ନୂଆଦିଲ୍ଲୀ: ଗତ ୧୦ ଦିନ ଧରି ତିହାର ଜେଲରେ ଆମରଣ ଅନଶନ ଚଳାଇଥିବା କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଶେଷରେ ଏଥିରୁ ଓହରିଛନ୍ତି। ତାଙ୍କ ଅଭିଯୋଗ ଓ ଦାବିର ଉପଯୁକ୍ତ ଶୁଣାଣି ହେବ ବୋଲି ଦିଲ୍ଲୀ ଜେଲ୍ର ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲଙ୍କ ପ୍ରତିଶ୍ରୁତି ପରେ ସେ ଭୋକ ହରତାଲରୁ ଓହରିଛନ୍ତି । ଏହାପରେ ଗତ ରାତିରେ ସେ ଜେଲ୍ରେ ଖାଦ୍ୟ ଗ୍ରହଣ କରିଥିବା ଜଣାଯାଇଛି।
ଦିଲ୍ଲୀର ତିହାର ଜେଲରେ ଆଜୀବନ ସଜା କାଟୁଥିବା କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଜୁଲାଇ ୨୨ ରେ ଆମରଣ ଅନଶନ ଆରମ୍ଭ କରିଥିଲେ। ତାଙ୍କ ମାମଲାର ସଠିକ୍ ଯାଞ୍ଚ କରାଯାଉ ନାହିଁ ବୋଲି ଅଭିଯୋଗ କରି ସେ ଭୋକ ଉପାସ ଆରମ୍ଭ କରିଥିଲେ। ସେବେଠୁ ସେ କିଛି ଖାଉ ନ ଥିବା ବେଳେ ପାଣି ବି ସ୍ପର୍ଶ କରୁ ନ ଥିଲେ।
କ୍ରମଶଃ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜୁଲାଇ ୨୬ରେ ତାଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। । ସେଠାରୁ ଜୁଲାଇ ୨୯ ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା, ତଥାପି ସେ କିଛି ଖାଇବାକୁ ମନା କରିଦେଇଥିଲେ। ଏହାପରେ ଦିଲ୍ଲୀ ଜେଲର ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲଙ୍କ ଅନୁରୋଧ କ୍ରମେ ଦୁଇ ମାସ ପାଇଁ ଭୋକ ଉପାସକୁ ସ୍ଥଗିତ ରଖିଛନ୍ତି ବୋଲି ଜେଲ ଅଧିକାରୀ କହିଛନ୍ତି।
ତାଙ୍କ ଅଭିଯୋଗ ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ଏହାର ସଠିକ୍ ଯାଞ୍ଚ କରାଯାଇ ନିଷ୍ପତ୍ତି ସମ୍ପର୍କରେ ଖୁବ୍ ଶୀଘ୍ର ତାଙ୍କୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ଜେଲ୍ର ମହାନିର୍ଦ୍ଦେଶକ । ନିଷିଦ୍ଧ ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେ.କେ.ଏଲ୍.ଏଫ୍) ର ୫୬ ବର୍ଷୀୟ ମୁଖ୍ୟ ୟାସିନ ମଲିକ ଆତଙ୍କବାଦ ସହ ଜଡିତ ଅର୍ଥ ହେରଫେର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।