ନୂଆଦିଲ୍ଲୀ: ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ୬୦୦ ଜଣ ମୁସଲିମ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ନାଗରିକତା ମିଳିଛି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଆହୁରି ମଧ୍ୟ କହିଛନ୍ତି ଏହି ସରକାରରେ ଶ୍ରୀଲଙ୍କାର ୬ ଲକ୍ଷ ତାମିଲଙ୍କୁ ନାଗରିକତା ମିଳିଛି।
ଶାହ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିବାଦୀୟ ନାଗରିକତା ଆଇନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ମୋଦି ସରକାର କହିଛନ୍ତି, ଏହି ଆଇନ ବଳରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ୬ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତାର ଅଧିକାର ମିଳିବ। ଏହି ଆକ୍ଟରେ ମୁସଲିମ୍ଙ୍କ ପ୍ରତି ଭେଦଭାବ କରାଯାଇଥିବା କୁହାଯାଉଛି ଏବଂ ପ୍ରଶ୍ନ କରାଯାଉଛି ଏଥିରେ ଶ୍ରୀଲଙ୍କାର ତାମିଲମାନଙ୍କୁ କାହିଁକି ସାମିଲ କରାଯାଇନାହିଁ।
ଏହା ସମର୍ଥନରେ ଯୁକ୍ତି ରଖି ଶାହ କହିଛନ୍ତି, “ମୁସଲିମ୍ଙ୍କ ସଂଖ୍ୟା ଭାରତରେ ହ୍ରାସ ପାଇନାହିଁ। କିନ୍ତୁ ଏହି ୩ ଦେଶରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇଛି, କାରଣ ସେମାନଙ୍କ ଉପରେ ନିର୍ଯାତନା ହୋଇଛି। ସେଠାରେ ମୁସଲିମଙ୍କ ଉପରେ ନିର୍ଯାତନା ହୋଇନାହିଁ।”