ନୂଆଦିଲ୍ଲୀ: ରବିବାର ଦିଲ୍ଲୀ ଏୟାର କ୍ୱାଲିଟି ଇଣ୍ଡେକ୍ସ ‘ସିଭିୟର ପ୍ଲସ୍’ ସ୍ତରକୁ ବା ୯୯୯ ଛୁଇଁଛି। ଏହି ସୂଚକାଙ୍ଗ ୨୦୦ ଛୁଇଁବା ଚିନ୍ତାଜନକ ହୋଇଥିବାବେଳେ ଏହାର ମାତ୍ରା ଏତେ ବଢ଼ିଯିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଛି। ରବିବାର ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଲ୍ଥ ଆଡଭାଇଜରୀ ଜାରି କରାଯାଇଛି। ଦିଲ୍ଲ-ଏନ୍ସିଆର ଅଞ୍ଚଳକୁ ହେଲ୍ଥ ଇମର୍ଜେନ୍ସି ଘୋଷଣା କରାଯାଇଛି। ଫଳରେ ନିର୍ମାଣ କାର୍ଯ୍ୟ ଏବଂ ବାଣ ଫୁଟା ପ୍ରଭୃତି ପ୍ରଦୂଷଣକାରୀ କାର୍ଯ୍ୟ ବନ୍ଦ ରଖାଯାଇଛି। ଦିଲ୍ଲୀ, ନଏଡା, ଗ୍ରେଟର ନଏଡା, ଗାଜିଆବାଦ୍, ଗୁରୁଗ୍ରାମ୍, ଫରିଦାବାଦ୍ ଆଦି ଅଞ୍ଚଳରେ ସ୍କୁଲସବୁ ମଙ୍ଗଳବାର ଯାଏ ବନ୍ଦ ରଖାଯାଇଛି। ସିର୍ସାରେ ସ୍କୁଲ ନଭେମ୍ବର ୬ ଯାଏ ୧୦ଟାରୁ ୩ଟା ଯାଏ କ୍ଲାସ୍ ହେବ। ସେହିଭଳି ପରିବେଶ ଧୂଆଁମୟ ହୋଇଯାଇଥିବାରୁ ବିମାନ ଉଡ଼ାଣରେ ମଧ୍ୟ ସମସ୍ୟା ଉପୁଜିଛି। ଏହି କାରଣରୁ ରବିବାର ସକାଳଠାରୁ ହିଁ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୩୨ଟି ବିମାନର ଉଡ଼ାଣର ଗତିପଥ ପରିବର୍ତ୍ତନ କରାଯାଇଛି। ଖରାପ ପାଗ ଦୃଷ୍ଟିରୁ ବୋଲି ପ୍ରଥମେ କୁହାଯାଉଥିଲେ ମଧ୍ୟ ପରେ ଏହା ପ୍ରଦୂଷଣ ଜନିତ ବୋଲି କୁହାଯାଇଛି। ସୋମବାର ସୁପ୍ରିମ୍କୋର୍ଟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ନେବାର ଅଛି।
ଆଜି ସନ୍ଧ୍ୟାରେ ପିଏମ୍ଓ ପ୍ରିନ୍ସିପାଲ ସେକ୍ରେଟାରୀ ପିକେ ମିଶ୍ର ଏହାକୁ ନେଇ ଆଜି ସନ୍ଧ୍ୟାରେ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ। ଏଥିରେ ଦିଲ୍ଲୀ ସରକାରଙ୍କ ପ୍ରତିନିଧି ଏବଂ ପଞ୍ଜାବ ଓ ହରିଆଣାର ପ୍ରତିନିଧି ଯୋଗଦେଇଥିଲେ। ଏମାନଙ୍କ ସହ କ୍ୟାବନେଟ୍ ସେକ୍ରେଟାରୀ ରାଜୀବ ଗୌବା ମଧ୍ୟ ଉପସ୍ଥିତ ରହିଥିବା ସୂଚନା ମିଳିଛି। ତେବେ ଏହି ପ୍ରଦୂଷଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, “ପ୍ରଦୂଷଣ ଉତ୍ତର ଭାରତରେ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଦିଲ୍ଲୀ ଲୋକେ ବହୁତ କଷ୍ଟ ସହିଛନ୍ତି। ଏଥିରେ କିନ୍ତୁ ସେମାନଙ୍କର କିଛି ଭୁଲ ନାହିଁ। ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିନେଇ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର ଏଥିପାଇଁ ତ୍ୱରିତ ପଦକ୍ଷେପ ନେବା ଦରକାର। କେନ୍ଦ୍ରର ସବୁ ପଦକ୍ଷେପକୁ ଅମା ସମର୍ଥନ କରିବୁ।”
