ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ଅଖିଲେଶ, ମାନେକା, ଗମ୍ଭୀରଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ରାତି ପାହିଲେ ଚଳିତ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସମେତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥରେ ମତଦାନ ହେବ। ଏହି ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ଭୋଟ ଦେବେ ବୋଲି ଜଣାପଡ଼ିଛି। ବିହାରର ୮ଟି, ହରିଆନାର ୧୦ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, […]

vote3

vote3

Subhransu Sekhar
  • Published: Saturday, 11 May 2019
  • Updated: 11 May 2019, 02:21 PM IST

Sports

Latest News

ନୂଆଦିଲ୍ଲୀ: ରାତି ପାହିଲେ ଚଳିତ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସମେତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥରେ ମତଦାନ ହେବ। ଏହି ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ଭୋଟ ଦେବେ ବୋଲି ଜଣାପଡ଼ିଛି।

ବିହାରର ୮ଟି, ହରିଆନାର ୧୦ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ।

୨୦୧୪ରେ ଏହି ସମସ୍ତ ଆସନରୁ ବିଜେପି ୪୫ଟି ଆସନ ଜିତିଥିଲା, ସେହିପରି ତୃଣମୂଳ କଂଗ୍ରେସ ୮ଟି, କଂଗ୍ରେସ ୨ଟି, ସମାଜବାଦୀ ପାର୍ଟି ଏବଂ ଲୋକଜନଶକ୍ତି ପାର୍ଟି ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇଥିଲା।

କେଉଁ ରାଜ୍ୟରେ କେତେ ଆସନରେ ନିର୍ବାଚନ, କଣ ଥିଲା ୨୦୧୪ର ସ୍ଥିତି

ଦିଲ୍ଲୀର ୭ଟି ଆସନ ପାଇଁ ଭୋଟ ପଡ଼ିବ। ମୋଟ ୧୬୪ ଜଣ ପ୍ରାର୍ଥୀ ହୋଇଥିବା ବେଳେ ସମସ୍ତ ଆସନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଜଣାପଡ଼ିଛି। କଂଗ୍ରେସରୁ ଶୀଲା ଦିକ୍ଷିତ, ଅଲିମ୍ପିଆନ ବିଜେନ୍ଦର ସିଂହ, ବିଜେପିରୁ ହର୍ଷବର୍ଦ୍ଦନ ସିଂହ, ଗୌତମ ଗମ୍ଭୀର ଭଳି ଆଦି ଏଥର ଦିଲ୍ଲୀରେ ଅଧିକ ଚର୍ଚ୍ଚିତ ପ୍ରାର୍ଥୀ ରହିଛନ୍ତି। ୨୦୧୪ରେ ବିଜେପି ସମସ୍ତ ଆସନରେ ବିଜୟ ହୋଇଥିଲା।

ଉତ୍ତରପ୍ରଦେଶରେ ୧୪ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ। ମୋଟ ୧୭୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ଇଭିଏମରେ ସିଲ୍ ହେବ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ, କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ଭଳି ହେବିଓ୍ୱେଟଙ୍କ ପାଇଁ ଆସନ୍ତାକାଲି ଭୋଟ ପଡ଼ିବ। ୧୪ଟି ନିର୍ବାଚନ ମଣ୍ଡଳୀରୁ ବିଜେପି ଅନ୍ତିମଥର ୧୩ଟି ଜିତିଥିଲା। କେବଳ ଏସପିର ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବ କେବଳ ନିଜ ଗଡ଼ ବଞ୍ଚାଇବାରେ ସଫଳ ହୋଇଥିଲେ।

