ରାୟପୁର (ଓଡ଼ିଶା ରିପୋର୍ଟର):କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ନେଲା ପୁଣି ଏକ ଜୀବନ। ଅନ୍ଧ ବିଶ୍ୱାସ କାରଣରୁ ବାପା ମା ୫ ମାସର ଝିଅକୁ ନାଗ ଦେବତାଙ୍କ ଆଶୀର୍ବାଦ ନେବାକୁ ସାପ ଧରାଳି ହାତରେ ଦେଇଦେଲେ। ଆଉ ଏହି ନାଗରାଜଙ୍କର ବିଷ ନଥିବା ନେଇ ସାପୁଆ କେଳାର କଥାକୁ ବିଶ୍ୱାସ କରିବାର କରୁଣ ପରିଣତି ସେମାନଙ୍କୁ ଭୋଗିବାକୁ ପଡିଛି ଏବଂ ଆଶୀର୍ବାଦ ଅଭିଶାପର ରୂପ ନେଇଯାଇଛି।
ଘଟଣା ଘଟିଛି ଛତିଶଗଡ଼ରେ। ବିଲ୍ଲୁ ରାମ୍ ନାମକ ଏହି ସାପ ଧରାଳି ନିଜ ଆଡ଼ୁ ନାଗରାଜଙ୍କ ଆଶୀର୍ବାଦ ବାବଦରେ ଏହି ଦମ୍ପତିଙ୍କୁ କହିଥିଲା ଏବଂ ଅନୁମତି ପାଇବା ପରେ ତା'ର କାର୍ଯ୍ୟ ଆରମ୍ଭ କରିଥିଲା। ନାଗଦେବତାଙ୍କ ଆଶୀର୍ବାଦ ପାଇଁ ୨ ଘଣ୍ଟା ଧରି ତଥାକଥିତ ପୂଜାବିଧି ପ୍ରୟୋଗ କରିଥିଲା। ସେ ବାରମ୍ବାର କହୁଥିଲା ନାଗରାଜଙ୍କର ବିଷ ନାହିଁ। କିନ୍ତୁ ଯେତେବେଳେ ସେ ଛୁଆଟିର ବେକରେ ସାପକୁ ଗୁଡ଼ାଇ ଦେଲା ସଙ୍ଗେସଙ୍ଗେ ସେ ଚୋଟ ମାରିଥିଲା।
ଚୋଟ ଖାଇବା ପରେ ହଠାତ ଛୁଆଟିର ସ୍ଥିତି ଗମ୍ଭୀର ହେବାକୁ ଲାଗିଲା। ସ୍ଥିତି ବିଗିଡ଼ିବାପରେ ପ୍ରକୃତ କଥା ବୁଝିବାକୁ ଆଉ କିଛି ବାକି ନଥିଲା। ଅଳ୍ପ ସମୟ ମଧ୍ୟରେ ଶିଶୁକନ୍ୟାର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହା ପରେ ସ୍ଥାନୀୟ ଲୋକେ ବିଲ୍ଲୁକୁ ମାଡ଼ି ବସି ପୁଲିସ୍ ଜିମାରେ ଦେଇଥିଲେ।
ବିହାରରେ ଅନୁରୂପ ଘଟଣାରେ ଜଣେ ତାନ୍ତ୍ରିକର କଥାରେ ପଡ଼ି ଭଗବାନଙ୍କୁ ଖୁସି କରିବା ଆଳରେ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ଭାଉଜଙ୍କୁ ହତ୍ୟା କରିଦେଇଥିଲେ। ସେମାନେ ଏହି ମହିଳାଙ୍କୁ ଡାହାଣୀ ଲାଗିଛି ବୋଲି ଦାବି କରୁଥିଲେ।