ନୂଆଦିଲ୍ଲୀ: ଇଭିଏମ୍ ଓ ଭିଭିପ୍ୟାଟ ଭୋଟ ଗଣତି ନେଇ ଆସନ୍ତାକାଲି ବିରୋଧୀଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ। ଆଜି ୨୦ଟି ବିରୋଧୀ ଦଳ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ଆପତ୍ତି ଉଠାଇଥିଲେ। ଯେଉଁଥିରେ ଭୋଟ ଗଣତି ପୂର୍ବରୁ ଆଗୁଆ ଭିଭିପ୍ୟାଟର ଭୋଟ ଗଣତି କରି ଇଭିଏମ ସହ ମିଳାଇବା ପାଇଁ ଦାବି କରିଛନ୍ତି।
ଯଦି ଭିଭିପ୍ୟାଟ ଓ ଇଭିଏମର ଭୋଟ ଗଣତି ବେଳେ କୌଣସି ଅସଙ୍ଗତି କିମ୍ୱା ତ୍ରୁଟି ରୁହେ, ତାହେଲେ ସେହି ବୁଥ ଅଥବା ନିର୍ବାଚନ ମଣ୍ଡଳୀରେ ପୁନଃ ଭୋଟିଂ ପାଇଁ ଦାବି କରିଛନ୍ତି।
ନିର୍ବାଚନ କମିଶନଙ୍କୁ ଭେଟିବା ବେଳେ ବିରୋଧୀ ଦଳ ନେତାମାନେ ଇଭିଏମକୁ ଟ୍ରକରେ ବୁହା ହେଉଥିବାର ଭିଡିଓ ସୋଶାଲ ମିଡିଆରେ ବୁଲୁଥିବା କଥା କହିଥିଲେ। ଯାହାର ଜବାବରେ ନିର୍ବାଚନ କମିଶନ କହିଛନ୍ତି ସମସ୍ତ ଇଭିଏମ ଓ ଭିଭିପ୍ୟାଟ ଷ୍ଟ୍ରଙ୍ଗ ରୁମରେ ରହିଛି। ଯାହାର ନଜର ସିସିଟିଭି ରଖିଛି। ସୋଶାଲ ମିଡିଆରେ ଇଭିଏମ ବୁହା ହେଉଥିବାର ଯେଉଁ ଭିଡିଓ ଦେଖିବାକୁ ମିଳୁଛି ତାହା ନିର୍ବାଚନରେ ବ୍ୟବହାର ହୋଇନଥିବା ଇଭିଏମ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି।
ସମସ୍ତ ଷ୍ଟ୍ରଙ୍ଗ ରୁମ୍ ୨୪ ଘଣ୍ଟିଆ ସିସିଟିଭି ନଜରରେ ଥିବା ବେଳେ କେନ୍ଦ୍ରୀୟ ସୁରକ୍ଷା ବଳ ସେଗୁଡ଼ିକୁ ଜଗିଥିବା ଏବଂ ଇଭିଏମ ଓ ଭିଭିପ୍ୟାଟକୁ ଦୁଇ ସ୍ତରୀୟ ଲକ କରାଯାଇଥିବା ନିର୍ବାଚନ କମିଶନ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।