ଔରଙ୍ଗାବାଦ : ଆଜି ହେଉଛି ସ୍ନାନ ପୂର୍ଣ୍ଣିମା । ମହାରାଷ୍ଟ୍ରରେ ଆଜିର ଦିନକୁ ବଟ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ପତ୍ନୀମାନେ ନିଜ ସ୍ଵାମୀମାନଙ୍କ ଦୀର୍ଘ ଜୀବନ କାମନା କରି ବଟ ପୂଜା କରନ୍ତି। ହେଲେ ଏଥର କିଛି ଏମିତି ଘଟିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏଥର ମହିଳାଙ୍କ ଭଳି କିଛି ପୁରୁଷ ପାଳିଛନ୍ତି ବଟ ପୂର୍ଣ୍ଣିମା। ହେଲେ କାରଣ ଜାଣି ଆପଣ ତାଟ୍କା ହୋଇଯିବେ। ପତ୍ନୀଙ୍କ ପାଇଁ ନୁହେଁ ପତ୍ନୀଙ୍କଠାରୁ ମୁକ୍ତି ପାଇଁ ଏହି ପୁରୁଷମାନେ ପାଳିଛନ୍ତି ବଟ ଓଷା। ଆଉ ଠାକୁରଙ୍କୁ ନିଜ ପତ୍ନୀଙ୍କଠାରୁ ମୁକ୍ତି ପାଇଁ ପ୍ରାର୍ଥନା କରିଛନ୍ତି।
ମହାରାଷ୍ଟ୍ରର ଔରଙ୍ଗବାଦର ବାଲୁଜ ଅଞ୍ଚଳରେ ଘଟିଛି ଏହି ଘଟଣା। ସ୍ଵାମୀମାନେ ସ୍ତ୍ରୀମାନଙ୍କ ଜୀବନ ଶୈଳୀରେ ଅତିଷ୍ଠ ହୋଇ ତାଙ୍କଠାରୁ ମୁକ୍ତି ପାଇବା ପାଇଁ ସମୂହ ଭାବେ ବଟ ବୃକ୍ଷ ପୂଜା କରିଛନ୍ତି । ଏହି ଘଟଣା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ହିନ୍ଦୁ ପରମ୍ପରା ଅନୁସାରେ ସ୍ଵାମୀମାନଙ୍କ ଦୀର୍ଘ ଜୀବନ କାମନା କରି ବଟ ସାବିତ୍ରୀ ପୂଜା ଅବସରରେ ବିବାହିତ ମହିଳାମାନେ ଏହି ବ୍ରତ କରିଥାନ୍ତି । ମହିଳାମାନେ ଦିନ ତମାମ ଉପବାସ ରହି ବଟ ବୃକ୍ଷର ଚାରି ପାଖରେ ସୂତା ବାନ୍ଧି ପୂଜା କରିଥାନ୍ତି ।
କିନ୍ତୁ ବାଲୁଜ ଅଂଚଳରେ ପତ୍ନୀ ପୀଡ଼ିତ ପୁରୁଷ ସଂଗଠନର ସଦସ୍ୟମାନେ ଏଠାରେ ସ୍ତ୍ରୀଙ୍କଠାରୁ ମୁକ୍ତି ପାଇବା ପାଇଁ ବଟ ବୃକ୍ଷରେ ସୂତା ବାନ୍ଧି ସାତ ଜନ୍ମ ପର୍ଯ୍ୟନ୍ତ ଏପରି ପତ୍ନୀ ନ ମିଳନ୍ତୁ ବୋଲି କହିଛନ୍ତି। ସଙ୍ଗଠନର ଜଣେ ସଦସ୍ୟ ତୁଷାର ବାଖରେ କହିଛନ୍ତି ଯେ, “ ଆମେ ପତ୍ନୀଙ୍କ ଦ୍ୱାରା ଅତ୍ୟାଚାରର ଶିକାର ହେଉଛୁ । ଯୌତୁକ ଓ ନାରୀ ନିର୍ଯାତନା ଆଇନର ଅପବ୍ୟବହାର କରି ସେମାନେ ଆମ ବଞ୍ଚିବା କଷ୍ଟକର କରି ଦେଲେଣି। ସାତ ଜନ୍ମ କଣ ସାତ ସେକେଣ୍ଡ ପାଇଁ ମଧ୍ୟ ଏଭଳି ସ୍ତ୍ରୀଙ୍କୁ ପାଖରେ ରଖିବାକୁ ଆମେ ଚାହୁଁ ନାହୁଁ।
ସଙ୍ଗଠନର ସଭାପତି ଭରତ ଫୁଲୱାରେ ଓ ଅନ୍ୟ ସଦସ୍ୟମାନେ ସମ୍ବିଧାନର ଧାରା ୪୯୮-କ ଓ ୩୫୪ ଘରୋଇ ହିଂସା ଆଇନର ଅପବ୍ୟବହାର କରୁଥିବାର ବ୍ୟାନର ଦେଖାଇ ନାରା ଦେଇଥିଲେ । ଅନ୍ୟ ଏକ ସଦସ୍ୟ କହିଥିଲେ ଯେ ତାଙ୍କ ପତ୍ନୀ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବାରୁ ତାଙ୍କର ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଆଉ ଜଣେ ସଦସ୍ୟ କହିଛନ୍ତି ଯେ, ତାଙ୍କ ପତ୍ନୀ ତାଙ୍କୁ ରୋଷେଇ କରିବା ସହ ଘରର ଅନ୍ୟ କାମ ମଧ୍ୟ କରାଉଥିଲେ । ଏଥିପାଇଁ ତାଙ୍କ ଚାକିରି ଚାଲିଯାଇଛି । ପତ୍ନୀଙ୍କ ଚେହେରା ଦେଖିବା ବଦଳରେ ମୁଁ ମରିବା ପସନ୍ଦ କରିବି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।