ନୂଆଦିଲ୍ଲୀ: ରେଳମନ୍ତ୍ରୀ ସୁରେଶ ପ୍ରଭୁ ସଂସଦରେ ଆଜି ୨୦୧୬-୧୭ ରେଳ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଏହା ସାଧାରଣ ଲୋକଙ୍କ ଆଶାନୁରୂପ ବଜେଟ୍ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, “ରେଳୱେ କଠିନ ପରିସ୍ଥିତି ଦେଇ ଗତି କରୁଛି। ତେଣୁ ଆୟ ବଢିବା ଜରୁରୀ ହୋଇପଡ଼ିଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୦ ପ୍ରତିଶତ ଆୟ ବୃଦ୍ଧି ଲାଗି ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ୮,୭୨୦ କୋଟି ଟଙ୍କା ଲାଭ ହୋଇଛି। ଆୟ ବୃଦ୍ଧି ପାଇଁ ମାଲ ଭଡା ସଂଶୋଧନ ଯୋଜନା ରହିଛି।”
ରେଳ ବଜେଟ୍ରେ ପ୍ରଧାନମନ୍ତ୍ରୀଙ୍କ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୪୦ ହଜାର କୋଟିର ନିବେଶ ଯୋଜନା ରହିଛି। ଏହି ଅର୍ଥରେ ଦୁଇଟି ଲୋକୋ ଫ୍ୟାକ୍ଟ୍ରି ନିର୍ମାଣ କରାଯିବ। ଏଣିକି ରେଳ ସମସ୍ୟା ସମ୍ପର୍କିତ ସୂଚନା ଦେବାକୁ ସାଧାରଣ ଲୋକେ ସୋସିଆଲ ମିଡିଆର ଉପଯୋଗ କରି ପାରିବେ। ଏହାସହ ମୋବାଇଲ ଆପ୍ରେ ପ୍ଲାଟଫର୍ମ ଟିକେଟ୍ ମିଳି ପାରିବ। ବରିଷ୍ଠ ନାଗରିକଙ୍କ ପାଇଁ କୋଟା ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସବୁ ଟ୍ରେନ୍ରେ ୧୨୦ଟି ବର୍ଥ ବରିଷ୍ଠ ନାଗରିକଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ରେଳମନ୍ତ୍ରୀ କହିଛନ୍ତି। ମହିଳାଙ୍କ ପାଇଁ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି। ସବୁ ଶ୍ରେଣୀ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଟିକେଟ୍ ସଂରକ୍ଷଣ ହେବ। ଏବେଠାରୁ ଷ୍ଟେସନରେ ଶିଶୁ ଖାଦ୍ୟ ଓ ଗରମ ପାଣି ମଧ୍ୟ ମିଳିପାରିବ।
ରେଳ ବଜେଟ୍ର ମୁଖ୍ୟାଂଶ
- ୨୦୧୬-୧୭ ରେଳ ବଜେଟ୍ରେ ଯାତ୍ରୀଭଡ଼ା ବୃଦ୍ଧି ପ୍ରସ୍ତାବ ନାହିଁ
