ନୂଆଦିଲ୍ଲୀ: ଯଦିଓ ଗତ କିଛି ବର୍ଷରେ ଲାଞ୍ଚର ପରିମାଣ କମିଛି, ତଥ୍ୟରୁ ଜଣାପଡ଼ିଛି ୫୦%ରୁ ଅଧିକ ଭାରତୀୟ ୨୦୧୯ ମସିହାରେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଛନ୍ତି। ଇଣ୍ଡିଆ କରପସନ୍ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
୨୦ ରାଜ୍ୟର ୧.୯ ଲକ୍ଷ ଲୋକଙ୍କକ ମଧ୍ୟରୁ ସିଂହଭାଗ ଲୋକ କହିଛନ୍ତି, ଲାଞ୍ଚ ହିଁ ଏକମାତ୍ର ମାର୍ଗ ଥିଲା ଯାହା ଦ୍ୱାରା ସେମାନଙ୍କ କାମ ସରକାରୀ ଅଧିକାରୀ କରିବେ। ସେମାନେ ମାନିଛନ୍ତି ଦୁର୍ନୀତି ହଟାଇବା ପାଇଁ କମ୍ ପଦକ୍ଷେପ ନିଆଯାଇଛି।
ଏହି ତଥ୍ୟରେ କୁହାଯାଇଛି, ରାଜସ୍ଥାନରେ ସର୍ବାଧିକ ୧୦ ଜଣରେ ୭ ଜଣ ଲାଞ୍ଚ ଦେଇଥା’ନ୍ତି। ସେହିଭଳି କେରଳର ୧୦ ଜଣରେ ଜଣେ ଲାଞ୍ଚ ଦେଇଥା’ନ୍ତି। ୧୧ଟି ରାଜ୍ୟରେ ସମ୍ପତ୍ତି ପଞ୍ଜିକରଣ ପାଇଁ ବା ଜମିଜମା ସମ୍ପର୍କିତ ସମସ୍ୟା ନେଇ ଲାଞ୍ଚ ଦେଇଥା’ନ୍ତି। ୬ଟି ରାଜ୍ୟରେ ପୁଲିସ୍ ସବୁଠାରୁ ଅଧିକ ଲାଞ୍ଚ ନେଇଥା’ନ୍ତି। ମଧ୍ୟପ୍ରଦେଶରେ ପୌରପାଳିକା ସବୁଠାରୁ ଅଧିକ ଲାଞ୍ଚୁଆ ବୋଲି ଏହି ସର୍ଭେ କହିଛି। ଲାଞ୍ଚ ନେଉଥିବା ବିଭାଗ ମଧ୍ୟରେ ଟ୍ରାନ୍ସପୋର୍ଟ, ଟ୍ୟାକ୍ସ, ୱାଟର ମ୍ୟାନେଜମେଣ୍ଟ ଏବଂ ଇଲେକ୍ଟ୍ରିସିଟି ବୋର୍ଡ ଆଦି ରହିଛନ୍ତି।
ଓଡ଼ିଶାରେ ଏହାର ମାତ୍ର ୪୦%, ଅର୍ଥାତ ୧୦୦ ଜଣରେ ୪୦ ଜଣ ଲାଞ୍ଚ ଦେଇଛନ୍ତି। ରାଜସ୍ଥାନରେ ଏହାର ମାତ୍ରା ୭୮% ବୋଲି ଜଣାପଡ଼ିଛି। କେରଳରେ ସର୍ବନିମ୍ନ ୧୦% ଏବଂ ଏହା ଉପରକୁ ଗୋଆ ୧୦% ରହିଛି।
ଲାଞ୍ଚର ମାଧ୍ୟମକୁ ଦେଖିଲେ ନଗଦ ଲାଞ୍ଚର ମାତ୍ରା କମିବାରେ ଲାଗିଛି। ଅର୍ଥାତ ବର୍ତ୍ତମାନ ଅଧିକାରୀମାନେ ଫିକର ଫନ୍ଦି କରି ଦଲାଲଙ୍କ ମଧ୍ୟରେ ଲାଞ୍ଚ ନେଉଛନ୍ତି। ନଗଦ ଲାଞ୍ଚର ପରିମାଣ ୨୦୧୭,୨୦୧୮ ଏବଂ ୨୦୧୯ରେ ଯଥାକ୍ରମେ ୬୩.୯%, ୬୦% ଏବଂ ୪୯.୩% ରହିଥିଲା। ଦଲାଲଙ୍କ ମାଧ୍ୟମରେ ଏହି ୩ ବର୍ଷରେ ଯଥାକ୍ରମେ ୩୪.୪%, ୩୮.୫% ଏବଂ ୪୨.୩% ରହିଛି। ଅନ୍ୟପକ୍ଷରେ ଉପହାର ଆକାରରେ ଲାଞ୍ଚର ମାତ୍ରା ମଧ୍ୟ ବଢ଼ିଛି। ଏହା ୨୦୧୭, ୨୦୧୮ ଏବଂ ୨୦୧୯ରେ ଯଥାକ୍ରମେ ୧.୬%, ୧.୫% ଏବଂ ୮.୫% ରହିଛି।
ସବୁଠାରୁ ବଡ଼ କଥା ହେଉଛି ୬୧% ଲୋକ କହିଛନ୍ତି ତାଙ୍କ ରାଜ୍ୟ ବା ସହରରେ ଦୁର୍ନୀତି ବିରୋଧରେ ଅଭିଯୋଗ କରିବା ପାଇଁ କୌଣସି ହେଲ୍ପଲାଇନ୍ ନମ୍ବର ନାହିଁ। ୮୨% ଲୋକ କହିଛନ୍ତି ଦୁର୍ନୀତି ହଟାଇବା ପାଇଁ ସେଭଳି କିଛି ପଦକ୍ଷେପ ନିଆଯାଇନାହିଁ। ୬୪% ଲୋକ ଲାଞ୍ଚ ଦେବାକୁ ବାଧ୍ୟ ହୋଇଥିଲେ, କାରଣ ଏହା ନକରିଥିଲେ ତାଙ୍କ କାମ ହୋଇନଥା’ନ୍ତା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।