କୋଲକାତା: କରୋନା ମୁକାବିଲା କରିବାକୁ ଯାଇ ସାରା ଦେଶ ୨୧ ଦିନିଆ ଲକ୍ଡାଉନ୍ ପାଳନ କରୁଛି। ପରିବହନ ସେବା ବନ୍ଦ ରହିଛି। ଅନେକ ଦିନ ମଜୁରିଆ, ଶ୍ରମିକ ମାନେ ଘର ପହଞ୍ଚିନପାରି ରାସ୍ତାରେ ଅଟକି ଯାଇଥିବା ଦେଖିବାକୁ ମିଳିଛି। ଆଉ କେହି କେହି ପାଦରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ତେବେ ପଶ୍ଚିମବଙ୍ଗରେ ଟିକିଏ ନିଆରା ଚିତ୍ର ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ବଙ୍ଗୀୟ ଗାୟକ ଯିଏ କି ଜଣେ ପାଲା ଗାୟକ ଏବେ ସପ୍ତାହେରୁ ଅଧିକ ଦିନ ହେବ ଏକ ଡଙ୍ଗାରେ ଏକାନ୍ତବାସ କରୁଥିବା ଦେଖିବାକୁ ମିଳିଛି।
ମାର୍ଚ୍ଚର ଶେଷ ସପ୍ତାହରେ ନଦିଆ ଜିଲ୍ଲାର ନବଦ୍ୱୀପ୍ ବାସିନ୍ଦା ନିରଞ୍ଜନ ହାଲଦାର (୬୦) ମାଲଦା ଜିଲ୍ଲାର ବୁଲବୁଲଚାନ୍ଦି ଗାଁରେ ଥିବା ତାଙ୍କ ଭଣଜାଙ୍କ ଘରକୁ ଯାଇଥିଲେ। ହବିପୁର ବ୍ଲକରେ ଥିବା ଭଣଜା ଘରକୁ ଯିବା ବାଟରେ ସେ ନିକଟ ଗ୍ରାମରେ ବୁଲାବୁଲି କରି କିଛି ଟଙ୍କା ରୋଜଗାର କରିବା ପାଇଁ ଲୋକଗୀତ ଏବଂ କୀର୍ତ୍ତନ ଗାଉଥିଲେ। ଏହାପରେ ଲକ୍ଡାଉନ୍ ଘୋଷଣା ହୋଇଥିଲା।
ତେବେ ଭଣଜାଙ୍କ ଘରେ ପହଞ୍ଚିବା ପରେ ତାଙ୍କ ପରିବାର ତଥା ସ୍ଥାନୀୟ ଲୋକମାନେ କରୋନା ଭାଇରସ୍ ରୋଗ ଏବଂ ଏହାର ବିସ୍ତାରକୁ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ କହିଥିଲେ। ଏହାପରେ ନରଞ୍ଜନ ଆଉ ଘରକୁ ଫେରିପାରିନଥିଲେ। ଭଣଜା ମଧ୍ୟ ଗରିବ ଶ୍ରେଣୀର। କଠୋରୀ ନଥିବାରୁ ନିରଞ୍ଜନ କୌଣସି ବିକଳ୍ପ ନ ଥାଇ ନିକଟସ୍ଥ ଟାଙ୍ଗାନ ନଦୀରେ ଏକ ଡଙ୍ଗାରେ ଅଲଗା ରହିଛନ୍ତି।
ସ୍ଥାନୀୟ ବାସିନ୍ଦା ତାପସ ବିଶ୍ୱାସ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ନିରଞ୍ଜନଙ୍କ ଭଣଜା ଘରେ ରହିବାକୁ ଅଲଗା କଠୋରୀ ନାହିଁ। ତେଣୁ ଆମେ ତାଙ୍କ ପାଇଁ ଏକ ଡଙ୍ଗା ବ୍ୟବସ୍ଥା କରିଛୁ ଏବଂ ସେ ସେଠାରେ କିଛି ଦିନ ଅଲଗା ରହିବାକୁ ଇଚ୍ଛା କରିଛନ୍ତି। ଆମେ ତାଙ୍କୁ ଖାଦ୍ୟ ଏବଂ ପାନୀୟ ପାଇଁ ସମସ୍ତ ପ୍ରକାର ସହଯୋଗ କରୁଛୁ। କିଛି ଏନଜିଓ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ବିଶ୍ୱାସ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।