- ନୂତନ ରେଳ ବଜେଟ୍ରେ ୧.୨୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ
- ଆଗାମୀ ୫ ବର୍ଷ ପାଇଁ ଜୀବନ ବୀମା ନିଗମ କୋହଳ ସୁଧରେ ରେଳବାଇକୁ ପ୍ରଦାନ କରିବ ୧.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି
- ଦେଶର ସବୁ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଉପଲବ୍ଧି ହେବ ଇ-ଖାଦ୍ୟ ଯୋଗାଣ ବ୍ୟବସ୍ଥା। ସ୍ଥାନୀୟ ଅଞ୍ଚଳର ଖାଦ୍ୟପେୟ ଯୋଗାଇ ଦିଆଯିବ ଯାତ୍ରୀଙ୍କୁ
- ବରିଷ୍ଠ ନାଗରିକଙ୍କ ପାଇଁ ନିମ୍ନ ରେଳବର୍ଥରେ ସଂରକ୍ଷଣ ସୁବିଧା ୫୦ ଭାଗ ବୃଦ୍ଧି
- ରେଳ ଶୌଚାଳୟ ସଫାସୁତୁରା ଲାଗି ଏଣିକି ଯାତ୍ରୀମାନେ ଏସ୍ଏମ୍ଏସ୍ ମାଧ୍ୟମରେ ଅଭିଯୋଗ କରିପାରିବେ
- ୨୦୧୬-୧୭ ବର୍ଷରେ ରେଳବାଇ ନିର୍ମାଣ କରିବ ୩୦ ହଜାର ଜୈବ ଶୌଚାଳୟ
- ବିଭିନ୍ନ ଷ୍ଟେସନରେ ଲାଗିବ ୨ହଜାର ଜଳ ବିକ୍ରି ଯନ୍ତ୍ର
- ଆସନ୍ତା ଆର୍ଥିକବର୍ଷରେ ଆଉ ୧୭୮୦ଟି ସ୍ୱୟଂକ୍ରିୟ ଟିକେଟ ବିକ୍ରି ଯନ୍ତ୍ର ସ୍ଥାପିତ ହେବ
- ଭାରତୀୟ ରେଳବାଇ ୨୦୧୬-୧୭ ଆର୍ଥିକବର୍ଷରେ ଅତିରିକ୍ତ ୬୫ହଜାର ବର୍ଥ ଯୋଡ଼ିବା ଲାଗି କରିଛି ଯୋଜନା
- ସରକାରୀ-ଘରୋଇ (ପିପିପି) ଢାଞ୍ଚାରେ ଆଉ ୪୦୦ ରେଳ ଷ୍ଟେସନର ପୁନଃବିକାଶ ପାଇଁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ମେକ୍-ଇନ୍-ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦୁଇଟି ଆଧୁନିକ ରେଳ ଇଞ୍ଜିନ ନିର୍ମାଣ କାରଖାନା ପ୍ରତିଷ୍ଠା ଲାଗି ପ୍ରସ୍ତାବ ଚୂଡ଼ାନ୍ତ
- ୨୦୧୬-୧୭ ଆର୍ଥିକବର୍ଷରେ ୧୦୦ଟି ରେଳ ଷ୍ଟେସନରେ ଉପଲବ୍ଧ ହେବ ୱାଇଫାଇ ବ୍ୟବସ୍ଥା
- ୨୦୧୭-୧୮ ଓ ୨୦୧୮-୧୯ ବର୍ଷରେ ଆଉ ୪୦୦ ରେଳ ଷ୍ଟେସନରେ ମିଳିବ ୱାଇଫାଇ ସେବା
- ରେଳବାଇ ଆରମ୍ଭ କରିବ ଜନନୀ ସେବା। ଏହି ସେବା ମାଧ୍ୟମରେ ଛୋଟ ପିଲାଙ୍କୁ ମିଳିବ କ୍ଷୀର ଓ ଶିଶୁ ଖାଦ୍ୟ
