟ ଯାଇଛନ୍ତି। ଏଥିସହ ସେମାନଙ୍କର ଅଭିଯୋଗକୁ ରାଜସ୍ୱ ପରିଷଦ ସଭ୍ୟଙ୍କ ପାଖକୁ ବି ନେଇଛନ୍ତି। ଆମେ ଆଇନଗତ ଉପାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ଅନ୍ୟପଟେ ଏବେ ଉକ୍ତ ଜମିର ମାଲିକାନା ପାଇଥିବା ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡର ଅନ୍ୟତମ ନିର୍ଦ୍ଦେଶକ ଅମରେନ୍ଦ୍ର ଦାଶଙ୍କ ଦିନିଲିପି ଅଫିସକୁ ଆମେ ଫୋନ କରିଥିଲେ ବି ଆମକୁ ଉତ୍ତର ମିଳିନଥିଲା। ଅର୍ବାନ୍ ମାଜେଷ୍ଟିକ୍ ତିଆରି କରୁଥିବା ସଂସ୍ଥା ଅର୍ବାନ ଲିଭିଙ୍ଗ ବିଲଡର୍ସକୁ ଫୋନ୍ କରିଥିଲେ ସୁଦ୍ଧା ଉତ୍ତର ମିଳିନଥିଲା। ଅନ୍ୟମାନଙ୍କର ପ୍ରତିକ୍ରିୟା ମିଳିଲେ ତାହା ସ୍ଥାନ ଦିଆଯିବ।

- ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Bhubaneswar News Urban Majestic Apartment Paltronics Allied Industries Land Issue