ନୂଆଦିଲ୍ଲୀ: ୮୦ ପ୍ରତିଶତ କୋଭିଡ୍-୧୯ ସଂକ୍ରମଣ ଘଟଣାରେ ପୂର୍ବରୁ ଲକ୍ଷଣ ନଥିଲା ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ କୁହାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ମୁଖ୍ୟ ଡକ୍ଟର ଆର ଗଙ୍ଗାଖେଡକର କହିଛନ୍ତି, ଯଦି କରୋନା ଭାଇରସ ଦ୍ୱାରା ୧୦୦ ଲୋକ ସଂକ୍ରମିତ ହୋଇଥିବେ, ତେବେ ସେମାନଙ୍କ ମଧ୍ୟରୁ ୮୦ ଜଣ ରୋଗର କୌଣସି ଲକ୍ଷଣ କିମ୍ବା ସାମାନ୍ୟତମ ଲକ୍ଷଣ ପ୍ରଦର୍ଶନ କରିନାହାନ୍ତି।
ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଲବ୍ ଅଗ୍ରୱାଲ ଗଣମାଧ୍ୟମକୁ କହିଛନ୍ତି, ସମଗ୍ର ବିଶ୍ୱରେ ପ୍ରାୟ ୮୦% କୋଭିଡ୍-୧୯ ପଜିଟଟିଭ୍ ଘଟଣାରେ କୌଣସି ଲକ୍ଷଣ ଦେଖାଯାଉନି। ତେବେ ପରୀକ୍ଷା କ୍ରାଇଟେରିଆରେ ପରିବର୍ତ୍ତନ ଅଣାଯାଇ ସ୍କ୍ରିନିଂ କରାଯିବା କଥା କି ନା ବୋଲି ପ୍ରଶ୍ନରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବର୍ତ୍ତମାନର ନିର୍ଦ୍ଦେଶାବଳୀ ଏହାକୁ ଧ୍ୟାନରେ ରଖିଛି।
ଲବ୍ ଅଗ୍ରୱାଲ କହିଛନ୍ତି, ଆମର ପରୀକ୍ଷଣ ମାନଦଣ୍ଡଗୁଡ଼ିକ ଯଥେଷ୍ଟ ବିସ୍ତୃତ, ଯେଉଁଥିରେ ଲକ୍ଷଣାତ୍ମକ ମାମଲାଗୁଡ଼ିକର ପରୀକ୍ଷା କରିବା ସହିତ ଲ୍ୟାବ୍ରେ ପଜିଟିଭ୍ ଘୋଷିତ ଆକ୍ରାନ୍ତଙ୍କ ହାଇରିସ୍କ କଣ୍ଟାକ୍ଟକୁ ମଧ୍ୟ ବିଚାରକୁ ନିଆଯାଉଛି।
ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସେହି ସମସ୍ତ ବ୍ୟକ୍ତିଙ୍କୁ ବିଚାରକୁ ନିଆଯାଉଛି, ଯେଉଁମାନଙ୍କଠାରେ ‘ସିଭିଅର ଆକ୍ୟୁଟ୍ ରେସ୍ପିରେଟୋରି ଇଲ୍ନେସ୍’ ରହିଛି। ଅର୍ଥାତ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଭୋଗୁଥିବା ବର୍ଗକୁ ବିଚାରକୁ ନିଆଯାଉଛି।
ଆର ଗଙ୍ଗାଖେଡକର ଆହୁରି ମଧ୍ୟ କହିଛନ୍ତି, ଇନ୍ଫ୍ଲୁଏଞ୍ଜା ଭଳି ରୋଗରେ ଆକ୍ରାନ୍ତ ଲୋକଙ୍କୁ ମଧ୍ୟ ନମୁନା ମାନଦଣ୍ଡରେ ଅନ୍ତର୍ଭୁକ୍ତ କରାଯାଇଛି। ଡକ୍ଟର ଗଙ୍ଗାଖେଡକର କହିଛନ୍ତି ଯେ ଏହା ସହ ଆମକୁ ଆହୁରି କେତେ ଆଗକୁ ଯିବାକୁ ପଡିବ, ସମୟ କ୍ରମେ ଜଣାପଡ଼ିଯିବ।
ଲବ୍ ଅଗ୍ରୱାଲ କହିଛନ୍ତି ଯେ ପ୍ରାୟ ୧୫% ସଂକ୍ରମଣ ଘଟଣା ଗୁରୁତର ବା ସିଭିଅର୍ ସଂକ୍ରମଣରେ ପରିଣତ ହୁଏ, ଯେଉଁଥିରେ ଅମ୍ଳଜାନ ସହାୟତା ଆବଶ୍ୟକ ହୋଇପାରେ। ଅନ୍ୟପକ୍ଷରେ ୫% ସଂକ୍ରମଣ ଜଟିଳ ହୋଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।