ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଜେଡିୟୁ ଧାରା ୩୭୦କୁ ସଂସଦରେ କାହିଁକି ବିରୋଧ କରିଥିଲା ସେ ନେଇ ସଫେଇ ଦେଇଛି। ଏଥିସହ ଧାରା ୩୭୦ ହଟି ସାରିଛି, ନୂଆ ଆଇନ ଲାଗୁ ହୋଇସାରିଛି, ତେଣୁ ଏବେ ସମସ୍ତ ବିବାଦକୁ ଭୁଲି ଏହି ନିଷ୍ପତ୍ତିକୁ ମାନିବାକୁ ପଡ଼ିବ ବୋଲି ଜେଡିୟୁ ରାଷ୍ଟ୍ରୀୟ ମହାସଚିବ ରାମଚନ୍ଦ୍ର ପ୍ରସାଦ ସିଂହ କହିଛନ୍ତି। ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦକୁ ଉଭୟ ସଂସଦରେ ଜେଡିୟୁ ବିରୋଧ କରିଥିଲା।
ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତମ ବ୍ୟକ୍ତି ରାମଚନ୍ଦ୍ର ଆହୁରି କହିଛନ୍ତି ବହୁ ପୂର୍ବରୁ ଦଳର ପ୍ରତିଷ୍ଠାତା ଜର୍ଜ ଫର୍ଣ୍ଣାଡିଜ ଏବଂ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣ ଧାରା ୩୭୦କୁ ନେଇ ସେମାନଙ୍କ ମତ ରଖିସାରିଛନ୍ତି। ଶାସକ ଦଳ ଧାରା ୩୭୦ ଉଚ୍ଛେଦ କରିବା ବାବଦରେ ଜେଡିୟୁ ସହିତ କୌଣସି ଆଲୋଚନା କରିନଥିଲା। ତେଣୁ ବିଚାରଧାରାରେ ପାର୍ଥକ୍ୟ ରହିଥିବାରୁ ଜେଡିୟୁ ସଂସଦରେ ଉଚ୍ଛେଦ ପ୍ରସ୍ତାବକୁ ବିରୋଧ କରିଥିଲା ବୋଲି ସେ କହିଛନ୍ତି।
ତେବେ ଆଗାମୀ ଦିନରେ ଏହା ବିହାରରେ ଥିବା ମେଣ୍ଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଏବଂ ବିଧାନସଭା ନିର୍ବାଚନରେ ବିଜେପି ସହ ମିଶି ଜେଡିୟୁ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟସଭାରେ ବିଜେପିର ସଂଖ୍ୟା କମ୍ ଥିଲେ ମଧ୍ୟ ଧାରା ୩୭୦, ଟ୍ରିପଲ୍ ତଲାକ ବିଲ ଭଳି ଗୁରୁତ୍ୱପୂର୍ଣ୍ନ ବିଲକୁ ପାସ କରିବାରେ ସଫଳ ହୋଇଛି। ଧାରା ୩୭୦କୁ ନେଇ ଭୋଟିଂ ବେଳେ ଜେଡିୟୁ ଭଳି ସହଯୋଗୀ ଦଳ ତା'ର ବିରୋଧ କରିଥିବା ବେଳେ ବିରୋଧୀ ଦଳର ଅନେକ ନେତା ଓ ଦଳ ମୋଦି ସରକାରଙ୍କ ଏହି ବିଲକୁ ସମର୍ଥନ କରିଥିଲେ।