ମୁମ୍ବାଇ: ଆଜି ଜିଏସ୍ଟି ପରିଷଦ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଟିକେଟ୍ରେ ଜିଏସ୍ଟି ପରିମାଣ ହ୍ରାସ ସମ୍ପର୍କିତ ଘୋଷଣା କରିବାପରେ ଏହାର ପ୍ରଶଂସାରେ ଶତମୁଖ ହୋଇଛନ୍ତି ଫିଲ୍ମ ସେନ୍ସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଯୋଶୀ।
ସେ କହିଛନ୍ତି ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରତିନିଧିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କର ସଫଳ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆ ଯାଇଛି।
ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଏପରି ନିଷ୍ପତ୍ତି ଦର୍ଶାଉଛି ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଆହ୍ୱାନକୁ ବୁଝି ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ଟିକେଟ୍ ଏବଂ ୧୮% ଜିଏସ୍ଟି ସ୍ଲାବ୍କୁ ଖସିଆସିଥିବାବେଳେ ୧୦୦ ଟଙ୍କା ପର୍ଯ୍ୟନ୍ତ ଟିକସ ୧୨% ଏବଂ ୫% ଟିକେଟ୍ ସ୍ଲାବ୍ ପର୍ଯ୍ୟନ୍ତ ଖସିଆସିଛି।
ଅନ୍ୟପକ୍ଷରେ ପ୍ରଡ୍ୟସର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଷ୍ଟେଟ୍ସର ସଭାପତି ସିଦ୍ଧାର୍ଥ ରାୟ କପୁର ମଧ୍ୟ ସରକାରଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି। ଏହା ସିନେମା ଜଗତରେ ସକାରାତ୍ମକ ପ୍ରଭାବ ଆଣିବ। ଏହା ଫଳରେ ଉଭୟ ଭିତ୍ତିଭୂମି ଏବଂ ସୃଜନଶୀଳତାରେ ନିବେଶ ବଢ଼ିବ ବୋଲି କହିଛନ୍ତି। ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବା ଟିକସ ଦର ଦର୍ଶକ ମାନଙ୍କ ପକେଟ୍ ପାଇଁ ଅତ୍ୟଧିକ ହୋଇଯାଉଥିଲା। ଜିଏସ୍ଟି ପରିଷଦ, କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସମାଧାନ ଦିଗରେ କାର୍ଯ୍ୟ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।