ନୂଆଦିଲ୍ଲୀ: ଗୁରୁବାର ସ୍ମାର୍ଟ ସିଟି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ମହାନଗରୀ ଓ ସହରଗୁଡିକର ବିକାଶ ପାଇଁ ଏହି ଯୋଜନା ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ଶହେ ସ୍ମାର୍ଟ ସିଟି ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି। ପିପିପି ମୋଡରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ସେହିପରି ଅଟଳ ମିଶନ ଫର ରିଜୁଭେନେସନ ଆଣ୍ଡ ଟ୍ରାନ୍ସଫରମେସନ ବା ଅମୃତ ଓ ହାଉସିଂ ଫର ଅଲ୍ ଯୋଜନାର ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶର ୫ଶହ ସହରକୁ ଅମୃତ ଯୋଜନାରେ ସାମିଲ କରାଯିବ। ଏହି ଯୋଜନାଗୁଡିକ ଲାଗି ପ୍ରଧାନମନ୍ତ୍ରୀ ଗୁରୁବାର ନିୟମାବଳୀର ଘୋଷଣା କରିବେ। ଏହାପରେ ବିଭିନ୍ନ ସହରର ମେୟର, ପୌର ଅଧିକାରୀ, ରାଜ୍ୟମାନଙ୍କର ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବମାନଙ୍କୁ ନେଇ ଦୁଇ ଦିନିଆ କର୍ମଶାଳାର ଆୟୋଜନ କରାଯିବ। ସହର ବିକାଶ ମନ୍ତ୍ରୀ ଭେଙ୍କିୟା ନାଇଡୁ ଏନେଇ ସୂଚନା ଦେଇଛନ୍ତି।