ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ପୁଣି ସରକାର କରିବା ପରେ ଶିବସେନା ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଶୁକ୍ରବାର ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ଥିଲେ ହେଁ, ଶନିବାର କ୍ଷମତା ଦଖଲ କରି ନିଜ ଦବ୍ଦବା ଜାହିର କରିଛି ବିଜେପି। ଏହା ଶିବସେନାକୁ ଅଡ଼ୁଆରେ ପକାଇଥିବାବେଳେ ବିଜେପି ନିଜ ପୁରୁଣା ମେଣ୍ଟ ସହଯୋଗୀ ଦଳକୁ ସମାଲୋଚନା କରିବାର କୌଣସି ସୁଯୋଗ ମଧ୍ୟ ଛାଡ଼ୁନାହିଁ।
ଆଜି ଏକ ସାମ୍ବାଦିକ ସମ୍ମଳନୀରେ ରବିଶଙ୍କର ପ୍ରସାଦ କହିଛନ୍ତି, ଅକ୍ଟୋବର ମାସର ନିର୍ବାଚନ ପୂର୍ବରୁ ଦେବେନ୍ଦ୍ର ଫଡ଼ନାଭିସ୍ ହିଁ ବିଜେପି-ଶିବସେନା ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ। ବିଜେପିର ଭୋଟ୍ ସମର୍ଥନ ପାଇ ଶିବସେନା ଏତେ ସଂଖ୍ୟାରେ ଆସନ ଜିତିପାରିଛି। ମେଣ୍ଟର ବିଜୟ ବିଜେପି ପାଇଁ ଉଭୟ ନିର୍ବାଚନୀ ବିଜୟ ସହ ନୈତିକ ବିଜୟ ମଧ୍ୟ ହୋଇଥିଲା।
ସେ ଏନ୍ସିପି-କଂଗ୍ରେସକୁ ସମାଲୋଚନା କରି କହିଥିଲେ, ସେମାନଙ୍କୁ ଜନତା ବିରୋଧ ଦଳରେ ବସିବାକୁ ଭୋଟ୍ ଦେଇଥିଲେ। ସେମାନେ କ୍ଷମତାକୁ ଆସିବାକୁ ମ୍ୟାଚ୍ ଫିକ୍ସିଂ କାହିଁକି କରିଥିଲେ।
ସୂଚନାଯୋଗ୍ୟ ଯେ, ଶନିବାର ସକାଳ ଖବର ଆସିବା ଯାଏ ସମସ୍ତଙ୍କୁ ଜଣାଥିଲା କଂଗ୍ରେସ-ଏନ୍ସିପି-ଶିବସେନା ମେଣ୍ଟ ସରକାର ଗଢ଼ିବ। ଶିବସେନାର ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ଏହି ସରକାର ହେବ ବୋଲି ସ୍ଫଷ୍ଟ ଥିଲା। ଏପରିକି ରାତିରେ ଶରଦ ପାୱାର ଘୋଷଣା କରିଥିଲେ, ୩ ଦଳ ଚାହୁଁଛନ୍ତି ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।