ମୁମ୍ୱାଇ: ୪୨ ବର୍ଷ ଧରି କୋମାରେ ପଡ଼ିଥିବା କିଙ୍ଗ୍ ଏଡୱାର୍ଡ ମେମୋରିଆଲ (କେଇଏମ୍) ହସପିଟାଲର ପୂର୍ବତନ ନର୍ସ ଅରୁଣା ଶାନବାଗଙ୍କର ସୋମବାର ସକାଳେ ପ୍ରାୟ ସାଢ଼େ ୮ଟାରେ ନିଧନ ହୋଇଯାଇଛି। କେଇଏମ୍ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।
୪୨ ବର୍ଷ ଧରି କୋମାରେ ପଡ଼ି ରହିଥିବା ଅରୁଣାଙ୍କ ଅବସ୍ଥା ଗତ ସପ୍ତାହରେ ସଂକଟାପନ୍ନ ହୋଇଥିଲା। ତାଙ୍କୁ ନିମୋନିଆ ହୋଇଯାଇଥିଲା। ଗତ ତିନି ଦିନ ହେଲା ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା।
୧୯୭୩ ମସିହା ନଭେମ୍ୱର ମାସ ୨୭-୨୮ ତାରିଖ ରାତିରେ ବଳାତ୍କାରର ଶିକାର ହୋଇଥିଲେ ଅରୁଣା। ସେତେବେଳେ ସେ କେଇଏମରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଆଉ ସେହି କେଇଏମ ଡାକ୍ତରଖାନାରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ଡାକ୍ତରଖାନାର ଜଣେ ସୁଇପର ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ତା’ ନାଁ ସୋହନଲାଲ ବାଲ୍ମିକୀ। ଦୁଷ୍କର୍ମର ଶିକାର ହେବା ପରଠାରୁ ହିଁ ଆଉ ବିଛଣାରୁ ଉଠି ପାରି ନଥିଲେ ଅରୁଣା। କୋମାକୁ ଚାଲି ଯାଇଥିଲେ ଅରୁଣା। ଦୁଷ୍କର୍ମ କଲା ବେଳେ ତାଙ୍କ ବେକକୁ ଏକ କୁକୁରକୁ ଚେନରେ ବାନ୍ଧି ଦେଇଥିଲା ସୋହନଲାଲ। ଉଦ୍ଦେଶ୍ୟ ଥିଲା ଅରୁଣା ଆଉ ଚିତ୍କାର କରିପାରିବେ ନାହିଁ। ତେବେ ଏଥିଯୋଗୁ ଅରୁଣାଙ୍କ ମସ୍ତିଷ୍କକୁ ରକ୍ତ ସଂଚାଳନ ହୋଇପାରିଲା ନାହିଁ। ମସ୍ତିଷ୍କରେ ଅମ୍ଳଜାନା ବି ହ୍ରାସ ହୋଇଗଲା। କୋମାରେ ଚାଲି ଯିବା ପରଠାରୁ ତାଙ୍କୁ କେଇଏମ୍ ହସପିଟାଲରେ ରଖାଯାଇଥିଲା। ହସପିଟାଲ କତ୍ତୃର୍ପକ୍ଷ ତାଙ୍କର ସେବା କରି ଆସୁଥିଲେ। ସମୟକ୍ରମେ ତାଙ୍କ ପରିବାର ଲୋକେ ବି ତାଙ୍କଠାରୁ ଦୂରେଇ ଗଲେ।
