ନୂଆଦିଲ୍ଲୀ: ଦ୍ରୁତ ଗତି ମହାବିପତ୍ତି। ଏକଥା ଆମେ ସମସ୍ତେ ଜାଣିଛେ। ବାରମ୍ବାର ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। କିନ୍ତୁ ଏହାକୁ ମାନୁଛନ୍ତି କେତେ ଜଣ? ବିଶେଷ କରି ଯୁବଗୋଷ୍ଠୀ ଅଧିକ ବେଗରେ ଗାଡ଼ି ଚଳାଉଥିବା ଦେଖାଯାଉଛି। ଦ୍ରୁତ ଗତିରେ ବାଇକ୍, କାର୍ ଆଦି ଚଲାଇ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି। ନିଜ ଜୀବନ ହରାଉଛନ୍ତି ନ ହେଲେ ଆଉ କାହାର ଜୀବନ ନେଉଛନ୍ତି। ଏମିତି ଏକ ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି ଦିଲ୍ଲୀରେ। ହାଇସ୍ପିଡ୍ ମୋଟର ସାଇକେଲ୍ରେ ରାସ୍ତାରେ ରେସ୍ କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ହିମାଂଶୁ ବଂଶଲ (୨୪)।
ଦିଲ୍ଲୀର ମଣ୍ଡି ହାଉସ୍ ମେଟ୍ରୋ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗତ ସୋମବାର ହିମାଂଶୁ ଓ ତାଙ୍କର ଦୁଇ ଜଣ ସାଙ୍ଗ ପାର୍ଟିରୁ ଫେରିବା ପରେ ବାଇକ୍ରେ ରେସ୍ ଲଗାଇଥିଲେ। ମଣ୍ଡି ହାଉସ୍ ନିକଟରେ ହିମାଂଶୁ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ରାସ୍ତାରେ ଥିବା ଡିଭାଇଡରରେ ପିଟି ହୋଇଯାଇଥିଲେ। ବାଇକ୍ ଏତେ ସ୍ପିଡ୍ରେ ଥିଲା ଯେ ତାଙ୍କ ହେଲ୍ମେଟ୍ ଚୂରମାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହିମାଂଶୁ ଟିଏନ୍ଟି ୬୦୦ ଆଇରେ ରେସ୍ କରୁଥିଲେ। ଏହା ଏକ ସୁପର୍ ବାଇକ୍ ଯାହା ମାତ୍ର କିଛି ସେକେଣ୍ଡ ଭିତରେ ଘଣ୍ଟା ପ୍ରତି ୨୦୦ କିଲୋମିଟର ସ୍ପିଡ୍ ଧରିପାରେ।
ଏହି ରେସ୍ର ପୂରା ଭିଡିଓ ହିମାଂଶୁଙ୍କ ସାଙ୍ଗ ଲକ୍ଷ୍ୟଙ୍କ ହେଲ୍ମେଟ୍ରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଛି। ଲକ୍ଷ୍ୟ ଆଉ ଏକ ବାଇକ୍ରେ ଏହି ରେସ୍ରେ ସାମିଲ ହୋଇଥିଲେ। ସେ ହିମାଂଶୁଙ୍କ ଠାରୁ ଟିକେ ପଛରେ ଥିଲେ। ଦୁର୍ଘଟଣା ବେଳେ ହିମାଂଶଙ୍କ ବାଇକ୍ର ସ୍ପିଡ୍ ଘଣ୍ଟା ପ୍ରତି ପ୍ରାୟ ୧୫୦ କିଲୋମିଟର ଥିଲା ବୋଲି ଜଣାପଡ଼ିଛି।
କୁହାଯାଉଛି ହିମାଂଶୁ ଦ୍ରୁତ ଗତିରେ ଯାଉଥିବା ବେଳେ ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତା ଅତିକ୍ରମ କରୁଥିଲେ। ତାଙ୍କୁ ବଞ୍ଚାଇବା ଚକ୍କରରେ ସେ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ଡିଭାଇଡରରେ ପିଟି ହେଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।