- ଆସନ୍ତା ଆର୍ଥିକବର୍ଷ ୨ହଜାର ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଲାଗିବ ଇଲେକ୍ଟ୍ରୋନିକ୍ ଡିସପ୍ଲେ ବୋର୍ଡ
- ରେଳ ଟିକେଟ ରଦ୍ଦ ପାଇଁ ନୂଆ ହେଲ୍ପ ଲାଇନ୍ ନମ୍ୱର ୧୩୯ ପ୍ରତିଷ୍ଠା
- ଗଣମାଧ୍ୟମ ପ୍ରତିନିଧିଙ୍କୁ ଇ-ଟିକେଟ୍ ବୁକିଂରେ ସୁବିଧା
- ଯାତ୍ରୀ ଓ ବ୍ୟସ୍ତବହୁଳ ରେଳମାର୍ଗରେ ଚାଲିବ ‘ହମ୍ସଫର’, ‘ତେଜାସ୍’ ଓ ‘ଉଦୟ’ ଏକ୍ସପ୍ରେସ୍
- ତୃତୀୟ ଶ୍ରେଣୀ ବାତ୍ତାନୁକୁଳିତ ‘ହମସଫର’ ଟ୍ରେନ୍ରେ ମିଳିବ ଚିତ୍ତ ବିନୋଦନ ଓ ୱାଇଫାଇ ସୁବିଧା
- ଦୂରଗାମୀ ଟ୍ରେନ୍ରେ ଗରିବ ଓ ସାଧାରଣ ବର୍ଗଙ୍କ ଲାଗି ୨ରୁ ୪ଟି ପର୍ଯ୍ୟନ୍ତ ଲାଗିବ ଦୀନଦୟାଳୁ ଅସଂରକ୍ଷିତ କୋଚ୍
- ଦୂରଯାତ୍ରା ନିମନ୍ତେ ଗରିବଙ୍କ ପାଇଁ ଆରମ୍ଭ ହେବ ଅନ୍ତ୍ୟୋଦୟ ଏକ୍ସପ୍ରେସ୍
- ନୂତନ ରେଳ ବଜେଟ୍ରେ ପୂର୍ବତଟ, ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ମାଲ୍ ପରିବହନ କରିଡର ନିର୍ମାଣ ଉପରେ ଗୁରୁତ୍ୱ
- ବିଜିନେସ୍ ଶ୍ରେଣୀ ଯାତ୍ରା ପାଇଁ ଡବଲ ଡେକର ଟ୍ରେନ୍ ଚଳାଚଳର ଯୋଜନା
- ୨୦୧୬-୧୭ ବର୍ଷରେ ୨,୮୦୦ କିଲୋମିଟର ରେଳପଥ ନିର୍ମାଣର ଯୋଜନା। ଗତ ୬ ବର୍ଷ ମଧ୍ୟରେ ଦୈନିକ ୪.୩ କିଲୋମିଟର ହାରରେ ନିର୍ମିତ ହୋଇଛି ରେଳପଥ। ଆଗାମୀ ବର୍ଷଠାରୁ ଦୈନିକ ୭ କିଲୋମିଟର ହାରରେ ରେଳପଥ ନିର୍ମାଣ ପାଇଁ ଯୋଜନା
- ଆୟୂଷ ବିଭାଗ ସହାୟତାରେ ରେଳବାଇ ପ୍ରତିଷ୍ଠା କରିବ ୫ ଆଧୁନିକ ହସ୍ପିଟାଲ
- ରେଳ ବିକାଶ ପ୍ରାଧିକରଣ ଗଠନ ପାଇଁ ଚିଠା ପ୍ରସ୍ତାବ ଚୂଡ଼ାନ୍ତ
- ସବୁ ସଂରକ୍ଷିତ ଟ୍ରେନ୍ରେ ଉପଲବ୍ଧ ହେବ ରେଳବନ୍ଧୁ ପତ୍ରିକା
- ପୁରୀ ସମେତ ବିଭିନ୍ନ ପର୍ଯ୍ୟଟନ ସହରର ରେଳ ଷ୍ଟେସନରେ ଉପଲବ୍ଧ ହେବ ବର୍ଦ୍ଧିତ ଯାତ୍ରୀ ସୁବିଧା
- ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଇ-ଟିକେଟ୍ ସୁବିଧା
- କାର୍ଯ୍ୟଦକ୍ଷତା ବୃଦ୍ଧି ନିମନ୍ତେ ରେଳ କର୍ମଚାରୀଙ୍କୁ ଏଣିକି କୌଶଳ ବିକାଶ ତାଲିମ ଦିଆଯିବ
