ମୁମ୍ୱାଇ: ‘ସିବିଆଇ ଦେଶରେ ଗୋଟେ ଭଲ ତଦନ୍ତ ଅଧିକାରୀ ସଂସ୍ଥା। ହେଲେ ରାଜନୀତିକ ଉଦ୍ଦେଶ୍ୟ ରଖି ସିବିଆଇକୁ ବ୍ୟବହାର କରାଯାଉ ଥାଇପାରେ। ଯେହେତୁ ମୁମ୍ୱାଇ ପୁଲିସ ମାମଲାର ତଦନ୍ତ କରୁଛି, ତେଣୁ ସିବିଆଇ ଏହି ମାମଲାର ତଦନ୍ତ ମହାରାଷ୍ଟ୍ରରେ କରିବାର ଆବଶ୍ୟକତା ନାହିଁ।’ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆଜି ପ୍ରେସ୍ କନ୍ଫରେନ୍ସ କରି ଏହା କହିଛନ୍ତି।
ସେ କହିଛନ୍ତି, ଯେଉଁ ସଂସ୍ଥା ବିରୋଧରେ ଅଭିଯୋଗ ଆସିଛି, ତାହା ସିବିଆଇ ତଦନ୍ତ ନାଁରେ ରାଜନୀତିକ ଫାଇଦା ପାଇବାର ଆଶଙ୍କା ରହିଛି। ତେଣୁ ମହାରାଷ୍ଟ୍ରରେ ସିବିଆଇ ତଦନ୍ତ କରିପାରିବନି।
ଉତ୍ତରପ୍ରଦେଶ ସରକାରଙ୍କ ସୁପାରିଶ କ୍ରମେ ସିବିଆଇ ଟିଆରପି ସ୍କାମରେ ଏଫଆଇଆର ଦାଖଲ କରିବାର ଗୋଟିଏ ଦିନ ପରେ ମହାରାଷ୍ଟ୍ର ସରକାର କହିଛନ୍ତି ଯେ ରାଜ୍ୟରେ ସିବିଆଇକୁ ତଦନ୍ତ ପାଇଁ ମହାରାଷ୍ଟ୍ର ସରକାରକୁ ଅନୁମତି ନେବାକୁ ହେବ। ଲକ୍ଷ୍ନୌର ହଜରତଗଞ୍ଜ ପୁଲିସ ଷ୍ଟେସନରେ ଟିଆରପି ସ୍କାମ ମାମଲାରେ ଏକ ବିଜ୍ଞାପନ କମ୍ପାନୀର ପ୍ରମୋଟର ଅଭିଯୋଗ ଏଫଆଇଆର ଦେଇଥିଲେ। ପରେ ୟୁପି ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ ଏବଂ ସିବିଆଇ ମଧ୍ୟ ମଙ୍ଗଳବାର ଦିନ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲା।
https://twitter.com/ANI/status/1319175831613104134
ଏହାପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ସିବିଆଇକୁ ଦିଆଯାଇଥିବା ‘ସାଧାରଣ ସମ୍ମତି’ ପ୍ରତ୍ୟାହାର କରି ନେଇଛନ୍ତି। ବିଭିନ୍ନ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏହି ସମ୍ମତି ପ୍ରଦାନ କରନ୍ତି। ତେବେ ଉଦ୍ଧବ ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ସିବିଆଇ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ତଦନ୍ତ କରିପାରିବନି। ଟିଆରପି ସ୍କାମ୍ ମାମଲାର ତଦନ୍ତ ମୁମ୍ୱାଇ ପୁଲିସ କରୁଛି। ତେଣୁ ଆଉ ଏକ ତଦନ୍ତକାରୀ ସଂସ୍ଥା କରିବା ଠିକ୍ ନୁହେଁ ବୋଲି ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ଅନୀଲ ଦେଶମୁଖ କହିଛନ୍ତି ପୂର୍ବରୁ ଅନେକ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସିବିଆଇକୁ ରାଜନୀତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଥିବା ଦେଖି ପଶ୍ଚିମବଙ୍ଗ, ଛତିଶଗଡ ଭଳି ରାଜ୍ୟ ସାଧାରଣ ସମ୍ମତି ପ୍ରତ୍ୟାହାର କରିଛନ୍ତି ବୋଲି କହିଛନ୍ତି। ମହାରାଷ୍ଟ୍ର ସିବିଆଇଠୁ ନିଜର ‘ସହମତି’ ପ୍ରତ୍ୟାହାର କରିବାରେ ଦେଶର ଚତୁର୍ଥ ଅଣ-ବିଜେପି ଶାସିତ ରାଜ୍ୟ ହୋଇଛି। ଏହାପୂର୍ବରୁ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ ମଧ୍ୟ ବିଭିନ୍ନ ମାମଲାର ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ସମ୍ମତି ପ୍ରତ୍ୟାହାର କରି ନେଇଥିଲେ।