ଇଟାନଗର: ପ୍ରବଳ ବର୍ଷା ଯୋଗୁଁ ଅରୁଣାଚଳ ପ୍ରଦେଶର ତୱାଙ୍ଗ ଜିଲ୍ଲାରେ ଆଜି ଭୋରରେ ଏକ ଶ୍ରମିକ ଶିବିର ନିକଟରେ ଭୂସ୍ଖଳନ ଘଟି ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ବହୁ ଲୋକ ଆହତ ମଧ୍ୟ ହୋଇଛନ୍ତି। ଦୁଇ ତିନି ଜଣ ମାଟି ଅତଡ଼ା ମଧ୍ୟରେ ଫସି ରହିଛନ୍ତି ବୋଲି କୁହାଯାଉଛି। ଏନ୍ଡିଆର୍ଏଫ୍ ଟିମ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
ଅତିରିକ୍ତ ଡେପୁଟୀ କମିଶନର (ହେଡ୍କ୍ୱାର୍ଟର୍ସ) ଲୋଡ୍ ଗାମ୍ବୋ କହିଛନ୍ତି,“ ଏହି ଘଟଣା ଭୋର୍ ପ୍ରାୟ ସାଢ଼େ ୩ଟା ବେଳେ ଘଟିଛି। ତୱାଙ୍ଗ ସହର ଠାରୁ ୪ କିଲୋମିଟର ଦୂରରେ ଏକ ନିର୍ମାଣ ଶ୍ରମିକ କ୍ୟାମ୍ପ ନିକଟରେ ଏହି ଘଟଣା ଘଟିଛି।”
ଗତ କିଛି ଦିନ ହେଲାଣି ତୱାଙ୍ଗ ଜିଲ୍ଲାରେ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି। ବର୍ଷା ଯୋଗୁଁ କିପ୍ତି ପିଏଚ୍-୧ ଓ ପିଏଚ୍-୨ ହାଇଡ୍ରୋପ୍ରୋଜେକ୍ଟ କ୍ଷତିଗ୍ରସ୍ତ ହୋଇଛି।