ରାଜ୍ୟର ସମସ୍ତ ଚାଷୀଙ୍କ କୁଣ୍ଡଳୀ (ବ୍ୟକ୍ତିଗତ ତଥ୍ୟ) ସରକାରଙ୍କ ପାଖରେ ରହିବ। ଏଥିପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଏହି ଫାର୍ମର ରେଜିଷ୍ଟ୍ରି(ଚାଷୀ ପଞ୍ଜିକା) ପ୍ରସ୍ତୁତ ନିମନ୍ତେ ଜାନୁୟାରୀ ପହିଲାରୁ ପ୍ରତି ପଂଚାୟତରେ କ୍ୟାମ୍ପ(ଶିବିର) ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ଟିକିିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ । ଯାହାମାଧ୍ୟମରେ ଚାଷୀଙ୍କ ଚିହ୍ନଟ ହେବା ସହ ତାଙ୍କୁ ସିଧାସଳଖ ସରକାରଙ୍କ ସବୁ ସୁବିଧା ଓ ଯୋଜନାର ଲାଭ ମିଳିପାରିବ । ଚାଷୀ ସହାୟତାର ବାଟମାରଣାରେ ପୂର୍ଣ୍ଣଚ୍ଛେଦ ପକାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପିଏମକିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, ସିଏମ-କିଷାନ, ଫସଲ ଋଣ,ଅନ୍ୟାନ୍ୟ ସମସ୍ତ କୃଷି ସବସିଡିକୁ ପାରଦର୍ଶିତାର ସହ ପ୍ରଦାନ ନିମନ୍ତେ ଏହି ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।
ରାଜ୍ୟରେ ମୋହନ ମାଝୀ ସରକାର ପ୍ରକୃତ ଚାଷୀ ଚିହ୍ନଟ ସହ ସରକାରୀ ପାଣ୍ଠିର ଅନିୟମିତତାକୁ ରୋକିବା ପାଇଁ ରାଜ୍ୟରେ ଫାର୍ମର ରେଜିଷ୍ଟ୍ରି ଡାଟାବେସ୍ ପ୍ରସ୍ତୁତ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କୃଷି ନିର୍ଦ୍ଦେଶକ ଗତ ସପ୍ତାହରେ ସମସ୍ତ ଜିଲ୍ଲାପାଳଙ୍କୁ ଏହି ଡାଟାବେସ୍ ପ୍ରସ୍ତୁତ ନିମନ୍ତେ ଆକ୍ସନ ପ୍ଲାନ୍ ଓ ଏସଓପି ଜାରି କରିଛନ୍ତି । ଏହି ଡାଟାବେସ୍ ପ୍ରସ୍ତୁତ ମାଧ୍ୟମରେ ଚାଷୀଙ୍କୁ ୟୁନିକ୍ ଆଇଡି ଜାରି କରି ସେମାନଙ୍କୁ ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ଯୋଜନାର ଲାଭ ଦେବାକୁ ଲକ୍ଷ୍ୟ ରଖିଛନ୍ତି । କେବଳ ସେତିକି ନୁହେଁ କେଉଁ ଚାଷୀ କେତେ ଚାଷଜମିର ମାଲିକ, ସେଥିରୁ କେତେ ଜଳସେଚିତ ଓ କେତେ ଅଣଜଳସେଚିତ, ତା’ର ତଥ୍ୟ ମଧ୍ୟ ସରକାର ଜାଣିପାରିବେ ।
ଫାର୍ମର ରେଜିଷ୍ଟ୍ରି କାର୍ଯ୍ୟାନ୍ୱୟନର ଏହି ପ୍ରକ୍ରିୟା ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଜାନୁୟାରୀ ୧ରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ସବୁ ପଂଚାୟତରେ ଏକ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯିବ । ଯେଉଁ ଶିବିରରେ ୨ଜଣ ଲେଖାଏଁ ଗ୍ରାମ୍ୟ କୃଷି ସେବକ, ଜଣେ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହିବେ । ଚାଷୀଙ୍କୁ ଶିବିର ପର୍ଯ୍ୟନ୍ତ ଆଣିବା ପାଇଁ ସ୍ଥାନୀୟ କୃଷକ ସାଥୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ପ୍ରତ୍ୟେକ ଶିବିରର ତଦାରଖ ଦାୟିତ୍ୱରେ କୃଷି ଓଭରସିୟର,ବ୍ଲକ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ମଧ୍ୟରୁ ଜଣେ ରହିବେ । ଚାଷୀମାନେ ନିଜର ଆଧାର କାର୍ଡ, ମୋବାଇଲ ଫୋନ୍(ଆଧାର ଲିଙ୍କ ଥିବା) , ଜମି ପଟ୍ଟା(ଭୂଲେଖରେ ଥିବା ରେକର୍ଡ) ଅବା ଖର୍ଦ୍ଦି ଦଲିଲ ଧରି ଶିବିରକୁ ଆସିବେ । ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି ଶିବିରରେ ପିଏମକିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, କୃଷକ ଓଡ଼ିଶାର ହିତାଧିକାରୀଙ୍କ ପଞ୍ଜିକରଣ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଚାଷୀଙ୍କ ପଞ୍ଜିକରଣ ପାଇଁ କୃଷକ ସାଥୀମାନଙ୍କୁ ୬ଟଙ୍କା, ଗ୍ରାମ୍ୟ କୃଷିସେବକ ଓ ରାଜସ୍ୱ ନିରୀକ୍ଷକଙ୍କୁ ୨ଟଙ୍କା ଲେଖାଏଁ ପାରିଶ୍ରମିକ ମିଳିବ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ପ୍ରକ୍ରିୟା ମାର୍ଚ୍ଚ ୩୧ରୁ ହେବ । ଯାହାକି ୩ଟି ମାଧ୍ୟମରେ ହୋଇପାରିବ । ବ୍ୟକ୍ତିଗତସ୍ତରରେ ଏଗ୍ରିଷ୍ଟାକ୍ ୱେବସାଇଟ୍ ଅବା ଆପ୍ ମାଧ୍ୟମରେ, ଜନସେବା କେନ୍ଦ୍ରରେ ଓ ସହାୟକ ମଡେଲକୁ ଉପଯୋଗ କରି ଚାଷୀ ପଞ୍ଜିକରଣ କରାଯିବ ।
ସେହିପରି ଯେଉଁ ଜମିଗୁଡ଼ିକ ଇଜିମାଇଲରେ ଥିବ ଅବା ପିତା-ଜେଜେଙ୍କ ନାଁରେ ଥିବ ତା’ର ପ୍ରକୃତ ହିତାଧିକାରୀ ଆବଶ୍ୟକ ତଥ୍ୟ ଦେଇ ପଞ୍ଜିକରଣ କରାଇବାକୁ ପଡ଼ିବ । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଆଧାର କେୱାଇସି, ଭୂଲେଖରେ ଥିବା ରେକର୍ଡ ଓ ପ୍ରତ୍ୟେକ ଚାଷଜମିର ଫସଲର ବିବରଣୀ(ଡିଜିଟାଲ ଫସଲ ସର୍ଭେ ଡାଟାବେସରୁ ସଂଗୃହୀତ ତଥ୍ୟ) ଠିକଠାକ୍ ଥିଲେ ଚାଷୀଙ୍କୁ ୨୪ଘଣ୍ଟା ମଧ୍ୟରେ ୧୪ଟିକିଆ ସ୍ୱତନ୍ତ୍ର ଆଇଡି ନମ୍ବର(ଓଡ଼ିରୁ ଆରମ୍ଭ) ମିଳିଯିବ । ଅନ୍ୟ ଯେଉର୍ମାନଙ୍କର ଏସବୁ ତଥ୍ୟରେ ସମସ୍ୟା ଥିବ ସେମାନଙ୍କୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ତହସିଲଦାରଙ୍କ ମାଧ୍ୟମରେ ରେକର୍ଡ ଭେରିଫାଏଡ୍ କଲାପରେ ହିଁ ୟୁନିକ୍ ଆଇଡି ନମ୍ବର ମିଳିପାରିବ ।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଏହି ଫାର୍ମର ରେଜିଷ୍ଟ୍ରି ପରେ ଆସନ୍ତା ଆର୍ଥିକ ବର୍ଷରୁ ପିଏମ କିଷାନ, ସିଏମକିଷାନ ସହ ପ୍ରଧାନମନ୍ତ୍ରୀ ଫସଲବୀମା ଆଦି ପାଇଁ ଏହି ୟୁନିକ୍ ଆଇଡି ନମ୍ବରକୁ ବାଧ୍ୟତାମୂଳକ କରିବାକୁ ଯୋଜନା ରଖିଛନ୍ତି । ପରବର୍ତ୍ତୀ ସମୟରେ କୃଷି ସହ ଜଡ଼ିତ ସମସ୍ତ ଯୋଜନା ଓ ସବସିଡି ମଧ୍ୟ କେବଳ ଏହି ଆଇଡି ନମ୍ବର ଥିଲେ ହିଁ ମିଳିପାରିବ ବୋଲି ଜଣାପଡ଼ିଛି । ତେବେ ଏହି ଏସଓପିରେ ଭୂମିହୀନ ଚାଷୀ କିଭଳି ନିଜକୁ ପଞ୍ଜିକରଣ କରିବେ ସେନେଇ ଏସଓପିରେ କିଛି ଉଲ୍ଲେଖ ନାହିଁ ।