ମୁମ୍ବାଇ: ଖୁସ୍ବୁ ବଂଶଲ। ବୟସ ୨୮। ଗତକାଲି ଥିଲା ତାଙ୍କ ଜନ୍ମଦିନ। ବେଶ୍ ଧୁମ୍ଧାମ୍ ପାଳନ କରୁଥିଲେ ଜନ୍ମଦିନ। ସାଙ୍ଗରେ ଥିଲେ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ। ହେଲେ ସେ ଜାଣି ନଥିଲେ ଏହା ତାଙ୍କର ଶେଷ ଜନ୍ମଦିନ ପାଳନ ହେବ ବୋଲି। ଜନ୍ମଦିନ ପାର୍ଟି ଚାଲିଥିଲା ବେଳେ ହଠାତ୍ ଲାଗିଗଲା ନିଆଁ। ଏଥିରେ ତାଙ୍କ ସହିତ ଆହୁରି ୧୩ ଜଣଙ୍କର ଜୀବନ ଚାଲିଗଲା। ସେମାନଙ୍କ ମଧ୍ୟରେ ଖୁସ୍ବୁଙ୍କ କିଛି ସାଙ୍ଗ ଓ ସଂପର୍କୀୟ ମଧ୍ୟ ଅଛନ୍ତି।
ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର କମଲା ମିଲ୍ସ କଂପାଉଣ୍ଡ ପରିସରରେ ହୋଇଥିବା ଅଗ୍ନିକାଣ୍ଡରେ ଏମିତି ଦୁଃଖଦ ଘଟଣା ଘଟିଛି। ଏହି କୋଠାର ଛାତ ଉପରେ ଥିବା ମୋଜୋ ରେଷ୍ଟୁରାଣ୍ଟରେ ଖୁସ୍ବୁ ପାଳୁଥିଲେ ଜନ୍ମଦିନ। ତାଙ୍କ ସହିତ ପାଖାପାଖି ୫୦ ଜଣ ବ୍ୟକ୍ତି ଥିଲେ। ଏହି ରେଷ୍ଟୁରାଣ୍ଟରୁ ହିଁ ପ୍ରଥମେ ନିଆଁ ଲାଗିଥିଲା। ନିଆଁ ଲାଗିବାର ଅଳ୍ପ ସମୟ ପୂର୍ବରୁ କେକ୍ କାଟିଥିଲେ ଖୁସ୍ବୁ।
ଖୁସ୍ବୁଙ୍କ ଜନ୍ମ ଅହମଦାବାଦରେ ହୋଇଥିଲେ। ଦୁଇ ବର୍ଷ ପୂର୍ବେ ତାଙ୍କର ବାହାଘର ହୋଇଥିଲା। ତାଙ୍କର ତିନି ଜଣ ଭଉଣୀ ଅଛନ୍ତି। ତାଙ୍କ ବାପା ଏକ ଘରୋଇ କଂପାନୀରେ ଚାକିରି କରୁଥିଲେ। ଖୁସ୍ବୁ ତାଙ୍କ ବେଷ୍ଟ ଫ୍ରେଣ୍ଡ କିଞ୍ଜଳ ମେହତାଙ୍କ ସହିତ ପାର୍ଟିରେ ରାତି ପ୍ରାୟ ୧୧ଟାରେ ପହଞ୍ଚିଥିଲେ।
ଏହି ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ିନାହିଁ। ତେବେ ନିଆଁ ଲାଗିବା ପରେ ଶ୍ୱାସରୁଦ୍ଧ ହୋଇ ଅଧିକାଂଶଙ୍କ ମୃତ୍ୟୁ ଘଟିଛି। ନିଆଁ ଲାଗିବା ପରେ ଲୋକେ ଧାଇଁ ସେଠାରୁ ପଳାଇଥିଲେ। ଅନେକ ନିଆଁ କବଳରୁ ବାହାରି ଯାଇପାରିନଥିଲେ। କେତେଜଣ ଟଏଲେଟ୍ ଭିତରେ ପଶି ଯାଇଥିଲେ। କିନ୍ତୁ ଜୀବନ ବଞ୍ଚାଇ ପାରିନଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।