ତ୍ରିପୁରା: ରାତି ବଢ଼ିବା ସହ ଜମିଥିଲା ଆସର। ଏହି ସମୟରେ ନିଶାରେ ଚୁର୍ ଥିଲେ ୧୦ରୁ ଅଧିକ ବ୍ୟକ୍ତି। ଏହାପରେ ଅଧିକ ନିଶା ପାଇଁ ସେମାନଙ୍କ ମଧ୍ୟରୁ ମଦ ଭାବି ୩ ଜଣ ଏସିଡ ପିଇଦେଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଏପରି ଅଭାବନୀୟ ଘଟଣା ତ୍ରିପୁରାର ଧଲାଇ ଜିଲ୍ଲାରେ ହୋଇଛି।
ପୁଲିସ୍ ସୂଚନା ଅନୁଯାୟୀ, ମୃତକ ୩ ଜଣ ହେଲେ ସଚିନ୍ଦ୍ର ରିୟାଙ୍ଗ(୨୨), ଅଧିରାମ ରିୟାଙ୍ଗ(୪୦) ଓ ଭାବିରାମ ରିୟାଙ୍ଗ । ସେମାନଙ୍କ ମଧ୍ୟରୁ ଭାବିରାମଙ୍କ ପତ୍ନୀ ନିଜ ପିଲାଙ୍କ ସହ ଗତ ଶୁକ୍ରବାରଠାରୁ ବାପ ଘରକୁ ଆସିଥିଲେ। ସେଠାରେ ଥିବା ବେଳେ ପୁଅ ଦେହ ଭଲ ନ ଥିବା ଖବର ପାଇ ଗତ ସୋମବାର ଭାବିରାମ ଶ୍ୱଶୁର ଘରକୁ ଯାଇଥିଲେ।
ସେଠାରେ ସୋମବାର ରାତିରେ ଏକ ପାର୍ଟି ଆୟୋଜିତ ହୋଇଥିଲା, ଯେଉଁଥିରେ ୧୦ ଜଣ ସାମିଲ ହୋଇଥିଲେ। ନିଶାସକ୍ତ ଥିବା ବେଳେ ଅଧିକ ମଦ ପିଇବା ପାଇଁ ଉକ୍ତ ୩ ଜଣ ମଦ ବଦଳରେ ଏସିଡ ପିଇ ଦେଇଥିଲେ।
ଏହାପରେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ପ୍ରଥମେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ବୁଧବାର ସକାଳୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡାକ୍ତର ଉକ୍ତ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରଠୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।