କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମର୍ଫି ଫୋଟ ଭାଇରାଲ କରି ଗିରଫ ହୋଇଥିବା ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମା ଆଜି ଜେଲରୁ ମୁକୁଳିଛନ୍ତି। ସୁପ୍ରିମକୋର୍ଟ ଗତକାଲି ତାଙ୍କୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସର୍ବୋଚ୍ଚ କୋର୍ଟଙ୍କ ଆଦେଶର ୧୮ ଘଣ୍ଚା ପରେ ବିଜେପି ନେତ୍ରୀ ଜେଲରୁ ମୁକୁଳିଛନ୍ତି। ତେବେ ସେ କୌଣସି ଭୁଲ କରିନାହାନ୍ତି ତେଣୁ କ୍ଷମା ମାଗିବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ପ୍ରିୟଙ୍କା।
ଗତକାଲି ସୁପ୍ରିମକୋର୍ଟ ମମତା ବାନାର୍ଜୀଙ୍କ ମର୍ଫି ଫୋଟକୁ ନେଇ ଶୁଣାଣି କରିଥିଲେ। ସେଥିରେ ଏହି ବିଜେପି ନେତ୍ରୀଙ୍କୁ ଶୀଘ୍ର ଛାଡିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମମତା ବାନାର୍ଜୀଙ୍କୁ ଲିଖିତ କ୍ଷମା ପ୍ରାର୍ଥନା କରିବା ପାଇଁ ପ୍ରିୟଙ୍କାଙ୍କୁ କହିଥିଲେ। ହେଲେ ସେ କ୍ଷମା ମାଗିବେ ନାହିଁ ବୋଲି ଆଜି ପ୍ରିୟଙ୍କା ସିଧାସିଧା କହିଛନ୍ତି । ଅନ୍ୟମାନେ ମଧ୍ୟ ମମତାଙ୍କ ମର୍ଫି ଫୋଟ ସେୟାର କରିଛନ୍ତି। କିନ୍ତୁ ସେ କାହିଁକି ଏକୁ଼ଟିଆ ଗିରଫ ହେବେ ଓ କ୍ଷମା ମାଗିବେ ବୋଲି ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ଖୋଲିବା ପରେ ଜୁଲାଇ ମାସରେ ଏହି ଶୁଣାଣିକୁ ଚ୍ୟାଲେଞ୍ଜ କରିବେ ବୋଲିଲ ସେ କହିଛନ୍ତି।
ତେବେ ଜେଲରୁ ମୁକୁଳିବା ବେଳେ ଜେଲ କର୍ମଚାରୀ ସତ୍ୟପାଠରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଯାହକି ମାନବାଧିକାର କ୍ଷୁର୍ଣ୍ଣ ଏବଂ ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ବୋଲି ସେ ଦର୍ଶାଇଛନ୍ତି। ଏହାକୁ ନେଇ ବିଜେପି ନେତ୍ରୀଙ୍କ ଓକିଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କାହିଁକି ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବି ପ୍ରିୟଙ୍କାଙ୍କୁ ଜେଲରୁ ଛାଡ଼ିବାରେ ବିଳମ୍ୱ ହେଲା ସେ ନେଇ ପଶ୍ଚିମବଙ୍ଗ ପୁଲିସକୁ ଜବାବ ମାଗିବା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ବିଜେପି ନେତ୍ରୀଙ୍କ ଓକିଲ।
ଏଥିସହ ଜେଲରେ ରହିବା ବେଳେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ପ୍ରିୟଙ୍କା ଅଭିଯୋଗ ଆଣିଛନ୍ତି। କାହା ସହିତ କଥା ହେବାକୁ ଜେଲ କର୍ମଚାରୀ ଦେଇନଥିବା ବେଳେ ମହିଳା ଶୌଚାଳୟରେ ପାଣି ନଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନ୍ୟୁୟର୍କ ମେଟ ଗାଲା ଇଭେଣ୍ଟରେ ଉଠାଯାଇଥିବା ଫଟୋରେ ମମତାଙ୍କ ମୁହଁ ଯୋଡ଼ି ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଫଟୋକୁ ବିଜେପି ଯୁବମୋର୍ଚ୍ଚାର ସଭାପତି ପ୍ରିୟଙ୍କା ଶର୍ମା ଫେସବୁକରେ ଶେୟାର କରିଥିଲେ।
ଏହାପରେ ଟିଏମସି ନେତା ସାଇବର ସେଲରେ ପ୍ରିୟଙ୍କା ଶର୍ମାଙ୍କ ନାଁ'ରେ ଅଭିଯୋଗ କରିଥିଲେ। ଶନିବାର ଦିନ ପୁଲିସ ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।