ନୂଆଦିଲ୍ଲୀ: ମଙ୍ଗଳବାର ରାଫେଲ ରିଭ୍ୟୁ ପିଟିସନ୍ ସବୁକୁ ଖାରଜକରିବା ପାଇଁ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ରାଫେଲ୍ ଚୁକ୍ତି ବିରୋଧରେ ଉଦ୍ଦେଶ୍ୟମୂଳକ ଏବଂ ଭିତ୍ତିହୀନ ଅଭିଯାନ ଚଲାଇଥିବା ନେତା ଏବଂ ତାଙ୍କ ଦଳକୁ ଉଚିତ ଜବାବ ମିଳିଛି। ଜାତୀୟ ସ୍ୱାର୍ଥଠାରୁ ରାଜନୀତିକୁ ଉପରେ ଦେଖୁଥିବା ଏହି ନେତା ଏବଂ ତାଙ୍କ ଦଳ କ୍ଷମା ମାଗିବା ଦରକାର ବୋଲି ସେ କହିଛନ୍ତି। ରାଫେଲ୍ ଚୁକ୍ତି ପାଇଁ ସଂସଦ ଅଚଳ କରିବା ବିରୋଧୀଙ୍କର ଏକ ଛଳନା ଥିଲା ବୋଲି କହିଛନ୍ତି ଶାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସ୍ୱଚ୍ଛ ଏବଂ ଦୁର୍ନୀତି ମୁକ୍ତ ବୋଲି ପୁଣିଥରେ ପ୍ରମାଣିତ ହୋଇଯାଇଛି ବୋଲି ଶାହ କହିଛନ୍ତି।
ଏହା ପୂର୍ବରୁ ରାଫେଲ୍ ଚୁକ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିବାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କ୍ଷମା ମାଗିବାକୁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଦାବି କରିଥିଲେ। ରାହୁଲଙ୍କ ‘ଚୌକିଦାର ଚୌର ହୈ’ ସ୍ଲୋଗାନକୁ ଟାର୍ଗେଟ୍ କରି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ସେ କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଚୋର କହିନାହାନ୍ତି, ସେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମନ୍ତବ୍ୟ ବାବଦରେ ମିଛ କହିବା ସହ ସୁପ୍ରିମ୍କୋର୍ଟଙ୍କ କଥାକୁ ଭୁଲ ଭାବେ ଉପସ୍ଥାପନ କରିଥିଲେ।
ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା କହିଛନ୍ତି, “ସୁପ୍ରିମ୍କୋର୍ଟ ଆଜି କହିଛନ୍ତି ରାହୁଲ ଗାନ୍ଧି ପୁରା ରାୟ ନ ପଢ଼ି ରାଜନୀତିକ ମନ୍ତବ୍ୟ ଦେବା ଅନୁଚିତ। ସେ ଭବିଷ୍ୟତରେ ଆହୁରି ଯତ୍ନବାନ ହେବା ଦରକାର।”
ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପ୍ରସାଦ କହିଥିଲେ, “ଆଜି ଦେଶବାସୀ ଜାଣିବାକୁ ଚାହୁଁଛନ୍ତି, ରାହୁଲ ଗାନ୍ଧିଙ୍କ ପଛରେ କେଉଁ ଶକ୍ତି ରହିଥିଲା। ମୁଁ କହିବାକୁ ଚାହୁଁଛି ପୁରା ଅଭିଯାନ ସନ୍ଦେହଜନକ ଥିଲା। ଆଜି ରାହୁଲ ଗାନ୍ଧି କ୍ଷମା ମାଗିବା ଦରକାର। ଆଜି ରିଭ୍ୟୁ ପିଟିସନ୍ ମଧ୍ୟ ଖାରଜ ହୋଇଗଲା। ତୁମେ ଆଗରୁ ନିଜକୁ କୋର୍ଟଠାରୁ ବଞ୍ଚାଇବା ପାଇଁ କ୍ଷମା ମାଗିଥିଲ, ଏବେ ଭାରତବାସୀଙ୍କଠାରୁ କ୍ଷମା ମାଗିବା ଉଚିତ।”
ରିଭ୍ୟୁ ପିଟିସନ୍ ସବୁକୁ ଖାରଜ କରି ସୁପ୍ରିମ୍କୋର୍ଟଙ୍କ ରାଫେଲ ରାୟ ପରେ ବିଜେପି ପକ୍ଷରୁ ମୁଖପାତ୍ର ଶାହନୱାଜ୍ ହୁସେନ୍ ପ୍ରଥମେ ସ୍ୱାଗତ ଜଣାଇଥିଲେ। ଦଳ ପକ୍ଷରୁ ସେ କହିଥିଲେ, ଏହା ସତ୍ୟର ଜୟ ଏବଂ ମୋଦି ସରକାରଙ୍କ ବୃହତ ବିଜୟ। ସେହିଭଳି ବିଜେପି ସଂଗଠନ ସମ୍ପାଦକ ବିଏଲ୍ ସନ୍ତୋଷ କହିଛନ୍ତି, “ସୁପ୍ରିମ୍କୋର୍ଟ ରାଫେଲ୍ ଚୁକ୍ତି ସମ୍ପର୍କିତ ରିଭ୍ୟୁ ପିଟିସନ୍ ଖାରଜ କରିବା ସହ ରାହୁଲ ଗାନ୍ଧିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ସେ ଭବିଷ୍ୟତରେ ଏପରି ନ କହିବାକୁ ମଧ୍ୟ କହିଛନ୍ତି। ଏହା ମୋଦି ସରକାରଙ୍କ ବୃହତ ବିଜୟ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।