ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ହିମାଚଳ ପ୍ରଦେଶର ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ କଲ୍ୟାଣ ସିଂହଙ୍କ ସ୍ଥାନରେ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।
ସେହିପରି କାଲରାଜ ମିଶ୍ରଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି କାଲରଜ ମିଶ୍ରଙ୍କ ନୂଆ ନିଯୁକ୍ତିକୁ ସ୍ୱାଗତ ଜଣାଇବା ସହିତ ଶୁଭେଚ୍ଛା ଜଣାଇଛନ୍ତି।
ମହାରାଷ୍ଟ୍ରର ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କ ସ୍ଥାନରେ ଭଗତ ସିଂହ କୋଶିୟାରିଙ୍କୁ ନିଯୁକ୍ତ କରାଯାଇଛି।
କେରଳର ରାଜ୍ୟପାଳ ପି. ସଦାଶିବମ୍ଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରିଫ ମହମ୍ମଦ ଖାଁଙ୍କୁ ନିଯୁକ୍ତ କରାଯାଇଛି। ରାଜୀବ ଗାନ୍ଧି ସରକାରରେ ମନ୍ତ୍ରୀ ଥିବା ବେଳେ ଅରିଫ୍ ‘ଶାହ ବାନୋ’ ପ୍ରସଙ୍ଗରେ ଦଳ ଛାଡ଼ିଥିଲେ। ତିନି ତଲାକ୍ ତର୍କ ବେଳେ ବିଜେପି ଅରିଫଙ୍କ ଅନେକ କଥା ଉଦ୍ଧୃତ କରିଥିଲା। ନିକଟରେ କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଅରିଫ୍ ସମର୍ଥନ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିବାରୁ ସେ ବହୁତ୍ ଖୁସି, ଭାରତରେ ଜନ୍ମ ଗ୍ରହଣ କରିଥିବାରୁ ସେ ଗର୍ବିତ ବୋଲି କହିଛନ୍ତି ଅରିଫ୍ ମହମ୍ମଦ ଖାଁ।
ସେହିପରି ତାମିଲନାଡୁ ବିଜେପି ସଭାପତି ଡକ୍ଟର ତାମିଲିସାଇ ସୁନ୍ଦରରାଜନ ତେଲେଙ୍ଗାନା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ଏବେ ଇଏସଏଲ ନରସିଂହନ ତେଲେଙ୍ଗାନାର ରାଜ୍ୟପାଳ ରହିଛନ୍ତି। ଡକ୍ଟର ତାମିଲିସାଇ ସୁନ୍ଦରରାଜନ ପ୍ରତିକ୍ରିୟାରେ କହିଛନ୍ତି ସେ ଜଣେ କଂଗ୍ରେସର ବରିଷ୍ଠ ନେତାଙ୍କ ଝିଅ। ପେଶାରେ ସେ ଯେତେବେଳେ ଡାକ୍ତର ଥିଲେ ବିଜେପିରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାକୁ ତାଙ୍କ ବାପା ସେତେବେଳେ ନିଜସ୍ୱ ନିଷ୍ପତ୍ତି କହିଥିଲେ। ଆଜି ତାଙ୍କ ବାପା ବହୁତ୍ ଖୁସି ହେବେ ବୋଲି କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଡିଏମକେ ନେତା କାନ୍ନୀମୋଝୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ଡକ୍ଟର ତାମିଲିସାଇ ସୁନ୍ଦରରାଜନ ପରାଜିତ ହୋଇଥିଲେ। ଏହାପରେ ରାଜ୍ୟର ସଦସ୍ୟ ଅଭିଯାନ ଜରିଆରେ ବିଜେପିର ସଦସ୍ୟ ସଂଖ୍ୟା ୪୪.୫ ଲକ୍ଷ କରାଇଥିବାରୁ ସେ ଖୁସି। ଏବେ ସେ ଏହି ଖୁସିରେ ଦଳରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ଏବେ ତେଲେଙ୍ଗାନାର କିଭଳି ଉନ୍ନତୀ ହେବ ସେ ନେଇ ସମସ୍ତ ପ୍ରୟାସ କରିବେ ବୋଲି ସେ କହିଛନ୍ତି।