ଏକ ଆଡଭାଇଜରୀରେ ଦିଲ୍ଲୀ ସ୍ୱାସ୍ଥ୍ୟ ପରାମର୍ଶଦାତା ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି, ବାହାରକୁ ଆସିବା କମ୍ କରନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି, “ବାୟୁ ପ୍ରଦୂଷଣ ବହୁତ କ୍ଷତି କରିଥାଏ। ଏପରିକି ସୁସ୍ଥ ବ୍ୟକ୍ତିକୁ ମଧ୍ୟ ଅସୁସ୍ଥ କରିଥାଏ। ସେହି କାରଣରୁ ସାଧାରଣ ଲୋକଙ୍କୁ ପରାମଶ ଦିଆଯାଉଛି ସେମାନେ ବାହାରକୁ ଆସିବା ବନ୍ଦ କରନ୍ତୁ। ବିଶେଷ କରି ସକାଳେ ଏବଂ ବିଳମ୍ବିତ ସନ୍ଧ୍ୟାରେ ଏପରି କରନ୍ତୁ ନାହିଁ।”
ବୟସ୍କ ବ୍ୟକ୍ତି, ଛୋଟ ପିଲା, ଗର୍ଭବତୀ ଏବଂ ଅସୁସ୍ଥ ଲୋକେ ନିଜକୁ ସୁସ୍ଥ ରଖିବା ପାଇଁ ଯଥା ସମ୍ଭବ ଚଳପ୍ରଚଳ କମ୍ କରିବାକୁ ମଧ୍ୟ ପରାମର୍ଶ ଦିଆଯାଛି। ଏଭଳି ଲୋକେ ବାହରରେ କାମ କରିବାକୁ ପଡ଼ୁଥିବା ନିଯୁକ୍ତିରେ ଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
ତେବେ ଏହି ଅବସରରେ ଦି ଏନର୍ଜି ଆଣ୍ଡ ରିସୋର୍ସ ଇନ୍ଷ୍ଟିଚ୍ୟୁଟ୍ ଉପଦେଶ ଦେଇଛି ବିଭିନ୍ନ ଅନୁଷ୍ଠାନର କର୍ମଚାରୀମାନେ ଘରେ ବସି କାମ କରନ୍ତୁ। ଅଭିଭାବକମାନେ ପିଲାମାନଙ୍କୁ ବାହାରକୁ ନେବା କମାଇବାକୁ ମଧ୍ୟ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୂଷଣ ସହ ଜଡ଼ିତ ଆସ୍ଥମା ରୋଗୀମାନଙ୍କ ସଂଖ୍ୟା ହସ୍ପିଟାଲରେ ବଢ଼ିବାରେ ଲାଗିଛି। ଗତ ୧୦ ଦିନରେ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ୧୫-୨୦% ବୃଦ୍ଧି ପାଇଛି।
ତେବେ ସ୍ଥିତି ଏଭଳି ସଙ୍ଗିନ୍ ଥିବାବେଳେ ଏଥିରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ରଙ୍କ ଶରଣ ପଶିବାକୁ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସୁନିଲ ଭରାଲା ନାମକ ଏହି ମନ୍ତ୍ରୀ କହିଛନ୍ତି ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ କଲେ ଯାଇ ଏହି ସମସ୍ୟାରୁ ମୁକ୍ତି ମିଳିବ। ଏପରିକି ଏହି ପ୍ରଦୂଷଣରୁ ମୁଖ୍ୟ କାରଣ କୁହାଯାଉଥିବା ନଡ଼ା ପୋଡ଼ିବାକୁ ସେ ପ୍ରାକୃତିକ ପ୍ରକ୍ରିୟା କହିଛନ୍ତି। ଏହା ପ୍ରଦୂଷଣ ପାଇଁ ଦାୟୀ ନୁହେଁ କହିଛନ୍ତି। ଏହାକୁ ସମାଲୋଚନା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରସିଦ୍ଧ ପର୍ଯ୍ୟଟନ କୀର୍ତ୍ତି ତାଜମହଲର ସୁରକ୍ଷା ପାଇଁ ଉତ୍ତରପ୍ରଦେଶ ସରକାର ଏୟାର ପ୍ୟୁରିଫାୟର୍ର ବ୍ୟବସ୍ଥା କରିଛନ୍ତି।