ନୂଆଦିଲ୍ଲୀ: ଭାରତ ସରକାର ସବୁ ଧର୍ମକୁ ସମାନ ଭାବେ ଦେଖିବା ଉଚିତ ବୋଲି ଆମେରିକା ରାଷ୍ଟ୍ରପତି ବାରାକା ଓବାମା ଉପଦେଶ ଦେଉଥିବା ବେଳେ ସେଠାରେ ବାରମ୍ବାର ହିନ୍ଦୁ ମନ୍ଦିରଗୁଡ଼ିକରେ ଭଙ୍ଗାରୁଜା ହେଉଛି। ସଦ୍ୟ ଭଙ୍ଗାରୁଜା ହୋଇଛି ଟେକ୍ସାସ ସହରରେ ଥିବା ଏକ ମନ୍ଦିରରେ। ମନ୍ଦିରର କାନ୍ଥରେ ସ୍ପ୍ରେରେ କିଛି ଆପତ୍ତିଜନକ ଚିତ୍ର କରାଯିବା ସହିତ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି।
ମନ୍ଦିର ବୋର୍ଡ ସଦସ୍ୟ କୃଷ୍ଣ ସିଂହ କହିଛନ୍ତି ଯେ ଏହି ଘଟଣାରେ ଏଠାରେ ବସବାସ କରୁଥିବା ହିନ୍ଦୁ ଲୋକମାନେ ଖୁବ୍ ଆଘାତ ପାଇଛନ୍ତି। ପୁଲିସ୍ ଅଭିଯୋଗ ପାଇବା ପରେ ଦୋଷୀମାନଙ୍କୁ ଧରିବା ପାଇଁ ଗୁପ୍ତଚରଙ୍କୁ ନିଯୁକ୍ତ କରିଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଫେବୃଆରୀ ୧୫ ତାରିଖରେ ୱାଶିଂଟନରେ ଏକ ମନ୍ଦିରରେ ଅନୁରୂପ ଭଙ୍ଗାରୁଜା ହୋଇଥିଲା । ସେଠାରେ ମନ୍ଦିର କାନ୍ଥରେ ‘ଗେଟ୍ ଆଉଟ୍’ (ପଳାଇଯାଅ) ବୋଲି ଲେଖା ହୋଇଥିଲା । ସେହି ଘଟଣା ପରଠାରୁ ଆମେରିକାର ଆଉ କିଛି ସ୍ଥାନରେ ମଧ୍ୟ ମନ୍ଦିରରେ ଭଙ୍ଗାରୁଜା ହୋଇଛି ।