ମାଓବାଦୀଙ୍କ ସହିତ ଗୁଳିବିନିମୟ: ୧୪ ପୁଲିସ ଆହତ, ୧୩ ଜଣଙ୍କ ସହ ହୋଇପାରୁନି ଯୋଗାଯୋଗ

ରାୟପୁର: ସାରା ଦେଶରେ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଉଥିବା ବେଳେ ବିଳମ୍ୱିତ ରାତିରେ ଛତିଶଗଡ଼ରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀଙ୍କ ସହ ଗୁଳି ବିନିମିୟ ବେଳେ ୧୪ ଜଣ ପୁଲିସ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ସୁକୁମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳର କୋରଜଗୁଡା ପାହାଡ ନିକଟରେ ରାତି ପ୍ରାୟ ୨.୩୦ ସମୟରେ ଏହି ଏନକାଉଣ୍ଟର ହୋଇଛି।

ଆହତ ପୁଲିସ ଅଧିକାରୀଙ୍କୁ ହେଲିକପ୍ଟର ଯୋଗେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଗୁଳିବିନିମୟ ପରେ ୧୩ ଜଣ ସୁରକ୍ଷା କର୍ମୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି। ଏ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଚିନ୍ତାଗୁମ୍ଫା ନିକଟରେ ଥିବା ଏଲମଗୁଣ୍ଡାରେ ମାଓବାଦୀ ଲୁଚି ରହିଥିବା ନେଇ ପୁଲିସ ସୂଚନା ପାଇଥିଲା। ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ କୋବ୍ରା କମାଣ୍ଡର ମିଳିତ ଅପରେସନ ଆରମ୍ଭ କରିଥିଲେ।

ମୋଟ୍ ୧୫୦ ଜଣ ଏହି ଅପରେସନରେ ସାମିଲ୍ ଥିବା ସୂଚନା ରହିଛି। ହେଲେ ରାୟପୁରଠାରୁ ପ୍ରାୟ ୪୫୦ କିଲୋମିଟର ଦୂରରେ ଥିବା ଏଲମାଗୁଣ୍ଡା ନିକଟସ୍ଥ କୋରଜଗୁଡା ନିକଟରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ରୁ ୫ ମାଓବାଦୀଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଆକଳନ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।