ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଗାମୀ ଦିନରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ। ନୂଆ ସରକାରକୁ ବିଧାନସଭାରେ ଘେରିବା ପାଇଁ ଶିବସେନା-ଏନସିପି-କଂଗ୍ରେସ ଜୋରଦାର ପ୍ରୟାସ କରୁଛନ୍ତି। ଏହି ତିନି ଦଳ ପାଖରେ ୧୪୪ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦାବି କରିଛନ୍ତି। ଏହାରି ଭିତରେ ବିଜେପି ମଧ୍ୟ ଆଜି କହିଛି, ବିଜେପି ଗୃହରେ ବହୁମତ ସାବ୍ୟସ୍ତ କରି ଦେଖାଇବ।
ଦେବେନ୍ଦ୍ର ଫଡ଼ନାଭିସଙ୍କ ନେତୃତ୍ୱରେ ଆଜି ବିଜେପିର ବୈଠକ ହୋଇଥିଲା। ଏଥିରେ ସମସ୍ତ ଦଳୀୟ ବିଧାୟକ ସମେତ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଓ ରାଜ୍ୟର ବିଜେପି ନେତା ଯୋଗ ଦେଇଥିଲେ। ବିୈଠକ ପରେ ବିଜେପି ବିଧାୟକ ଆଶୀଷ ଶୋଲ୍ଲାର କହିଛନ୍ତି, ମେଣ୍ଟ ଭାଙ୍ଗି ଶିବସେନା ପାପ କରିବା ସହିତ ଜନାଦେଶକୁ ଅସମ୍ମାନ କରିଛି।
ଶିବସେନା ଉପରେ ବର୍ଷିବାକୁ ଯାଇ ଆଶୀଷ ଆହୁରି କହିଛନ୍ତି, ବାଲା ସାହେବ ଠାକରେଙ୍କ ଆଦର୍ଶକୁ ଶିବସେନା ଭୁଲି ଯାଇଛି। ୨୩ ନଭେମ୍ୱର ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ, ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ବିଧାନସଭାରେ ବହୁମତ ବିଜେପି ସାବ୍ୟସ୍ତ କରିବ। ଆସ୍ଥା ଭୋଟକୁ ନେଇ ବିଜେପି ଆଜି ବୈଠକ କରିଥିଲା। ଏଥିରେ ସମସ୍ତ ରଣନୀତି ସ୍ଥିର ହୋଇଛି ବୋଲି ସେ କହିଛନ୍ତି। ହେଲେ ଜିତିବାର କୌଶଳ ବିଜେପି ଗୃହରେ ଦେଖାଇବ ଏଠି ନୁହେଁ ବୋଲି ସେ କହିଛନ୍ତି।
ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ରାଜ୍ୟରେ ବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି। ଆମେ ମହାରାଷ୍ଚ୍ରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଯେଉଁ ନିର୍ଦ୍ଦଳୀୟ ବିଧାୟକମାନେ ବିଜେପିକୁ ସମର୍ଥନ କରୁଛନ୍ତି, ସେମାନଙ୍କ ସହ ଆଉ ଏକ ସ୍ଥାନରେ ବୈଠକ ହେବ। ଏହି ବୈଠକରେ ଆସ୍ଥା ଭୋଟକୁ ନେଇ ରଣନୀତି ପ୍ରସ୍ତୁତ ହେବ। ଏବେ ବିଜେପି ପାଖରେ ୧୧୮ ବିଧାୟକ ରହିଛନ୍ତି। ଯେଉଁଥିରୁ ୧୦୫ ଦଳୀୟ ବିଧାୟକ। ସରକାର ଗଢ଼ିବା ପାଇଁ ୧୪୫ ସଂଖ୍ୟାବଳ ରହିଛି। ବାକି ବିଧାୟକ ଗୃହରେ ଦେଖାଇବ ବୋଲି ଏହି ବିଧାୟକ କହିଛନ୍ତି।