୩୩ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟ ସଚିବ

ଗଲଫ ଓଡ଼ିଆ ସୋସାଇଟି ଦ୍ୱାରା ସମ୍ପୃକ୍ତ ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯାଇଥିଲା ଓ ସେମାନଙ୍କର ଭିସା ନବୀକରଣ ଉକ୍ତ କମ୍ପାନୀ ମାଲିକ କରିନଥିବା ଜଣାପଡ଼ିଛି । ଏହାବ୍ୟତୀତ ସେମାନଙ୍କୁ ତାଙ୍କର ବକେୟା ଦରମା ମଧ୍ୟ ଦିଆଯାଇନି ।

ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା (ଫାଇଲ ଫଟୋ)

  • Published: Thursday, 20 July 2023
  • , Updated: 20 July 2023, 10:40 PM IST

ସାଉଦିଆରବରେ ଫସି ରହିଥିବା ୩୩ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ଓ ଓଡ଼ିଶା ପଠାଇବା ପାଇଁ ସହଯୋଗ କରିବା ନିମନ୍ତେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ସାଉଦିଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର(ଗଲଫ ଡିଭିଜନ)ର ଯୁଗ୍ମ ସଚିବଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରିଛନ୍ତି ।

ଶ୍ରୀ ଜେନା ଆଜି ଏନେଇ ସାଉଦିଆରବର ରିଆଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୁହେଲ ଏଜାଜ୍ ଖାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ସାଉଦିଆରବରେ ନିଜର ନିଯୁକ୍ତିଦାତାଙ୍କ ଦ୍ୱାରା ଠକାମୀର ଶିକାର ହୋଇଥିବା କିଛି ଭାରତୀୟ ନାଗରିକଙ୍କ ଫୋନ୍ କଲ ଓ ସନ୍ଦେଶ ଓଡ଼ିଶା ସରକାରଙ୍କୁ ମିଳିଛି । ସେମାନଙ୍କ ମଧ୍ୟରେ ୩୩ଜଣ ଓଡ଼ିଶାର ଥିବାବେଳେ ବାକି ୧୦ଜଣ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର । ସେମାନଙ୍କୁ ଉଦ୍ଧାର ଓ ତୁରନ୍ତ ସହାୟତା ଯୋଗାଇବାର ଆବଶ୍ୟକତା ରହିଛି ।

ଗଲଫ ଓଡ଼ିଆ ସୋସାଇଟି ଦ୍ୱାରା ସମ୍ପୃକ୍ତ ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯାଇଥିଲା ଓ ସେମାନଙ୍କର ଭିସା ନବୀକରଣ ଉକ୍ତ କମ୍ପାନୀ ମାଲିକ କରିନଥିବା ଜଣାପଡ଼ିଛି । ଏହାବ୍ୟତୀତ ସେମାନଙ୍କୁ ତାଙ୍କର ବକେୟା ଦରମା ମଧ୍ୟ ଦିଆଯାଇନି । ଖାଦ୍ୟ, ପାନୀୟ ଓ ଔଷଧ ଭଳି ମୌଳିକ ସୁବିଧାରୁ ବି ସେମାନେ ବଂଚିତ ରହିଛନ୍ତି । ସେହି ଶ୍ରମିକମାନେ ସାଉଦିଆରବର ଜୁୟାମହର କ୍ୟାମ୍ପ-୪୭ରେ ଥିବା ମେସର୍ସ ହାଦି ଅଏଆଇ ହମାମ୍ ଗ୍ରୁପରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ବୋଲି ମୁଖ୍ୟ ସଚିବ ଶ୍ରୀ ଜେନା ତାଙ୍କ ଚିଠିରେ ଦର୍ଶାଇବାକୁ ସହ ସେହି କମ୍ପାନୀର ଏକ ଫୋନ୍ ନମ୍ବର ମଧ୍ୟ ଦେଇଛନ୍ତି । ଏହି ଘଟଣାରେ ହସ୍ତକ୍ଷେପ କରିବ ତୁରନ୍ତ ସେମାନଙ୍କୁ ଉଦ୍ଧାର ସହ ସ୍ୱଦେଶ ଫେରାଇ ଦେବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ଓ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବା ନିମନ୍ତେ ରାଜ୍ୟ ସରକାର ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ନାମରେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ କରିଛନ୍ତି । ବିଜେଡି ମଧ୍ୟ ‘ଓଡ଼ିଶା ମୋ ପରିବାର’ ନାମରେ ଏକ ସଂଗଠନ ପରିଚାଳନା କରୁଛି ।

Related story