୨୦୧୧ ମସିହାରେ କୋମାରେ ପଡ଼ିଥିବା ଅରୁଣାଙ୍କ ପାଇଁ ସୁପ୍ରିମକୋର୍ଟରେ ଇଚ୍ଛାମୃତ୍ୟୁ ମାଗିଥିଲେ ପିଙ୍କି ବୀରାନୀ। ପିଙ୍କି ବୀରାନୀ ହେଉଛନ୍ତି ଅରୁଣାଙ୍କ ସାଙ୍ଗ ତଥା ଜଣେ ପୂର୍ବତନ ସାମ୍ବାଦିକା। ତେବେ ସୁପ୍ରିମକୋର୍ଟ ତାଙ୍କର ଏହି ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ପ୍ରଥମେ ତାଙ୍କ ଆବେଦନର ଶୁଣାଣି କରିବାକୁ ଗ୍ରହଣ କରି ନେଇଥିଲେ ଓ ଏକ ମେଡିକାଲ ପ୍ୟାନେଲ ଗଠନ କରିବା ପାଇଁ ନିଦ୍ଦେର୍ଶ ଦେଇଥିଲେ। କିନ୍ତୁ ୨୦୧୧ ମାର୍ଚ୍ଚ ୭ ତାରିଖରେ କୋର୍ଟ ତାଙ୍କ ନିଷ୍ପତ୍ତି ବଦଳାଇଥିଲେ। କେଇଏମ୍ ହସପିଟାଲର ପରିଚାଳନା କତୃର୍ପକ୍ଷ ଓ ନର୍ସମାନେ ମଧ୍ୟ ପିଙ୍କି ବୀରାନୀଙ୍କର ଏଭଳି ଆବେଦନକୁ ବିରୋଧ କରିଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ଅରୁଣା କୋମାରେ ନାହାନ୍ତି। ସେ ’ଭେଜିଟେଟିଭ୍’ ଅବସ୍ଥାରେ ଅଛନ୍ତି।
ଅରୁଣାଙ୍କ ଜୀବନୀ ଉପରେ ବହିଟିଏ ଲେଖିଛନ୍ତି ପିଙ୍କି ବୀରାନୀ। ୧୯୯୮ରେ ଏହି ବହିଟି ପ୍ରକାଶିତ ହୋଇଥିଲା। ବହିଟିର ନାଁ ହେଉଛି ‘ଅରୁଣାର କାହାଣୀ’। ଏଥିରେ ଅରୁଣାଙ୍କ ଦୁଃଖଦ ଜୀବନକୁ ବର୍ଣ୍ଣିତ ହୋଇଛି। ସେହିପରି ଦତାକୁମାର ଦେଶାଇ ନାମକ ଜଣେ ମରାଠୀ ନାଟ୍ୟକାର ଅରୁଣାଙ୍କ ଜୀବନୀକୁ ନେଇ ନାଟକ ଟିଏ ଲେଖିଥିଲେ ୧୯୯୪-୯୫ରେ। ଏହି ନାଟକଟିକୁ ୨୦୦୨ରେ ମଂଚସ୍ଥ କରାଯାଇଥିଲା ନିଦ୍ଦେର୍ଶକ ବିନୟ ଆପ୍ତେଙ୍କ ତତ୍ୱାବଧାନରେ।
ପିଙ୍କି ବୀରାନୀ କହିଛନ୍ତି ଯେ ତାଙ୍କର ପ୍ରକୃତ ମୃତ୍ୟୁ ୧୯୭୩ରୁ ହୋଇସାରିଥିଲା। ବର୍ତମାନ ତାଙ୍କର ଆଇନତଃ ମୃତ୍ୟୁ ଘଟିଛି। ଅରୁଣାଙ୍କ ମୃତ୍ୟୁ ଆମ ଦେଶର ଇଚ୍ଛାମୃତ୍ୟୁ ଆଇନରେ ସଂଶୋଧନ ପାଇଁ ଆହ୍ୱାନ ଦେଇଛି।
ସୂଚନାଯୋଗ୍ୟ, ସୋହନଲାଲକୁ ହତ୍ୟା ଉଦ୍ୟମ ଓ ଡକାୟତି ଆଦି ଦଫାରେ ସାତ ବର୍ଷ ଜେଲ୍ ହୋଇଥିଲା। ତା’ପରେ ସେ ମୁକ୍ତ ହୋଇଯାଇଥଲା।