- ୨୦୧୬-୧୭ ବର୍ଷରେ ଆଉ ୨୦୦୦ କିଲୋମିଟର ରେଳପଥର ହେବ ବିଦ୍ୟୁତକରଣ
- ଆସନ୍ତା ଆର୍ଥିକବର୍ଷ ୯ କୋଟି ଶ୍ରମ ଦିବସ ସୃଷ୍ଟି ଲାଗି ରେଳବାଇର ଯୋଜନା
- ପାରାଦୀପ, ଜୟଗଡ଼, ଦିଘି ଓ ରେବା ବନ୍ଦରକୁ ରେଳ ସଂଯୋଗ କାର୍ଯ୍ୟ ନିର୍ମାଣାଧୀନ
- ଓଡ଼ିଶା ସମେତ ୧୭ ରାଜ୍ୟରେ ମିଳିତ ଭାବେ ରେଳ ପ୍ରକଳ୍ପ ନିର୍ମାଣ ଲାଗି ବୁଝାମଣା ସ୍ୱାକ୍ଷରକୁ ନୀତିଗତ ମଞ୍ଜୁରୀ
- ଉତ୍ତର-ପୂର୍ବାଞ୍ଚଳକୁ ଏଥର ରେଳ ମାନଚିତ୍ରରେ ଦିଆଯିବ ଗୁରୁତ୍ୱ। ମିଜୋରାମ ଓ ମଣିପୁରରେ ରେଳପଥଗୁଡ଼ିକର ହେବ ପ୍ରଶସ୍ତିକରଣ
- ମହିଳା, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ (ଭିନ୍ନକ୍ଷମ)ଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ
- ୧୦୦୦ ଜଗୁଆଳୀବିହୀନ ରେଳ ଲେଭଲକ୍ରସିଂ, ୩୫୦ ଜଗୁଆଳୀ ଲେଭଲକ୍ରସିଂ ବନ୍ଦ ପାଇଁ ଯୋଜନା
- ଚଳିତ ଆର୍ଥିକବର୍ଷ (୨୦୧୫-୧୬)ରେ ୮୨୦ ଓଭରବ୍ରିଜ୍ ଓ ଭୂତଳ ବ୍ରିଜ୍ ନିର୍ମାଣ ହେବ
- ଆଉ ୧୩୫୦ ଓଭରବ୍ରିଜ୍ ଓ ଭୂତଳ ବ୍ରିଜ୍ର ନିର୍ମାଣ କାର୍ଯ୍ୟ ଜାରି
- ହ୍ୱିଲ ଚେୟାର ପାଇଁ ଇ-ବୁକିଂ ବ୍ୟବସ୍ଥା
- ସମସ୍ତ ଏ-ୱାନ୍ ରେଳଷ୍ଟେସନରେ କ୍ଷମତାଶାଳୀ ଷ୍ଟେସନ ଡାଇରେକ୍ଟର ଓ ପେଶାଦାର କାର୍ଯ୍ୟକାରୀ ଟିମ୍ଙ୍କୁ ନିଯୁକ୍ତି ଦିଆଯିବ।ଯାତ୍ରୀଙ୍କ ସମସ୍ତ ସୁବିଧା ସକାଶେ ସେମାନେ ରହିବେ ଉତ୍ତରଦାୟୀ
- ଟ୍ରେନ୍ରେ ଏଫ୍ଏମ୍ ରେଡିଓ ସେବା ଆରମ୍ଭ କରିବାକୁ ଯୋଜନା
- ସାଧାରଣ ଖର୍ଚ୍ଚ ଅଟକଳ ସହିତ ରେଳ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ କରିବା ପାଇଁ ରେଳ ବଜେଟ୍ରେ ୧,୨୩,୫୬୦ କୋଟି ଟଙ୍କାର ପ୍ରସ୍ତାବ
- ୨୦୧୬-୧୭ ବର୍ଷ ପାଇଁ ରେଳବାଇର ମୋଟ ଯୋଜନା ଆକାର ୧,୨୧,୦୦୦ କୋଟି ଟଙ୍କା
- ଗ୍ରସ୍ ଟ୍ରାଫିକ୍ ରିସିଟ୍ ୧,୮୪,୮୨୦ କୋଟି ଟଙ୍କା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।