ହରିଆନାରେ ୧୦ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ। ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ଼ା ପୁଣିଥରେ ନିର୍ବାଚନୀ ମଇଦାନରେ ଥିବାରୁ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଜଣାପଡ଼ିଛି। ପ୍ରଚାର ଅନ୍ତିମ ଦିନରେ କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ଶିଖ ବିରୋଧୀ ମନ୍ତବ୍ୟକୁ ପ୍ରସଙ୍ଗ କରି ଭୋଟ ବ୍ୟାଙ୍କ ଆହୁରି ମଜବୁତ କରିବାକୁ ଚେଷ୍ଟା କରିଛି ବିଜେପି। ୨୦୧୪ରେ ବିଜେପି ୧୦ଟି ଆସନରୁ ୮ଟିରେ ପ୍ରାର୍ଥୀ ଦେଇ ୭ଟିରେ ବିଜୟ ହୋଇଥିଲା। ଅନ୍ୟ ୩ ଆସନରେ ଆଇଏନଲେଡ଼ି ୨ଟି ଏବଂ କଂଗ୍ରେସ ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇଥିଲା।

ପଶ୍ଚିମବଙ୍ଗର ୮ଟି ଆସନ ପାଇଁ ଭୋଟ ପଡ଼ିବ। ଚଳିତ ନିର୍ବାଚନରେ ବିଜେପି ପଶ୍ତିମବଙ୍ଗର ଶାସକ ଦଳ ଟିଏମସି ବିରୋଧରେ ସବୁଠୁ ଅଧିକ ପ୍ରଚାର କରିଛି। ଏହି ୮ଟି ଆସନ ପାଇଁ ମୋଟ ୮୩ ଜଣ ପ୍ରାର୍ଥୀ ରହିଛନ୍ତି। ଗତଥର ଟିଏମସି ସମସ୍ତ ଆସନରେ ବିଜୟ ହୋଇଥିଲା। ଚଳିତଥର ନିର୍ବାଚନ ବେଳେ ଅନେକ ହିଂସା ଓ ବୁଥ୍ ରିଗିଂର ଅଭିଯୋଗ ଆସିବା ପରେ ପୋଲିଂ ସ୍ଥାନ ଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷାବଳୟ ନିୟୋଜିତ କରାଯାଇଛି।

ଝାରଖଣ୍ଡରେ ୪ଟି ଆସନ ପାଇଁ ଭୋଟ ପଡ଼ିବ। ଝାରଖଣ୍ଡରେ କଂଗ୍ରେସ ଏବଂ ଜେଏମଏମ ମଧ୍ୟରେ ମେଣ୍ଟ ହୋଇ ବିଜେପି ବିରୋଧରେ ଲଢ଼ୁଛନ୍ତି। ୨୦୧୪ରେ ଏହି ସମସ୍ତ ଆସନରେ ବିଜେପି ବିଜୟ ହୋଇଥିଲା।

ବିହାରରେ ୮ଟି ଆସନ ପାଇଁ ଭୋଟ ପଡ଼ିବ। ଚଳିତ ଥର ବିଜେପି-ଜେଡିୟୁ-ଲୋକ ଜନଶକ୍ତି ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ଆରଜେଡ଼ି-କଂଗ୍ରେସ ଓ ଅନ୍ୟାନ୍ୟ ଦଳ ମେଣ୍ଟ କରିଛନ୍ତି। ୨୦୧୪ରେ ବିଜେପିର ସହଯୋଗୀ ଏଲଜେପି ଗୋଟିଏ ଆସନ ଜିତିଥିବା ବେଳେ ଅନ୍ୟ ସମସ୍ତ ଆସନରେ ବିଜେପି ଜିତିଥିଲା।

ମଧ୍ୟପ୍ରଦେଶରେ ୮ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ। ମୋଟ ୮୩ ଜଣ ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି। ଏହାରି ଭିତରେ ରହିଛି ଭୋପାଲ ଲୋକସଭା ଆସନ। ମଧ୍ୟପ୍ରଦେଶରେ ଏହା ତୃତୀୟ ପର୍ଯ୍ୟାୟ ମତଦାନ ଅଟେ। ଏପ୍ରିଲ ୨୯ରୁ ଏଠାରେ ମତଦାନ ହୋଇଥିଲା। ୨୦୧୪ରେ ବିଜେପି ମୋଟ ୭ଟି ଆସନ ଜିତିଥିବା ବେଳେ ଗୁନା ଆସନରେ କଂଗ୍ରେସ ବିଜୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos