ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ବେଶ୍ କିଛିଦିନ ଆଗରୁ ଦିଲ୍ଲୀ କଂଗ୍ରେସ ସଭାପତି ଅଜୟ ମାକେନ୍ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ଇସ୍ତଫାପତ୍ର ଗ୍ରହଣ କରିଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ଦିଲ୍ଲୀରେ ଲଗାତାର ୩ ଥର ସରକାର କରିବାପରେ ଆପ୍ଠାରୁ ଦଳ ଶୋଚନୀୟ ପରାଜୟ ବରଣ କରିବାପରେ ଅଜୟଙ୍କୁ ଗତ ୪ ବର୍ଷ ତଳେ ଏହି ଦାୟିତ୍ୱ ମିଳିଥିଲା।
ସେ ସ୍ୱସ୍ଥ୍ୟଗତ କାରଣ ଦର୍ଶାଇଥିଲେ ମଧ୍ୟ ଚର୍ଚ୍ଚା ହେଛି ସେ କେନ୍ଦ୍ରୀୟ ଦାୟିତ୍ୱକୁ ଫେରିବେ ଏବଂ ଲୋକସଭା ଲଢ଼ିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଗତରାତିରେ ରାହୁଲଙ୍କୁ ଭେଟିବାପରେ ସେ ଇସ୍ତଫା ଦେଇଥିବା ଟ୍ୱିଟ୍ କରି ଜଣାଇଛନ୍ତି। ସେ ଏଥିରେ ଲେଖିଛନ୍ତି, “୨୦୧୫ ବିଧାନସଭା ନିର୍ବାଚନ ପରେ ଗତ ୪ ବର୍ଷଧରି ଦିଲ୍ଲୀ ନାଗରିକ ହିସାବରେ ରାହୁଲ ଗାନ୍ଧି, ଦଳର କର୍ମୀ ଏବଂ ଗଣମାଧ୍ୟମଠାରୁ ଅଜସ୍ର ଭଲପାଇବା ମିଳିଛି। ଏସବୁ ପାଇଁ ମୁଁ କୃତଜ୍ଞ।”
ଗତ ୩ ମାସ ତଳେ ସେ ଇସ୍ତଫା ଦେବାନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଦଳ ପକ୍ଷରୁ ଦର୍ଶାଯାଇଥିଲା ତାଙ୍କର ସ୍ୱସ୍ଥ୍ୟ ସମସ୍ୟା ଅଛି। ସେ ଏହି ସମୟରେ ବିଦେଶ ଗସ୍ତରେ ଯାଇଥିବାରୁ ସେଥିନେଇ କୌଣସି ସନ୍ଦେହ ଉପୁଜିନଥିଲା। ତାଙ୍କ ଅନୁପସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ ଏହି ଦାୟିତ୍ୱ ସମ୍ଭାଳୁଥିଲେ।
ଏହା ପୂର୍ବରୁ ଦୁଇ ଦୁଇଥର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀର ଦାୟିତ୍ୱ ନିଭାଇଥିବା ଅଜୟ ଅରବିନ୍ଦର ସିଂହ ଲଭ୍ଲୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୭ ମସିହାରେ ପୌର ନିର୍ବାଚନରେ ଦଳର ପ୍ରଦର୍ଶନ ଭଲ ନରହିବାରୁ ସେ ଇସ୍ତଫା ଦେଇଥିଲେ ମଧ୍ୟ ତତ୍କାଳୀନ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କୁ ଇସ୍ତଫା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ।