‘ଦଲାଲୀ ଓ କଟନୀ-ଛଟନୀରେ ପଡ଼ିବ ପୂର୍ଣ୍ଣଚ୍ଛେଦ, ୪୮ଘଣ୍ଟା ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ଯିବ ୩୧୦୦ଟଙ୍କା’

ଧାନ ସଂଗ୍ରହ ପୂର୍ବରୁ ଏଫଏକ୍ୟୁ ମାନ ପରୀକ୍ଷା କରାଯିବ । ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଧାନର ଗୁଣବତ୍ତା ପରୀକ୍ଷା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ଓ ମେସିନ୍ ଯୋଗାଇ ଦେବ ।

Representational Image

  • Published: Monday, 21 October 2024
  • , Updated: 21 October 2024, 08:37 PM IST

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ଦଲାଲଙ୍କ କବଳରୁ ମୁକ୍ତ ରଖିବା ସହ କଟନୀ-ଛଟନୀରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପକାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଚାଷୀଙ୍କୁ ଧାନ ବିକ୍ରି କରିବାର ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ହିସାବରେ ଅର୍ଥରାଶି ପ୍ରଦାନ କରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି ।

ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ବଳ  ବିଭାଗୀୟ ଅଧିକାରୀମାନଙ୍କୁ ଦଲାଲ ଓ ଦୁର୍ନୀତିମୁକ୍ତ ଧାନ ସଂଗ୍ରହ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମଥର ପାଇଁ ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ କରିବେ, ତେଣୁ ୪୮ଘଣ୍ଟା ମଧ୍ୟରେ ଯେଭଳି ଭାବେ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ ତା’ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଧାନ ସଂଗ୍ରହ ପୂର୍ବରୁ ଏଫଏକ୍ୟୁ ମାନ ପରୀକ୍ଷା କରାଯିବ । ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଧାନର ଗୁଣବତ୍ତା ପରୀକ୍ଷା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ଓ ମେସିନ୍ ଯୋଗାଇ ଦେବ । ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ଟି ବୃହତ୍ ମଣ୍ଡିରେ ଅଟୋମେଟିକ୍ ଗ୍ରେନ୍ ଆନାଲାଇଜର ବ୍ୟବସ୍ଥା କରାଯାଇଥିବାବେଳେ ଛୋଟମଣ୍ଡିରେ ମାନୁଆଲ ଧାନ ପରୀକ୍ଷଣ ଯନ୍ତ୍ର ବ୍ୟବସ୍ଥା କରାଯିବ । ଧାନର ପରୀକ୍ଷାନିରୀକ୍ଷା କରି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଧାନସଂଗ୍ରହ କେନ୍ଦ୍ରରେ କ୍ୱାଲିଟି ଆନାଲିଷ୍ଟ ଓ କ୍ୱାଲିଟି ସୁପରଭାଇଜର ନିୟୋଜିତ ହେବେ । ଏଥିପାଇଁ ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଆବଶ୍ୟକୀୟ ସହଯୋଗ କରିବ । ୯୭୩ଟି ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନଙ୍କ ପାଇଁ ବିଶ୍ରାମଗୃହ, ଶୌଚାଳୟ ସୁବିଧା, ଧାନ ଶୁଖାଇବା ପାଇଁ କଂକ୍ରିଟ୍ ଖଳା, ବର୍ଷାରୁ ସୁରକ୍ଷା ଦେବା ପାଇଁ ଛାତଯୁକ୍ତ ଉଚ୍ଚ ପିଣ୍ଡି, ପାଚେରୀ ଆଦି ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନଙ୍କୁ କୁହାଯାଇଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ସମସ୍ତ କାର୍ଯ୍ୟ ଶେଷ ହେବ । ଆରଏମସି ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦେବ । ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ମଧ୍ୟ ଏହି ରାଶି ପ୍ରଦାନ କରିବେ ।

ପ୍ରତ୍ୟେକ ମଣ୍ଡିରେ ଜଣେଜଣେ ପରିଚାଳନା ଅଧିକାରୀ ଓ ପ୍ରତି ୪-୫ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜର ଅଫିସର ରହିବେ । କେନ୍ଦ୍ରୀୟ ଡ୍ୟାସବୋର୍ଡ ଜରିଆରେ ମଣ୍ଡିରେ ହେଉଥିବା ସବୁ କାର୍ଯ୍ୟକ୍ରମର ତଦାରଖ ମଧ୍ୟ କରାଯିବ । ସିସିଟିଭି ଓ ସ୍ମାର୍ଟ କ୍ୟାମେରା ମାଧ୍ୟମରେ ସୀମାବର୍ତ୍ତୀ ରାଜ୍ୟ ସହ ଯୋଡ଼ୁଥିବା ମୁଖ୍ୟରାସ୍ତାକୁ ୨୪ଘଣ୍ଟିଆ ମନିଟରିଂ କରାଯିବ ଓ ଏନଫୋର୍ସମେଂଟ ସ୍କ୍ୱାର୍ଡ ନିୟୋଜିତ କରି ବାହାର ରାଜ୍ୟର ଧାନ ଓଡ଼ିଶା ଆସିବା ଉପରେ ନଜର ରଖାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ଆଜିର ବୈଠକରେ ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାସ୍ତରର ଅଧିକାରୀ ଓ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।

Related story